ଫାଇଲେରିଆ ବିଷୟରେ କେତୋଟି ପ୍ରଶ୍ନ ଓ ଉତ୍ତର ପ୍ରଶ୍ନ – ୧ ଫାଇଲେରିଆ କ’ଣ ଓ କିପରି ହୁଏ ? ଉତ୍ତର – ଗୋଡ ହାତ ଓ ପାଦଫୁଲି ଗୋଦର ହେଲେ ଆମେ ଫାଇଲେରିଆ ହୋଇଛି ବୋଲି କହିଥାଉ ।ମାତ୍ର ଗୋଦର ହେବାର ୮ ରୁ ୧୦ ବର୍ଷ ଆଗରୁ ଫାଇଲେରିଆ ରୋଗ ସଂକ୍ରମଣ ହୋଇଥାଏ । ପ୍ରାରମ୍ଭିକ ଅବସ୍ଥାରେ କିଛି ଲୋକଙ୍କୁ ଜ୍ଵର ହୋଇଥାଏ । ଏହି ଜ୍ଵର ବାତଜ୍ଵର କହନ୍ତି । ଫାଇଲେରିଆ ରୋଗର କିଟାଣୁ ଅତି କ୍ଷୁଦ୍ର । ଏହାକୁ ମାଇକ୍ରୋଫାଇଲେରିଆ କୁହାଯାଏ । ଏହି କୀଟାଣୁ ଆମ ରକ୍ତରେ ପ୍ରବେଶ କରି ଏହି ରୋଗ ସଂକ୍ରମଣ କରିଥାଏ । ସାଧାରଣତଃ ଦୁଇପ୍ରକାର ମାଇକ୍ରୋଫାଇଲେରିଆ କୀଟାଣୁ ଫାଇଲେରିଆ ରୋଗ ସଂକ୍ରମଣ କରିଥାନ୍ତି ଯଥା; ଉଚେରିଆ ବାଙ୍କ୍ରଫଟି ଓ ବୃଜୀୟା ମାଲାୟୀ ପ୍ରଶ୍ନ -୨. ଫାଇଲେରିଆ ରୋଗ କିପରି ସଂକ୍ରମିତ ହୋଇଥାଏ ? ଉତ୍ତର – କେତେକ ମସା କାମୁଡିବା ଦ୍ଵାରା ମାଇକ୍ରୋଫାଇଲେରିଆ ପରିଜୀବୀ କାଟାଣୁ ଜଣଙ୍କ ଦେହରୁ ଅନ୍ୟ ଜଣଙ୍କ ଦେହକୁ ସଂକ୍ରମିତ ହୋଇଥାଏ । ନିମ୍ନଲିଖିତ ଦୁଇପ୍ରକାର ପରଜୀବୀ କୀଟାଣୁ ଅଲଗା ଅଲଗା ମଶାଦ୍ଵାରା ସଂକ୍ରମିତ ହୋଇଥାନ୍ତି ଯଥା: ଉଚେରିଆ ବାଙ୍କ୍ରଫଟ ( W.B ) ମାଈ କ୍ୟୁଲେକ୍ସ ମଶା ଦ୍ଵାରା ଓ ବୃଜୀୟା ମାଳାୟୀ ( B.M) ମାଈ ମାନସୋନିଆ ମଶା ଦ୍ଵାରା ସଂକ୍ରମିତ ହୋଇଥାନ୍ତି । ଏହି ମଶା କାମୁଡିବା ଦ୍ଵାରା ମାଇକ୍ରୋଫାଇଲେରିଆ କୀଟାଣୁ ରୋଗୀ ଦେହରୁ ସୁସ୍ଥ ଲୋକ ଦେହକୁ ସଂକ୍ରମିତ ହୋଇଥାଏ । ଏହି କୀଟାଣୁ ଗୁଡିକ ସୁସ୍ଥଲୋକ ଦେହରେ ବୃଦ୍ଧି ପାଇ ପୂର୍ଣ୍ଣାଙ୍ଗ ମାଈ ବା ଅଣ୍ଡିରା କୃମିରେ ପରିଣତ ଦୁଆନ୍ତି । ପୂର୍ଣ୍ଣାଙ୍ଗ ମାଈ ଓ ଅଣ୍ଡିରା କୃମି ଲସିକା ଗ୍ରନ୍ଥିରେ ବାସ କରି ପ୍ରଜନନକ୍ଷମ ଦୁଅନ୍ତି । ଗୋଟିଏ ମାଈ କୃମି ପ୍ରାୟ ୫୦ ହଜାର ମାଇକ୍ରୋଫାଇଲେରିଆ କୀଟାଣୁ ଜନ୍ମ ଦେଇଥାଏ । ପ୍ରଶ୍ନ ୩. ବାତଜ୍ଵର ରୋଗର ଲକ୍ଷଣ କ’ଣ ? ଉତ୍ତର ପ୍ରାଥମିକ ଅବସ୍ଥାରେ କମ୍ପ ହୋଇ ଜ୍ଵର ଆସେ ଗୋଡ ହାତ ଘୋଳା ବିନ୍ଧା ହୁଏ, ଚର୍ମ ଉପରେ ଥାଏ ଠାଏ ଲାଲ ଦାଗ ପଡିଯାଏ, ଦରଜ ହୁଏ, ଗିଲଟି ଫୁଲି ଦରଜ ହୁଏ ଓ ରକ୍ତ ଗଡେ ରୋଗ ପୁରୁଣା ହୋଇଗଲେ: ଗୋଡ, ପାଦ, ହାତ, ଆଦି ଫୁଲିଯାଏ, ଗୋଦର ହୁଏ । ପୁରୁଷ ମାନଙ୍କର ଅଣ୍ଡକୋଷ ଫୁଲେ । ଏହାକୁ ହାଇଡ୍ରୋସିଲ୍ କୁହନ୍ତି । କେତେକ କ୍ଷେତ୍ରରେ ଳିଙ୍ଗ ଫୁଲି ମୋଟା ଓ ବଙ୍କା ହୋଇଯାଏ ଯେ ମେଣ୍ଡାର ଶିଙ୍ଗ ପରି ଦେଖାଯାଏ ମହିଳାମାନଙ୍କର ସ୍ତନ ଫୁଲି ଦରଜ ହୁଏ । କେତେକଙ୍କ କ୍ଷେତ୍ରରେ ଧଳା ପରିସ୍ରା ହୁଏ । ପ୍ରଥମ ଅବସ୍ଥାରୁ ଉପୟୁକ୍ତ ଯତ୍ନ ଣ ନେଲେ ଫୁଲାଲମେ ନାହିଁ ଓ ଅଙ୍ଗଟି ବିକଳାଙ୍ଗ ହୋଇଯାଏ । ଗୋଦର ଉପରେ ଆବୁ ଆବୁ ହୋଇ ବାହାରେ । କେତେକ ସ୍ଥଳରେ ଏହା ଛତୁ ଫୁଟିଲା ପରି ଦେଖାଯାଏ । ଏଥିରେ ଜୀବାଣୁ ସହଜରେ ସଂକ୍ରମିତ ହୋଇଥାଏ । ଫଳରେ ପୂଜ ଓ ଲସା ବାହାରେ । ପ୍ରଶ୍ନ ୪. ଏହି ରୋଗ କଣ ବଂଶାନୁଗତ ? ଉତ୍ତର : ଏହୀ ରୋଗ ବଂଶାନୁଗତ ନୁହେଁ । ଏହା ଏକ ପରିଜୀବୀ କୀଟାଣୁ ଦ୍ଵାରା ସଂକ୍ରମିତ ହୋଇଥାଏନ । ପ୍ରଶ୍ନ ୫. ମଶା କାମୁଡିବାର କେତେଦିନ ପରେ ରୋଗର ଲକ୍ଷଣ ଦେଖାଯାଏ ? ଉତ୍ତର – ମଶା କାମୁଡିବାର ପ୍ରାୟ ୧ ବର୍ଷ ପରେ ବାତଜ୍ଵରର ଲକ୍ଷଣ ଦେଖା ଯାଇଥାଏ । ସୁସ୍ଥ ଲୋକର ଦେହରେ ଫାଇଲେରିଆ ପରଜୀବୀ କୀଟାଣୁ (ମାଇକ୍ରୋଫାଇଲେରିଆ) ପ୍ରବେଶ କରିବାର ପ୍ରାୟ ୧ ବର୍ଷ ପରେ ଏହା ପୂର୍ଣ୍ଣାଙ୍ଗ କୃମିରେ ପରିଣତ ହୋଇଥାଏ । ପୂର୍ଣ୍ଣାଙ୍ଗ କୃମି ହେବା ପରେ ଫାଇଲେରିଆ ରୋଗର ଲକ୍ଷଣ ପ୍ରକାଶ ପାଏ । ତେଣୁ ମଶା କାମିଡିବାର ପ୍ରାୟ ୧ ବର୍ଷ ପରେ ରୋଗର ଲକ୍ଷଣ ଦେଖା ଯାଇଥାଏ । ମାତ୍ର କେତେକ କ୍ଷେତ୍ରରେ ୧୫ ରୁ ୨୦ ବର୍ଷ ଲାଗିଯାଇପାରେ । ପ୍ରଶ୍ନ ୬ – ଫାଇଲେରିଆ ରୋଗରେ ଅଙ୍ଗ ଫୁଲେ କାହିଁକି ? ଉତ୍ତର – ଜୀବନ୍ତ ବା ମୃତ ପୂର୍ଣ୍ଣାଙ୍ଗ ଫାଇଲେରିଆ କୃମି ଲସିକା ନଳୀକୁ ଅବରୋଧ କରେ । ଜୀବନ୍ତ କୃମି ଏକ ପ୍ରକାର ବିଷାକ୍ତ ପଦାର୍ଥ ନିର୍ଗତ କରେ । ଏହୀ ବିଷକ୍ତ ପଦାର୍ଥ ଲସିକା ନଳୀକୁ ଅବରୋଧ କରେ । ଫଳରେ ଲସିକା ପ୍ରବାହରେ ବାଧା ଉପଜେ । ଲସିକା ନଳୀରୁ ଲସିକା ନାଲି ବାହାରେ ଥିବା ଜୀବକୋଷ ମଧ୍ୟକୁ ଲସିକା ପ୍ରବେଶ କରେ । ଫଳରେ ଅବରୋଧ ହୋଇଥିବା ଅଙ୍ଗଟି ଫୁଲେ । ପ୍ରଥମେ ପ୍ରଥମେ ଫୁଲାଟି ନରମ ଥାଏ ଚିପିଦେଲେ ଦବିଯାଏ । ବାହାରର ରୋଗଜୀବାଣୁ ଗୋଦର ଅଙ୍ଗରେ ଥିବା କ୍ଷତ ଦେଇ ଶରୀରକୁ ପ୍ରବେଶ କରେ । ଫଳରେ ବାରମ୍ଭାର ଜ୍ଵର ହୁଏ ଓ ଅଙ୍ଗ ଫୁଲି ଦରଜ ହୁଏ । ମାତ୍ର ରୋଗ ପୁରୁଣା ହୋଇଗଲେ ଫୁଲା ଜାଗା ଟାଣ ହୋଇଯାଏ । ପାଦ, ଗୋଡ ଫୁଲି ଗୋଦର ହୁଏ । ଅଣ୍ଡକୋଷ ଫୁଲି ହୋଇଡ୍ରୋସିଲ ହୁଏ ସ୍ତନ ଫୁଲି ଟାଣହୁଏ । ପ୍ରଥମ ଅବସ୍ଥାରେ ଫୁଲା ଜାଗାକୁ ଉପରକୁ ଟେକି ରଖିଲେ ଫୁଲା କମିଯାଏ । ମାତ୍ର ଅଧିକ ଦିନର ରୋଗ ହୋଇ ଥିଲେ ଏହା ଆଉ କମେ ନାହିଁ । ପ୍ରଶ୍ନ ୭ – ଫାଇଲେରିଆ ରୋଗ ପାଇଁ ନିର୍ଦ୍ଧିଷ୍ଟ ଚିକିତ୍ସା ଅଛି କି ? ଉତ୍ତର : ହିଁ, ପ୍ରାଥମିକ ଚିକିତ୍ସାରେ ରୋଗ ଚିକିତ୍ସା ପାଇଁ ଔଷଧ ଅଛି । ଏହା ସମୟରେ ଡାକ୍ତରଙ୍କ ପରାମର୍ଶ କରି ଚିକିତ୍ସା କଲେ ରୋଗ ବଢି ନଥାଏ । ପ୍ରଶ୍ନ ୮ . ଫାଇଲେରିଆ ରୋଗ ଚିହ୍ନଟ କରିବ କିପରି ? ଉତ୍ତର : ଲକ୍ଷଣ ଦେଖି ଆମେ ସହଜରେ ଜାଣିପାରିବା ଜଣଙ୍କୁ ଫାଇଲେରିଆ ହୋଇଛି କି ନାହିଁ, ମାତ୍ର ଅନେକଙ୍କ କ୍ଷେତ୍ରରେ କୀଟାଣୁ ଥାଇ ମଧ୍ୟ ଲକ୍ଷଣ ଦେଖାଯାଏ ନାହିଁ । ଏମାନଙ୍କ କ୍ଷେତ୍ରରେ ରକ୍ତ ପରୀକ୍ଷା କରି ରୋଗର ସଂକ୍ରମଣ ହୋଇଛି କି ନାହିଁ ଜାଣିହୁଏ । ରାତି ୮ ରୁ ୧୨ ଟା ମଧ୍ୟରେ ରୋଗୀ ସୋଇଥିବା ସମୟରେ ଏହି ରକ୍ତ ନମୁନା ସଂଗ୍ରହ କରାଯାଏ । କାରଣ ଦିନ ବେଲାରେ ଏହି କୀଟାଣୁ ରକ୍ତ ସ୍ରୋତରେ ନଥାଇ ଲସିକା ଗ୍ରନ୍ଥୀ ମଧ୍ୟରେ ଲୁଚି ରହିଥାନ୍ତି ଓ ରାତି ହେଲେ ରକ୍ତ ସ୍ରୋତକୁ ଆସିଥାନ୍ତି । ରକ୍ତ ନମୁନାକୁ ଅଣୁବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ପରିକ୍ଷା କରି କିଟାଣୁ ଚିହ୍ନଟ କରିହୁଏ । ପ୍ରଶ୍ନ ୯ – ଫାଇଲେରିଆ ରୋଗର ପ୍ରତିରୋଧ ତଥା ନିରାକରଣ କପରି କରାଯାଇ ପାରିବ ? ଉତ୍ତର : ବାତଜ୍ଵର ନିରାକରଣ ପାଇଁ ଭାରତ ସରକାରଙ୍କ ତରଫରୁ “ ଜାତୀୟ ବାତଜ୍ଵର ନିରାକରଣ” କାର୍ଯ୍ୟକ୍ରମ ଜାରି ରହିଛି । ଏଥିପାଇଁ ବର୍ତ୍ତମାନ ଆମ ଜାତୀୟ କାର୍ଯ୍ୟକ୍ରମରେ ଦୁଇଟି ମୁଖ୍ୟ ଉପାୟ ଅବଲସ୍ଵନ କରାଯାଉଅଛି । ଗୋଷ୍ଠିରେ ସମସ୍ତଙ୍କ ଦେହରୁ ବାତଜ୍ଵର କୀଟାଣୁ ନଷ୍ଟ କରିବା ନିମିତ୍ତ ସାର୍ବଜନୀନ ବାତଜ୍ଵର ଔଷଧ ସେବନ କାର୍ଯ୍ୟକ୍ରମ ବାତଜ୍ଵର ରୋଗୀ ମାନଙ୍କର ଯତ୍ନ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଏହାବ୍ୟତିତ ମଶା ବଂଶ ବୃଦ୍ଧି ନହେବା ପାଇଁ ଓ ମଶା ଣ କାମୁଡିବା ପାଇଁ ବିଭିନ୍ନ ଉପାୟମାନ ଅବଲମ୍ବନ କରାଯାଇଥାଏ । ମଶା ବଂଶ ବୃଦ୍ଧି ନହେବା ପାଇଁ ଘର ଆଖପାଖରେ ପାଣି କମିବାକୁ ଦେବାନାହିଁ । ନାଳନର୍ଦ୍ଦମାରେ ଜମୁଥିବା ପାଣିରେ ମଶା ଲାର୍ଭା ନାଶକ ଔଷଧ ସପ୍ତାହକୁ ଠାରେ ପ୍ରୟୋଗ କରିବା । ଗପି ଏକ ଲାର୍ଭାଖିଆ ମାଛ । ଏହି ମାଛ ନାଳ ବା ନର୍ଦ୍ଦମା ପାଣିରେ ବଂଶ ବୃଦ୍ଧି କରିପାରନ୍ତି । ଏମାନେ ମଶା ଲାର୍ଭା ଖାଇଦିଅନ୍ତି । ଫଳରେ ମଶା ବଂଶ ବୃଦ୍ଧି ହୋଇପାରେ ନାହିଁ ( କ୍ୟୁଲେକ୍ସ ମଶା ନାଳ, ନର୍ଦ୍ଦମା ତଥା ପଚାସଢା ପାଣିରେ ଥଣ୍ଡା ଦେଇ ବଂଶ ବଢାଇ ଥାଏ । ଥଣ୍ଡା ଦେବାର ୨ ରୁ ୧୦ ଦିନ ଭିତରେ ଅଣ୍ଡାରୁ ଲାର୍ଭ, ଲାର୍ଭା ରୁ ପ୍ୟୁପା ହୋଇ ପୂର୍ଣ୍ଣାଙ୍ଗ ମଶାରେ ପରିଶତ ହୁଏ । ) ଗପି ମାଛ ଛାଡିବା ଦ୍ଵାରା କ୍ୟୁଲେକ୍ସ ମଶାର ବଂଶ ବୃଦ୍ଧି ହ୍ରାସ କରାଯାଇ ପାରିବ । ମଶା କାମୁଡିବାରୁ ରକ୍ଷା ପାଇବାପାଇଁ ମଶାରି ଟାଙ୍ଗୀ ଶୋଇବେ । ମଶା ଘଉଡାଇବା ପାଇଁ ମଶାଧୂପ ବ୍ୟବହାର କରି ପାରିବେ । ମଶା ବିକର୍ଷି କାରୀ ମଲମ ଦେହରେ ଲଗାଇ ପାରିବେ । ପ୍ରଶ୍ନ ୧୦ - ଗୋଷ୍ଠିରେ ସମସ୍ତଙ୍କ ଦେହରୁ ଫାଇଲେରିଆ ବା ବାତଜ୍ଵର କୀଟାଣୁ ନଷ୍ଟ କରାଯିବ କିପରି? ଉତ୍ତର - ଏଥିପାଇଁ “ସାର୍ବଜନିନ ଔଷଧ ସେବନ” ବା Mass Drug Administration ( MDA) କାର୍ଯ୍ୟକ୍ରମକୁ ବାତଜ୍ଵର\ ପ୍ରବଣ ଜିଲାମାନଙ୍କରେ କାର୍ଯ୍ୟକାରୀ କରାଯାଉଛି । ଆମ ରାଜ୍ୟରେ ଏବେ ଏହା ନିମ୍ନଲିଖିତ ୨୦ ଟି ଜିଲ୍ଲାରେ କରାଯାଉଛି । ପୁରୀ, ଖୋର୍ଦ୍ଧା, ନିୟାଗଡ, ଗଞ୍ଜାମ, ଗଜପତି, କଟକ ଜଗତସିଂହପୁର, କେନ୍ଦ୍ରପଡା ଯାଜପୁର, ଭଦ୍ରକ, ବାଲେଶ୍ଵର, ଢେଙ୍କାନାଳ ଅନୁଗୁଳ ଦେବଗଡ, ଝାରସୁଗୁଡା, ନୂଆପଡା କୋରାପୁଟ ନବରଙ୍କପୁର, ମାଲକାନ ଗିରି, ବୌଦ୍ଧ । ପରେ ଅନ୍ୟ ଜିଲ୍ଲାମାନଙ୍କରେ ଏହି କାର୍ଯ୍ୟକ୍ରମ କରିବାର ଯୋଜନା ରହିଛି । ଲଗାତର ୫ ରୁ ୬ ବର୍ଷ ପର୍ଯ୍ୟନ୍ତ ଯଦି ଗୋଟିଏ ଗୋଷ୍ଠିରେ ଶତକଡା ୮୫ ଭାଗରୁ ଅଧିକ ଲୋକ ବର୍ଷର ଗୋଟିଏ ଦିନରେ ବାତଜ୍ଵର ନିରାକରଣ ପାଇଁ ଦିଆଯାଉଥିବା ଔଷଧ ସେବନ କରନ୍ତି ତେବେ ଗୋଷ୍ଠିରୁ ବାତଜ୍ଵର ନିରାକରଣ ହୋଇପାରିବ । ପ୍ରଶ୍ନ ୧୧ . କେଉଁମାନେ ଏହି ଔଷଧ ସେବନ କରିପାରିବେ ? ଉତ୍ତର କେବଳ ଦୁଇବର୍ଷରୁ କମ୍ମ ବୟସର ଶିଶୁ ଗର୍ଭବତୀ ମହିଳା ଏବଂ ଅଧିକଦିନ ଦରି ରୋଗରେ ପିଡିତଥିବା ଲୋକମାନଙ୍କୁ ଛାଡି ଅନ୍ୟ ସମସ୍ତ ଏହି ଔଷଧ ସେବନ କରିପାରିବେ । ପ୍ରଶ୍ନ ୧୨ : ସମସ୍ତେ ଏକା ଦିନରେ ଔଷଧ ସେବନ କରିବେ କାହିଁକି ? ଉତ୍ତର – ଗୋଷ୍ଠି ସମସ୍ତେ ଏକ ସମୟରେ ଔଷଧ ସେବନ କଲେ ସେମାନଙ୍କ ଦେହରେ ଥିବା ବାତଜ୍ଵରର କୀଟାଣୁ ଏକାସବେଳକେ ମରିଯାନ୍ତି । ଫଳରେ କୀଟାଣୁସଙ୍କ୍ରମଣ ଯଥେଷ୍ଟ ମାତ୍ରାରେ ହ୍ରାସ ପାଇଥାଏ । ଏହିପରି ୫ ରୁ ୬ ବର୍ଷ ଲଗାତର ସାର୍ବଜନୀନ ଔଷଧ ସେବନ କରିବା ଦ୍ଵାରା ବାତଜ୍ଵର କୀଟାଣୁ ସମ୍ପୁର୍ଣ୍ଣ ନଷ୍ଟ ହୋଇ ହୋଇଯିବେ । ଏହି ସମୟ ଭିତରେ ଶରୀରରେ ଥିବା ସମସ୍ତ ପୂର୍ଣ୍ଣାଙ୍ଗ କୃମି ମଧ୍ୟ ମରିଯିବେ । ଫଳରେ କାହାରି ଦେହରେ ବାତଜ୍ଵର କୀଟାଣୁ ରହିବେ ନାହିଁ । ଏହା ଦ୍ଵାରା ବାତଜ୍ଵର ନିରାକରଣ ସମ୍ଭବ ହୋଇପାରିବ । MDA ଦିନ ଔଷଧ ବିତରକମାନେ ଘରକୁ ଘର ଯାଇ ସମସ୍ତ ପରବାରର ସମସ୍ୟମାନଙ୍କୁ ଏହି ଔଷଧ ଖୁଆଇବେ ଏଥିପାଇଁ ଜନସହଯୋଗ ଏକାନ୍ତ ଆବଶ୍ୟକ । ପ୍ରଶ୍ନ ୧୩ : ବାତଜ୍ଵର ପାଇଁ ଦିଆଯାଉଥିବା ଔଷଧ କଣବ ଏକ ନୂଆ ପ୍ରକାରର ଔଷଧ ? ଉତ୍ତର : ନାଁ, ଏହି ଔଷଧ ପ୍ରାୟ ୫୦ ବର୍ଷରୁ ଉର୍ଦ୍ଧ ସମୟଧରି ବ୍ୟବହାର କରାଯାଉଛି । ପ୍ରାୟ ଅଧିକାଂଶ ଲୋକ ଡି.ଇ.ସି ଓ ଆଲବେଣ୍ଡାଜଲ ବଟିକା ଆଗରୁ ଖାଇଥିବେ । ଏହି ଦୁଇ ପ୍ରକାରର ବଟିକା MDA ରେ ଦିଆଯାଉଛି । ପ୍ରଶ୍ନ ୧୪ : ଏସବୁ ଔଷଧ କିପରି ଖାଇବେ? ଉତ୍ତର : ବୟସ ଅନୁସାରେ ଡି.ଇ.ସି ବଟିକା ଓ ଆଲବେଣ୍ଡାଜଲ ବଟିକା ଦିଆଯାଇଥାଏ । ବୟସ ଅନୁସାରେ ଡି.ଇ.ସି ଓ ଆଲବେଣ୍ଡାଜଲ ବଟିକା ମାତ୍ରା ଡି.ଇ.ସି ଆଲବେଣ୍ଡାଜଲ ବୟସ ମାତ୍ରା ବଟିକା ସଂଖ୍ୟା ୧୦୦ ମି.ଗ୍ରା < ୨ ବର୍ଷ 0 0 0 ୨ ରୁ ୫ ବର୍ଷ ୧୦୦ ମି.ଗ୍ରା ୧ଟି ୧ଟି ୬ ରୁ ୧୪ ବର୍ଷ ୨୦୦ ମି. ଗ୍ରା ୨ଟି ୧ଟି ୧୫ ବର୍ଷ ବା ତାଠାରୁ ଉର୍ଦ୍ଧ୍ଵ ୩୦୦ ମି.ଗ୍ରା ୩ଟି ୧ଟି ଆଲବେଣ୍ଡଜଲ ବଟିକା ୨ ବର୍ଷରୁ ଉର୍ଦ୍ଧ୍ଵ ସବୁ ବଯସର ଲୋକଙ୍କ ପାଇଁ ଗୋଟିଏ ବଟିକା ଦିଆଯାଏ । ବାତ ଜ୍ଵର ପାଇଁ ଦିଆଯାଉଥିବା ବଟିକା ପେଟପୂରା ଖାଇ ସାରିବା ପରେ ଖାଇବେ । ଖାଲି ପେଟରେ ଖାଇବେ ନାହିଁ । ପ୍ରଶ୍ନ ୧୫: ବାତଜ୍ଵର ଔଷଧ ଖାଇବା ପରେ କୌଣସି ପାର୍ଶ୍ଵ ପ୍ରତିକ୍ରିୟା ଦେଖାଯାଏକି? ଉତ୍ତର : ଉତ୍ତର ଡି.ଇ.ସି ଓ ଆଲବେଣ୍ଡାଜଲ ଶରୀର ପାଇଁ ନିରାପଦ । ପାର୍ଶ୍ଵପ୍ରତିକ୍ରିୟା ସମସ୍ତଙ୍କ କ୍ଷେତ୍ରରେ ଦେଖାଯାଏ ନାହିଁ । ଯେଉଁମାନଙ୍କ ଦେହରେ ଅଧିକ ପରିମାଣର ବାତଜ୍ଵର କୀଟାଣୁ ଥାଆନ୍ତି ସେମାନଙ୍କଠାରେ କେତେକ ସାଧାରଣ ପାର୍ଶ୍ଵପ୍ରତିକ୍ରିୟା ଦେଖାଯାଇପାରେ । ବାତଜ୍ଵର କୀଟାଣୁ ମାରିବା ଯୋଗୁଁ ଏପରି ପାର୍ଶ୍ଵପ୍ରତିକ୍ରିୟା ଦେଖାଯାଇଥାଏ । ନିମ୍ନଲିଖିତ ପାର୍ଶ୍ଵପ୍ରତିକ୍ରିୟା ମଧ୍ୟରୁ ଗୋଟିଏ ବା ଅଧିକ ପାର୍ଶ୍ଵପ୍ରତିକ୍ରିୟା ଦେଖାଦେଇପାରେ । ଜ୍ଵର ମୁଣ୍ଡବିନ୍ଧା ଦେହହାତ ବ୍ୟଥା ମୁଣ୍ଡ ବୁଲେଇବା ଚର୍ମରେ ଲାଲ ହୋଇ ଫଳିଯିବା ଓ ବେଳେ ବେଳେ ଚର୍ମ କୁଣ୍ଡାଇ ଦେବା ଏସବୁ ପାର୍ଶ୍ଵପ୍ରତିକ୍ରିୟା ୨୪ ଘଣ୍ଟାକ ମଧ୍ୟରେଆପେ ଆପେ ଭଲ ହୋଇଯାଏ । ଏଥିପାଇଁ କୌଣସି ଔଷଧ ଦରକାର ହୋଇନଥାଏ । ଯଦି ପାର୍ଶ୍ଵ ପ୍ରତିକ୍ରିୟା ଲାଗିରହେ ତେବେ ପାଖ ସ୍ୱାସ୍ଥ୍ୟ କେନ୍ଦ୍ରକୁ ରୋଗୀକୁ ନେଇ ଚିକିତ୍ସା କରାଯାଇପାରିବ । ପ୍ରଶ୍ନ ୧୬:ବ ବାତଜ୍ଵର କୌଣସି ଲକ୍ଷଣ ନଥିଲେ ମଧ୍ୟ ଜଣେ କାହିଁକି ଔଷଧ ଖାଇବ ? ଉତ୍ତର : ଲକ୍ଷଣ ଦେଖାନଗଲେ ମଧ୍ୟ ଶରୀରରେ ବାତଜ୍ଵରର ପରଜୀବୀ କାଟାଣୁ ଥାଇପାରନ୍ତି । କାରଣ ଆମ ଅଞ୍ଚଳରେ ବାତଜ୍ଵର ରୋଗୀ ଅଛନ୍ତି, ରୋଗ ସଂକ୍ରମଣ କରୁଥିବା ମସା ଅଛନ୍ତି । ତେଣୁ ମସା କାମୁଡିବା ଦ୍ଵାରା ଜଣଙ୍କ ଦେହରୁ ଅନ୍ୟ ଜଣଙ୍କୁ ଦେହରୁ ଅନ୍ୟ ଜଣଙ୍କୁ ରୋଗ କୀଟାଣୁ ସଂକ୍ରମଣ ହେବାର ସମ୍ଭାବନା ଅଛି । ରୋଗ କୀଟାଣୁ ନାଶ କରିବା ପାଇଁ ବାତଜ୍ଵର ଔଷଧ ଖାଇବା ନିହାତି ଆବଶ୍ୟକ । ପ୍ରଶ୍ନ ୧୭ : ଗୋଦର ଭଲ ହେବାପାଇଁ କିଛି ଚିକିତ୍ସା ଅଛି? ଉତ୍ତର: ଠାରେ ଗୋଦର ହୋଇଗଲେ, ଏହାର ସଂପୂର୍ଣ୍ଣ ଆରେଗ୍ୟ ପାଇଁ କୌଣସି ଚିକିତ୍ସା ନାହିଁ । କିନ୍ତୁ ଗୋଦର ଅଧିକ ନ ବଢିବା ପାଇଁ, କଷ୍ଟ ନହେବା ପାଇଁ ଏବଂ ଗୋଦର ଅଙ୍ଗାର ଫୁଲା କମାଇବା ପାଇଁ ନିମ୍ନ ଲିଖିତ ସହଜ ଉପାୟମାନ ଘରେ କଇରୀ ପାରିବେ । ଗୋଦର ଗୋଡର ଯତ୍ନ ନେବେ କିପରି? ଏଥିପାଇଁ ପ୍ଲାଷ୍ଟିକ ଟବ, ପରିଷ୍କାର ପାଣି, ଦେହଲଗା ସାବୁନ ନରମ ଗାମୁଛା, ପ୍ଲାଷ୍ଟିକ ମଗ ବ୍ୟବହାର କରି ନିମ୍ନମତେ ଜତ୍ନ ନେବେ । ଗୋଦର ଅଙ୍ଗକୁ ନିୟମିତ ଧୋଇବେ । ଏହାଦ୍ଵାରା କଷ୍ଟ ଉପଶମ ହୋଇଥାଏ ଓ ଗୋଦର ଅଙ୍ଗସୁସ୍ଥ ରହେ ଚିତ୍ର ଦେଖନ୍ତୁ: ପରିଷ୍କାର ପାଣି ଓ ଦେହଲଗା ସାବୁନ ଦ୍ଵାରା ଗୋଦର ଅଙ୍ଗକୁ ( ପାଦ, ହାତ, ଆଙ୍ଗୁଳି ସନ୍ଧି, ଚର୍ମ ଭାଙ୍ଗକୁ) ଭଲଭାବରେ ଧୋଇବେ । ନିଜେ ଧୋଇ ନପାରିଲେ ଅନ୍ୟର ସାହାଯ୍ୟ ନେବେ । ଧୋଇଲା ପାଣି ସଫା ଦିଶିଲା ପର୍ଯ୍ୟନ୍ତ ପାଦକୁ ଧୋଇବେ । ଧୋଇସାରିବା ପରେ ପରିଷ୍କାର ଓ ନରମ କାନାରେ ପୋଛି ଶୁଖାଇ ଦେବେ ଗୋଦର ଅଙ୍ଗରେ ଖଣ୍ଡିଆ ହୋଇଥିଲେ କିମ୍ବା ଘା’ ହୋଇଥିଲେ ସେଥିରେ ଆଣ୍ଟିବାୟୋଟିକ୍ ( ଜୀବାଣୁ ନାଶକ) ମଲମ ଲଗାଇବେ । ଏହା ବ୍ୟତୀତ ନିମ୍ନଲିଖିତ ଉପାୟ ଗୁଡିକ ଅବଲମ୍ବନ କରିବେ ଢିଲା ଓ ନରମ ବ୍ୟବହାର କରିବେ । ଘରେ କାମ ଦାମ କିମ୍ବା ବସାଉଠା କଲାବେଳେ ଯଥା: ରୋଷେଇ କଲାବେଳେ ଛୋଟ ପିଲାକୁ ଧରିଲା ବେଳେ, ବସିବା ଓ ଶୋଇବା ବେଳେ ଗୋଡକୁ ଯଥା ସମ୍ଭବ ଉଚ୍ଚରେ ରହିବେ । ହାଇଡ୍ରୋସିଲ ( ଅଣ୍ଡକୋଷ ବୃଦ୍ଧି) ହୋଇଥିଲେ ଅସ୍ତ୍ରୋପଚାର କରାଇ ଆରୋଗ୍ୟଲାଭ କରିପାରିବେ । ଚିତ୍ରରେ ଦେଖାଗଲାପରି ନିୟମିତ ବ୍ୟାୟାମ କରିବେ । କ) ଦୁଇ ହାତ ଲଗାଇ କାନ୍ଥରେ ଭରା ଦିଅନ୍ତୁ । ଗୋଡର ଗୋଇଠିକୁ ଟେକି ପାଦଆଙ୍ଗୁଠି ଉପରେ ଠିଆ ଦୁଅନ୍ତୁ । କିଛି ସମୟ ପରେ ପୁଣି ପାଦଉପରେ ଠିଆ ଦୁଅନ୍ତୁ । ଏଇଭଳି ୫ ରୁ ୧୦ ଥର କରିବେ । କଷ୍ଟ ଅନୁଭବ ହେଲେ ପ୍ରଥମେ ଗୋଟିଏ ଗୋଡରେ କରିବେ ଏବୋଂତ ପରେ୪ ଅନ୍ୟ ଗୋଡରେ କରିବେ । ଖ) ବସିବା ବା ଶୋଇବା ଅବସ୍ଥାରେ ଦୁଇ ପାଦକୁ ଯୋଡି ଉପରକୁ ରଖିବେ । ଆଙ୍ଗୁଠି ଗୁଡିକ ତଳକୁ ବଙ୍କାଇ ୩ରୁ୫ ସେକେଣ୍ଡ ପର୍ଯ୍ୟନ୍ତ ରଖିବେ । ଏଇଭଳି ୫ ରୁ ୧୦ ଥର କରିବେ । ଏହା ସାଙ୍ଗରେ ଦୁଇପାଦ ଏକା ଥରକେ କିମ୍ବା ଥରକୁ ଗୋଟିଏ ପଦରେ ଏପରି କରିବେ । ଗ) ବସିବା କିମ୍ବା ଶୋଇବା ଅବସ୍ଥାରେ ଗୋଇଠି ଉପରେ ଭରାଦେଇ ଗୋଡର ବ୍ୟାୟାମ ନିୟମିତ କରିବେ । ଡାହାଣ ପାଦକୁ ବାମରୁ ଡାହାଣପଟକୁ ୫ରୁ ୧୦ ଥର ବୁଲାଇବେ । ତାପରେ ବାମଗୋଡର ବ୍ୟୟାମ ଏହିପରି କରିବେ । ବାତଜ୍ଵର ହୋଇଥିବା ବେଳେ କ’ଣ କରିବେ ସର୍ବଦା ସତର୍କ ରହିବେ ଯେପରି ବାତଜ୍ଵର ଅଙ୍ଗରେ କୌଣସି ଆଘାତ ଲାଗି କ୍ଷତ ସୃଷ୍ଟି ନ ହୁଏବ । ବାତଜ୍ଵରବେଳେ ପରିଷ୍କାର ପାଣିରେ ଗୋଡକୁ ବୁଡାଇ ରଖିବେ । ଯନ୍ତ୍ରଣା କମିଲା ଯାଏ ଏପରି କରିବେ । ସଂପୂର୍ଣ୍ଣ ବିଶ୍ରାମ ନେବେ । ବାତଜ୍ଵର ଆକ୍ରାନ୍ତ ଅଙ୍ଗକୁ ଓଦା କଣା ପକାଇ ଥଣ୍ଡା ରଖିବେ । ଯଥେଷ୍ଟ ପାଣି ପିଇବେ । ଜ୍ଵର କମାଇବା ପାଇଁ ଔଷଧ ସେବନ କରିବେ । ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇ ଡାକ୍ତରଙ୍କୁ ପରାମର୍ଶ କରିବେ । କ’ଣ କରିବେ ନାହିଁ ଯନ୍ତ୍ରଣା ହେଉଥିବା ଅଙ୍ଗରେ ଉଷୁମ ପାଣି ଲଗାଇବେ ନାହିଁ କିମ୍ବା ସେକ ଦେବେ ନାହିଁ । ଚର୍ମକୁ କୁଣ୍ଡାଇବେ ନାହିଁ କିମ୍ବା ଚର୍ମରେ ଆଘାତ ଦେବେ ନାହିଁ । ଅଙ୍ଗ ଫୁଲି ଯନ୍ତ୍ରଣା ହେଲାବେଳେ ପଟି କିମ୍ବା ବ୍ୟାଣ୍ଡେଜ୍ ବ୍ୟବହାର କରିବେ ନାହିଁ କିମ୍ବା ବ୍ୟୟାମ କରିବେ ନାହିଁ । ମୋଟା ରଗଡା କଣା ବ୍ୟବହାର କରିବେ ନାହିଁ । ରୋଗ ଆକ୍ରାନ୍ତ ସମୟରେ ତେଲ ମାଲିସ କରିବେ ନାହିଁ । ଶ୍ଵାସ ରୋଗୀ ଓ ଦୃଦଘାତ ରୋଗୀ ପାଦ ଉଚ୍ଚରେ ରଖିବେ ନାହିଁ । ଆଧାର ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶାଳୟ ଓଡିଶା