ଉପକ୍ରମ ଆମ ରାଜ୍ୟର ଲୋକ ସଂଖ୍ୟାରେ କିଶୋର ଓ କିଶୋରୀମାନଙ୍କ ସଂଖ୍ୟା ଶତକଡା ୨୨ ଭାଗ ।୧୦ ରୁ ୧୯ ବର୍ଷ ପର୍ଯ୍ୟନ୍ତ ବୟସ ସୀମାକୁ କୈଶୋରବସ୍ଥା କୁହାଯାଏ । ବିଶ୍ଵ ସ୍ୱାସ୍ଥ୍ୟ ସଂସ୍ଥା ଦ୍ଵାରା ଅନୁମୋଦିତ ସଂଜ୍ଞା ଅନୁଯାୟୀ କିଶୋର ଅବସ୍ଥାରେ ଶାରୀରିକ, ମାନସିକ ଏବଂ ବୌଦ୍ଧିକ କ୍ଷେତ୍ରରେ ଅନେକ ଗୁରୁତ୍ଵପୂର୍ଣ୍ଣ ପରିବର୍ତ୍ତନ ଆସିଥାଏ ।କେବଳ କିଶୋରୀ ଓ କିଶୋରମାନେ ନୁହନ୍ତି, ବୟସ୍କଙ୍କ ମାନଙ୍କ ଠାରେ ଏହିସବୁ ପରିବର୍ତ୍ତନ ବାବଦରେ ସଠିକ୍ ଧାରଣା ନଥାଏ । ଫଳତଃ ଅନେକ ଭୁଲଭଟକା ମଣିଷ ଜୀବନରେ ଘଟିଥାଏ ପାରିବାରିକ ଏବଂ ସାମାଜିକ ଦୃଷ୍ଟିକୋଣରୁ ଆଜିକାଲି ପ୍ରଜନନ ସ୍ଵାସ୍ଥ୍ୟର ଆବଶ୍ୟକତା ବଢିଚାଲିଛି । ‘ଯୌନସ୍ୱାସ୍ଥ୍ୟ’ ପ୍ରଜନନ ସ୍ଵାସ୍ଥ୍ୟର ଏକ ପ୍ରଧାନ ଅଂଶ । ବିଶେଷ କରି କିଶୋର ଓ କିଶୋରୀମାନଙ୍କ କଲ୍ୟାଣ ଦୃଷ୍ଟିରୁ ଏହାର ଆବଶ୍ୟକତାର ଗୁରୁତ୍ଵ ଅନୁଭୂତ ହେଉଛି । ପୂର୍ବରୁ ହୁଏତ୍ ଯୌନ ସ୍ୱାସ୍ଥ୍ୟର ଆଲୋଚନା ସାମାଜିକ ସ୍ଵୀକୃତ୍ତି ପାଇନଥିଲା, କାରଣ ଆମ ସମାଜ ଅନେକ ସ୍ୱାସ୍ଥ୍ୟ ସମସ୍ୟା ବିଷୟରେ ଯଥେଷ୍ଟ ଅବଗତ ନଥିଲା । ପ୍ରଜନନ ସ୍ୱାସ୍ଥ୍ୟର ବିକାଶ ହେଲେ ଯୌନ ସ୍ୱାସ୍ଥ୍ୟ କ୍ଷେତ୍ରରେ ନିମ୍ନଲିଖିତ ଉନ୍ନତି ହୋଇପାରିବ, ଯଥା- ଗୁଣାତ୍ମକ ଏବଂ ସହଜଲଭ୍ୟ ଶିକ୍ଷା ଓ ତାଲିମ । ବିଳମ୍ବ ବିବାହ ଓ ସୁଜନଶୀଳ କୈଶୋର ଅବସ୍ଥା ପାଇଁ ପାରିବାରିକ ସଚେତନତା । ଅସୁରକ୍ଷିତ କିମ୍ବା ଅନିଛାକୃତ ଯୌନଜୀବନରୁ ଆତ୍ମରକ୍ଷା କରିବାର ଜ୍ଞାନ ଓ କୌଶଳ ପ୍ରାପ୍ତି । ପ୍ରଜନନ ସ୍ୱାସ୍ଥ୍ୟ ବିଷୟରେ ବିଷାଦ ଜ୍ଞାନ । ଅନେକ ଭ୍ରମଧାରଣା ଓ ଭୁଲ ଅଭ୍ୟାସରୁ ମୁକ୍ତି । ଯୌନ ସ୍ୱାସ୍ଥ୍ୟ କ’ଣ ? ଯୌନାଙ୍ଗ ଓ ପ୍ରଜନନ ରାସ୍ତାକୁ ସୁସ୍ଥ ରଖି ସଂକ୍ରମଣ ମୁକ୍ତ କରିବାକୁ ପ୍ରଜନନ ସ୍ୱାସ୍ଥ୍ୟ କୁହାଯାଏ । ଏହାକୁ ସଫଳ କରିବାକୁ ହେଲେ ଯୌନ ସଂଚାରିତ ରୋଗ, ହିଂସା, ଅବାଞ୍ଛିତ ଗର୍ଭାଧାନରୁ ଦୂରେଇ ରହିବାକୁ ହେବ । ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଯୌନସ୍ୱାସ୍ଥ୍ୟ କଥା ବିଚାର କରାଯାଇପାରେ । ମୌଳିକ ଭାବେ ଯୌନତା ପ୍ରାପ୍ତି ,ଯୌନାଙ୍ଗ, ଏହାର ବୃଦ୍ଧି ଓ ବିକାଶ, ଯୌନାଙ୍ଗର ବିଭନ୍ନ ସଂକ୍ରମଣ ଇତ୍ୟାଦି ସହିତ ଏଥିରେ ଥିବା ଶାରୀରିକ, ମାନସିକ ଓ ସାମାଜିକ ପ୍ରଭାବକୁ ଯୌନାଚାର ବୋଲି କୁହାଯାଏ । ସଂଜ୍ଞା : ଯୌନସ୍ୱାସ୍ଥ୍ୟ କେବଳ ସହବାସ କିମ୍ବା ସନ୍ତାନ ପ୍ରସବର ଜ୍ଞାନରେ ସୀମିତ ନୁହେଁ । ଏଥିରେ ଆତ୍ମ ଅଭିଭକ୍ତ, ସାମାଜିକ ମୂଲ୍ୟ ବୋଧ, ସେହ୍ନ, ଯତ୍ନ ଓ ଭାଗୀଦାର ହେବାର ମନୋବୃତ୍ତି ମଧ୍ୟ ସାମିଲ । ବିଶ୍ଵ ସ୍ୱାସ୍ଥ୍ୟ ସଂସ୍ଥା ଅନୁସାରେ “ଯୌନସ୍ୱାସ୍ଥ୍ୟ ଶାରୀରିକ, ମାନସିକ, ବୌଦ୍ଧିକ ଓ ସାମାଜିକ ସ୍ତରରେ ପରିପୁଷ୍ପ ବ୍ୟକ୍ତିତ୍ଵ ଭାବର ସଞ୍ଚରଣ ଏବଂ ସେହ୍ନକୁ ସମୃଦ୍ଧ କରିଥାଏ“ । ଯୌନାଚାର କାହିଁକି ଗୁରୁତ୍ଵପୂର୍ଣ୍ଣ : ସମ୍ପୂର୍ଣ୍ଣ ମାନବିକ ସାମର୍ଥ୍ୟର ବିକାଶ, ମାନବିକ ଅଧିକାର ଏବଂ ସ୍ଵଚ୍ଛନ୍ଦତା ପାଇଁ ଯୌନାଚାର ଏକ ମୌଳିକ ଆବଶ୍ୟକତା । ଯୌନ ବିଶୃଙ୍ଖଳା, ବାଧ୍ୟତା ଏବଂ ବାଚ୍ଛନ୍ଦକୁ ରୋକିବା ପାଇଁ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଆଇନକୁ ଦୃଢ କରିପାରିଲେ ସମସ୍ତେ ଉତ୍ତମ ଯୌନ ସ୍ୱାସ୍ଥ୍ୟର ଅଧିକାରୀ ହୋଇପାରିବେ । ଯୌନାଚାରକୁ ନିଶ୍ଚିତ କରାଇବା ପାଇଁ ଶରୀର ଉପରେ ନିଜସ୍ଵ ନିୟନ୍ତ୍ରଣ ରହିବାର ଅଧିକାର, ସୁରକ୍ଷା ଏବଂ ସମ୍ମାନ ଆବଶ୍ୟକ । ମହିଳା ଏବଂ ଝିଅମାନଙ୍କୁ ସକ୍ଷମ କରାଇବା ଯାହାଦ୍ୱାରା ସେମାନେ ନିଜସ୍ଵ ପ୍ରଜନନ ସ୍ୱାସ୍ଥ୍ୟ ସମ୍ବନ୍ଧୟ ପଦକ୍ଷେପ ନେଇପାରିବେ । ଏତଦ୍ ବ୍ୟତୀତ ମହିଳାମାନେ ସହମତପୂର୍ଣ ସହବାସ,ପ୍ରଜନନ କ୍ରିୟା ଉପରେ ନିଜସ୍ଵ ନିୟନ୍ତ୍ରଣ ଇତ୍ୟାଦିକୁ ଆପଣେଇ ପାରିବେ ଯାହା ସେମାନଙ୍କୁ ଅବାଞ୍ଛିତ ଗର୍ଭାଧାନରୁ ରକ୍ଷା ପାଇପାରିବ । ଗୋପନୀୟତା ରକ୍ଷା କରୁଥିବା ଉଚ୍ଚମାନର ସ୍ୱାସ୍ଥ୍ୟ ସେବା ଏବଂ ଜନସାଧାରଣ ସ୍ୱାସ୍ଥ୍ୟ ବ୍ୟବସ୍ଥାର ପରିଚାଳନା କୈଶୋର କ’ଣ : ଯୁବାବସ୍ଥାର ପୂର୍ବ ଅବସ୍ଥାକୁ କୈଶୋରବସ୍ଥା କୁହାଯାଏ । ବିଶ୍ଵ ସ୍ୱାସ୍ଥ୍ୟ ସଂସ୍ଥା ଅନୁଯାୟୀ ୧୦-୧୯ ବର୍ଷ ବୟସ ହେଉଛି କିଶୋର ସମୟ । ଏହି ବୟସ ମଧ୍ୟର ପୁଅକୁ କିଶୋର ଏବଂ ଝିଅକୁ କିଶୋରୀ ବୋଲି କୁହାଯାଏ । ଜଣେ ପୁଅ ବା ଝିଅର କୈଶୋର ସମୟରେ ହିଁ ତା’ ର ଯୌନତାପ୍ରାପ୍ତି ହୋଇଥାଏ । ତେଣୁ ଏହି ସମୟରେ ଦେଖା ଯାଉଥିବା ଲକ୍ଷଣ ଏବଂ ପରିବର୍ତ୍ତନ ଗୁଡିକ ଭଲଭାବରେ ଜାଣିବା ଦରକାର । କିଶୋରୀମାନଙ୍କଠାରେ ଦେଖାଯାଉଥିବା ପରିବର୍ତ୍ତନ ଓଜନ ବଢିବା ମୋଟାହେବା ବା ପପୀଫ୍ୟାଟ୍ ସ୍ତନର ଆକାର ବୃଦ୍ଧି ଋତୁସ୍ରାବ ଆରମ୍ଭ ଯୌନାଙ୍ଗର ଆକାର ପରିବର୍ତ୍ତନ କାଖ ଓ ଯୌନାଙ୍ଗରେ କେଶ ଉଠିବ ଅଣ୍ଟାତଳୁ ଆଣ୍ଠୁଯାଏଂ ମୋଟା ଦେଖା ଯିବା ଏବଂ ମୁହଁରେ ବ୍ରଣ ହେବା ସମ ବୟସର ପୁଅ ପିଲାଙ୍କ ସହ ବନ୍ଧୁତ୍ଵ ରଖିବା ଅଧିକ ସମୟ ଶୋଇବାକୁ ଇଚ୍ଛା କରିବା ଏବଂ ସମୟେ ସମୟେ ମନ ମାରି ବସି ରହିବା ଶୀଘ୍ର ଶୀଘ୍ର ଭୋକ ଲାଗିବା ଭିନ୍ନ ଭିନ୍ନ ଖାଦ୍ୟ ପ୍ରତି ଆଗ୍ରହ ମଝିରେ ମଝିରେ ମୁଣ୍ଡ ବିନ୍ଧିବା ବା ପେଟ କାଟିବା ସାଙ୍ଗସାଥିଙ୍କ ମେଳରେ ରହିବାକୁ ପସନ୍ଦ କରିବା ଏବଂ ଲଜ୍ୟାବୋଧ ଏସବୁ ଲକ୍ଷଣ ଗୁଡିକ ପ୍ରାୟ କିଶୋର ବୟସରେ ବିଶେଷ ଭାବେ ଦେଖାଦେଇଥାଏ । ଏହାପରେ ଝିଅମାନଙ୍କ ଶରୀରରେ ଥିବା କେତେକ ହରମୋନ୍ ବା ଜୀବରସର ପ୍ରଭାବରେ ଅନେକ ଶାରୀରିକ ପରିବର୍ତ୍ତନ ହୋଇଥାଏ । ଏହା ମୁଖ୍ୟତଃ ସ୍ତନ ଏବଂ ଯୌନାଙ୍ଗରେ ଦେଖାଯାଇଥାଏ । ଜଣେ ବାଳିକାର ଯୌନାଙ୍ଗ କଥା ବିଚାର କରିବାକୁ ଗଲେ ଆମେ ତା’ର ବାହ୍ୟ ଏବଂ ଆଭ୍ୟନ୍ତରୀଣ ପ୍ରଜନନ ଅଙ୍ଗଗୁଡିକୁ ବୁଝିବା ଦରକାର । ଅତଏବ ଯୌନତାପ୍ରାପ୍ତିରେ ଏହି ଅଙ୍ଗଗୁଡିକର କେଉଁସବୁ ପରିବର୍ତ୍ତନ ହୁଏ ତାହା ଜାଣିବା ନିତ୍ୟାନ୍ତ ଦରକାର । ମହିଳାମାନଙ୍କର ପ୍ରଜନନ ଅଙ୍ଗ ଏବଂ ଋତୁସ୍ରାବ ଆଦ୍ୟ ଋତୁସ୍ରାବ ଯୌନତାପ୍ରାପ୍ତିର ଏକ ପ୍ରଧାନ ସଂକେତ ମା' ପେଟରେ ଥିବାବେଳେ ଗର୍ଭାଶୟ,ଡିମ୍ବାଶୟ ଓ ଅନ୍ୟାନ୍ୟ ପ୍ରଜନନ ଅଙ୍ଗଗୁଡିକର ଗଠନ ସେଷ ହୋଇଥିଲେ ମଧ୍ୟ ବାଳିକା 9-10 ବର୍ଷ ବୟସ ପୂର୍ବରୁ ତା' ଠାରେ ବାହ୍ୟ ଯୌନାଙ୍ଗ ବ୍ୟତୀତ ନାରୀତ୍ଵର ଅନ୍ୟ କୌଣସି ଲକ୍ଷଣ ଦେଖିବାକୁ ମିଳେ ନାହିଁ । ଯୋନି : ମହିଳାମାନଙ୍କର ବାହ୍ୟ ଯୌନାଙ୍ଗକୁ ଯୋନି କୁହାଯାଏ । ପରିସ୍ରା ଦ୍ଵାର ଏବଂ ଗୃହ୍ୟ ଦ୍ଵାର ମଝିରେ ଥିବା ଦ୍ଵାରା କୁ ଯୋନିଦ୍ଵାର କୁହାଯାଏ । ଏହା ଗର୍ଭାଶୟର ମୁଖ ପର୍ଯ୍ୟନ୍ତ ରହିଥାଏ । ମାସିକ ଋତୁସ୍ରାବ,ସହବାସ, ପ୍ରସବ ଇତ୍ୟାଦି ଏହି ବାଟ ଦେଇ ହୋଇଥାଏ । ମନସ : ଆହା ଯୋନିମୁଖର ମାଂସକ ଲୋମାଯୁକ୍ତ ଅଂଶ । ବାହାର ଭାଙ୍ଗ : ଯୋନିର ବାହାର ପାର୍ଶ୍ଵ ଦୁଇଟି ମାଂସକ ମୋଟାଳିଆ ତଥା ସମ୍ବେଦନଶଶୀଳ ଚର୍ମ ଭାଙ୍ଗଦ୍ଵାରା ଆବୃତ୍ତ । ଏହା ଯୋନି ଦ୍ଵାରକୁ ଘୋଡାଇ ରଖିଥାଏ । ଭିତର ଭାଙ୍ଗ : ବାହାର ଭାଙ୍ଗ ଭିତରକୁ ଏହି ଭାଙ୍ଗ ଥାଏ । ଏହା ଖୁବ୍ ସମ୍ବେଦନଶଶୀଳ ଏବଂ ନରମ । ଏଥିରେ ଲୋମ ନଥାଏ ଏବଂ ସ୍ପର୍ଶ କରିବା ମାତ୍ରେ ଉଦ୍ଦୀପନା ଜାତ ହୁଏ । ଯୌନକ୍ରିୟାବେଳେ ଏହା ଫୁଲିଯାଏ ଏବଂ ଏହାର ରଙ୍ଗ ଗାଡ ହୋଇଯାଏ । ଯୋନିଦ୍ଵାର : ଯୋନିର ପ୍ରବେଶ ଦ୍ଵାରକୁ ଯୋନିଦ୍ଵାର କୁହାଯାଏ । ଏହା ଗର୍ଭାଶୟ ମୁଖଯାଏ ସଂଯୁକ୍ତ । ସତୀଚ୍ଛଦ (ହାଇମେନ): ଏହା ଚର୍ମର ପତଳା ଅଂଶ ଯାହାକି ଯୋନିଦ୍ୱାରର ଠିକ ତଳକୁ ରହିଥାଏ । ସତିଚ୍ଛଦ ପ୍ରସାରିତ ହୋଇପାରେ । କଠିନ ପରିଶ୍ରମ, ଖେଳ ଓ ଅନ୍ୟାନ୍ୟ କାମର ଚାପ ପଡିଲେ ସେଥିରୁ ପାଣି ବା ସାମାନ୍ୟ ରକ୍ତ ବାହାରିପାରେ । ପ୍ରଥମ ଥର ଯୋନିକ୍ରିୟାବେଳେ ମଧ୍ୟ ଜଣେ ନାରୀର ଏପରି ହୋଇପାରେ, ସମସ୍ତଙ୍କର ସତିଚ୍ଛଦ ଭିନ୍ନ ଭିନ୍ନ । କେତେକ ସ୍ତ୍ରୀଲୋକଙ୍କର ସତିଚ୍ଛଦ ଆଦୌନଥାଏ । ଭାଗଙ୍କୁର : ଏହା ଏକ ଛୋଟ ଫୁଲକଡ ଭଳି । ଏହା ଯୋନିମୁଖର ଏକ ଅଂଶ, ଏହାର ସ୍ପର୍ଶ ବା ଅନୁଭବଶକ୍ତି ଖୁବ ତୀବ୍ର । ଏହାକୁ ଆଉଁସିଲେ ବା ସାଉଁଳିଲେ ଜଣେ ନାରୀର ଯୌନକ୍ରିୟା ପାଇଁ ଉଦ୍ଦୀପନା ସୃଷ୍ଟି ହୁଏ ଏବଂ ଏହା ଉତ୍ତେଜନାର ଚରମ ସୀମାରେ ପହଞ୍ଚେ । ଏହା ପୁରୁଷର ଲିଙ୍ଗ ସହିତ ତୁଳନା କରାଯାଇପାରେ । ପରିସ୍ରାଦ୍ଵାର : ଏହା ହେଉଛି ପରିସ୍ରା ନଳିର ବାହ୍ୟଦ୍ଵାର । ପରିସ୍ରା ନଳିର ମୁଣାରେ ସଞ୍ଚିତ ହୋଇ ରହିଥିବା ପରିସ୍ରା ଶେଷରେ ଏଇବାଟ ଦେଇ ବାହାରକୁ ଆସେ । ଗର୍ଭାଶୟ : ପେଟ ଭିତରେ ଯୋନିଦ୍ଵାର ଉପରକୁ ଏହା ରହିଥାଏ । କେତେକ ସୂକ୍ଷ୍ମତନୁଯୁକ୍ତ ମାଂସପେଶୀ ଏବଂ ଝିଲ୍ଲୀକୁ ନେଇ ଏହା ଗଠିତ । ଏହା ଦେଖିବାକୁ ତ୍ରିଭୂଜ ଆକୃତିର । ଏହାର ତଳଭାଗକୁ ଗର୍ଭାଶୟ ମୁଖ କୁହାଯାଏ । ଡିମ୍ବାଶୟ : ପ୍ରତ୍ୟେକ ମହିଳାଙ୍କର ଗର୍ଭାଶୟ ଦୁଇପାଖରେ ଗୋଟିଏ ଲେଖାଏଁ (ସମୁଦାୟ ଦୁଇଟି) ଡିମ୍ବାଶୟ ରହିଛି । ପ୍ରାୟ ପ୍ରତି ମାସରେ ଥରେ ଲେଖାଁଏ ଡିମ୍ବାଶୟ ମଧ୍ୟରୁ ଗୋଟିଏ ଡିମ୍ବକୋଷ ବାହାରି ଡିମ୍ବବାହୀ ନଳୀ ଭିତରକୁ ପ୍ରବେଶ କରେ । ଏହି ପ୍ରକ୍ରିୟାକୁ ଡିମ୍ବାଣୁ କ୍ଷରଣ ପ୍ରକ୍ରିୟା କହନ୍ତି । ଏହି ଡିମ୍ବାଣୁ ସହିତ ଯଦି ପୁରୁଷର ଶୂକ୍ରାଣୁର ମିଲନ ଘଟେ ତେବେ ଏକ ଭ୍ରୁଣ (ଜାଇଗଟ) ହୋଇ ଗର୍ଭାଶୟକୁ ଆସେ । ଭ୍ରୁଣ ବଢିବା ପାଇଁ ଗର୍ଭାଶୟ ଝିଲ୍ଲୀ ଏବଂ ଏଥିରେ ସଂଲଗ୍ନ ଉପାଦାନକୁ ନେଇ ଏକ କୋମଳ ଶଯ୍ୟା ପ୍ରସ୍ତୁତ ହୋଇଥାଏ । ପରେ ଏହି ଭ୍ରୁଣ ବଢି ବଢି ଶିଶୁର ରୂପ ନିଏ । ଯଦି ଡିମ୍ବାଣୁ ଓ ଶୂକ୍ରାଣୁର ମିଲନ ନ ଘଟେ ତେବେ ଗର୍ଭୋଦୟ ହୁଏ ନାହିଁ । ଗର୍ଭୋଦୟ ନ ହେଲେ ଗର୍ଭାଶୟ ଝିଲ୍ଲୀର ଅବକ୍ଷୟ ଘଟେ । ସେଥିରେ ଥିବା ଛୋଟ ଛୋଟ ରକ୍ତନାଳୀ ଗୁଡିକ ଫାଟିଯିବାରୁ ରକ୍ତସ୍ରାବ ଆରମ୍ଭ ହୁଏ । ଏହାକୁ ମାସିକ ଋତୁସ୍ରାବ କୁହାଯାଏ । ମାସିକ ଋତୁଚକ୍ର ବା ମାସିକ ଧର୍ମ : ପ୍ରାୟତଃ ପ୍ରତି ୨୮ ଦିନ ବା ପ୍ରତି ମାସରେ ଥରେ ଋତୁସ୍ରାବ ହୋଇଥାଏ । ଏହା ୩-୪ ଦିନ ପର୍ଯ୍ୟନ୍ତ ଲାଗିରହେ । ରୃତ୍ତୁଚକ୍ରର ମଧ୍ୟ ଭାଗରେ ବା ହାରାହାରି ୧୪ ଦିନ ପରେ ଡିମ୍ବାଣୁ କ୍ଷରଣ ହୁଏ । ଡିମ୍ବାଣୁ କ୍ଷରଣ ପରେ ଯଦି ଗର୍ଭସଞ୍ଚାର ନ ହୁଏ ତେବେ କ୍ଷରଣ ଠାରୁ ୧୪ ଦିନ ପରେ ପୁଣି ଋତୁସ୍ରାବ ହୁଏ । ଆମ ଦେଶରେ ପ୍ରାୟ ୧୦-୧୨ ବର୍ଷ ମଧ୍ୟରେ ଅଧିକାଂଶ ଝିଅଙ୍କର ଋତୁସ୍ରାବ ଆରମ୍ଭ ହୋଇଥାଏ । ପ୍ରତି ମାସରେ ହେଉଥିବା ଏହି ପ୍ରକ୍ରିୟା ପ୍ରାୟ ୪୫ ବର୍ଷ ପର୍ଯ୍ୟନ୍ତ ଲାଗିରହେ । ଏହା ପରେ ଡିମ୍ବାଣୁ କ୍ଷରଣ ବନ୍ଦ ହୋଇଯିବାରୁ ଋତୁସ୍ରାବ ହୋଇନଥାଏ । କିଶୋରୀମାନେ ଜାଣି ରଖିବା ଦରକାର – ମାସିକ ଧର୍ମ ସ୍ରାବକୁ ଟାଣିନେବା ପାଈଁ ବ୍ୟବହାର କରୁଥିବା କପଡା ସମ୍ପୂର୍ଣ୍ଣ ଭାବେ ପରିଷ୍କାର ହେବା ଦରକାର । ଯୋନିଦ୍ଵାର ଭଲ ଭାବରେ ପରିଷ୍କାର ରଖିବା ଦରକାର । ଋତୁସ୍ରାବ ଆରମ୍ଭ ହେବାର କିଛି ମାସ ପର୍ଯ୍ୟନ୍ତ ଏହା ଅନିୟମିତ ହୋଇଥାଏ । ଏଥିପାଇଁ ବ୍ୟସ୍ତ ନହୋଇ ଉପଯୁକ୍ତ ପରାମର୍ଶ ନେବା ଦରକାର । ମାସିକ ଋତୁସ୍ରାବରେ ଅନିୟମିତତା ବା ଅସ୍ଵାଭାବିକ ଋତୁସ୍ରାବ : ଅନେକ କ୍ଷେତ୍ରରେ ଋତୁସ୍ରାବ ଅସ୍ଵାଭାବିକ ହୋଇଥାଏ । ଭିନ୍ନ ଭିନ୍ନ ଲକ୍ଷଣ ପ୍ରକାଶ କରୁଥିବା ଏହି ଅସ୍ଵାଭାବିକ ରୃତ୍ତୁଚକ୍ରକୁ ସାଧାରଣତଃ ତିନିଭାଗରେ ବିଭକ୍ତ କରାଯାଏ ଯଥା : ପୀଡାଦାୟକ ଋତୁସ୍ରାବ । ନିୟମିତ ବଦଳରେ ଅନିୟମିତ ଭାବେ ଅଳ୍ପ ବା ବହୁତ ପରିମାଣ ରକ୍ତସ୍ରାବ । ଅତ୍ୟଧିକ ରକ୍ତସ୍ରାବ ଯୁକ୍ତ ଋତୁସ୍ରାବ । ପୀଡାଦାୟକ ଋତୁସ୍ରାବ : ଋତୁସ୍ରାବ ସମୟରେ ହେଉଥିବା ଯନ୍ତ୍ରଣାକୁ ଡିସମେନୋରିୟା ବୋଲି କୁହାଯାଏ । ଦୁର୍ବଳତା ଏବଂ ଶରୀର ମଧ୍ୟରେ କେତେକ ବିଷକ୍ରିୟା, ଖାଦ୍ୟ ତଥା ଚଳନୀରେ ଅନିୟମିତତା ଏବଂ ସ୍ନାୟବିକ ଦୁର୍ବଳତା ହେତୁ ଏହା ହୋଇଥାଏ । ଏହି ଯନ୍ତ୍ରଣା ଋତୁସ୍ରାବର ଦୁଇ ତିନି ଦିନ ପୂର୍ବରୁ କିମ୍ବା ଋତୁସ୍ରାବ ହେବାର ଖୁବ୍ ଅଳ୍ପସମୟରେ ଆଗରୁ ତଳିପେଟରେ ଅନୁଭୂତ ହୋଇଥାଏ । ଏ ପ୍ରକାର ଅସୁବିଧା ବନ୍ଦ କରିବା ପାଇଁ କ ‘ଣ କରିବା ଦରକାର : ନିୟମିତ ଭାବେ ପରିମିତ ଖାଦ୍ୟ ଖାଇବା, ଗୋଟିଏ ରାତି ଛଡା ଅନ୍ୟ ରାତିରେ ଉଷୁମ ପାଣିରେ ଗାଧୋଇବା ଦରକାର । ଏହି ଅଭ୍ୟାସ ଋତୁସ୍ରାବ ହେବାର ସାତଦିନ ଆଗରୁ କରିବା ଉଚିତ । ଋତୁସ୍ରାବ ସମୟରେ ଥଣ୍ଡା ପାଣିରେ ଅଣ୍ଟାତଳକୁ ଗାଧୋଇବା ଉଚିତ । ଏହା ଡିମ୍ବାଶୟର କାର୍ଯ୍ୟ ଠିକ୍ ଭାବେ ହେବାର ସାହାଜ୍ୟ କରେ । ଋତୁସ୍ରାବର ଠିକ ପୁର୍ବରୁ ଯଦି ଯନ୍ତ୍ରଣା ହେଉଥାଏ ତେବେ ଗର୍ଭାଶୟଟି ଅସ୍ଵାଭାବିକ ଭାବେ ରହିଛି ବୋଲି ଜାଣିବାକୁ ହେବ । ଅତି ଦୁର୍ବଳ ମହିଳାମାନଙ୍କର କ୍ଷେତ୍ରରେ ଏହା ବିଶେଷ ଭାବେ ଦେଖାଯାଇଥାଏ । ଯଦି ଋତୁସ୍ରାବ ସମୟରେ ଯନ୍ତ୍ରଣା ହୁଏ ତେବେ ଏହା ଜରାୟୁର ପ୍ରଦାହରୁ ହେଉଛି ବୋଲି ଜାଣିରଖନ୍ତୁ। ଉପସମ ପାଇବା ପାଇଁ : ନିୟମ ମାନି ଖାଆନ୍ତୁ । ଋତୁସ୍ରାବ ପୂର୍ବରୁ ଅଣ୍ଟାଯାଏ ନଖଉଷୁମ ପାଣିରେ ସ୍ନାନ କରନ୍ତୁ । (କେବେ ୧୦ ମିନିଟ ପର୍ଯ୍ୟନ୍ତ ଏହିପାରି ପାଣିରେ ଗାଧାନ୍ତୁ ।) ସାବଧାନ ଅତ୍ୟଧିକ ଗରମ ପାଣିରେ ଗାଧାନ୍ତୁ ନାହିଁ । ଋତୁସ୍ରାବ ଦିନମାନଙ୍କରେ ଥଣ୍ଡାପାଣିରେ ଅଣ୍ଟାରୁ ତଳକୁ ସ୍ନାନ କରନ୍ତୁ । ନିୟମିତ ବଦଳରେ ଅନିୟମିତ ଭାବେ ଅଳ୍ପ ବା ବହୁତ ପରିମାଣର ରକ୍ତସ୍ରାବ: ବାରମ୍ବାର ଋତୁସ୍ରାବ ହେବା କ୍ରମାଗତ ଭାବେ ହେଉଥିବା ଋତୁସ୍ରାବ ହଠାତ ବନ୍ଦ ହୋଇଯିବା ଅଳ୍ପଦିନ ବ୍ୟବଧାନରେ ଋତୁସ୍ରାବ ହେବା (ନିୟମିତ ଭାବେ ଋତୁସ୍ରାବ ନ ହୋଇ) ଏସବୁ ଯୌନେନ୍ଦ୍ରିୟର କୌଣସି ଦୁର୍ବଳତା ବା ଅସ୍ଵାଭାବିକତା ହେତୁ ହୋଇନଥାଏ । ରକ୍ତହୀନତା,ଦ୍ଦୁଖଚିନ୍ତା, ବ୍ୟସ୍ତଭାବ ଭୟ, ଜରାୟୁର ଜଟିଳତା ଓ ଯକ୍ଷ୍ମା ଇତ୍ୟାଦି ରୋଗ ହେତୁ ଏ ପ୍ରକାର ଋତୁସ୍ରାବ ଜନିତ ଅସୁବିଧା ହୋଇପାରେ । ଏ କ୍ଷେତ୍ରରେ ଅସୁବିଧାର କାରଣ ଓ ନିରାକରଣ ବିଶେଷଙ୍କ ପରାମର୍ଶ ଅନୁଯାୟୀ କରିବା ଉଚିତ । ଅତ୍ୟଧିକ ରକ୍ତସ୍ରାବ ଯୁକ୍ତ ଋତୁସ୍ରାବ ଋତୁସ୍ରାବ ସମୟରେ ଅଧିକ ରକ୍ତ ଯିବା ଅନେକ ମହିଳାଙ୍କଠାରେ ଦେଖାଯାଇଥାଏ । ଶରୀରରେ ରକ୍ତର ମାତ୍ରା କମ୍ ଥିଲେ ବିଶେଷ କରି ଆବଶ୍ୟକୀୟ କ୍ୟାଲ୍ସିୟମ ଶରୀରରେ ନ ଥିଲେ ଏ ପ୍ରକାର ଅସୁବିଧା ହୋଇଥାଏ । ଅସୁବିଧା ପାଇଁ ଅନେକଗୁଡାଏ କାରଣ ରହିଥିଲେ ମଧ୍ୟ ଏଥିରେ ବିଷକ୍ରିୟା ହେଉଛି ଅସୁବିଧାର ମୂଳ କାରଣ । ଏହି ବିଷକ୍ରିୟା ଶରୀରରୁ ନିର୍ଗତ କେତେକ ବିଷରସ ହେତୁ ହୋଇଥାଏ । ଏ କ୍ଷେତ୍ରରେ ମହିଳାଙ୍କୁ ସମ୍ପୂର୍ଣ୍ଣ ଶୋଇ ରହିବାକୁ ଦରକାର । ଗୋଡପାଖ ୧୦ – ୧୩ ସେ. ମି. ଉଚ୍ଚ ରହିବା ଦରକାର । ବିଶେଷ ରକ୍ତ ଗଲେ ସ୍ୱାସ୍ଥ୍ୟକର୍ମୀ ବା ଡାକ୍ତରଙ୍କ ପରାମର୍ଶ କ୍ରମେ କିଛି ସଫା ଗଜ୍ ବା କନା ଯୋନି ମଧ୍ୟରେ ରହିବାକୁ ପଡିଥାଏ । କିଛି ଦିନ ଯାଏ ରନ୍ଧା ହେଉନଥିବା ଖାଦ୍ୟ ଯଥା କ୍ଷୀର ଏବଂ ଫଳମୂଳ ଖାଇବା ଦରକାର । ପରେ ପରେ ଅଧିକ ପରିଶ୍ରମ କରିବା, ତାମସିକ ଖାଦ୍ୟ ଖାଇବା ପ୍ରଭୃତି ବାରଣ କରାଯାଇଥାଏ । ଏଥିପାଇଁ ଅନେକ ଦିନ ଚିକିତ୍ସା ଦ୍ଵାରା ଶରୀରରେ ସୃଷ୍ଟି ହେଉଥିବା ବିଷ କ୍ରିୟାକୁ ଦୂର କରାଯାଇଥାଏ । ମନେରଖନ୍ତୁ : ଋତୁସ୍ରାବ ଜନିତ ଅନେକ ପ୍ରକାରର ବ୍ୟକ୍ତିଗତ ଅସୁବିଧା ଦେଖାଦେଇପାରେ । ଏଥିପାଇଁ ସଂକୋଚନ କରି ବିଶେଷଜ୍ଞଙ୍କୁ ପଚାରି ଆବଶ୍ୟକୀୟ ପଦକ୍ଷେପ ନିଅନ୍ତୁ। ମାସିକ ଋତୁସ୍ରାବ ବିଷୟରେ କେତେ ଭୁଲ ଧାରଣା: ଏହି ସମୟରେ ମହିଳାମାନେ ସଂକ୍ରାମକ ହୋଇଥାନ୍ତି । ନା, ଋତୁସ୍ରାବ ରକ୍ତ ଅନ୍ୟ ସବୁ ରକ୍ତ ସହିତ ସମାନ । ଏଥିରେ କୌଣସି ଜୀବାଣୁ ସଂକ୍ରମଣ ନ ଥାଏ। ଋତୁସ୍ରାବ ସମୟରେ ମହିଳାମାନେ ଖାଦ୍ୟପଦାର୍ଥ ସଂକ୍ରମିତ କରିଥାନ୍ତି । ନା, ଏହା ଏକ ଭ୍ରାନ୍ତ ଧାରଣା । ଗାଧୋଇବା ଏବଂ ମୁଣ୍ଡ ଧୋଇବା ଋତୁ ହୋଇଥିବା ମହିଳା ଓ ଝିଅମାନଙ୍କ ପକ୍ଷରେ କ୍ଷତିକାରକ । ନା, ବଋଂ ଏହି ସମୟରେ ପରିଷ୍କାର ପରିଚ୍ଛନ୍ନ ରହିବା ଅଧିକ ଆବଶ୍ୟକ । ଋତୁସ୍ରାବ ସମୟରେ ମହିଳାମାନେ ଅଶୁଦ୍ଧ । ତେଣୁ ସେମାନେ ଧର୍ମ ଅନୁଷ୍ଠାନରେ ଯୋଗଦେବା ଉଚିତ ନୁହେଁ । ଏହା ସପକ୍ଷରେ କୌଣସି ଯୁକ୍ତିଯୁକ୍ତତା ନାହିଁ । ଏହା ଏକ ଅନ୍ଧବିଶ୍ଵାସ ମାତ୍ର । ଡେରିରେ ଋତୁବତୀ ହୋଇଥିବା ଝିଅମାନେ ସାଧାରଣତଃ ବନ୍ଧ୍ୟା ହୋଇଯାଆନ୍ତି । ଏହା ଭୁଲ୍ । ଋତୁ ହେବା ଅର୍ଥ ନୁହେଁ ଜଣେ ଗର୍ଭଧାରଣ କରିବ । ସ୍ତନ: ନାରୀର ଶରୀରରେ ସ୍ତନ ହେଉଛି ଏକ ପ୍ରାକୃତିକ ସମ୍ଭାର । ନାରୀର ସୌନ୍ଦର୍ଯ୍ୟ ବୃଦ୍ଧିରେ ସହାୟକ ହେବା ସହିତ ଅନେକ ଦୁଗ୍ଧ ନଳୀ ଏବଂ ମାଂସପେଶୀକୁ ନେଇ ସ୍ତନ ଗଠିତ ହୋଇଥାଏ । ଏହା ଉପରେ ଥିବା ଚୁଚୁକ ବା ନିପଲ୍ କୁ ସବୁତକ ଦୁଗ୍ଧ ନଳି ସଂଯୁକ୍ତ ହୋଇଥାଏ ସ୍ତନ ବଡ ହେଉ ବା ଛୋଟ ହେଉ ଛୁଆ ପାଇଁ ଆବଶ୍ୟକୀୟ ଦୁଗ୍ଧ ଉଭୟ ପ୍ରକାର ସ୍ତନରୁ ମିଳିଥାଏ । କିଶୋରୀମାନଙ୍କ ମନରେ ସ୍ତନକୁ ନେଇ ଅନେକ ଅହେତୁକ ଚିନ୍ତା ଆସିଥାଏ । ସ୍ତନର ଚୁଚୁକ ବଡ ହେବା, ଚୁଚୁକ ଚାରିପାଖେ ଥିବା ସ୍ଥାନଟି କଳା /ବାଦାମି ପଡିବା, ଗୋଟିଏ ସ୍ତନ ଠାରୁ ଅନ୍ୟ ସ୍ତନଟି ଶୀଘ୍ର ବଡ ହେବା ଓ ବେଳେ ବେଳେ ସ୍ତନ ବଡ ଦେଖା ଯିବା ଆଦି ପରିସ୍ଥିତି ସେମାନଙ୍କର ଚିନ୍ତାର କାରଣ ହୋଇଥାଏ । କିନ୍ତୁ ଏସବୁ ପରିବର୍ତ୍ତନ ସ୍ଵାଭାବିକ । ଏଥିରେ ବ୍ୟସ୍ତ ହେବାର କୌଣସି କାରଣ ନାହିଁ । ଯଦି ଗୋଟିଏ ସ୍ତନଠାରୁ ଅନ୍ୟ ସ୍ତନଟି ଅସ୍ଵାଭାବିକ ଭାବେ ବଡ ହୋଇଛି ତେବେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଆଉ କେତେକ କ୍ଷେତ୍ରରେ ସ୍ତନ ଖୁବ ବଡ ହୋଇଗଲେ ବା ଛୋଟ ହୋଇଗଲେ ମହିଳାମାନେ ବିଶେଷ ଚିନ୍ତାକରିଥାନ୍ତି । ସ୍ତନ ଛୋଟ ହୋଇଗଲେ କୌଣସି ବ୍ୟାୟାମ କରି ଏହାକୁ ବଡ କରିବା ସମ୍ଭବ ନୁହେଁ । ଶରୀରର ଓଜନ ବଢିଲେ ସ୍ତନ ଆକାର ବଢିଥାଏ । କାରଣ ସ୍ତନରେ ଅଧିକାଂଶ ଚର୍ବି ଥାଏ । ଏଥିଲାଗି କେତେକ ହରମୋନ ବା ଜୀବରସ ସମ୍ବନ୍ଧୟ ଚିକିତ୍ସା ରହିଛି । ଏହା ବିଶେଷଜ୍ଞମାନଙ୍କର ପରାମର୍ଶ ନେଇ କାରାଯାଇପାରେ । କୌଣସି ଅସ୍ତ୍ରୋପଚାର ଦ୍ଵାରା ସ୍ତନ ବଡ ବା ଛୋଟ କରିବାକୁ ଚେଷ୍ଟା କାଲେ ପରେ ଏହା ଅସୁବିଧାର କାରଣ ହୋଇପାରେ । ବେଳେ ବେଳେ ସୁନ୍ଦର ଦେଖାଯିବାକୁ ବା ଝୁଲି ପଡିଥିବା ସ୍ତନ ପାଇଁ ବିଭନ୍ନ ପ୍ରକାରର ‘ବ୍ରା’ ବ୍ଯ୍ବହାର କରାଯାଇଥାଏ । କିନ୍ତୁ ଅତିମାତ୍ରାରେ ଚିପି ଧରୁଥିବା ବା ଟାଇଟ୍ ବ୍ରା ବ୍ୟବହାର କରିବା ଉଚିତ ନୁହେଁ । ମନେରଖନ୍ତୁ: କେତେକଙ୍କର ଚୁଚୁକ ବା ସ୍ତନ ଭୁଣ୍ଡି ଭିତରକୁ ପଶି ରହିଥାଏ । ଏଥିପାଇଁ ବିଶେଷ ଚିନ୍ତା କରିବା ଦରକାର ନାହିଁ । ଗର୍ଭ ସମୟରେ ଏହି ସ୍ତନ ଭୁଣ୍ଡି ବଢିବା ସହିତ ବାହାରକୁ ଚାଲିଆସେ । ନଚେତ୍ ଧାଈ, ନର୍ସ ବା ଡାକ୍ତରଙ୍କ ସହାୟତାରେ ଏହା କରାଯାଇପାରେ । ବଜାରରେ କିଛି ଚିତ୍ର ଦେଖି ନିଜର ସ୍ତନକୁ ଗୋଳିଆ କରିବାର ଅନେକ ଝିଅ ମନ ବଳାଇଥାନ୍ତି । ଏହା ଏକ ଭୁଲଧାରଣା କାରଣ ଫଟୋ ଉଠାଇବା ଆଗରୁ ଉକ୍ତ ଚିତ୍ରଗୁଡ଼ିକର ମଡେଲ୍ ମାନେ ସ୍ତନରେ ବରଫ ଲଗାଇ କିଛି ମୂହୁର୍ତ୍ତ ପାଇଁ ଏହାକୁ ଗୋଳିଆ କରିଥାଆନ୍ତୁ । ଆହୁରି ମଧ୍ୟ ଫଟୋ ଏବଂ ଛପାର କୌଶଳ ଚିତ୍ରକୁ ଆକର୍ଷଣୀୟ କରିଦିଏ । ତେଣୁ ଏଥିରେ ପ୍ରଭାବିତ ହୋଇ କୌଣସି ଭୁଲ ପଦକ୍ଷେପ ନିଅନ୍ତୁ ନାହିଁ କିମ୍ବା ସ୍ତନକୁ ନେଇ ଅହେତୁକ ଚିନ୍ତା କରନ୍ତୁ ନାହିଁ । ବ୍ରଣ : ଝିଅ ଏବଂ କେତେକ ମହିଳାଙ୍କର ବ୍ରଣ ହେବା ଏକ ସାଧାରଣ କଥା । ଅଣ୍ଟ୍ରୋଜେନ୍ ନାମକ ଜୀବରସ ବା ହରମୋନ୍ ଏହାର କାରଣ । ତରଳ ଓ ଚର୍ବିଯୁକ୍ତ ଖାଦ୍ୟ, ଅତ୍ୟଧିକ ଚକୋଲେଟ୍ ଇତ୍ୟାଦି ଖାଇବା ଯୋଗେ ମଧ୍ୟ ବ୍ରଣ ହୁଏ । ଶରୀରରେ ଥିବା ସୋବାସିୟସ ଗ୍ରନ୍ଥିରୁ ବାହାରୁଥିବା ରସ ଚମକୁ ମସୃଣ ରଖେ । ଯଦି ଏହି ରସ ଚର୍ମରେ ଠିକ୍ ଭାବେରେ ଖେଳେଇ ନହୋଇ ଅଧିକ ପରିମାଣରେ ବାହାରି ଠାଏଁ ଠାଏଁ ଜମାଟ ବାନ୍ଧି ଥାଏ ଏହା ବ୍ରଣର ଆକାର ଧାରଣ କରେ । ବ୍ରଣରେ କୌଣସି କ୍ରିମ୍ ଲଗାଇଲେ ଏହା ଭଲ ହୋଇଯାଏ, ତାହା ନିଶ୍ଚିତ ଭାବେ କହିହେବ ନାହିଁ । ଏଥିପାଇଁ ହେଉଥିବା ଜୀବରସ ବା ହରମୋନ ଚିକିତ୍ସା ବ୍ୟୟସାପେକ୍ଷ ଏବଂ ସମୟସାପେକ୍ଷ ମଧ୍ୟ । ଏ ଚିକିତ୍ସା ବ୍ୟୟସାପେକ୍ଷ ଏବଂ ସମୟସାପେକ୍ଷ ମଧ୍ୟ । ଏ ଚିକିତ୍ସା କରିବା ଆଗରୁ ବିଶେଷଜ୍ଞଙ୍କ ପରାମର୍ଶ ନିହାତି ଦରକାର । ଦେହର ଗନ୍ଧ: ପ୍ରତ୍ୟେକ ପ୍ରାଣୀର ଦେହରୁ ସ୍ଵତନ୍ତ୍ର ଗନ୍ଧ ବାହାରିଥାଏ । ମଣିଷ ଦେହରୁ ମଧ୍ୟ ଗନ୍ଧ ବାହାରେ । ମହିଳା ଓ କିଶୋରୀମାନଙ୍କ ଠାରେ ଏହା ସ୍ଵତନ୍ତ୍ର । କାଖତଳୁ ଏବଂ ଯୌନାଙ୍ଗରୁ ଏହା ବିଶେଷଭାବେ ଜଣାପଡେ । ଏଥିପାଇଁ ବ୍ୟସ୍ତ ନ ହୋଇ ଗନ୍ଧ ବାହାରୁଥିବା ସ୍ଥାନକୁ ଭଲଭାବେ ପରିଷ୍କାର ରଖିବା ଆବଶ୍ୟକ । ସହର ବଜାରମାନଙ୍କରେ କେତେକ ସୁଗନ୍ଧିତ ତୈଳ ପଦାର୍ଥ ବା ଡିଓଡେରାନ୍ଟ ମିଳେ । ଗନ୍ଧ ବାହାରୁଥିବା ସ୍ଥାନରେ ଏହାକୁ ସିଞ୍ଛନ (ସ୍ପ୍ରେ) କାଲେ ଗନ୍ଧ ଜଣାପଡି ନ ଥାଏ । ଏହା ବ୍ୟବହାର ନକରି କେବଳ ପରିଷ୍କାର ରଖିବା ଅଭ୍ୟାସ କଲେ ଭଲ । ଅନେକ ମଧ୍ୟ ପାଉଡର ବ୍ୟବହାର କରିଥାଆନ୍ତି । କିନ୍ତୁ ଏହାର ବ୍ୟବହାର କରିବା ଉଚିତ ନୁହେଁ । କାରଣ ଝାଳ ବାହାରୁ ଥିବା ଗ୍ରନ୍ଥଗୁଡିକ ଏହା ଦ୍ଵାରା ବନ୍ଦ ହୋଇଯାଏ । କିଶୋର ଏବଂ ପୁରୁଷମାନଙ୍କ ଯୌନାଙ୍ଗ କୈଶୋର ବୟସରୁ (୧୦ରୁ ୧୯ ବର୍ଷ) ପୁରୁଷମାନଙ୍କର ଯୌନ ସ୍ୱାସ୍ଥ୍ୟ ବିଷୟରେ ଆଲୋଚନା କରାଯାଇପାରେ । ମସ୍ତିଷ୍କରେ ସ୍ଵତନ୍ତ୍ର ଜୀବରସ କ୍ରିୟାଶୀଳ ହେବା ଫଳରେ କିଶୋର ଅବସ୍ଥା ଆସିଥାଏ । ପରିଲିଖିତ ମୁଖ୍ୟ ପରିବର୍ତ୍ତନଗୁଡିକ ହେଲା : ଅଣ୍ଡକୋଷ ବା ଜାଉଁଳି ବଡ ହେବା ଏବଂ ଓହଳିବାକୁ ଆରମ୍ଭ କରିବା, ଯୌନାଙ୍ଗ ଏବଂ କାଖ ତଳେ କେଶ ଉଠିବା ଏବଂ ଦାଢି ନିଶ ହେବା, ବୀର୍ଯ୍ୟ ସୃଷ୍ଟିହେବା, କଣ୍ଠ ସ୍ଵର ମୋଟାହେବା, ବ୍ରଣ ଉଠିବା, ସ୍ଵପ୍ନଦୋଷ ହେବା, ହସ୍ତମୈଥୁନ ବା ଯୌନ କ୍ରିୟା ପାଇଁ ମନ ବଳାଇବା, ସାଙ୍ଗସାଥିଙ୍କ ଗହଣରେ ସମୟ ବିତାଇବା ପୁରୁଷମାନଙ୍କ ଯୌନାଙ୍ଗର ଗଠନ ଓ ଏହାର କାର୍ଯ୍ୟ : ପୁରୁଷମାନଙ୍କର ପ୍ରଜନନ ଅଙ୍ଗ ନାରୀମାଙ୍କର ପ୍ରଜନନ ଅଙ୍ଗଠାରୁ ସମ୍ପୂର୍ଣ୍ଣ ଅଲଗା । ଏଗୁଡିକ ମଧ୍ୟରେ ମୁଖ୍ୟତଃ ଅଣ୍ଡକୋଷ, ବୀର୍ଯ୍ୟବାହୀ ନାଳୀ ବା ଲିଙ୍ଗ ଅନ୍ତର୍ଭୁକ୍ତ । ସୁକ୍ରକୀଟ (ବୀର୍ଯ୍ୟ ମଧ୍ୟରେ ଥିବା) ଗୁଡିକ ଅଣ୍ଡକୋଷରେ ପ୍ରସ୍ତୁତ ହୋଇ ରେତଥଳୀରେ ଗଛିତ ହୋଇ ରୁହନ୍ତି । ସହବାସ ଦ୍ଵାରା ପରିଶ୍ରାନଳୀ ଦେଇ ଏହି ସୁକ୍ରକୀଟ ନାରୀର ଯୌନାଙ୍ଗରେ ପ୍ରବେଶ କରନ୍ତି । ବୀର୍ଯ୍ୟ ଓ ଶୁକ୍ର: ଅଣ୍ଡକୋଷରେ ଶୁକ୍ରକୀଟ ସୃଷ୍ଟି ହୁଏ । ଏହା ସହିତ ପ୍ରୋଷ୍ଟେଟ୍ ଓ ରେଡ ଥଳୀରେ ନିର୍ଗତ ରସ ମିଶି ବୀର୍ଯ୍ୟ ସୃଷ୍ଟି ହୁଏ । ଏହା ଦେଖିବାକୁ ନାଳୁଆ ଓ ଧଳା ରଙ୍ଗର । ବୀର୍ଯ୍ୟ ମଧ୍ୟରେ ଶୂକ୍ରାଣୁ ରହିଥାଆନ୍ତି । ବୀର୍ଯ୍ୟ ମଧ୍ୟରେ ରହିଥିବା ଶୁକ୍ରକୀଟ ବା ଶୂକ୍ରାଣୁ ସହବାସ ଦ୍ଵାରା ନାରୀର ଯୌନାଙ୍ଗ ଦେଇ ଗର୍ଭାଶୟ ଭିତରକୁ ଯାଆନ୍ତି । ସନ୍ତରଣ କଲାଭଳି ଶୁକ୍ରକୀଟଗୁଡିକ ଗର୍ଭାଶୟରେ ବୁଲନ୍ତି । ପୁରୁଷ ଗୁଣ ଥିବା ସୁକ୍ରକୀଟ ୨୪ ଘଣ୍ଟା ବା ୧ ଦିନ ଯାଏଁ ଏବଂ ସ୍ତ୍ରୀଗୁଣ ଥିବା ଶୁକ୍ରକିଟ ୭୨ ଘଣ୍ଟା ବା ୩ ଦିନ ରହିଥାଆନ୍ତି । ଥରେ ମାତ୍ର ସ୍ଫଳନ ହେଉଥିବା ବୀର୍ଯ୍ୟରେ ପ୍ରାୟ ୪୦, ୦୦,୦୦,୦୦୦ ସଂଖ୍ୟାର ଶୂକ୍ରାଣୁ ରହିଥାଆନ୍ତି । ଅଣ୍ଡକୋଷରେ ତିଆରି ହେଉଥିବା ଏହି ଶୂକ୍ରାଣୁ ସବୁ ସମ୍ପୂର୍ଣ୍ଣ ପରିପକ୍ଵ ହେବାକୁ ୬ଦିନ ସମୟ ଲାଗିଥାଏ । ତେଣୁ ବୀର୍ଯ୍ୟସ୍ଥଳନରେ ଅନେକ କ୍ଷତି ହେଉଛି ବୋଲି ଭାବି ମନ ଖରାପ କରିବା ଉଚିତ ନୁହେଁ । ବୀର୍ଯ୍ୟସ୍ଥଳନ : ହସ୍ତମୈଥୁନ, ସ୍ଵପ୍ନଦୋଷ,ସହବାସ ଏବଂ ଅତ୍ୟଧିକ କାମ ଉଦ୍ଦୀପନାରୁ ବୀର୍ଯ୍ୟସ୍ଥଳନ ହୋଇଥାଏ । ଲିଙ୍ଗ ଓ ଅଣ୍ଡକୋଷ : ବାରବର୍ଷରୁ ଷୋଳବର୍ଷ ଯାଏଁ ଲିଙ୍ଗର ଆକାର ବଢିବାକୁ ଲାଗେ । ଠିକ ସେହିପରି ଅଣ୍ଡକୋଷ ମଧ୍ୟ । ଏ ସବୁର ଚାରିପାଖେ ଥିବା କେଶଗୁଡିକ ଏହି ସମୟକୁ କୁଞ୍ଚୁକୁଞ୍ଚୁଆ ହୋଇ ବଢିଥାଏ । ପ୍ରାୟ ଅଠର ବର୍ଷ ପର୍ଯ୍ୟନ୍ତ ଅଣ୍ଡକୋଷର ଆକାର ବଢିଥାଏ । ଏହା ପରେ ପରେ ଲିଙ୍ଗ ଓ ଅଣ୍ଡକୋଷ ପ୍ରାୟ ବଢିନଥାଏ । ଲିଙ୍ଗର ଆକାର ନେଇ ଅନେକ ବାଳକ ବାଳିକା ଚିନ୍ତା କରିଥାଆନ୍ତି । ଲିଙ୍ଗ ଯେ ବଡ ହେଲେ ଅଧିକ ସୁଖଦାୟକ ଏହା ଭାବିବା ଉଚିତ ନୁହେଁ । ଆଉ କେତେକ କ୍ଷେତ୍ରରେ ଲିଙ୍ଗଟି ବାଁ କିମ୍ବା ଡାହାଣ ଆଡକୁ ସାମାନ୍ୟ ଢଳିଥାଏ । ଏଥିରେ କିଛି ଅସୁବିଧା ନାହିଁ । ଯଦି ଏହା ଅଙ୍କାବଙ୍କା ନୁହେଁ ତେବେ ଆପଣଙ୍କର ଚିନ୍ତା କରିବା ଦରକାର ନାହିଁ । ଦେହର ଗନ୍ଧ : ସ୍ତ୍ରୀ ମାନଙ୍କ ଭଳି ପୁରୁଷମାନଙ୍କ ଦେହରୁ ମଧ୍ୟ ଗନ୍ଧ ବାହାରି ଥାଏ । ଯୌନାଙ୍ଗ ଏବଂ କାଖରୁ ଏହା ବିଶେଷ ଜଣାପଡେ । କାମ ଉଦ୍ଦୀପନା ରହିଥିଲେ ପୁରୁଷମାନଙ୍କ କାଖତଳୁ ବାହାରୁ ଥିବା ଗନ୍ଧ ଅଧିକ ତୀବ୍ର ହୋଇଥାଏ । ଏହି ଗନ୍ଧ ସ୍ତ୍ରୀ ମାନଙ୍କୁ ଅଧିକ ଆକର୍ଷିତ କରିଥାଏ । ଦେହର ଗନ୍ଧ କେତେକ ଜୀବରସ ପ୍ରଭାବରୁ ହୋଇଥାଏ । ଗନ୍ଧ ବାହାରୁଥିବା ସ୍ଥାନକୁ ପରିଷ୍କାର ରଖିବା ଭଲ । ପାଉଡର୍ ବ୍ୟବହାର କଲେ ଝାଳ ବାହାରୁଥିବା ରନ୍ଧ୍ର ବନ୍ଦ ହୋଇଯାଏ । ହସ୍ତମୈଥୁନ: କାମ ଉଦ୍ଦୀପନାରୁ ଆନନ୍ଦ ପାଇବା ପାଇଁ ପୁରୁଷମାନେ ହସ୍ତମମୈଥୁନ କରିଥାଆନ୍ତି । ସାଧାରଣତଃ କିଶୋର ବୟସରେ ଏହା ଅଧିକ ଦେଖାଯାଏ । ହସ୍ତମୈଥୁନ ବିଷୟରେ କେତେକ ଭ୍ରମ ଧାରଣା ରହିଛି, ଏହା ଏକ ପାପ କାର୍ଯ୍ୟ । ଏହା କଲେ ଦେହ ଦୁର୍ବଳ ହୋଇଯାଏ । ଏହାଦ୍ଵାରା ଶୂକ୍ରାଣୁ କମିଯାଆନ୍ତି ଏବଂ ଅଧିକ ବ୍ରଣ ଏହାଯୋଗୁଂ ହୁଏ ପ୍ରସ୍ତୁତି । କିନ୍ତୁ ଏଭଳି ଧାରଣା ସମ୍ପୂର୍ଣ୍ଣ ଭୁଲ । ଏହା ଶରୀର ଏବଂ ମନର କୌଣସି କ୍ଷତି ଘଟାଇ ନଥାଏ । ତେବେ ଅତ୍ୟଧିକ ମାତ୍ରାରେ ଏ କାର୍ଯ୍ୟ କଲେ ଅନ୍ୟ କାର୍ଯ୍ୟରୁ ମନ କମିଯାଇପାରେ । ଅନ୍ୟ ପକ୍ଷରେ ମହିଳା/ଝିଅ ମାନେ ମଧ୍ୟ ହସ୍ତମୈଥୁନ କରିଥାନ୍ତି । ନିଜେ ବା ଯୌନ ସାଥିଙ୍କ ସହାୟତାରେ ଏହା କରିବାକୁ ସେମାନେ ପସନ୍ଦ କରିଥାନ୍ତି । ବି.ଦ୍ର: ଏହି କାର୍ଯ୍ୟ ଦ୍ଵାରା ଯୋନିର କୌଣସି ଅଂଶ ଛିଡିଗଲେ ବା ଖଣ୍ଡିଆ ହୋଇଗଲେ ସଂକ୍ରମଣ ବ୍ୟାପିବାର ସମ୍ଭାବନା ରହିଛି । ଏହା ମଧ୍ୟ ଯୌନତ୍ଵ ସମ୍ପର୍କିତ ଅନ୍ୟାନ୍ୟ ଜଟିଳତାର କାରଣ ହୋଇପାରେ । ଯଥା- ସଂଭୋଗ ପ୍ରତି ଇଚ୍ଛା ନହେବା । ସଂଯମ: ଅଧିକ ମାତ୍ରାରେ କାମ ଉଦ୍ଦୀପନାରୁ ନିଜକୁ ଦୂରେଇ ରଖିବା ଏବଂ ହସ୍ତମୈଥୁନ ଇତ୍ୟାଦି ନ କରିବାକୁ ଅନେକ କ୍ଷେତ୍ରରେ ପରାମର୍ଶ ଦିଆଯାଇଥାଏ । କିନ୍ତୁ ଅତ୍ୟନ୍ତ କାମୁକ ନ ହୋଇ ସଂଯମ ରକ୍ଷା କରି ଅନ୍ୟାନ୍ୟ ସୁଜନସିଳ ଚିନ୍ତା କରିବା ଭଲ । ସ୍ଵପ୍ନଦୋଷ: କୈଶୋର ସମୟରେ ସ୍ଵପ୍ନଦୋଷ ଆକ ଜଣାଶୁଣା କଥା । ପୁଅଝିଅ ବା ଯୁବକଟିଏର ସ୍ଵପ୍ନଦୋଷ ହେଲେ ସେ କୌଣସି ଯୌନକ୍ରିୟା ସମ୍ପର୍କିତ କିମ୍ବା ବିପରୀତ ଲିଙ୍ଗିର ସ୍ଵପ୍ନ ଦେଖିଥାଏ । ଫଳରେ ତାଙ୍କ ବୀର୍ଯ୍ୟସ୍ପଳନ ହେବା ଏବଂ ଅଶିକ୍ଷିତ ବୈଦ୍ୟ ବା ଚିକିତ୍ସକଙ୍କୁ ପଚାରିଥାଆନ୍ତି । ଏହି ସଂକ୍ରାନ୍ତୀୟ ଅନେକ ଭୁଲ ତଥ୍ୟ ଜାଣି କିଶୋର କିଶୋରୀମାନେ ବିବ୍ରତ ହୋଇଥାଆନ୍ତି । ଜାଣି ରଖିବା ଦରକାର ଯେ ଯୌନ ସଙ୍କ୍ରାନ୍ତୀୟ ଅଧିକ ଚିନ୍ତା ସ୍ଵପ୍ନଦୋଷର କାରଣ ହୋଇଥାଏ । ଶୋଇଥିବା ସମୟରେ ଏବଂ ଅବଚେତନ ଅବସ୍ଥାରେ ଘଟିଥାଏ । କେବଳ ଯେ ପୁଅ ବା କିଶୋରମାନେ ଏହି ଅଭିଞତା କରିଥାଆନ୍ତି ତା’ ନୁହେଁ, ବାଳିକା ବା କିଶୋରୀମାନେ ମଧ୍ୟ ଅହି ଅଭିଞତା ଆଣିଥାଆନ୍ତି । ଫଳରେ କାମ ଉଦ୍ଦୀପନା ଜାଗ୍ରତ ହେବା ଇତ୍ୟାଦି ଦେଖାଯାଏ । ସ୍ଵପ୍ନଦୋଷ ଯେ ଶରୀରକୁ ଦୁର୍ବଳ କରିଦିଏ ଏହା ଭାବନ୍ତୁ ନାହିଁ । ସ୍ଵଚ୍ଛମନ, ଏକାଗ୍ରତା ଏବଂ ସୁଜନଶୀଳ ଚିନ୍ତା ଦ୍ଵାରା ଏହାକୁ ଦୂର କରାଯାଇପାରେ । ଯୌନତ୍ଵ କ’ଣ: ଶରୀରରେ ଯୌନ ପରିପକ୍ଵତା ଅର୍ଥାତ୍ ମୁଖ୍ୟ ଏବଂ ଗୌଣ ଯୌନ ଲକ୍ଷଣ ସମୂହର ବିକାଶ । ଯୌନକ୍ରିୟା, ଉଦ୍ଦୀପନା ଏବଂ ଯୌନ ଲକ୍ଷଣ ସମ୍ପର୍କିତ ମାନସିକ ପ୍ରକୃତି । ସାଧାରଣ ଯୌନ ଉଦ୍ଦିପନା, ଯୌନକ୍ରିୟା ଏବଂ ଯୌନ ସଙ୍କ୍ରାନ୍ତୀୟ ବିଭିନ୍ନ ଜଟିଳତା ଓ ସମସ୍ୟା ଏ ବଂ ଏଗୁଡିକର ପରିପ୍ରକାଶ ସମାଜ ଏବଂ ଏଗୁଡିକର ପରିପ୍ରକାଶ ସମାଜ ଏବଂ ସାଂସ୍କୃତିକ ନେଇ ଯୌନ ବ୍ୟବହାରର ନିୟନ୍ତ୍ରଣ କରିବା । ବିକଳାଙ୍ଗ ମାନଙ୍କର ଯୌନଗତ ଇଚ୍ଛା ଏବଂ ଉଦ୍ଦୀପନା, ଯୌନ ବ୍ୟବହାରରେ ବିଭିନ୍ନ ପ୍ରକାରର (ସାମାଜିକ ଏବଂ ଅସାମାଜିକ) ବ୍ୟତିକ୍ରମ ଇତ୍ୟାଦି ଉପାଦାନଗୁଡିକୁ ଜଣେ ବ୍ୟକ୍ତିର ଯୌନତ୍ଵ ବୋଲି କୁହାଯାଇପାରେ । କୈଶୋର ଏବଂ ଯୌନତ୍ଵ : କୈଶୋର ସମୟରେ ଯୌନତ୍ଵର ବିକାଶ ଏବଂ ଯୌନ ପ୍ରବୃତ୍ତିରେ ଅନେକ ଉଲ୍ଲେଖନୀୟ ପରିବର୍ତ୍ତନ ଦେଖାଯାଏ, ଏହା ଏକ ସାଧାରଣ କଥା । କୌଶୋର ବୟସର ସମସ୍ତ ବାଳକ ବାଳିକା ଯୌନତ୍ଵର ସଂଜ୍ଞା ଏବଂ ମୂଲ୍ୟବୋଧକୁ ଜାଣିବା ଦରକାର । ସାଧାରଣ ଭାବେ ଯୌନତ୍ଵ ବୁଝିଲେ ଯୌନତ୍ଵର ବିଭିନ୍ନ ଉପାଦାନ ଗୁଡିକୁ ଭଲଭାବେ ଜାଣିବାକୁ ହେବ । କିଶୋରମାନଙ୍କଠାରେ ଦେଖାଯାଉଥିବା ପରିବର୍ତ୍ତନ ଯୌନକ୍ରିୟା: ଉଭୟ ପୁରୁଷ ଏବଂ ମହିଳାଙ୍କ ଯୌନ ସଂଭୋଗକୁ ଯୌନକ୍ରିୟା କୁହାଯାଏ । ଏହି କ୍ରିୟାରେ ସ୍ଵାଭାବିକ ପରିସ୍ଥିତି ମାନଙ୍କରେ ଉଭୟ ପୁରୁଷ ଓ ମହିଳାଙ୍କର ଯୌନକ୍ରିୟା ପାଇଁ ମାନସିକ ଇଚ୍ଛା ଜାଗ୍ରତ ହେବା ଦରକାର । ଲିଙ୍ଗ ସ୍ପର୍ଶରେ ଯୋନି ମୁଖର ମାଂସକ ଦ୍ଵାରା ପ୍ରସାରିତ ହୋଇଥାଏ । ଯୋନି ମଧ୍ୟରେ ଲିଙ୍ଗା ପ୍ରବେଶ କରିବା ମାତ୍ରେ ପୁରୁଷର ବୀର୍ଯ୍ୟ ସ୍ପଳନ ହୋଇନଥାଏ । ଏଠାରେ ବାରମ୍ବାର ଲିଙ୍ଗର ଘର୍ଷଣ ହେତୁ ଯୌନତୃଷ୍ଣାର ଚରମ ସୁଖ ପାଇବାର ଠିକ ପୂର୍ବରୁ ପୁରୁଷ ଲିଙ୍ଗଟି କାଢିଆଣିବାକୁ ପ୍ରାୟତଃ ସମ୍ଭବ ହୋଇନଥାଏ । ଏହା ପରବର୍ତ୍ତୀ ଅବସ୍ଥାରେ ପୁରୁଷ ଶୂକ୍ରାଣୁ ବୀର୍ଯ୍ୟ ସ୍ଫଳନ ମାଧ୍ୟମରେ ବାହାରିଯାଇଥାଏ । ଯୌନକ୍ରିୟା ସାମୟରେ ସ୍ତ୍ରୀ ଯୌନାଙ୍ଗ ମଧ୍ୟ ଉତ୍ତେଜିତ ହୋଇଥାଏ । ଏବଂ ସେ ଯୌନତୃଷ୍ଣାର ଚରମ ସୁଖ ପାଇଥାଆନ୍ତି । କେବଳ ଯୌନାଙ୍ଗଜନିତ ସୁଖ ତାହା ନୁହେଁ ଉଭୟ ପୁରୁଷ ଏବଂ ସ୍ତ୍ରୀ ମଧ୍ୟ ଦୈହିକ ସୁଖ ଏବଂ ମାନସିକ ଶାନ୍ତି ପାଇଥାନ୍ତି । ଯୌନକ୍ରିୟାର ପୂର୍ବପ୍ରସ୍ତୁତି: ଯୌନକ୍ରିୟା/ସଂଭୋଗ ପୂର୍ବରୁ ଏଥିପାଇଁ ସଂପୂର୍ଣ୍ଣ ଭାବେ ମଜି ରହିବା ଉଦ୍ଦେଶ୍ୟରେ ଉଭୟ ପୁରୁଷ ଓ ମହିଳା ବିଭିନ୍ନ ପ୍ରକାରର ପ୍ରାକ ଯୌନକ୍ରିୟା କରିଥାଆନ୍ତି । ଯଥା-ଆଲିଙ୍ଗନ,ଚୁମ୍ବନ ଇତ୍ୟାଦି । କିନ୍ତୁ ଏହା ଯେ ପ୍ରତ୍ୟେକ ସାମୀରେ ଦରକାର ସେପରି ନୁହେଁ । ନିଜ ନିଜର ଆବଶ୍ୟକତା ଅନୁଯାୟୀ ଯୌନକ୍ରିୟା ପାଇଁ ନିଜକୁ ପ୍ରସ୍ତୁତ କରିବା ଦରକାର । ମନେରଖନ୍ତୁ: ପ୍ରତ୍ୟେକ କିଶୋର କିଶୋରୀ ଯୌନକ୍ରିୟା ସମ୍ପର୍କିତ ଦିଗଗୁଡିକୁ ବୁଝିଲା ପରେ ଯୌନକ୍ରିୟାରେ ଲିପ୍ତ ହେବେ କି ନାହିଁ ବିଚାର କରନ୍ତୁ । ମୁଖସମ୍ଭୋଗ: ଅନ୍ୟପ୍ରକାରେ ଯୌନକ୍ରିୟାର ଆନନ୍ଦ ଉପଭୋଗ କରିବା ପାଇଁ କେତେକ ପୁରୁଷ ଏବଂ ମହିଳା ମୁଖ ସଂଭୋଗ କରିଥାଆନ୍ତି । ଏଥିରେ ପୁରୁଷର ଲିଙ୍ଗକୁ ମହିଳା ନିଜର ପାଟିରେ ପୁରାଇବା ବା ଚାପିବା ଏବଂ ମହିଳାଙ୍କ ଭଗୋଷ୍ଟକୁ ପୁରୁଷ ଚାଟିବା ବା ଚାପିବା ଇତ୍ୟାଦି ଅନ୍ତର୍ଭୁକ୍ତ । ଏହାଦ୍ଵାରା ସମ୍ପୂର୍ଣ୍ଣ ଯୌନ ଉଦ୍ଦୀପନା ଜାଗ୍ରତ ହୋଇଥାଏ । ମନେରଖନ୍ତୁ: ମୁଖସମ୍ଭୋଗ ହେତୁ ଯେପରି ଯୌନାଙ୍ଗର କୌଣସି ଅଂଶ ଖଣ୍ଡିଆ ଖାବରା ନହୁଏ । ଯୌନ ସଂଚାରିତ ରୋଗ ଥିଲେ ଏପରି କାର୍ଯ୍ୟରୁ ନିବୃତ ରହନ୍ତୁ । ବୀର୍ଯ୍ୟସ୍ତଳନ ହେବାବେଳେ ଏହାକୁ ଚାପି ଦିଅନ୍ତୁ ନାହିଁ । ମଳଦ୍ଵାର ଯୌନକ୍ରିୟା: ଏହା ମୁଖ୍ୟତଃ ଦୁଇ ପ୍ରକାରର । ଜଣେ ପୁରୁଷ ଅନ୍ୟ ଜଣେ ପୁରୁଷର ମଳଦ୍ଵାରରେ ଯୌନକ୍ରିୟା କରିବା । ମହିଳାଙ୍କ ମଳଦ୍ଵାରରେ ଜଣେ ପୁରୁଷ ସଂଭୋଗ କରିବା । କେତେକ କ୍ଷେତ୍ରରେ ଏହି କାର୍ଯ୍ୟ ଅନେକ ବିପଦ ଯଥା – ଏଚ୍. ଆଇ. ଭି. / ଏଡସ୍ ସଂକ୍ରମଣ ଏବଂ ଅନ୍ୟାନ୍ୟ ଯୌନ ସଂଚାରିତ ରୋଗ କରାଇଥାଏ । ତେଣୁ କିଶୋରକିଶୋରୀ ମାନେ ଏଥିପ୍ରତି ସତର୍କ ରହିବା ଦରକାର । ସମଲିଙ୍ଗି ଯୌନକ୍ରିୟା: କିଶୋର କିଶୋରୀ ଏବଂ ବୟସ୍କ ପୁରୁଷ ଓ ନାରୀଙ୍କ ଠାରେ ଏହା ଦେଖାଯାଏ । ପ୍ରାଚୀନ କାଳରୁ ଏହି ପ୍ରକାର ଯୌନକ୍ରିୟା ପ୍ରଚଳିତ । ଏହାକୁ ଏକ ପ୍ରକାର ରୁଗଣ ମାନସିକତା ଭାବେ ନିଆଯାଉଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଏହା ଏକ ପ୍ରକାରର ସାଧାରଣ ଯୌନ ବ୍ୟବହାର ଭାବେ ପରିଗଣିତ ହୋଇଛି । ପ୍ରତ୍ୟେକ ପ୍ରକାରର ଲୋକ ଏହି କ୍ରିୟା କରିଥାଆନ୍ତି ତା’ ନୁହେଁ । ପୁରୁଷଟି ପୁରୁଷ ପ୍ରତି ଏବଂ ନାରୀଟି ନାରୀ ପ୍ରତି ମାନବଳାଇଥାନ୍ତି । ସମଲିଙ୍ଗି ଯୌନକ୍ରିୟାରେ ମଳଦ୍ଵାର ଛିଡିଯିବା, କିମ୍ବା କୌଣସି ପଦାର୍ଥ ଦ୍ଵାରା ଯୋନି ସଂଭୋଗ କରୁଥିଲେ ଏହାର ଭିତର ଅଂଶରେ କିଛି କ୍ଷତ ହେବାର ବା ସଂକ୍ରମଣ ହେବାର ଭୟ ଥାଏ । ସମଲିଙ୍ଗୀ ଯୌନକ୍ରିୟା କରୁଥିବା ବ୍ୟକ୍ତିମାନଙ୍କର ପରସ୍ପର ମଧ୍ୟରେ ଉତ୍ତମ ସମ୍ପର୍କ ଥାଏ । ଏମାନେ ସମଲିଙ୍ଗୀ ବ୍ୟତୀତ ବିପରୀତ ଲିଙ୍ଗ ମାନଙ୍କ ସହିତ ମଧ୍ୟ ଯୌନକ୍ରିୟା କରିପାରନ୍ତି । କେତେକ ସମଲିଙ୍ଗୀ ଯୌନକ୍ରିୟା କରୁଥିବା ବ୍ୟକ୍ତିଙ୍କ ପଛରେ ଅନେକ ସାମାଜିକ ଓ ମାନସିକ କାରଣ ରହିଥାଏ । ଏହାକୁ ଭଲରେ ବୁଝି ଉପଯୁକ୍ତ ପରାମର୍ଶ ଦେବା ଆବଶ୍ୟକ ହୋଇଥାଏ । ଯୌନତ୍ଵର ଜଟିଳତା ସମୂହ : ଯୌନତ୍ଵର ପରିପ୍ରକାଶ ବା ଯୌନକ୍ରିୟା କିମ୍ବା ଅନ୍ୟ କୌଣସି ଯୌନ ବ୍ୟବହାରକୁ ନେଇ କେତେକ ଅସୁବିଧା ପରିଲକ୍ଷିତ ହୋଇଥାଏ । ଅସୁବିଧାଗୁଡିକର କାରଣ ଓ ପ୍ରତିକାର ବିଷୟରେ ଅଂଶ ଥିବାରୁ ଏବଂ ଏଥିପାଇଁ ଉପଯୁକ୍ତ ପରାମର୍ଶ ପାଇ ପାରିନଥିବାରୁ ଏହି ଜଟିଳତାଗୁଡିକ ଅନେକ ଭ୍ରମ ସୃଷ୍ଟି କରିବା ସହିତ ହତାଶ ଭାବ ମଧ୍ୟ ଦେଖାଦେଇଥାଏ । କର୍ତ୍ତବ୍ୟ ସ୍ୱରୂପ ଜଟିଳତା ବିଷୟକ ପ୍ରାଥମିକ ଧାରଣାଗୁଡିକୁ ଜାଣିବା ଓ ଜଣାଇବା ସମସ୍ୟା ସମାଧାନର ଏକ ଉତ୍ତମ ମାର୍ଗ । ଏବେ ଜାଣିବା ବିଭିନ୍ନ ଜଟିଳତାଗୁଡିକ କ’ଣ? ପୁରୁଷମାନଙ୍କ କ୍ଷେତ୍ରରେ: ପୌରୁଷହାନୀ (ନଂପୁଷକତା): ଏହି ପ୍ରକାର ଅସୁବିଧାରେ ଲିଙ୍ଗର ଉତ୍ତେଜନା ଆସି ନଥାଏ ବା ଆବଶ୍ୟକୀୟ ସମୟ ପର୍ଯ୍ୟନ୍ତ ଲିଙ୍ଗ ଉତ୍ତେଜନା ରହେ ନାହିଁ । ଅସୁବିଧାଟିକୁ ଦୁଇ ପ୍ରକାରେ ବିଭକ୍ତ କରାଯାଇଛି । ସେଗୁଡିକ ହେଲା : ପ୍ରାଥମିକ ଅକ୍ଷମତା (ସମସ୍ୟା): ଯୌନ ସଂଭୋଗ ପାଇଁ ପୁରୁଷର ଲିଙ୍ଗ ଉତ୍ତେଜିତ ହେବାର ବାଧା ସୃଷ୍ଟି ହୁଏ କିନ୍ତୁ ହସ୍ତମୈଥୁନ କଲେ ଲିଙ୍ଗ ଉତ୍ତେଜିତ ଥାଏ । ଆନୁଷଙ୍ଗିକ ଅକ୍ଷମତା (ସମସ୍ୟା): ପୂର୍ବରୁ ଯୌନ ସଂଭୋଗ ବେଳେ ଲିଙ୍ଗ ଉତ୍ତେଜିତ ରହୁଥିଲା କିନ୍ତୁ ବର୍ତ୍ତମାନ ପାଇଁ ସେ ଅକ୍ଷମ, ଏ ପ୍ରକାର ସମସ୍ୟା ସମୟେ ସମୟେ ଅଧିକାଂଶ ପୁରୁଷଙ୍କଠାରେ ଦେଖାଦେଇଥାଏ । ସାଧାରଣତଃ ଦୁର୍ବଳତା, କିମ୍ବା କୌଣସି କ୍ଷୟ କ୍ଷତି ବା ଆତ୍ମୀୟଙ୍କ ମୃତ୍ୟୁ ଇତ୍ୟାଦି କାରଣ ରହି ଏହା ଦେଖାଯାଇଥାଏ । ଉକ୍ତ ସମସ୍ୟା ଦେଖା ଦେବା ମାତ୍ରେ କେହି କେହି ଭାବନ୍ତି ଯୌନତ୍ଵ ସେମାନଙ୍କ ପାଇଁ କିଛି ନୁହେଁ ଏବଂ ଏହା କେବେ ଭଲ ହେବ ନାହିଁ ଇତ୍ୟାଦି। ଉପଯୁକ୍ତ ସମୟ ପୂର୍ବରୁ ବୀର୍ଯ୍ୟସ୍ଥଳନ : ବୀର୍ଯ୍ୟ ସ୍ଥଳନ ପ୍ରକ୍ରିୟା ଉପରେ ପୁରୁଷର ନିୟନ୍ତ୍ରଣ ନଥାଏ । ଯୋନିରେ ଲିଙ୍ଗ ପ୍ରବେଶ ପୂର୍ବରୁ କିମ୍ବା ପ୍ରବେଶ କରିବାର ଅଳ୍ପ ସମୟ ପରେ ଏ ପ୍ରକାର ସମସ୍ୟା ଦେଖାଦେଇପାରେ । ଏହା ଦୁଇ ପ୍ରକାରର । ପ୍ରାଥମିକ ସମସ୍ୟା :ପୂର୍ବରୁ ପୁରୁଷଜଣଙ୍କର ବୀର୍ଯ୍ୟସ୍ଥଳନ ଉପରେ କୌଣସି ନିୟନ୍ତ୍ରଣ ନଥିଲା । ଆନୁସଙ୍ଗିକ ସମସ୍ୟା: ପୂର୍ବରୁ ପୁରୁଷଜଣଙ୍କର ବୀର୍ଯ୍ୟସ୍ଥଳନ ଉପରେ ନିୟନ୍ତ୍ରଣ ଥିଲା କିନ୍ତୁ ଏବେ ଏବେ ଏପରି ଅସୁବିଧା ହେଉଛି ଏବଂ ଅତି ଶୀଘ୍ର ବୀର୍ଯ୍ୟସ୍ଥଳନ ହୋଇଯାଉଛି ବୋଲି ପୁରୁଷ ବ୍ୟକ୍ତି କହିଥାଆନ୍ତି । ପ୍ରାଥମିକ ବୀର୍ଯ୍ୟସ୍ଥଳନ ସମସ୍ୟାର ଉଚିତ ଉପଚାର କରାନଗଲେ ଏହା ଆନୁସଙ୍ଗିକ ସଂପୂସକତା ସୃଷ୍ଟି କରି ପାରେ । ବୀର୍ଯ୍ୟସ୍ଥଳନ ନ ହେବା : କେତେକ କ୍ଷେତ୍ରରେ ପୁରୁଷମାନେ ଯୋନି ସଂଭୋଗ ସମୟରେ ବୀର୍ଯ୍ୟସ୍ଥଳନ କରିପାରି ନ ଥାନ୍ତି । କିନ୍ତୁ ଅନ୍ୟ ପ୍ରକାରର ସଂଭୋଗ ଯଥା ମୁଖ ସଂଭୋଗରେ ତାଙ୍କର ସ୍ଫଳନ ହୋଇଥାଏ । ସମସ୍ୟାର ଗଭୀରତା ଅଧିକ ଥିଲେ କେବଳ ହସ୍ତମୈଥୁନରେ ହିଁ ବୀର୍ଯ୍ୟସ୍ଥଳନ ହୋଇଥାଏ । ଯୌନକ୍ରିୟା ପ୍ରତି ବିମୁଖତା: ଏହି ପ୍ରକାର ସମସ୍ୟାର କେତେକ ଶାରୀରିକ ଅସୁସ୍ଥତା, ହତାସ ଭାବ ଏବଂ ଯୌନ ସମ୍ବନ୍ଧଜନିତ ସମସ୍ୟା ଇତ୍ୟାଦି ମୁଖ୍ୟ କାରଣ ହୋଇଥାଆନ୍ତି । ମହିଳାମାନଙ୍କର କ୍ଷେତ୍ରରେ :ଯୌନତ୍ଵ ସମ୍ବନ୍ଧୟ ଜଟିଳତାଗୁଡିକୁ ନାରୀମାନେ ପୁରୁଷଙ୍କ ଭଳି ସିଧାସଳଖ କହିବା ପ୍ରାୟ କମ୍ କ୍ଷେତ୍ରରେ ଦେଖାଯାଏ । ଉକ୍ତ ଯୌନ ସମସ୍ୟା ସମୁଖିନା ନାରୀ ପ୍ରାୟତଃ ନିସ୍ତେଜ, ଉଦାସୀନ ଏବଂ ଯୌନକ୍ରିୟା ପ୍ରତି ବିମୁଖ ଥାଆନ୍ତି । ସାଧାରଣ ମତରେ ଯୌନ ଉଦ୍ଦୀପନା ନଥିବା କିମ୍ବା ଯୌନକ୍ରିୟା ପାଇଁ ବିମୁଖ ନାରୀ ଚୁପ୍ ଚାପ ଥାଆନ୍ତି ଏବଂ ପୁରୁଷଙ୍କୁ ବିରକ୍ତ ଭାବ ପ୍ରକାଶ କରିଥାଆନ୍ତି । କେତେକ ଅନୂଧ୍ୟାନରୁ ଜଣାଯାଏ ଯୌନକ୍ରିୟା ପ୍ରତି ଉଦାସୀନ ଥିବା ନାରୀମାନେ ଖୁବ୍ କମ୍ ସମୟରେ ସଂଭୋଗ ସୁଖ ଅନୁଭୋଗ କରିଥାଆନ୍ତି । ଜଟିଳତାଗୁଡିକୁ ନିମ୍ନଭାବେ ପୃଥକ କରାଯାଇପାରେ । ଯୌନକ୍ରିୟା ପାଇଁ ଅନାସକ୍ତି: ପ୍ରାଥମିକ ସମସ୍ୟା: କୌଣସି ବି ଯୌନ ସାଥିଙ୍କଠାରୁ ମହିଳା ସଂଭୋଗ ସୁଖ ପାଇ ନାହାନ୍ତି । ଆନୁସଙ୍ଗିକ ସମସ୍ୟା: ଏହି ପ୍ରକାର ସମସ୍ୟାରେ କୌଣସି ବି ସମୟରେ ମହିଳା ଯୌନକ୍ରିୟା ପାଇଁ ଇଚ୍ଛା ହେଲେ ବା ଅନ୍ୟ କୌଣସି ଯୌନ ସାଥିଙ୍କ ସହିତ ଯୌନ କ୍ରିୟାକଲେ ମଧ୍ୟ ଉଦ୍ଦୀପନା ଚରମ ସୀମାରେ ପହଞ୍ଚି ପାରେ ନାହିଁ । ଏ ପ୍ରକାର ସମସ୍ୟା ପାଇଁ ବିଭନ୍ନ ଜଟିଳତା (କାରଣ ) ଗୁଡିକ ହେଲା – ଯୋନିରେ ସମ୍ପୂର୍ଣ୍ଣ ଭାବେ ଲିଙ୍ଗ ପ୍ରବେଶ କରିନଥାଏ । ଅନେକ କ୍ଷେତ୍ରରେ ମହିଳାମାନେ ଚାହିଁଥାଆନ୍ତି ଯେ, ପୁରୁଷଜଣଙ୍କ ତାଙ୍କ ଯୌନ ଉଦ୍ଦୀପନା ଜାଗ୍ରତ କରନ୍ତୁ । ଆଉ କେତେକ କ୍ଷେତ୍ରରେ ମହିଳାମାନେ ଅନେକ ବଳିଷ୍ଠ ପୁରୁଷଙ୍କୁ ପସନ୍ଦ କରିଥାଆନ୍ତି । କେତେକ ମହିଳା ବିନା ସଂଭୋଗରେ ଗର୍ଭବତୀ ହେବେ ବୋଲି ଆଶା କରିଥାଆନ୍ତି । ସଂଭୋଗ ଯନ୍ତ୍ରଣା ଅନେକଙ୍କ ପକ୍ଷରେ ସାଧାରଣ କଥା । ଶୁଷ୍କ ଯୋନି, ଯନ୍ତ୍ରଣା ଏବଂ ସଂକୁଚିତ ଯୋନିପଥ ସେମାନଙ୍କ ପାଇଁ କଷ୍ଟ ଦାୟକ ବୋଲି ସେମାନେ କହିଥାଆନ୍ତି । ଯୋନି ଦ୍ଵାରା ଆବଶ୍ୟକତାମତେ ପ୍ରସାରିତ ନ ହେବା ଏବଂ ଏଥିପାଇଁ କଷ୍ଟ ହେବା ମଧ୍ୟ କେତେକ କହିଥାଆନ୍ତି । ପୂର୍ବ ଯୌନକ୍ରିୟା ବେଳେ କିଛି ଭୟ କିମ୍ବା ଏଥିପାଇଁ ଲଜ୍ୟା ଏବଂ ଦୋଷୀ ମନୋଭାବ ଘୋଷଣା ମଧ୍ୟ ଏହାର କାରଣ ହୋଇପାରେ । ଏପରିକି ମହିଳାଜଣକ ପୁରୁଷଙ୍କ ଉପରେ କ୍ରୋଧାନ୍ନିତ ଥିଲେ ବି ଏହା ଘଟିପାରେ । ଆହୁରି ମଧ୍ୟ ଯୋନିଦ୍ଵାର ପ୍ରସାରିତ ହେବାଟା ମହିଳାଙ୍କୁ ଜଣା ନ ପଡି ପାରେ । ସଂଭୋଗ ସୁଖ ଅନୁଭବ କରିବାରେ ଅସୁବିଧା: ପ୍ରାଥମିକ ସମାସ୍ୟା: ହୁଏତ ମହିଳାଜଣଙ୍କ କେବେ ବି ଏହି ପ୍ରକାର ସୁଖକୁ ଅନୁଭବ କରିନାହାନ୍ତି । ସେ ଭଲ ପାଇବା ବା ସଂଭୋଗ କରିବା ଇତ୍ୟାଦି ସାଧାରଣ ଭାବେ ନେଉଛନ୍ତି କିନ୍ତୁ ଆହାର ଚରମ ସୀମାରେ ପହଞ୍ଚି ପାରିନାହାନ୍ତି । ଆନୁସଙ୍ଗିକ ସମାସ୍ୟା : ଏହା ତିନି ପ୍ରକାରର । ଯୋନି ସଂଭୋଗ ଦ୍ଵାରା ସଂଭୋଗ ସୁଖପ୍ରାପ୍ତି ହସ୍ତମୈଥୁନ ଦ୍ଵାରା ସଂଭୋଗ ସୁଖପ୍ରାପ୍ତି କେବେ କେବେ ଯୌନ କ୍ରିୟା ହେତୁ ସଂଭୋଗ ସୁଖପ୍ରାପ୍ତି ଅନେକ କ୍ଷେତ୍ରରେ ଯୌନସାଥିଙ୍କ ସହାୟତା ନେଇ ହସ୍ତମୈଥୁନ ଦ୍ଵାରା ମହିଳାମାନେ ସଂଭୋଗ ସୁଖ ମଧ୍ୟ ପାଇଥାଆନ୍ତି । ଆଉ କେତେକ କ୍ଷେତ୍ରରେ ମହିଳାମାନେ ସ୍ଵତନ୍ତ୍ର ପରିସ୍ଥିତିରେ ସଂଭୋଗ ସୁଖ ପାଇଥାଆନ୍ତି ଏବଂ ଉକ୍ତ ପରିସ୍ଥିତି ନ ଥିଲେ ସେମାନେ ସଂଭୋଗ ସୁଖ ପାଇ ନଥାଆନ୍ତି । ଏହିପରି ଭାବେ ସଂଭୋଗ ସୁଖ ଅନୁଭବ ନ କରିପାରିବାର କାରଣ ଅନେକ ହୋଇପାରେ । ପ୍ରତ୍ୟେକଙ୍କ କ୍ଷେତ୍ରରେ ଏହା ଉଭୟ ମାନସିକତା ଏବଂ ଶାରୀରିକ କାରଣ ସମୂହରୁ ହୋଇଥାଏ । କିନ୍ତୁ କାହା କ୍ଷେତ୍ରରେ କେଉନ୍ତିର ପ୍ରଭାବ କେତେ ତାହା ଉପଯୁକ୍ତ ନିଦାନରୁ ହିଁ ଜଣାପଡେ । ଅଜ୍ଞାଜ୍ଞାନ, ଭୟ, ଉଦ୍ ବେଗ, ଲଜ୍ୟା ଏବଂ ଡୋଶୀଭାବ ମଧ୍ୟ ଏଗୁଡିକର କାରଣ ହୋଇଥାଏ । ଉଭୟ ପୁରୁଷ ଓ ମହିଳାଙ୍କ କ୍ଷେତ୍ରରେ ନିଜ ନିଜର ଯୌନତୃଷ୍ଣା ମେଣ୍ଟିବାରେ ଉପୁଜୁଥିବା ସମାସ୍ୟା ପରସ୍ପର ମଧ୍ୟରେ ଆପୋଷ ଯୋଗାଯୋଗ ତଥା ବୁଝାମଣାର ଅଭାବରୁ ମଧ୍ୟ ହୋଇଥାଏ ତେଣୁ ପରସ୍ପରକୁ ବୁଝିବା ଭଳି ପରିସ୍ଥିତି ସୃଷ୍ଟି ହେବା ସହିତ ଉଭୟଙ୍କୁ ଏ ସମ୍ପର୍କିତ ଶିକ୍ଷାର ଆବଶ୍ୟକତା ଥାଏ । ଆଉ ଏକ କଥା ହେଲା ମାନସିକ ଶିକ୍ଷା । ଛୋଟବେଳରୁ କେହିବି ଏହି ଶିକ୍ଷା ପାଇ ନଥାନ୍ତି କିମ୍ବା ଆନୁଷ୍ଠାନିକ ଭାବେ ଯୌନ ଶିକ୍ଷା ଦେବାର କୌଣସି ସୁବିଧା ନାହିଁ । ତେଣୁ ପିଲାମାନେ ତାଙ୍କର ପରିବେଶରୁ ବିଭିନ୍ନ ଧାରଣା ସହ ଅନେକ ଭ୍ରାନ୍ତ ଧାରଣା ନେଇଥାଆନ୍ତି । ଏହା ଫଳରେ ଯୌନତ୍ଵ ସମ୍ବନ୍ଧୟ ଉପଯୁକ୍ତ ତଥ୍ୟରୁ ସେମାନେ ବଞ୍ଚିତ ଥାଆନ୍ତି ଏବଂ କୌନସି ଏକ ସମସ୍ୟା ପାଇଁ ଅନେକ ଅସୁବିଧାର ଶିକାର ହୁଅନ୍ତି । ମନେରଖନ୍ତୁ: ଯୌନସ୍ୱାସ୍ଥ୍ୟର ଅନେକ ପ୍ରକାରର ଜଟିଳତା ଦେଖାଯାଇପାରେ । ଏଥିପାଇଁ ବ୍ୟସ୍ତ ନ ହୋଇ ବିଶେଷଜ୍ଞଙ୍କ ପାଖକୁ ଯାଆନ୍ତୁ ଏବଂ ତାଙ୍କ ପରାମର୍ଶ ନିଅନ୍ତୁ । ଯୌନ ସଞ୍ଚାରିତ ରୋଗ ବା ଏସ୍. ଟି. ଡି.: ମୁଖତଃ ଯୌନକ୍ରିୟା ହେତୁ ଏହି ରୋଗଗୁଡିକ ବ୍ୟାପୁଥିବାରୁ ଏହାକୁ ଯୌନ ସଞ୍ଚାରିତ ରୋଗ ବୋଲି କୁହାଯାଏ । କିନ୍ତୁ ଏହା ଅନ୍ୟ ମାଧ୍ୟମ ଯଥା ରୋଗୀର ରକ୍ତ ଅନ୍ୟ ଜଣେ ସୁସ୍ଥ ଲୋକର ରକ୍ତରେ ମିଶିଲେ ମଧ୍ୟ ହୋଇଥାଏ । ତେବେ ସାଧାରଣରେ ଦେଖାଯାଉଥିବା ଯୌନ ସଞ୍ଚାରିତ ରୋଗଗୁଡିକ ହେଲା: ଗନେରିଆ ଲିମ୍ପୋଗ୍ରାନୁଲୋମା ଭୋନେରିଅମ, ସିଫିଲିସ୍, ହର୍ପିସ ଭାଜିନାଇଟିସ୍ କୁଣ୍ଡିଆ ଏଡସ୍, ପେଡିଜୁଲୋସିସ୍ ସାନକ୍ରଏଡ୍, କ୍ଲାମାଇଡିଆ ଏସ୍.ଟି.ଡି. ର କାରଣ: ସଂକ୍ରମିତ ଲୋକ ସହିତ ଯୌନ ସମ୍ପର୍କ ରଖିବା ଏହି ସମ୍ପର୍କ ମୌଖିକ, ମଳଦ୍ଵାର ଜନିତ ଏବଂ ଲିଙ୍ଗ ଓ ଯୋନି ସଂପର୍କକୁ ନେଇ ହୋଇପାରେ ସଂକ୍ରାମିତ ଲୋକଠାରୁ ରକ୍ତ ନେବା କିମ୍ବା କୌଣସି ଉପାୟରେ ତା’ ର ରକ୍ତ ସୁସ୍ଥ ଲୋକର ରକ୍ତରେ ମିଶିବା କେଉଁମାନେ ବିଶେଷ ଭୋଗନ୍ତି : ବେଶ୍ୟା, ଡ୍ରାଇଭର, ସମଲିଙ୍ଗି ଯୌନକ୍ରିୟା କରୁଥିବା ବ୍ୟକ୍ତି ଏବଂ ଅନେକ ଲୋକଙ୍କ ସହିତ ଯୌନ ସମ୍ପର୍କ ରଖୁଥିବା ପୁରୁଷ ବା ମହିଳା । ଲକ୍ଷଣ (ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ): ଅଧିକ ଥର ପରିସ୍ରା ଲାଗିବା ଏବଂ ପରିସ୍ରା କରିବା ସମୟରେ ପୋଡାଜଳା ହେବା, ଜନନାଙ୍ଗରେ ଘା’, ଯନ୍ତ୍ରଣା ବା ବିନା ଯନ୍ତ୍ରଣାରେ କୋଳ ସନ୍ଧାର ଗ୍ରନ୍ଥି ଫୁଲିବା, ଜନନାଙ୍ଗ କୁଣ୍ଡାଇ ହେବା ଏବଂ ପୋଡାଜଳା କରିବା, ଜନନାଙ୍ଗରେ ଆବୁ, ପାଟିରେ ଘା’, ମୁଣ୍ଡବିନ୍ଧା, ମାନ୍ଦା ଲାଗିବା, ବାନ୍ତି, ଜ୍ଵର, ଯୌନସ୍ରାବ ଭିନ୍ନ ଭିନ୍ନ ରଙ୍ଗ ଯଥା, ନୀଳ, ଧୂସର ଓ ଦହିଭଳି ହୋଇ ଗନ୍ଧ ହେବା, ତଳିପେଟରେ ଯନ୍ତ୍ରଣା, ସହବାସ ସମୟରେ କଷ୍ଟ ହେବା । କେତେକ ଯୌନରୋଗ ଯଥା ସିଫିଲସ୍ ଲକ୍ଷଣ ଭଲ ଭାବରେ ଜଣା ନପଡିଲେ ମଧ୍ୟ ଏହା ଅନେକ କ୍ଷତି ଘଟାଇଥାଏ । ଯାହାକି ପୁରୁଷମାନଙ୍କଠାରେ ହୃଦ୍ ରୋଗ ଓ ପକ୍ଷାଘାତ ଏବଂ ସ୍ତ୍ରୀ ମାନଙ୍କରେ ଗର୍ଭପାତ, ମୃତ ପିଲାଜନ୍ମ, ସଅଳ ଶିଶୁମୃତ୍ୟୁ ଏବଂ ନବଜାତ ଶିଶୁର ଆଖି ସଂକ୍ରମଣ ଦେଖାଯାଏ । ଏଡସ୍, /ଏଚ. ଆଇ. ଭି. : ଏଚ. ଆଇ. ଭି ହେଉଛି ଏକ ଭୃତାଣୁର ନାମ । ଏହାର ସଂକ୍ରମଣ ଯୋଗେ ଏଡସ୍ ରୋଗ ହୋଇଥାଏ । କେତେକ କ୍ଷେତ୍ରରେ ସଂକ୍ରମଣ ଥାଇ ମଧ୍ୟ ରୋଗ ଦେଖାଦେଇ ନ ଥାଏ । ଅନ୍ୟ ଯୌନରୋଗ ଭଳି ଏଡସ୍ ମଧ୍ୟ ସମାନ କାରଣରୁ ବ୍ୟାପିଥାଏ । ଅନ୍ୟାନ୍ୟ ଯୌନରୋଗ ମଧ୍ୟ ଏଡସ୍ ହେବାରେ ସାହାଯ୍ୟ କରିଥାଏ । ଏଡସ୍ ର ବିପଦ : ଏହା ଠାରେ ହେଲେ ଆଦୌ ଭଲ ହୁଏ ନାହିଁ । ଅଥିପାଇନ କୌଣସି ଚିକିତ୍ସା ନାହିଁ । ଏହାର ପ୍ରତିଷେଧକ ବ୍ୟବସ୍ଥା ନାହିଁ । ଏଡସ୍ ରୋଗ ହେଲେ ମୃତ୍ୟୁ ସୁନିଶ୍ଚିତ । ଏହି ରୋଗ ପରିବାର ଓ ସାମାଜିକ ସ୍ଥିତିକୁ ଦୁର୍ବଳ କରିଦିଏ । ଶରୀରର ବିଭିନ୍ନ ଅଂଶରେ ଲସିକାଗ୍ରନ୍ଥି ଫୁଲିବା । ଯକ୍ଷ୍ମା ଭଳି ସଂକ୍ରାମକ ରୋଗର ଆକ୍ରମଣ । କାସ ଇତ୍ୟାଦି ଲକ୍ଷଣ ଲାଗି ରହିବା । ଏକ ମାସରୁ ଅଧିକା ସମୟ ଜ୍ଵର ଲାଗିରହିବା, କୌଣସି ଚିକିତ୍ସା ଜ୍ଵର ନ କମିବା । ଏକ ମାସରୁ ଅଧିକ ସମୟ ତରଳ ଝାଡା ହେବା । ଶରୀରର ଓଜନ ଶତକଡା ୨୦ ଭାଗ କମିଯିବା । ମୁଖଗହ୍ଵର ଓ ଗଳାର ସଂକ୍ରମଣ । ନିମ୍ନଲିଖିତ ପରିସ୍ଥିତିରେ ଏଡସ୍ ହୁଏ ନାହିଁ : ସାଧାରଣ ସାମାଜିକ ସମ୍ପର୍କ – ଛୁଇଁବା. କରମର୍ଦନ. କଥାବାର୍ତ୍ତା,ଏକାଠି ଖାଇବା ଓ ଖେଳିବା ଦ୍ଵାରା ଏକା ସ୍ଥାନରେ କାମ କରିବା ଦ୍ଵାରା ଏକାଠି ପଢିବା ଦ୍ଵାରା ଗାଧୁଆଘର ଓ ପାଇଖାନାର ସମୂହ ବ୍ୟବହାର କରିବା ଦ୍ଵାରା ମଶା କାମୁଡିବା ଦ୍ଵାରା ଏଡସ୍ ରୋଗରୁ ନିଜକୁ ରକ୍ଷା କରିବା ପାଇଁ କ’ଣ କରିବେ ? ଯୌନ ଆଚରଣରେ ନିୟନ୍ତ୍ରଣ ବିବାହ ବହିର୍ଭୂତ ଯୌନ ସମ୍ପର୍କ ନ ରଖିବା ଅସୁରକ୍ଷିତ ଯୌନ ସମ୍ପର୍କଠାରୁ ନିଜକୁ ଦୂରେଇ ରଖିବା ରକ୍ତ ନେବା ଆଗରୁ ତାହାକୁ ପରୀକ୍ଷା କରାଇବା (ଏଚ. ଆଇ. ଭି ପାଇଁ ) ସଂକ୍ରମିତ ଛୁଞ୍ଚି ଓ ସିରିଞ୍ ବ୍ୟବହାର ନ କରିବା ସମୂହ ବ୍ଲେଡରେ କ୍ଷୌର ନହେବା । ପ୍ରଜନନ ମାର୍ଗ ସଂକ୍ରମଣ କ’ ଣ: ପ୍ରଜନନ ଅଙ୍ଗଗୁଡିକରେ ହେଉଥିବା ସଂକ୍ରମଣକୁ ସାଧାରଣତଃ ପ୍ରଜନନ ମାର୍ଗ ସଂକ୍ରମଣ ବା ଆର୍. ଟି . ଆଇ ବୋଲି କୁହାଯାଇଥାଏ । ମହିଳା ଓ ପୁରୁଷଙ୍କ କ୍ଷେତ୍ରରେ ଭିନ୍ନ ଭିନ୍ନ ପ୍ରକାରର ଲକ୍ଷଣ ସହ ଅନେକ ପ୍ରକାରର ସଂକ୍ରମଣ ହୋଇଥାଏ । ପ୍ରଜନନ ମାର୍ଗ ଦେହରେ ପ୍ରବେଶ କରୁଥିବା ବିଭିନ୍ନ ପ୍ରକାରର ଜୀବାଣୁ ଦ୍ଵାରା ଏହି ସବୁ ସଂକ୍ରମଣ ହୋଇଥାଏ । ପ୍ରଜନନ ମାର୍ଗଦେଇ କେତେକ ସ୍ରାବ ବାହାରକୁ ଆସେ । ଏହା ଧଳାରଙ୍ଗର ଗନ୍ଧହୀନ ଏବଂ କେତେକାଂଶରେ ଚିକଣ । ଡିମ୍ବାଣୁକ୍ଷରଣ, ଯୌନ ଉତ୍ତେଜନା, ଗର୍ଭଧାରଣ ଏବଂ ମାନସିକ ଚାପ ହେତୁ ଏହି ସ୍ରାବର ମାତ୍ରା ବୃଦ୍ଧିପାଏ । ଏହା ଅତ୍ୟନ୍ତ ପ୍ରାକୃତିକ । ଏହି ସ୍ରାବ ଅମ୍ଳଗୂଣ ବିଶିଷ୍ଟ ହୋଇଥିବାରୁ ବିପଦ ସୃଷ୍ଟିକାରୀ ଜୀବାଣୁଗୁଡିକ ନଷ୍ଟ ହୋଇଥାଆନ୍ତି । ଫଳରେ ପ୍ରଜନନ ଅଙ୍ଗଗୁଡିକ ସୁରକ୍ଷିତ ହୋଇଥାଆନ୍ତି । ପ୍ରଜନନ ମାର୍ଗ ସଂକ୍ରମଣ ପୁରୁଷଙ୍କ ଅପେକ୍ଷା ମହିଳାଙ୍କ ନିକଟରେ ଅଧିକ ଦେଖାଯାଏ କାହିଁକି ? ପୁରୁଷର ପ୍ରଜନନ ମାର୍ଗ ସାଧାରଣତଃ ଲାମ୍ବା ଓ ସାରୁ ହୋଇଥାଏ । ବାହାରକୁ ବାହାରିଥିବା ଦ୍ଵାରରେ ଅତି ସୂକ୍ଷ୍ମ ଛିଦ୍ରତିଏ ରହିଥାଏ । ତେଣୁ ପୁରୁଷ ପ୍ରଜନନ ଅଙ୍ଗଗୁଡିକରେ ସଂକ୍ରମଣର ମାତ୍ରା ଅପେକ୍ଷାକୃତ କମ ହୋଇଥାଏ । କିନ୍ତୁ ମହିଳାମାଙ୍କ କ୍ଷେତ୍ରରେ ପ୍ରଜନନ ମାର୍ଗଟି ପ୍ରଶସ୍ତ ହୋଇଥାଏ । ଫଳରେ ମାସିକ ଋତୁସ୍ରାବ, ସନ୍ତାନଜନ୍ମ, ଗର୍ଭପାତ ଏବଂ ପରିବାର ନିୟନ୍ତ୍ରଣର ଉପାୟ ଯଥା – କପରଟିର ବ୍ୟବହାର ପ୍ରଭୃତି କାରଣରୁ ସଂକ୍ରମଣର ଆଶଙ୍କା ଅଧିକ ରହିଥାଏ । ପ୍ରଜନନ ମାର୍ଗ ସଂକ୍ରମଣର ଲକ୍ଷଣ: ଅଧିକାଂଶ ସମୟରେ ପ୍ରଜନନ ମାର୍ଗ ସଂକ୍ରମଣର କୌଣସି ଲକ୍ଷଣ ଦେଖା ଦେଇନଥାଏ । ଏଭଳି ପ୍ରାୟ ୩୦ ପ୍ରତିଶତ ମହିଳାଙ୍କଠାରେ ସଂକ୍ରମଣର କୌଣସି ଲକ୍ଷଣ ଦେଖାଯାଏ ନାହିଁ । ତେବେ ଯେଉଁ କେତେକ ଲକ୍ଷଣ ଦେଖାଯାଏ ସେଗୁଡିକ ନିମ୍ନ ପ୍ରକାରର : ଯୌନାଙ୍ଗ ଏବଂ ଏହାର ଚାରିପାଖ ଲାଲ ପଡିଯିବା, କୁଣ୍ଡାଇ ହେବା ଓ ପୋଡାଜଳା ଅନୁଭୂତ ହେବା । ଯୌନାଙ୍ଗ ଫୁଲିଯିବା, ଯୌନାଙ୍ଗରେ ଘା’ ବା କ୍ଷତ ହେବା ଏବଂ ଯୋନି କିମ୍ବା ଲିଙ୍ଗରୁ ନିର୍ଗତ ସ୍ରାବ ଭୀଷଣ ଦୁର୍ଗନ୍ଧଯୁକ୍ତ ହେବା । ସଂକ୍ରମଣର ମାତ୍ରା ହଠାତ କିଛିଦିନ ହ୍ରାସ ପାଇ ପୁଣିଥରେ ବୃଦ୍ଧି ପାଇବା ସହବାସ ସମୟରେ ତଳିପେଟରେ ଯନ୍ତ୍ରଣା କିମ୍ବା ପିଠି ପଟରେ ବିନ୍ଧା ବା ଯନ୍ତ୍ରଣା ହେବା ପରିସ୍ରା କରିବା ସମୟରେ ଯନ୍ତ୍ରଣା କିମ୍ବା ଯୌନାଙ୍ଗରେ ପୋଡାଜଳା ହେବା । ଉପରୋକ୍ତ ଅସୁବିଧା ଗୁଡିକର ଚିକିତ୍ସା ଣ କଲେ ପରବର୍ତ୍ତୀ ପର୍ଜାୟରେ ପରିସ୍ଥିତି ଜଟିଳ ରୂପ ଧାରଣ କରିଥାଏ ଉଦାହରଣ ସ୍ୱରୂପ: ବନ୍ଧ୍ୟାତ୍ଵ : ଜରାୟୁ ବାହାରେ କିମ୍ବା ଡିମ୍ବବାହୀ ନଳୀରେ ଭ୍ରୁଣର ବିକାଶ । ମୃତ ଶିଶୁ ଜନ୍ମ କିମ୍ବା ଗର୍ଭପାତ, କମ୍ ଓଜନ ବିଶିଷ୍ଟ ଶିଶୁ ଜନ୍ମ କିମ୍ବା ଜନ୍ମଗତ ତ୍ରୁଟି ହେତୁ ଶିଶୁ ମସ୍ତିଷ୍କ ଅସମ୍ପୂର୍ଣ୍ଣ ଏବଂ ଶିଶୁ ସମ୍ପୂର୍ଣ୍ଣ ଅନ୍ଧଭାବରେ ଜନ୍ମଗ୍ରହଣ କରିବାର ଆଶଙ୍କା । ଜରାୟୁ ଦ୍ଵାରରେ କର୍କଟ । ପ୍ରଥମରୁ ସଂକ୍ରମଣ ଏବଂ ଘା’ ହୋଇଥିଲେ କେତେକ ଯୌନ ସଞ୍ଚାରିତ ରୋଗ (ଏସ୍.ଟି.ଡି.) ଏବଂ ଏଚ. ଆଇ. ଭି /ଏଡସ୍ ପ୍ରଭୃତି ସଂକ୍ରମଣର ସମ୍ଭାବନା ଅଧିକ ଥାଏ । ପରିବାର ନିୟନ୍ତ୍ରଣର କେତେକ ଉପାୟ ଯଥା ଆଇ. ୟୁ. ଡି ର ବର୍ଜନ । ପ୍ରଜନନ ମାର୍ଗ ସଂକ୍ରମଣ କେଉଁ ସବୁ କାରଣରୁ ହୋଇଥାଏ ? ପ୍ରଜନନ ମାର୍ଗରେ ଥିବା କେତେକ ଜୀବାଣୁ ବୃଦ୍ଧି ହେତୁ ଏବଂ ଏହି ମାର୍ଗ ଦେଇ ଜୀବାଣୁ ପ୍ରବେଶ କରୁଥିବା ହେତୁ । ସବୁ ସମୟରେ ବିଶେଷତଃ ମଳତ୍ୟାଗ କରିବା ପରେ ଯୌନାଙ୍ଗ ଏବଂ ଏହାର ଚାରିପଟ ପରିଷ୍କାର ଭାବରେ ନ ଧୋଇବା ହେତୁ । ଯୌନ ସଞ୍ଛାରିତ ରୋଗୀଙ୍କ ସହିତ କ୍ରମାଗତ ସହବାସ କରିବା ହେତୁ । କମ ବାସର ବାଳିକା ସହ ବଳପୂର୍ବକ ସହବାସ କରିବା ଦ୍ଵାରା ଅନେକ ସମୟରେ ସେମାଙ୍କ ଯୋନିଦ୍ଵାର ଫାଟିଯାଏ । ଫଳରେ ସେଭଳି ପରିସ୍ଥିତିରେ ସଂକ୍ରମଣର ଆଶଙ୍କା ଅପେକ୍ଷାକୃତ ବେଶୀ । ଅନେକ ସମୟ ପର୍ଯ୍ୟନ୍ତ ଅପରିଷ୍କାର ବା ଓଦା ଅନ୍ତବସ୍ତ୍ର ବ୍ୟବହାର କରିବା ହେତୁ । ବାରମ୍ବାର ଗର୍ଭପାତ ଓ ସନ୍ତାନ ପ୍ରସବ କିମ୍ବା ସନ୍ତାନ ପ୍ରସାବ ସମୟରେ କ୍ଷତ ସୃଷ୍ଟି ହେବା ହେତୁ । ଏକାଧିକ ଯୌନ ସମ୍ପର୍କ, ଧର୍ଷଣ କିମ୍ବା ସନ୍ତାନ ପ୍ରସବ ସମୟରେ କ୍ଷତ ହେବା ହେତୁ । ଶିଶୁଜନ୍ମ, ଗର୍ଭପାତ କିମ୍ବା ଆଇ.ୟୁ. ଡି, ରୋପଣ ନିମନ୍ତେ ତଳି ପେଟରେ ନିମ୍ନଭାଗର ପରୀକ୍ଷା ବେଳେ ଅପରିଷ୍କାର ହାତ ଏବଂ ଅଶୋଧିତ ଉପକରଣ ବ୍ୟବହାର କରରିବା ହେତୁ । ଯୋନିରେ ଜୀବାଣୁଗୁଡିକ ନଷ୍ଟ କରିଦେବା ପାଇଁ ଦୀର୍ଘଦିନ ଧରି ଔଷଧ କିମ୍ବା ଆଣ୍ଟିବାୟୋଟିକ୍ ବ୍ୟବହାର କରିବା ଯୋଗୁଁ ପରବର୍ତ୍ତୀ ସମୟରେ ଶିଉଳି ଜାତୀୟ ସଂକ୍ରମଣ ବା ଛତୁ ସଂକ୍ରମଣ ହେବାର ମଧ୍ୟ ଆଶଙ୍କା ବୃଦ୍ଧି ପାଇଥାଏ । ପ୍ରଜନନ ମାର୍ଗ ସଂକ୍ରମଣ କିପରି ରୋକାଯାଇପାରିବ ? ଆପଣଙ୍କଠାରେ ଯଦି ଉପୋରୋକ୍ତ କୌଣସି ଲକ୍ଷଣ ଦେଖାଦିଏ ତେବେ ଆପଣଙ୍କ ବନ୍ଧୁ କିମ୍ବା କୌଣସି ସ୍ୱାସ୍ଥ୍ୟକର୍ମୀଙ୍କ ନିକଟରେ ପ୍ରକାଶ କରିବାକୁ ସଂକୋଚବୋଧ କରନ୍ତୁ ନାହିଁ । ଏହାକୁ ଲୁଚାଇଲେ ଆପଣଙ୍କ ସମସ୍ୟା ଦୂର ହେବା ପରିବର୍ତ୍ତେ ଦ୍ଵିଗୁଣିତ ହେବ । ଦିନକୁ ଅନ୍ତତଃ ଥରେ ଗାଧୋଇବା ସମୟରେ ଯୌନାଙ୍ଗକୁ ଭଲଭାବରେ ପରିଷ୍କାର କରି ଧୁଅନ୍ତୁ । ମଳତ୍ୟାଗ କରିବା ପରେ ବିଭିନ୍ନ ପ୍ରକାର ସଂକ୍ରମଣ ଏଡାଇବା ପାଇଁ ଭଲଭାବରେ ଆଗପଛ ସାବୁନରେ ପରିଷ୍କାର କରନ୍ତୁ । ଋତୁସ୍ରାବ ସମୟରେ ପରିଷ୍କାର ଲୁଗା ବ୍ୟବହାର କରନ୍ତୁ। ବ୍ୟବହାର କରୁଥିବା ଲୁଗାକୁ ଦିନରେ ଅନ୍ତତଃ ଦୁଇଥର ବଡଳାନ୍ତୁ । ଏହି ସମୟରେ ବ୍ୟବହାର କରୁଥିବା ଲୁଗା କିମ୍ବା ଅନ୍ତବସ୍ତ୍ରଗୁଡିକୁ ଭଲଭାବରେ ଧୋଇ ଖରା ଖୁଆନ୍ତୁ । କାରଣ ଏହି ସବୁ ଜିନିଷରେ ଥିବା ଜୀବାଣୁଗୁଡିକ ସୂର୍ଯ୍ୟରଶ୍ମିରେ ନଷ୍ଟ ହୋଇଥାଆନ୍ତି । ରାତିରେ କିଛି ନିମପତ୍ର ପାଣିରେ ଭିଯାଇ ତହିଁ ପରଦିନ ସକାଳେ ଉକ୍ତ ପାଣିରେ ବ୍ୟବହାର କରୁଥିବା କପଡା ଧୋଇ ଖରାରେ ଶୁଖାନ୍ତୁ । ଋତୁସ୍ରାବର ସମୟ ସରିବା ପରେ ବ୍ୟବହାର କରିଥିବା ଲୁଗାଗୁଡିକୁ ପରିଷ୍କାର କରି ଧୋଇ ଏବଂ ଶୁଖାଇ ଏହାକୁ ଏକ ସୁରକ୍ଷିତ ସ୍ଥାନରେ କିଛି ନିମପତ୍ର ଭର୍ତ୍ତି କରି ରଖନ୍ତୁ । ସହବାସ ପୂର୍ବରୁ ଏବଂ ପରେ ଭଲଭାବରେ ଯୌନାଙ୍ଗ ଧୋଇ ପରିଷ୍କାର କରନ୍ତୁ । ଆପଣଙ୍କ ସାଥୀକୁ ମଧ୍ୟ ଏହା କରିବାକୁ ପରାମର୍ଶ ଦିଅନ୍ତୁ । ଯଦି ସଂପୃକ୍ତ ପୁରୁଷ କିମ୍ବା ମହିଳାଙ୍କର ପ୍ରଜନନ ମାର୍ଗରେ କୌଣସି ସଂକ୍ରମଣ ହୋଇଥାଏ ତେବେ ସହବାସ ସମୟରେ କଣ୍ଡୋମ ବ୍ୟବହାର କରନ୍ତୁ । ସହବାସ ସମୟରେ ଆପଣଙ୍କ ସାଥୀକୁ ଯଦି କଷ୍ଟ ବା ଯନ୍ତ୍ରଣା ହୋଇଥାଏ ତେବେ ଏଥିରୁ ନିବୃତ୍ତ ରୁହନ୍ତୁ ଏବଂ ଏକାଧିକ ଯୌନସଙ୍ଗୀ ବର୍ଜନ କରନ୍ତୁ । ଯଦି ସଂକ୍ରମଣର ମାତ୍ରା ଅଧିକ ହୋଇ ଥାଏ ତେବେ ଡାକ୍ତର କିମ୍ବା ନିକଟବର୍ତ୍ତୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପରୀକ୍ଷା କରି ନିଅନ୍ତୁ । ତଳିପେଟରେ ନିମ୍ନ ଭାଗରେ ପରୀକ୍ଷା ବା ପେଲେଭିକ୍ ପରୀକ୍ଷା, ପ୍ରସବ ସମୟ ପୂର୍ବରୁ ଗର୍ଭପାତ, ପରିବାର ନିୟନ୍ତ୍ରଣ ନିମନ୍ତେ କପରଟିର ବ୍ୟବହାର ଓ ସ୍ତ୍ରୀ ବନ୍ଧ୍ୟାକରଣ ବେଳେ ବ୍ୟବହାର ହୋଇଥିବା ସରଞ୍ଜାମ ବା ଉପକରଣ ତଥା ଦସ୍ତାନା ବା ଗ୍ଲୋଭସ୍ ଗୁଡିକ ବିଶୋଧିତ ହୋଇଛି ବୋଲି ଦୃଢ ନିଶ୍ଚିତ ହୁଅନ୍ତୁ । ସ୍ଵାସ୍ଥ୍ୟକର୍ମୀ କ’ଣ କରିବା ଆବଶ୍ୟକ ? ପ୍ରଜନନ ମାର୍ଗ ସଂକ୍ରମଣ ବା ଏ ସମ୍ପର୍କୀୟ ତଥ୍ୟ ସଂଗ୍ରହ କରି ଏହାର କାରଣ ଓ ପ୍ରତିକାର ସମ୍ବନ୍ଧରେ ସମ୍ପୂର୍ଣ୍ଣ ଜ୍ଞାଜ୍ଞାନ ଆହରଣ କରିବା ଆବଶ୍ୟକ । ବିଶେଷ କରି ମହିଳାମାନେ ନିଜ ନିଜର ସ୍ୱାସ୍ଥ୍ୟ ସମସ୍ୟା ସମ୍ପର୍କରେ ଯେପରି ଖୋଲା ଖୋଲି ଭାବେ ଆଲୋଚନା କରିବେ ସେଥିପାଇଁ ସେମାନଙ୍କୁ ରାଜି କରାଇବାକୁ ପଡିବ । ସେମାନଙ୍କର ସମସ୍ୟା ଜନିତ ତଥ୍ୟ ବିଶ୍ବାସର ସହିତ ଗୋପନ ରଖାଯାଇଛି ବୋଲି ସେମାଙ୍କୁ କୁହନ୍ତୁ । ପ୍ରଜନନ ମାର୍ଗ ସଂକ୍ରମଣ କିପରି ପ୍ରତିରୋଧ କରାଯାଇପାରିବ, ତାହା ଲୋକମାନଙ୍କୁ ବୁଝାନ୍ତୁ । ନିଜେ ପରିଷ୍କାର ପରିଚ୍ଛନ ରହିବା, ମହିଳାମାନେ ଋତୁସ୍ରାବ ସମୟରେ ପରିଷ୍କାର ରହିବା ଏବଂ ସ୍ୱାସ୍ଥ୍ୟକର ଯୌନ ଜୀବନ ଜାପାନ କରିବା ନିମନ୍ତେ ଲୋକମାନଙ୍କୁ ଅବଗତ କରାନ୍ତୁ । ଯଦି ଚେର ମୂଳି ଔଷଧ କାମ କରୁଛି ତେବେ ଏହାର ବ୍ୟବହାର ପାଇଁ ଲୋକଙ୍କୁ ଜଣାନ୍ତୁ । ଏଡସ୍ ସମେତ ଅନ୍ୟ ଯୌନରୋଗ ହୋଇଛି ବୋଲି ଜାଣିବା ପାଇଁ କ’ ଣ କରିବେ ? ଏଥିପାଇଁ ବିଶେଷଜ୍ଞଙ୍କୁ ପଚାରି ଆବଶ୍ୟକୀୟ ପରୀକ୍ଷା କରାନ୍ତୁ । ଲାଜ ନକରି ସମସ୍ତ ଘଟନା ପ୍ରକାଶ କରାନ୍ତୁ । ଡାକ୍ତରଙ୍କ ପରାମର୍ଶ ମାନି ଚଳନ୍ତୁ । କୈଶୋର ଏବଂ ଗର୍ଭନିରୋଧକ: କିଶୋରଅବସ୍ଥାରେ ଅନେକ ପ୍ରକାର ଜଟିଳ ଘଟଣା ଯଥା: ବାହାଘର, ପ୍ରଥମ ଯୌନ ସଂଭୋଗ ତଥା ପିତୃତ୍ଵ / ମାତୃତ୍ଵ ଲାଭ ଇତ୍ୟାଦି କରିଥାଆନ୍ତି । କେତେକ ସ୍ଥାନ ବିଶେଷରେ କିଶୋର କିଶୋରୀମାନେ ବିବାହ ପୂର୍ବରୁ ଯୌନ ସମ୍ପର୍କ ସ୍ଥାପନ କରିଥାଆନ୍ତି । ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିବାକୁ ଗଲେ କିଶୋର କିଶୋରୀମାନେ ସମାଜରେ ସବୁଠାରୁ ନିରୋଗ ତଥା ହୃଷ୍ଟପୃଷ୍ଟ ଥାଆନ୍ତି । ସେମାନେ ବାଲ୍ୟାବାସ୍ଥା ଓ ପ୍ରାକ୍ କିଶୋରାବସ୍ଥାର ରୋଗ ଇତ୍ୟାଦିରୁ ରକ୍ଷା ପାଇଥାଆନ୍ତି ଓ ସେମାନଙ୍କର ମୃତ୍ୟୁହାର ଅନ୍ୟ ବର୍ଗ ଅପେକ୍ଷା ସବୁଠାରୁ କମ୍ ଥାଏ । କିନ୍ତୁ ଯୌନ କ୍ରିୟା ଓ ଗର୍ଭଧାରଣ ଭଳି କ୍ରିୟାକଳାପ ସେମାନଙ୍କର ସବୁଠାରୁ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ରୂପେ ଦେଖାଦିଏ । ତାଦ୍ଵାରା ଖାଲି ସେମାନଙ୍କର ସ୍ୱାସ୍ଥ୍ୟଗତ ଅବନତି ଘଟେ ତା’ ନୁହେଁ, ବରଂ ସେମାନଙ୍କର ସାମାଜିକ, ଅର୍ଥନୈତିକ ଓ ମାନସିକ ସ୍ତରରେ ଦୀର୍ଘମିଆଡି ପ୍ରଭାବ ପକାଏ । ଯେଉଁସବୁ ପ୍ରଜନନ ସ୍ୱାସ୍ଥ୍ୟ ସମ୍ବନ୍ଧୟ ବିପଦ ସବୁ ଯୁବପିଢି ସାମ୍ନା କରନ୍ତି, ସେଗୁଡିକ ହେଲା: ଯୌନ ସଂକ୍ରମିତ ରୋଗମାନେ, ଯାହା ଏଚ୍.ଆଇ. ଭି. ପରେ ଏଡ଼ସ୍ ର ରୂପ ନିଏ । ଯୌନ ହିଂସା ଓ ବ୍ୟଭିଚାର (ଧର୍ଷଣ,ଯୌନ ନିର୍ଯ୍ୟାତନା ଓ ଯୌନ ବିକ୍ରି ) ଖୁବ ଚଞ୍ଚଳ ଗର୍ଭଧାରଣ ଅବାଞ୍ଛିତ ଗର୍ଭଧାରଣ, ଯାହା ପରବର୍ତ୍ତୀ ସମୟରେ ଅସୁରକ୍ଷିତ ଗର୍ଭପାତ ଓ ଜଟିଳତା ବୃଦ୍ଧି କରେ । ଏସବୁ ବ୍ୟତୀତ, କିଶୋର/କିଶୋରୀ ବାପା ମା’ ହୋଇଯାଆନ୍ତି । ଫଳରେ ଅଧାରୁ ପାଠ ଛାଡିବା, ସ୍ୱଳ୍ପ ରୋଜଗାର, ପୃଷ୍ଟିହୀନତା, ଓ ଅନ୍ୟାନ୍ୟ ସାମାଜିକ ଓ ଅର୍ଥନୈତିକ ପରିସ୍ଥିତିର ଜାଲରେ ଗୁଡେଇ ହୋଇଯାଆନ୍ତି । ସାରା ବିଶ୍ଵରେ, ବିଶେଷ କରି ଆମ ଦେଶ ତଥା ରାଜ୍ୟରେ ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ଯେଉଁ ସବୁ ପରିବର୍ତ୍ତନ ଦେଖାଦେଉଛି, ତାହା ଯୁବ ବାପା ମା' ମାନଙ୍କ ଉପରେ ଦୀର୍ଘ ଓ ବହୁଦିନ ପର୍ଯ୍ୟନ୍ତ ପ୍ରଭାବ ପକାଇଥାଏ । ଯେଉଁ ମାନେ ଯୌନ ସକ୍ରିୟ ଥାଇ ମଧ୍ୟ ଗର୍ଭଧାରଣ ଚାହାନ୍ତି ନାହିଁ ବା କୌଣସି ଗର୍ଭନିରୋଧକ ବ୍ୟବହାର କରନ୍ତି ନାହିଁ ତାକୁ ଗର୍ଭନିରୋଧର ଅପୁରଣ ଆବଶ୍ୟକତା କୁହନ୍ତି । ସାଧାରଣତଃ ଗର୍ଭନିରୋଧକର ଅପୁରଣ ଆବଶ୍ୟକତା ବିବାହିତ ମହିଳାମାନଙ୍କ ଉପରେ କେନ୍ଦ୍ରୀଭୂତ ଥିଲା ବେଳେ ସମାଜର ଅନ୍ୟ ଏକ ପ୍ରମୁଖ ଯୁବବର୍ଗ ଏଥରେ ସାମିଲ ହୋଇନଥାଏ । ସେହି ଯୁବ ଗୋଷ୍ଠୀର ପ୍ରଜନନ ସ୍ୱାସ୍ଥ୍ୟସେବା ଓ ଗର୍ଭନିରୋଧକ ସାମଗ୍ରୀର ଆବଶ୍ୟକତା ପୂରଣ ହୋଇନଥାଏ । ତା' ମାନେ ନୁହେଁ ଯେ ସବୁ ଯୌନ ସକ୍ରିୟ ଓ ଅଣ ବିବହାହିତ ମହିଳାମାନେ ଖାଲି ଗର୍ଭଧାରଣ ଏଡେଇବାକୁ ଚାହାନ୍ତି । ବରଂ ଏଥିରୁ ସ୍ପଷ୍ଟଯେ ସେମାନଙ୍କର ପ୍ରଜନନ ସ୍ଵାସ୍ଥ୍ୟର ଆବଶ୍ୟକତା ପୂରଣ ହୋଇନଥାଏ । ଏଗୁଡିକ ସାଧାରଣତଃ ସେମାନଙ୍କଠାରେ ଦେଖା ଦେଊଥିବା ଯୌନ ସଂକ୍ରମିତ ରୋଗ,ବିବାହ ପୂର୍ବ ଗର୍ଭଧାରଣ, ଅବାଞ୍ଛିତ ଗର୍ଭଧାରଣ ତଥା ଅସୁରକ୍ଷିତ ଗର୍ଭପାତ ଦ୍ଵାରା ମାତୃ ଓ ଶିଶୁ ମୃତୁହାର ଅଧିକ ହୋଇଥାଏ । ଗର୍ଭନିରୋଧକ ପସନ୍ଦ: ଏପରି କ୍ଷେତ୍ରରେ ଯଦି ସେମାନେ ଯୌନସକ୍ରି, ସେମାନଙ୍କୁ ଅବାଞ୍ଛିତ ଗର୍ଭଧାରଣ ଓ ଅସୁରକ୍ଷିତ ଗର୍ଭପାତରୁ ରକ୍ଷା ପାଇବା ପାଇଁ ଫଳପ୍ରଦ ଗର୍ଭନିରୋଧକ ବ୍ୟବହାର କରିବା ନିହାତି ଜରୁରୀ । କେତେକ ଯୌନ ସକ୍ରିୟ ଯୁବକଯୁବତୀ ଏକାଧିକ ସାଥିଙ୍କ ସହ ଯୌନ ସମ୍ପର୍କ ସ୍ଥାପନ କରନ୍ତି । ସେମାନେ ଯୌନ ସଂକ୍ରମିତ ରୋଗଠାରୁ ଦୂରେଇ ରହିବା ପାଇଁ କଣ୍ଡମ ବ୍ୟବହାର କରିବା ନିହାତି ଜରୁରୀ । ଯୁବ ଗୋଷ୍ଠୀର ଆବଶ୍ୟକତା ଏଥି ସକାଶେ ଅନେକ ପରିମାଣରେ ଅଧିକ ହୋଇପାରେ ଯାହାକୁ ପରିବାର କଲ୍ୟାଣ ସେବା ପ୍ରଦାନକାରୀମାନେ ନିର୍ଦ୍ଧିଷ୍ଟ ରୂପେ ହୃଦୟଙ୍ଗମ କରିବା ଦରକାର । ମନେରଖନ୍ତୁ: ଅସୁରକ୍ଷିତ ଯୌନକ୍ରିୟାର ଫଳସ୍ଵରୂପ କେତେକ କିଶୋରୀ ଗର୍ଭ ଧାରଣ କରିଥାନ୍ତି । ସମାଜର ଦୃଷ୍ଟିଭଙ୍ଗିରୁ ରକ୍ଷା ପାଇବା ପାଇଁ ଅଶିକ୍ଷିତ ଡାକ୍ତରଙ୍କ ଦ୍ଵାରା ଗର୍ଭପାତ କରାଇଥାଆନ୍ତି । ଫଳରେ ଅନେକ ଜଟିଳତାର ଶିକାର ହେବା ସହିତ ମୃତ୍ୟୁବାରଣ ମଧ୍ୟ କରିଥାଆନ୍ତି । ତେଣୁ ସୁରକ୍ଷିତ ଗର୍ଭପାତ ପାଇଁ ଅଭିଞ ଡାକ୍ତରଙ୍କ ପାଖରେ ଏବଂ ଚିକିତ୍ସାଳୟରେ ବା ସ୍ଵୀକୃତିପ୍ରାପ୍ତ କରାନ୍ତୁ । ବାରମ୍ବାର ଗର୍ଭପାତ ହେତୁ ବନ୍ଧ୍ୟାତ୍ଵ ସହିତ ଅନ୍ୟାନ୍ୟ ଜଟିଳତା ଦେଖାଦେଇପାରେ । କୈଶୋର ଅବସ୍ଥାରେ ପୌଷ୍ଟିକ ଆବଶ୍ୟକତା: ଆମ ଦେଶ ତଥା ରାଜ୍ୟର ଅନେକ ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ବାସ କରୁଛନ୍ତି । ଏହା ସାଙ୍ଗକୁ ସ୍ଵାସ୍ଥ୍ୟଶିକ୍ଷାର ପ୍ରସାର ବର୍ତ୍ତମାନ ପରିପେକ୍ଷୀରେ ପର୍ଯ୍ୟାପ୍ତ ନୁହେଁ । ତେଣୁ ଜଣେ ବ୍ୟକ୍ତିର ବିଭିନ୍ନ ବୟସରେ ବିଶେଷ କରି କୈଶୋର ଅବସ୍ଥାରେ ସ୍ୱାସ୍ଥ୍ୟଗତ ଆବଶ୍ୟକତା ଯଥା ପୃଷ୍ଟି, ବ୍ୟାୟାମ, ପରିଚ୍ଛନ୍ନତା ଏବଂ ସ୍ୱାସ୍ଥ୍ୟରକ୍ଷାର ଆବଶ୍ୟକତା ରହିଛି । ଉକ୍ତ ସମସ୍ତ ଆବଶ୍ୟକତା ମଧ୍ୟରୁ ପୁଷ୍ଟିଗତ ଆବଶ୍ୟକତାର ଗୁରୁତ୍ଵ ଅନେକ । ଏହି ସମୟରେ ଉପଯୁକ୍ତ ପୃଷ୍ଟିର ଅଭାବରୁ କିଶୋର କିଶୋରୀମାନଙ୍କର ଅନେକ ପ୍ରକାର ଅସୁବିଧା ଦେଖାଦିଏ । ସେଗୁଡିକ ହେଲା - ଶରୀରର ବିକାଶରେ ବାଧା, ରକ୍ତହୀନତା ଏବଂ ବୌଦ୍ଧିକ ବିକାଶ । କାରଣ: ଦାରିଦ୍ର୍ୟ, ଅଂଶତା ଲିଙ୍ଗଭେଦ ବୈଷମ୍ୟ ନିଜ ସ୍ୱାସ୍ଥ୍ୟ ପ୍ରତି ଯଥେଷ୍ଟ ସଚେତନତାର ଅଭାବ ପୃଷ୍ଟିହୀନତା କୃମି ସଂକ୍ରମଣ ପରିଚ୍ଛନ୍ନତା ଓ ବିଶୁଦ୍ଧ ପାନୀୟ ଜଳର ଅଭାବ । ପଦକ୍ଷେପ: କିଶୋର କିଶୋରୀମାନଙ୍କର ପୃଷ୍ଟିଗତ ଆବଶ୍ୟକତା ଏବଂ ଅଭ୍ୟାସରେ ଉନ୍ନତି ଘଟାଇବା ପାଇଁ କେତୋଟି ପଦକ୍ଷେପ - ବିଦ୍ୟାଳୟରେ ପୃଷ୍ଟି ଏବଂ ସ୍ଵାସ୍ଥ୍ୟଶିକ୍ଷାର ପ୍ରଚଳନ ବିଦ୍ୟାଳୟ ବାହାରେ ଥିବା କିଶୋର କିଶୋରୀମାନଙ୍କ ପାଇଁ ପୃଷ୍ଟି ଏବଂ ସ୍ୱାସ୍ଥ୍ୟଶିକ୍ଷାର ବ୍ୟବସ୍ଥା ବାଡିବଗିଚାରେ ପନିପରିବା ଚାଷ ପାଇଁ ପ୍ରୋତ୍ସାହନ ଲୌହସାର ବିଶିଷ୍ଟ ଖାଦ୍ୟ ଖାଇବା ପାଇଁ ପରାମର୍ଶ ଝିଅମାନେ ୧୮ ବର୍ଷ ପରେ ଓ ପୁଅମାନେ ୨୨ ବର୍ଷ ପରେ ବିବାହ ବୈବାହୀକ ଜୀବନ ସମ୍ପର୍କରେ ଶିକ୍ଷା କୃମି ନିରାକରଣ ପାଇଁ ଔଷଧର ବଣ୍ଟନ ଓ ବ୍ୟବହାର କୈଶୋର ଓ କ୍ଷୁଧାହୀନତା: କୈଶୋର ଅବସ୍ଥାରେ କ୍ଷୁଧାହୀନତା ଏକ ସାଧାରଣ ସମାସ୍ୟା । ଏହି ସମସ୍ୟାର ଅନେକ କାରଣ ଅଛି । ଯଥା – ଇଚ୍ଛା କରି ବାନ୍ତିକରିବା ପାଇଁ ଚେଷ୍ଟା କରିବା ଏହା ଗୋଟିଏ ମାନସିକ ଅସ୍ଥିରତା ଯାହା ପାଇଁ ଜଣେ କିଶୋର ବା କିଶୋରୀ ବାନ୍ତି କରି ଦୁର୍ବଳତାକୁ ନିମନ୍ତ୍ରଣ କରିଥାଏ । ଖାଦ୍ୟ ଖାଇବାର ଲାଳସାକୁ ସେମାନେ ନିୟନ୍ତ୍ରଣ କରିପାରନ୍ତିନି । ଯାହା ପାଇଁ ସେମାନେ ଅତ୍ୟଧିକ ପରିମାଣରେ ସୁସ୍ଵାଦୁ ଖାଦ୍ୟ ଖାଇ ବାନ୍ତି କରନ୍ତି । ଆଉ କିଛି ଦିନ ଉପବାସ କରନ୍ତି । ଏହି କିଶୋର କିଶୋରୀ ମାନେ ଭାବନ୍ତି ସେମାନେ ମୋଟା ହେବାରୁ ବହୁ ଅସୁନ୍ଦର ଦେଖାଯାଉଛନ୍ତି । ତେଣୁ ନିଜର କ୍ଷତି କରିବାରେ ଏହି ପ୍ରକୃତି ତାଙ୍କୁ ସାହାଯ୍ୟ କରିଥାଏ । ଯଦିଓ ସେମାନେ ସାଙ୍ଗ ସାଥି ମାନଙ୍କୁ ନିଜର ପତଳା ଶରୀର ପାଇଁ ଆଚମ୍ବିତ କରିପାରିଥାଆନ୍ତି, ତଥାପି ଏହା ଗୋଟିଏ ଶାରୀରିକ କ୍ଷୟକ୍ଷତିର ବଳିଷ୍ଠ କାରଣ ହୋଇଥାଏ । ଅଧିକାଂଶ ବାଳିକା ଏବଂ କମ୍ ସଂଖ୍ୟାରେ ବାଳକମାନେ ଏହି ମାନସିକ ରୋଗରେ ଆକ୍ରାନ୍ତ ହୋଇଥାଆନ୍ତି । ମାନସିକ ଚାପ ହେତୁ କ୍ଷୁଧାହୀନତା ଏହି କ୍ଷୁଧାହୀନତା ମାନସିକ ସ୍ତରରେ ଚାପର କାରଣ ଯୋଗୁଁ ହୋଇଥାଏ । ଯାହାଦ୍ୱାରା କି ଜଣେ କିଶୋର ବା କିଶୋରୀ ଭୋକରେ ରହିଥାଏ । ଏପରିକି ବେଳେବେଳେ କ୍ଷୁଧାହୀନତା ମୃତ୍ୟୁର କାରଣ ହୋଇଥାଏ । ସେ ଖାଦ୍ୟ ଖାଇବା ପାଇଁ ବାରଣ କଲେ ଏବଂ ଖାଦ୍ୟର ଚିନ୍ତାଠୁ ଦୂରେଇ ରହିଥାଏ ସେମାନେ ନିଜକୁ ଅଧିକ ମୋଟା ବୋଲି ଭାବନ୍ତି ଏବଂ ମୋଟା ହେବା ପାଇଁ ଖାଦ୍ୟ ହିଁ ଏକମାତ୍ର କାରଣ ବୋଲି ଧରିନିଅନ୍ତି । କିଶୋର କିଶୋରୀ ବାହ୍ୟଚାପ ଯୋଗୁଁ ଯଥା ପାଠପଢାର ଚାପ ବା ପାରିବାରିକ କାରଣ ଯୋଗୁଁ ଖାଦ୍ୟ ଖାଇବାରୁ ନିବୃତ୍ତ ରହିବାକୁ ଗୋଟିଏ ଅଭ୍ୟାସରେ ପରିଣତ କର ଏ ରୋଗକୁ ନିମନ୍ତ୍ରଣ କରିଥାଆନ୍ତି । ଅନେକ ସମୟରେ ଯୁଦ୍ଧକାଳୀନ ପରିସ୍ଥିତିରେ ଭବିଷ୍ୟତର ଖାଦ୍ୟାଭାବକୁ ଆଖି ଆଗରେ ରଖି ସେମାନେ ଖାଦ୍ୟ ଖାଇବାରୁ ନିବୃତ୍ତ ରହନ୍ତି । ଦୁଃଖର ବିଷୟ ଯେ,ବିଦେଶରେ ମଧ୍ୟ ଅନେକ କିଶୋର କିଶୋରୀ ମୋଟା ହେବାରୁ ଦୂରେଇରହିବା ପାଇଁ ଖାଦ୍ୟ ଖାଆନ୍ତି ନାହିଁ । କିନ୍ତୁ କିଶୋର କିଶୋରୀମାନେ ମେଦ ବାହୁଳତାରୁ ଦୂରରେ ରହିବାକୁ ହେଲେ ଉପଯୁକ୍ତ ବ୍ୟାୟାମ କରିବା, ନିର୍ମଳ ବାୟୁ ମଣ୍ଡଳରେ ବହୁଦୂର ପର୍ଯ୍ୟନ୍ତ ଭ୍ରମଣ କରିବା, ପହଁରିବା, ପାହାଡ ଚଢିବାରେ ନିଜକୁ ନିୟୋଜିତ କାଲେ, ସନ୍ତୁଳନ ଆହାର, ନିୟମିତ ଖାଦ୍ୟ ଦ୍ଵାରା ନିଜର ଶରୀରକୁ ପ୍ରକୃତ ସୌନ୍ଦର୍ଯ୍ୟ ଦେଇପାରିବେ । ଯୌନସ୍ୱାସ୍ଥ୍ୟରେ ମନୋବିଜ୍ଞାନ ଓ ସାମାଜିକ ଦୃଷ୍ଟିକୋଣ: ପୂର୍ବରୁ ହୋଇଥିବା ଆଲୋଚନା ଅନୁଯାୟୀ ନିଜର ଯୌନଚାରର ପରିପକ୍ଵତାରେ ଅନେକଙ୍କର କିଛି ବାଧା ସୃଷ୍ଟି ହୋଇଥାଏ । ବିଶେଷକରି ଯୌନକ୍ରିୟାରେ ବିଭିନ୍ନ ଅସୁବିଧା, ଅସନ୍ତୋଷ ମାନସିକ ଅଶାନ୍ତି ମଧ୍ୟ ଆଣିଥାଏ । ଏ କ୍ଷେତ୍ରରେ ଦେଖାଯାଏ ସ୍ତ୍ରୀ ପୁରୁଷ ପରସ୍ପରକୁ ଦୋଷାରୋପ କରିବା । ସନ୍ତାନ ସନ୍ତତି ନ ହେବାରୁ ଅନେକ ଅଶାନ୍ତିରେ ମଧ୍ୟ ଦିନ କାଟିଥାନ୍ତି। କିନ୍ତୁ ଏ ସବୁ କ୍ଷେତ୍ରରେ ପ୍ରକୃତକାରଣ ମଧ୍ୟ ସେମାନେ ଜାଣିବାକୁ ଚେଷ୍ଟା କରିନଥାନ୍ତି । ଯଦିଓ କରନ୍ତି ତେବେ ଏଣୁ ତେଣୁ କଥାରେ ଅଧିକ ପ୍ରଭାଭିତ ହୋଇଥାନ୍ତି । ତେଣୁ ଯୌନାଚାର ଏବଂ ଯୌନସ୍ଵାସ୍ଥ୍ୟର ଶିକ୍ଷା କୈଶୋର ସମୟରୁ ଜଣାଇଥିଲେ ପରବର୍ତ୍ତୀ ସାଂସାରିକ ଜୀବନରେ ଏ ସମ୍ପର୍କୀୟ ଅସୁବିଧାର ଉତ୍ତମ ପରିଚାଳନା କରିହୁଏ । ଯଦି ଆମେ ପୋଷାକ ପରିଚ୍ଛଦ କଥା ଚିନ୍ତା କରିବା, ଆଜିର ସମାଜରେ କିଶୋର କିଶୋରୀମାନଙ୍କ ପକ୍ଷରେ ଏହା ବିତର୍କର ବିଷୟ । ଆଧୁନିକତା ବା ସ୍ରୋତାଭିମୁଖୀ ହେବାର ଦ୍ଵାହି ଦେଇ ଏବଂ ଚଳଚିତ୍ର ଇତ୍ୟାଦିରେ ପ୍ରଭାବିତ ହୋଇ ବିଭିନ୍ନ ପ୍ରକାର ପୋଷାକ ପିନ୍ଧିଥାନ୍ତି । ଅନ୍ୟ ପକ୍ଷ୍ୟରେ ପୋଷାକ ପିନ୍ଧି ଅନ୍ୟକୁ ଆକର୍ଷିତ କରିବାର ଉଦ୍ଦେଶ୍ୟ ମଧ୍ୟ ନିହିତ ଥାଏ । ଏହା ଅନେକ ସମୟରେ ବିଭିନ୍ନ ଯୌନ ଅତ୍ୟାଚାର ବା ଯୌନ ବ୍ୟଭିଚାରକୁ ସୁଯୋଗ ମଧ୍ୟ ହୋଇଥାଏ । ତେବେ ପୋଷାକ ପରିଚ୍ଛଦ ସମ୍ପୂର୍ଣ୍ଣ ଇଚ୍ଛାଧିନ ବୋଲି ଅନେକ ଯୁକ୍ତି ବାଢିବା ବେଳେ ପୋଷାକ ହିଁ ଅନେକ ବିଭ୍ରାଟର କାରଣ ଏହା ଅନେକଙ୍କ ମତରୁ ଜଣାପଡିଥାଏ । ବିଶେଷ କରି ଚିପା ପୋଷାକ, ଅଙ୍ଗ ପ୍ରତ୍ୟଙ୍ଗ ଦେଖାଯାଉଥିବା ଭଳି ପୋଷାକ ଇତ୍ୟାଦି ବ୍ୟବହାର କରିବା ମଧ୍ୟ ବେଳେ ବେଳେ ବିକୃତ୍ତ ମାନସିକତାର ପରିଚୟ ହୋଇଥାଏ । ମୂଳକଥା ହେଉଛି ସାଂସ୍କୃତିକ ଦିଗରୁ ଆମେ ଏକ ପ୍ରକାର ବିଚ୍ୟୁତି ବୋଲି ଏହି ପରିଚୟ ଦେବା ଗୌରବର ବିଷୟ ନୁହେଁ । ତେଣୁ ପୋଷାକ ପରିଚ୍ଛଦ ଆଧୁନିକ ହେଲେ ମଧ୍ୟ ଶାଳୀନତା ଓ ଚଳନିଗତ ସଂସ୍କାର ନିହାତି ଆବଶ୍ୟକ । କହିବା କଥା ଏହାକି ପ୍ରତ୍ୟେକ କିଶୋର କିଶୋରୀ ସାମାଜିକ ଦୃଷ୍ଟିଭଙ୍ଗୀକୁ ମଧ୍ୟ ଜାଣିବା ଦରକାର । ଅନେକ ମନୋବିଜ୍ଞାନ ଏବଂ ସମାଜବିଜ୍ଞାନଙ୍କ ମତରେ ନିଜର ଅନୁଭବ ଗତ ବିକୃତି ହେତୁ ଅଘଟଣ ମାନ ଘଟିଥାଏ । ଯୌନ ଉଦ୍ଦୀପନାର ଫଳସ୍ୱରୂପ ଅନେକ କିଶୋର କିଶୋରୀ ପରସ୍ପର ବ୍ୟବହାର୍ଜ୍ୟ ବସ୍ତୁପ୍ରତି ଆଗ୍ରହ ପ୍ରକାଶ କରିଥାନ୍ତି । କେତେକ କ୍ଷେତ୍ରରେ ଦେଖାଯାଏ ପୁଅମାନେ ଝିଅମାନଙ୍କ ପିନ୍ଧାଲୁଗା ଓ ଅନ୍ତଃବସ୍ତ୍ରକୁ ଉଠାଇ ନେଇଥାନ୍ତି । କଦର୍ଯ୍ୟ ବ୍ୟବହାର ସ୍ୱରୂପ ଏଥିରେ କିଛି ଲଗାଇଦେଲେ ଝିଅର କ୍ଷତି ହେବ ଏବଂ ସେଥିରୁ ପୁଅଟି ଆନନ୍ଦ ପାଇବ ଇତ୍ୟାଦି ମଧ୍ୟ ଦେଖିବାକୁ ମିଳିଥାଏ । ଯଦିଓ ଏହା ସମାଜ ବିରୋଧୀ କାର୍ଯ୍ୟରୂପେ ପରିଣତ ହୁଏ, ତଥାପି ଏପରି ନହେବା ପାଇଁ ପଦକ୍ଷେପ ନିଆଯିବା କମ୍ ଦେଖିବାକୁ ମିଳେ । ଆଧୁନିକ ଗଣମାଧ୍ୟମ ବ୍ୟବସ୍ଥା ମଧ୍ୟ କୈଶୋର ଯୌନପ୍ରବୃତ୍ତିକୁ ଅନେକାଂଶରେ ପ୍ରଭାବିତ କରୁଛି । ଉଦାହରଣ ସ୍ୱରୂପ ଇଣ୍ଟରନେଟ୍ ରେ ନଗ୍ନ ଛବି ଦେଖିବା ଏବଂ ଚାଟିଂ ନାମରେ କେବଳ ଯୌନପ୍ରବୃତ୍ତିର ପରିପ୍ରକାଶ କରିବା ସହର ମାନଙ୍କରେ ଦେଖାଦେଉଛି । ଆଧୁନିକ ଉଦ୍ଭାବନର ଅପବ୍ୟବହାର କରିବା ସହିତ ଜଣେ ଅନ୍ୟ ଜଣକୁ ଭୁଲ ବାଟରେ ନେଇଯିବା ଦେଖାଯାଉଛି । ଚଳଚଞ୍ଚଳ ମତିଗତି ହେତୁ ଏପରି ହେବା ଦେଖାଯାଉଛି । ଏପରିକି ମୋବାଇଲ୍ ଫୋନ୍ ଅପବ୍ୟବହାରର ଉଦାହରଣ ଅନେକ । ଏକ ଗୁରୁତ୍ଵପୂର୍ଣ୍ଣ କଥା ହେଲା, ଉପଯୁକ୍ତ ଯୌନ ଆଚରଣ ଶିକ୍ଷା ନପାଇ ଥିବାରୁ ଅନେକ କିଶୋର କିଶୋରୀ ନିଜକୁ ସମଭୋଗପ୍ରିୟ କରିଦେଇଥାନ୍ତି, ଏହାର କାରଣ ସହର ମଫସଲ ଉଭୟଙ୍କ ଠାରେ ଦେଖିବାକୁ ମିଳେ । କୌଣସି କାର୍ଯ୍ୟ ବାହାନାରେ ଖସିଯାଇ ସେମାନେ ଏପରି ଭୁଲ କରିବସନ୍ତି । ଏଥିରୁ ଅନେକ ବିଚ୍ଛେଦ, ମୃତ୍ୟୁ, ଝଗଡା ଏବଂ ଶେଷରେ ପରିବାର ଓ ଗୋଷ୍ଠୀର ମନସ୍ତାପ ଆସିଥାଏ । ଆଉ ଏକ ପ୍ରତିବନ୍ଧକ ହେଉଛି ଯୌନଶିକ୍ଷା ଦେବାରେ ସାମାଜିକ ଏବଂ ପରିବାରର ରୁଗଣ ମନୋଭାବ । କିଶୋର କିଶୋରୀ ମାନଙ୍କୁ ପାରିବାରିକ ଏବଂ ସାମାଜିକ ଆଚରଣ ଶିକ୍ଷା ଦେବାରେ ପିତାମାତା ଆଗଭର ନଥାନ୍ତି । ତେଣୁ ପ୍ରଥମତଃ ପିତାମାତାଙ୍କୁ ଏ ବିଷୟରେ ବୁଝାଇବାକୁ ହେବ । ଅନ୍ୟ ପ୍ରଭାବକାରୀ କର୍ମ ଯଥା – ଗୋଷ୍ଠୀନେତା, ଶିକ୍ଷକ ଏବଂ ମହିଳା ଓ ଯୁବମଣ୍ଡଳରେ ସାମାଜିକ ଚଳଣି ଶିକ୍ଷା ଦେବା ବାଞ୍ଛନୀୟ । ଏହାଦ୍ଵାରା କିଶୋର କିଶୋରୀଙ୍କର ଆଚାରଣଗତ ସୁଦ୍ଧି ଆସିପାରିବ । ଆଚାରଣଗତ ସୁଦ୍ଧିରେ ଅଭ୍ୟସ୍ତ ହୋଇଥିବା କିଶୋର କିଶୋରୀମାନେ ଅନ୍ୟ ସାଥିମାନଙ୍କୁ ଏହି ଶିକ୍ଷା ଦେଇ ପାରିବେ । ଫଳରେ ଏହା ଏକ ବିରାଟ ପରିବର୍ତ୍ତନ ଆଣିପାରିବ । ଆଧାର -ଓଡିଶା ଭଲ୍ୟୁନଟାରୀ ହେଲଥ ଆସୋସିଏସନ, ଭୁବନେଶ୍ଵର