ଥୈଲାସିମିଆ ଥୈଲାସିମିଆ ଏକ ବଂଶଗତ ରକ୍ତଜନିତ ରୋଗ ଅଟେ। ଏହା ଫଳରେ ରକ୍ତର ତିଅାରି କାର୍ୟ୍ୟରେ ଅନିୟମିତତା ଦେଖାଦେଇଥାଏ। ଫଳରେ ରୋଗୀକୁ ବାରମ୍ୱାର ରକ୍ତ ଦେବାକୁ ପଡ଼ିଥାଏ। ଏହି ରୋଗରେ ଭାରତରେ ପ୍ରତି ବର୍ଷ ୭ ରୁ ୧୦ ହଜାର ପିଡ଼ିତ ଶିଶୁ ଜନ୍ମ ହୋଇଥାନ୍ତି। ଏହା ଯେ କେବଳ ରୋଗୀ ମାନଙ୍କ ପାଇଁ କଷ୍ଟଦାୟକ ହୋଇଥାଏ ତାହା ନୁହେଁ ବରଂ ସମ୍ପୂର୍ଣ୍ଣ ପରିବାର ପାଇଁ ଚିନ୍ତାର କାରଣ ପାଲଟିଥାଏ। ରୋଗଟି ମାତାପିତାଙ୍କ ଜିନରେ ପରିବର୍ତ୍ତନ କାରଣରୁ ହୋଇଥାଏ। ରକ୍ତରେ ହିମୋଗ୍ଲୋବିନ୍ ୨ ପ୍ରକାର ପ୍ରୋଟିନ୍ରୁ ନିର୍ମାଣ ହୋଇଥାଏ। ପ୍ରୋଟିନ୍ ଆଲଫା ଏବଂ ବିଟା ମଧ୍ୟରୁ କୌଣସି ଗୋଟିଏରେ ଅନିୟମିତତା ହେବା ଦ୍ୱାରା ଥାଲାସେମିଆ ହୋଇଥାଏ। ଥୈଲାସିମିଆର ପ୍ରକାର: ଥୈଲାସିମିଆ ମାଇନର: ଏହା ପ୍ରଭାବିତ ଜିନ୍ ଥିବା ମାତା ଅଥବା ପିତାଙ୍କ ଦ୍ୱାରା ଶିଶୁକୁ ହୋଇଥାଏ। ଏହି ପ୍ରକାରରେ ଥୈଲାସିମିଆ ରୋଗୀମାନଙ୍କ ମଧ୍ୟରେ କୌଣସି ଲକ୍ଷଣ ଦେଖାଯାଇନଥାଏ। ମାତ୍ର ରୋଗୀ ଥୈଲାସେମିଆର ବାହକ ସାଜିଥାନ୍ତି। ଥୈଲାସିମିଆ ମେଜର: ଏହା ଉଭୟ ମାତା ଏବଂ ପିତାଙ୍କ ଜିନ୍ରେ ଭୁଲ ଥିବା ଯୋଗୁଁ ଶିଶୁମାନଙ୍କୁ ହୋଇଥାଏ। ଯଦି ମାତା ଏବଂ ପିତା ଥୈଲାସିମିଆ ମାଇନର ହୋଇଥାଏ ତେବେ ଜନ୍ମିତ ଶିଶୁକୁ ଥୈଲାସିମିଆ ମେଜର ହେବାର ବିପଦ ରହିଥାଏ। ହାଇଡ଼୍ରୋପ୍ସ ଫେଟାଲିସ୍: ଏହା ଥୈଲାସିମିଆର ସବୁଠାରୁ ବିପଦଜନକ ପ୍ରକାର ଅଟେ। ଏହା ଦ୍ୱାରା ଗର୍ଭରେ ଥିବା ଶିଶୁର ମୃତ୍ୟୁର କାରଣ ମଧ୍ୟ ପାଲଟିଥାଏ। ନଚେତ ଜନ୍ମର କିଛି ସମୟ ପରେ ଶିଶୁର ମୃତ୍ୟୁ ଘଟିଥାଏ। ଥୈଲାସିମିଆର ଲକ୍ଷଣ: ଥୈଲାସିମିଆ ମାଇନର: ଏଥିରେ ଅଧିକତର କିଛି ଲକ୍ଷଣ ନଜର ଆସିନଥାଏ। ଏହା ଫଳରେ କିଛି ରୋଗୀମାନଙ୍କର ରକ୍ତ କମ୍ ଅଥବା ଆନାଇମିଆ ହୋଇପାରେ। ଥୈଲାସିମିଆ ମେଜର: ଜନ୍ମର ୩ ମାସ ପରେ କେବେ ବି ଏହି ରୋଗର ଲକ୍ଷଣ ପ୍ରକାଶ ପାଇଥାଏ। ଯେପରିକି: ଶିଶୁମାନଙ୍କର ନଖ ଏବଂ ଜିଭ ହଳଦିଆ ପଡ଼ିବା, ଏହା ଜଣ୍ଡିସର ଭ୍ରମ କରିଥାଏ । ଶିଶୁମାନଙ୍କର ମାଢ଼ି ଏବଂ ଗାଲରେ ଅସାମାନ୍ୟତା ଆସିଥାଏ । ଶିଶୁମାନଙ୍କର ବିକାଶ ହୋଇନଥାଏ ଫଳରେ ସେମାନେ ବୟସ ଅପେକ୍ଷା ଅଧିକ ଛୋଟ ନଜର ଆସିଥାନ୍ତି । ଶୁଷ୍କ ଚେହେରା ଓଜନ ବଢ଼ିବା ସବୁବେଳେ ରୋଗଗ୍ରସ୍ତ ନଜର ଆସିବା ଦୁର୍ବଳତା ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ଥୈଲାସିମିଆର ନିଦାନ: ଏପରି ଲକ୍ଷଣ ଦେଖାଦେଉଥିଲେ ଅଥବା ଆଶଙ୍କା କରୁଥିଲେ ତୁରନ୍ତ ତାହାର ଯାଞ୍ଚ କରାଇନିଅନ୍ତୁ। ଯେପରିକି: ଶାରିରିକ ଜାଞ୍ଚ: ବ୍ୟକ୍ତିର ଶାରିରିକ ଜାଞ୍ଚ ଏବଂ ପ୍ରଶ୍ନ କରି ଡ଼ାକ୍ତରମାନେ ଥୈଲେସିମିଆ ହୋଇଛି କି ନାହିଁ ଜାଣିପାରିବେ। ପିଡ଼ିତ ବ୍ୟକ୍ତିର ରକ୍ତ କମିଯିବା, ଯକୃତ ଏବଂ ପ୍ଲୀହାରେ ସୁଜନ୍ ଏବଂ ଶାରୀରିକ ବିକାଶ ଦ୍ୱାରା ଏହା ଜଣାପଡ଼ିଥାଏ। ରକ୍ତ ନମୂନା ଯାଞ୍ଚ: ରକ୍ତ ନମୂନାର ଯାଞ୍ଚ କରିବା ଦ୍ୱାରା ରକ୍ତକଣାର ଆକାର, ଅନିୟମିତତା ଏବଂ ହିମୋଗ୍ଲୋବିନ୍ କମ୍ ଆଦି ଲକ୍ଷଣ ଦ୍ୱାରା ନିଦାନ ହୋଇଥାଏ। ଥୈଲାସିମିଆର ଉପଚାର: ରକ୍ତ ଦେବା: ଏହି ରୋଗୀଙ୍କ ଉପଚାର ପାଇଁ ନିୟମିତ ରକ୍ତ ଦିଆଯାଇଥାଏ। ଏପରିକି କିଛି ରୋଗିମାନଙ୍କୁ ପ୍ରତି ୧୦ ରୁ ୧୫ ଦିନରେ ରକ୍ତ ଦିଆଯାଇଥାଏ। ଅନେକକ୍ଷେତ୍ରରେ ପିତାମାତା ଏପରି କରିବାର ଖର୍ଚ୍ଚ ବହନ କରିପାରନ୍ତି ନାହିଁ ତେଣୁ ଶିଶୁଟି ୧୨ ରୁ ୧୫ ବର୍ଷ ଆୟୁ ମଧ୍ୟରେ ମୃତ୍ୟୁବରଣ କରିଥାଏ। ଚେଲାସନ୍ ଥେରାପି: ବାରମ୍ୱାର ରକ୍ତ ଦେବା ଏବଂ ଆଇରନ୍ର ବଟିକା ଖାଇବା ଦ୍ୱାରା ରୋଗୀର ରକ୍ତରେ ଲୌହତତ୍ତ୍ୱର ମାତ୍ରା ଅଧିକ ହୋଇଯାଇଥାଏ। ଫଳରେ ଯକୃତ, ହୃଦୟ ଏବଂ ପ୍ଲୀହା ଆଦିରେ ଅଧିକ ଲୌହତତ୍ତ୍ୱ ଜମା ହେବା ଫଳରେ ଏହା କାମ କରିବା ବନ୍ଦ କରିଦିଏ। ତେଣୁ ଏହାକୁ ବାହାର କରିବା ପାଇଁ ଇନ୍ଜେକ୍ସନ ଏବଂ ବଟିକା ଦୁଇପ୍ରକାର ଚିକିତ୍ସା ଉପଲବ୍ଧ ରହିଛି। ବୋନ୍ ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ: ବୋନ୍ ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ ଏବଂ ସ୍ଟେମ୍ ସେଲର ଉପଯୋଗ କରାଯାଇ ଶିଶୁମାନଙ୍କଠାରେ ଏହି ରୋଗକୁ ରୋକିବା ପାଇଁ ପ୍ରୟାସ କରାଯାଉଛି। ଏହା ରୋଗକୁ ରୋକିବାରେ ସହାୟକ ହୋଇଥାଏ। ରୋକିବାର ଉପାୟ: ସଚେତନତା: ଏହି ରୋଗକୁ ରୋକିବା ପାଇଁ ରୋଗ ସମ୍ୱନ୍ଧରେ ସଚେତନତା ବୃଦ୍ଧି କରିବା ଦରକାର। ଗର୍ଭାବସ୍ଥାରେ ଯଦି ମାତା ପିତା ଥୈଲାସିମିଆ ଗ୍ରସ୍ତ ତେବେ ଗର୍ଭାବସ୍ଥା ସମୟର ପ୍ରଥମ ୩ ରୁ ୪ ମାସ ମଧ୍ୟରେ ପରୀକ୍ଷଣ କରାଇ ନିଅନ୍ତୁ। ଯଦି ଶିଶୁଟି ଥୈଲାସିମିଆରେ ପିଡ଼ିତ ନଜର ଆସେ ତେବେ ତୁରନ୍ତ ଗର୍ଭପାତ କରାଇନିଅନ୍ତୁ । ବିବାହ: ବିବାହ ପୂର୍ବରୁ ପୁରୁଷ ଏବଂ ମହିଳାଙ୍କର ସ୍ୱାସ୍ଥ୍ୟ ପରୀକ୍ଷଣ କରାଇନିଅନ୍ତୁ। ଭାରତରେ କିଛି ବିଶେଷ ଜାତିର ଲୋକମାନଙ୍କ ମଧ୍ୟରେ ଏହି ଲକ୍ଷଣ ଦେଖାଦେଇଥାଏ। ଯେପରିକି ବ୍ରାହ୍ମଣ, ଗୁଜୁରାତି, ସିନ୍ଧି, ପଞ୍ଜାବୀ, ବୋହରା ଏବଂ ମୁସଲମାନ୍ ଆଦି ଜାତିର ଲୋକମାନେ ବିବାହ ପୂର୍ବରୁ ନିଜନିଜର ସ୍ୱାସ୍ଥ୍ୟଗତ ଯାଞ୍ଚ କରାଇନେବା ଅତ୍ୟନ୍ତ ଜରୁରୀ। ଆଧାର ଓଡିଶା ରିପୋଟର