କର୍କଟ ରୋଗ ଜାତ ହେବାର କାରଣ କଅଣ ? ସବୁ ରୋଗପରି କର୍କଟ ରୋଗ ମଧ୍ୟ ସମସ୍ତଙ୍କୁ ହୁଏ ନାହିଁ । ଯେଉଁ ମାନଙ୍କ ଠାରେ ଏହି ରୋଗ ଜାତ ହୁଏ , ସେମାନଙ୍କ ଠାରେ ଏହା ଜାତ ହେବାର କାରଣ କଅଣ ? ଉତ୍ତର : ପ୍ରଥମରୁ ଏହା ଜାଣି ରଖିବା ଉଚିତ ଯେ କର୍କଟ ରୋଗ କାହିଁକି ହୁଏ, ସେ ବିଷୟରେ ଆମକୁ ଅଳ୍ପ କିଛି କିଛି ଜଣା । ଅଧିକାଂଶ କ୍ଷେତ୍ରରେ ବା ଅଧିକାଂଶ ରୋଗୀଙ୍କଠାରେ ରୋଗର କାରଣ ନିର୍ଣ୍ଣୟ କରିବା ସମ୍ଭବ ହୁଏ ନାହିଁ । ଅର୍ଥାତ୍ ରୋଗର କାରଣ ବିଷୟରେ ଆମକୁ ବିଶେଷ କିଛି ଜଣାନାହିଁ । ତେଣୁ କେତୋଟି ସମ୍ଭାବ୍ୟ କାରଣ ବିଷୟରେ ହିଁ ଏଠାରେ ସୂଚନା ଦିଆଯିବ । ଏହା ମଧ୍ୟ ଜାଣି ରଖିବା ଆବଶ୍ୟକ ଯେ କୌଣସି ଏକ ନିର୍ଦ୍ଧିଷ୍ଟ ରୋଗକୁ କର୍କଟ ରୋଗ ବୋଲି କୁହାଯାଏ ନାହିଁ । କେତେକ ସମାନ ଚରିତ୍ର ବା ବ୍ୟବହାର ପ୍ରଦର୍ଶନ କରୁଥିବା ରୋଗଗୁଡିକୁ କର୍କଟ ରୋଗ ଗୋଷ୍ଠୀର ଅନ୍ତର୍ଭୁକ୍ତ କରାଯାଇଥାଏ । ତେବେ କର୍କଟ ରୋଗ ସୃଷ୍ଟିର ବିଭିନ୍ନ କାରଣ ବିଷୟରେ ଜାଣିବାପୂର୍ବରୁ ଯେଉଁ ଯେଉଁ କାରକ ବା ବିଭାବ ରୋଗସୃଷ୍ଟି ପାଇଁ ଅନୁକୂଳ ବାତାବରଣ ଯୋଗାଇଦିଏ ସେ ସମ୍ପର୍କରେ ପ୍ରଥମେ ଧାରଣା କରିନେବା ବାଞ୍ଛନୀୟ । କେଉଁ ସମୟରେ କର୍କଟ ରୋଗ ହେବାର ସମ୍ଭାବନା ରହିଛି ? ବୟସ କର୍କଟ ରୋଗ ସବୁ ସମୟରେ ଜାତ ହୋଇପାରେ । ଏପରି କୌଣସି ବୟସ ନାହିଁ, ଯେଉଁ ବୟସରେ ରୋଗ ଆଦ୍ୟୋ ଜାତ ହୁଏ ନାହିଁ । ବାଲ୍ୟାବସ୍ଥାରେ ଠାରୁ ଆରମ୍ଭ କରି ପ୍ରୌଢାବସ୍ଥା ପର୍ଯ୍ୟନ୍ତ ଏହି ରୋଗ ଦେଖାଯାଏ । କିନ୍ତୁ କେଉଁ ପ୍ରକାର କର୍କଟ ରୋଗ କେଉଁ ବୟସରେ ହୋଇଥାଏ, ତାହା ପ୍ରାୟତଃ ନିର୍ଦ୍ଧାରିତ । ତେବେ ସାଧାରଣ ଭାବରେ ଦେଖିଲେ ୫୦ ବର୍ଷ ବୟସ ପରେ ରୋଗ ଜାତ ହେବାରେ ସମ୍ଭାବନା ଅଧିକ । ୧୫ ବର୍ଷ ବୟସରୁ କମ୍ ପିଲାଙ୍କଠାରେ ରକ୍ତ କର୍କଟ ରୋଗ, ରେଟିନୋବ୍ଲାଷ୍ଟୋମା ନାମକ ଚକ୍ଷୁ କର୍କଟ ରୋଗ, ନ୍ୟୁରୋବ୍ଲାଷ୍ଟୋମା ନାମକ ସ୍ନାୟୁ କର୍କଟ ରୋଗ, ଉଇମସ୍ ଟ୍ୟୁମର ନାମକ ବୃକକ୍ କର୍କଟ ରୋଗ, ଅଷ୍ଟିଓସାର୍କୋମା ନାମକ ଅସ୍ଥି କର୍କଟ ରୋଗ ଅତି ସାଧାରଣ । ୩୦ ବର୍ଷ ପରେ ବୟସ ପାଖାପାଖିରେ ପହଞ୍ଚିଗଲା ପରେ ମହିଳାମାନଙ୍କଠାରେ ସ୍ତନ କର୍କଟ ରୋଗ, ସର୍ଭିକ୍ସ କର୍କଟ ରୋଗ, ଯୋନି ଓ ଡିମ୍ବାଶୟ କର୍କଟ ରୋଗର ଆଶଙ୍କା ବଢିଯାଏ । କର୍କଟ ରୋଗ ସୃଷ୍ଟିକାରୀ ଉପାଦାନ ଗୁଡିକ ସଂସ୍ପର୍ଶରେ ବହୁ ବର୍ଷଧରି ଆସିବା ଫଳରେ ଅଧିକାଂଶ କର୍କଟ ରୋଗ ବୟସ୍କ ବ୍ୟକ୍ତିଙ୍କ ଠାରେ ପ୍ରକାଶ ପାଇବା ସ୍ଵାଭାବିକ । ଲିଙ୍ଗ ରୋଗୀର ଳିଙ୍ଗ ମଧ୍ୟ ରୋଗସୃଷ୍ଟିକୁ ପ୍ରଭାବିତ କରିଥାଏ । ମହିଳାମାନଙ୍କଠାରେ ଅଣ୍ଡକୋଷ ଓ ପ୍ରୋଷ୍ଟେଟ୍ ଗ୍ରନ୍ଥି ନ ଥିବାରୁ ସେମାନେ ଏହି ରୋଗରୁ ମୁକ୍ତ । ସେହିପରି ପୁରୁଷମାନେ ମଧ୍ୟ ସର୍ଭିକ୍ସ, ଗର୍ଭାଶୟ, ଡିମ୍ବାଶୟ, ଯୋନି କର୍କଟ ରୋଗ ଭୋଗିବାର ପ୍ରଶ୍ନ ଉଠେନି । କିନ୍ତୁ ପୁରୁଷମାନେ କାଁ ଭାଁ ସ୍ତନ କର୍କଟ ରୋଗରେ ଆକ୍ରାନ୍ତ ହେଉଥିଲେ ମଧ୍ୟ ମହିଳାମାନଙ୍କ କ୍ଷେତ୍ରରେ ଏହା ଅତି ସାଧାରଣ ଅବସ୍ଥା ଧାରଣ କରିବାକୁ ବସିଲାଣି । ତେବେ ମହିଳାମାନଙ୍କ ତୁଳନାରେ ପୁରୁଷ ମାନଙ୍କ ଠାରେ ଫୁସ୍ ଫୁସ୍ ଓ ଖାଦ୍ୟବାହୀନଳୀ କର୍କଟ ରୋଗର ହାର ବେଶି । ବଂଶାନୁକ୍ରମିକ କର୍କଟ ରୋଗ ସୃଷ୍ଟିରେ ବଂଶାନୁକ୍ରମର ପ୍ରଭାବକୁ ଅସ୍ଵୀକାର କରାଯାଇପାରୁ ନାହିଁ । କୁହାଯାଏ ଯେ ନେପୋଲିୟନ ପାକସ୍ଥଳୀ କର୍କଟ ରୋଗରେ ମୃତ୍ୟୁବରଣ କରିଥିଲେ । ତାଙ୍କ ଅଜା, ବାପା, ଭାଇମାନେ ଓ ଭଉଣୀମାନେ ମଧ୍ୟ କୁଆଡେ ଏହି ରୋଗରେ ଆକ୍ରାନ୍ତ ହୋଇଥିଲେ । କୌଣସି ପିତାମାତାଙ୍କର ଗୋଟିଏ ଶିଶୁ ସନ୍ତାନ ରେଟିନୋବ୍ଲାଷ୍ଟୋମା ନାମକ ଚକ୍ଷୁ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲେ, ଅନ୍ୟ ସନ୍ତାନମାନେ ମଧ୍ୟ ଏହି ରୋଗର ଶିକାର ହୋଇପଡୁଥିବାରୁ ଦେଖାଯାଏ । ଅଷ୍ଟିଓସାର୍କୋମା ନାମକ ଅସ୍ଥିକର୍କଟ ରୋଗ ଯାଆଁଳା ମାନଙ୍କ ଠାରେ ପରିଲକ୍ଷିତ ହେଉଛି। ମାଆର ସ୍ତନ କର୍କଟ ରୋଗ ହୋଇଥିଲେ କନ୍ୟାମାନେ ଏହି ରୋଗରେ ପଡିବାର ଆଶଙ୍କା ରହେ । ସାମାଜିକ – ଅର୍ଥନୈତିକ ଅବସ୍ଥା ଆର୍ଥିକ ଅବସ୍ଥା, ତାହା ସ୍ଵଛଳ ହେଉ କି ହେଉ ଅସ୍ଵଛଳ, କର୍କଟ ରୋଗକୁ ମଧ୍ୟ ପ୍ରଭାବିତ କରିଥାଏ । ପ୍ରାକୃତିକ ରୋଗ ପ୍ରତିରୋଧକ ଶକ୍ତିର ଅଭାବ ସୁସ୍ଥକୋଷ କର୍କଟକୋଷକୁ ରୂପାନ୍ତରିତ ହୋଇଯିବାରେ କିଛି ଅସ୍ଵାଭାବିକତା ନାହିଁ । କିନ୍ତୁ ଏପରି ପରିବର୍ତ୍ତନ ସଂଘଟିତ ହେବାମାତ୍ରେ ଶରୀରର ପ୍ରାକୃତିକ ରୋଗ ପ୍ରତିରୋଧକ ଶକ୍ତି ତୁରନ୍ତ ତପ୍ତର ହୋଇଉଠି ସେହି କର୍କଟକୋଷଗୁଡିକୁ ଧ୍ଵଂସ କରିଦିଏ । ତେଣୁ କର୍କଟକୋଷ ଗୁଡିକ ବିଭାଜିତ ହୋଇ ବଂଶବୃଦ୍ଧି କରିବା ନିମନ୍ତେ ସୁଯୋଗ ପାଆନ୍ତି ନାହିଁ । କିନ୍ତୁ କର୍କଟ ରୋଗ ସୃଷ୍ଟିକାରୀର ଉପାଦାନଗୁଡିକର ସଂସ୍ପର୍ଶରେ ବାରମ୍ବାର ଆସୁଥିବା ବ୍ୟକ୍ତିମାନଙ୍କଠାରେ ସୁସ୍ଥକୋଷ କର୍କଟକୋଷକୁ ରୂପାନ୍ତରିତ ହେବାର ଧାରା ଅପେକ୍ଷାକୃତ ସୁଗମ । ତେଣୁ କେତେକ କର୍କଟକୋଷ ପ୍ରତିରୋଧକ ଶକ୍ତିର କବଳରୁ ଖସିଯାଇ ରୋଗର ପ୍ରସାର କରେଇ ଥାଆନ୍ତି । ତାହାଛଡା ପ୍ରତିରୋଧକ ଶକ୍ତି ହ୍ରାସ ପାଇଗଲେ ତାହା ସଫଳତାର ସହ କର୍କଟ କୋଷଗୁଡିକୁ କାବୁ କରିପାରେ ନାହିଁ । ଫଳରେ ରୋଗବୃଦ୍ଧି ପ୍ରୋତ୍ସାହନ ପାଇଥାଏ । ଅନ୍ୟ ରୋଗର କୁପ୍ରଭାବ ଏପରି କେତେକ ରୋଗ ଅଛି, ଯେଉଁ ରୋଗରେ ବ୍ୟକ୍ତି ଆକ୍ରାନ୍ତ ହୋଇପଡିଥିଲେ ତାହାଠାରେ କର୍କଟ ରୋଗ ଜାତ ହେବାର ସମ୍ଭାବନା ଅଧିକ । ଉଦାହରଣ ସ୍ୱରୂପ, ଯକୃତ ସିରୋସିସ୍ ରୋଗ ଭୋଗୁଥିବା ରୋଗୀଠାରେ ଯକୃତ କର୍କଟ ରୋଗ, ପାକସ୍ଥଳୀ ପ୍ରଦାହ ରୋଗୀଠାରେ ପାକସ୍ଥଳୀ କର୍କଟ ରୋଗ ଏବଂ ପାଟି ଓ ଯୌନାଙ୍ଗରେ ଧଳାଛଉ ଜାତ ହୋଇଥିଲେ ସେଠାରେ କର୍କଟ ରୋଗ ଜାତ ହେବାର ଆଶଙ୍କା ରହିଛି । ସେହିପରି ଚର୍ମରେ କଳା ଭାତୁଡି ଥିଲେ ମଧ୍ୟ ମେଲାନୋମା ନାମକ ଚର୍ମ କର୍କଟ ରୋଗରେ ପରିଣତ ହୋଇପାରେ । ମନସ୍ତାତ୍ତ୍ଵିକ କାରକ ଦୀର୍ଘକାଳଧରି ଉତ୍କଣ୍ଠା, ଅସ୍ଵାଭାବିକ ମାନସିକ ଚାପ ତଥା ମାନସିକ ଉତ୍ତେଜନା ଭିତରେ କାଳ କାଟିବାପାଇଁ ବାଧ୍ୟ ହୋଇଥିଲେ ତାହା କର୍କଟ ରୋଗ କରିପାରେ ବୋଲି କେହି କେହି ଦାବି କରୁଛନ୍ତି । ତେବେ ଏହା ବିବାଦୀୟ ଓ ସର୍ବସମ୍ମତ ନୁହେଁ । ବୃତ୍ତି ବ୍ୟକ୍ତିର ବୃତ୍ତି ବା ବ୍ୟବସାୟ ମଧ୍ୟ କର୍କଟ ରୋଗ ସୃଷ୍ଟିକୁ ପ୍ରଭାବିତ କରିଥାଏ । ଖଣିଖାଦାନ ଓ ବିଭିନ୍ନ କାରଖାନାରେ କାମ କରୁଥିବା ବ୍ୟକ୍ତିମାନେ କେତେକ ନିର୍ଦ୍ଧିଷ୍ଟ ଅଙ୍ଗର କର୍କଟ ରୋଗଦ୍ୱାରା ଆକ୍ରାନ୍ତ ହେଉଥିବା ଜଣାପଡିଛି । କେଉଁ ଖଣିଖାଦାନ ତଥା କାରଖାନାରେ କାମ କରୁଥିବା ଲୋକେ କେଉଁ ପ୍ରକାର କର୍କଟ ରୋଗ ଭୋଗିବାର ଆଶଙ୍କା ରହିଛି, ତାହା ତଳେ ଉଲ୍ଲେଖ କରାଯାଇଛି । କାଚ କାରଖାନା, ମୃଣ୍ମୟ ଶିଳ୍ପ - ନାସାପଥ ଆସ୍ ବେଷ୍ଟସ୍ କାରଖାନା - ଫୁସ୍ ଫୁସ୍ କୋଇଲା ଖଣି,ରଙ୍ଗ କାରଖାନା, ପିଚୁ କାରଖାନା ଓ ରବର କାରଖାନା - ମୂତ୍ରାଶୟ ରେଡିୟମ୍ ଡାୟଲ ତିଆରି କାରଖାନା - ଅସ୍ଥି ବାଷ୍ପଚାଳିତ ଇଞ୍ଜିନ୍ ଓ ଭାଟିରେ କାମ କରୁଥିବା କାରିଗର, ଖରାତରାରେ କାମ କରୁଥିବା ଚାଷିମୂଲିଆ,‘ଏକ୍ସ – ରେ’ ଟେକ୍ ନିସିଆନ - ଚର୍ମ ପ୍ଲାଷ୍ଟିକ୍ କାରଖାନା, ଜୋତା କାରଖାନା, ଢଳେଇ କାରଖାନା - ଯକୃତ ଭୂତାଣୁ ସଂକ୍ରମଣ କେତେକ ପ୍ରକାର ଭୂତାଣୁ ଦ୍ଵାରା ସଂକ୍ରମିତ ହେଲେ ମଧ୍ୟ କେତେକ ନିର୍ଦ୍ଧିଷ୍ଟ ଅଙ୍ଗର କର୍କଟ ରୋଗ ପ୍ରୋତ୍ସାହନ ପାଇଯାଏ । କେଉଁ ଭୂତାଣୁ ସଂକ୍ରମଣ କେଉଁ କର୍କଟ ରୋଗ ହେବାର ସମ୍ଭାବନା ଅଛି, ତା’ର ସୂଚନା ନିମ୍ନରେ ପ୍ରଦତ୍ତ ହୋଇଛି । ହ୍ୟୁମାନ ଇମ୍ୟୁନୋଡେଫିସିଏନ୍ ସି ଭାଇରସ୍ ବା ଏଡସ୍ ରୋଗ କରାଉଥିବା ଏଚ. ଆଇ. ଭି. – ଚର୍ମ ଓ ଅନ୍ୟାନ୍ୟ ସ୍ଥାନରେ ସୃଷ୍ଟି କରୁଥିବା କର୍କଟ ରୋଗ (କାପୋସି ସାର୍କୋମା) ଯକୃତ ପ୍ରଦାହ ସୃଷ୍ଟି କରୁଥିବା ହେପାଟାଇଟିସ୍ – B ଭୂତାଣୁ - ଯକୃତ କର୍କଟ ରୋଗ ହ୍ୟୁମାନ୍ ପାପିଲୋମା ଭାଇରସ୍ - ଚର୍ମ, ଯୋନି, ସର୍ଭିକ୍ସ, ସ୍ଵରପେଟିକା କର୍କଟ ରୋଗ। ଏପ୍ ଷ୍ଟେନ ବାର୍ ଭାଇରସ୍ - ଲିମ୍ଫୋମା (ବର୍କିଟସ), ନାସା – ଗ୍ରସନୀ କର୍କଟ ରୋଗ ବିଦାହୀ / ଜ୍ଵାଳା ଶରୀରର କୌଣସି ସ୍ଥାନ ଦୀର୍ଘକାଳଧରି ଆଘାତପ୍ରାପ୍ତ ହୋଇ ଚାଲିଥିଲେ, ସେଠାରେ କର୍କଟ ରୋଗ ଜାତ ହେବାର ଆଶଙ୍କା ବୃଦ୍ଧିପାଏ । ଉଦାହରଣ ସ୍ୱରୂପ, ବାହାଡାଦାନ୍ତ ଓ କୃତ୍ରିମ ଦାନ୍ତ ଯୋଗୁ ଗାଲ କିମ୍ବା ମାଢିରେ କିମ୍ବା ଜିଭରେ ବାରମ୍ବାରର ଆଘାତ ଲାଗିବାରୁ ବା ତାହା ବାରମ୍ବାର ଘର୍ଷଣର ସମ୍ମୁଖୀନ ହେଉଥିବାରୁ, ସେଠାରେ କର୍କଟ ରୋଗ ପ୍ରକାଶ ପାଇପାରେ । ସେହିପରି ପିତ୍ତକୋଷରେ ପଥର ଥିଲେ ପିତ୍ତକୋଷ କର୍କଟ ରୋଗ, ବାରମ୍ବାର ଯୌନମିଳନଯୋଗୁ ସର୍ଭିକ୍ସ କର୍କଟ ରୋଗ ଏବଂ ବହୁ ସନ୍ତାନର ଜନନୀଙ୍କଠାରେ ସର୍ଭିକ୍ସ କର୍କଟ ରୋଗ ଜାତ ହେବାର ସମ୍ଭାବନା ବେଶି । ବାରମ୍ବାର ତାପର ସଂସ୍ପର୍ଶରେ ଆସୁଥିବାରୁ କାଶ୍ମୀରମାନଙ୍କ ତଳିପେଟ ଚର୍ମରେ କାଙ୍ଗ୍ରି କ୍ୟାନସର ଜାତ ହୁଏ । ହର୍ ମୋନ୍ ହର୍ ମୋନ୍ ମଧ୍ୟ କର୍କଟ ରୋଗ ସୃଷ୍ଟିକୁ ସୁଗମ କରିଦେଉଥିବାରୁ ଜଣାପଡିଛି । ବିଶେଷ କରି ମହିଳାମାନଙ୍କଠାରେ ସ୍ତନ କର୍କଟ ରୋଗ ସୃଷ୍ଟିରେ ଏହାର ଭୂମିକା ସୁସ୍ପଷ୍ଟ । ବିବାହ କରିନଥିବା ମହିଳା, ବନ୍ଧ୍ୟା ଅଧିକ ବୟସରେ ପ୍ରଥମ ସନ୍ତାନର ଜନନୀ, ଅଳ୍ପ ବୟସରେ ଋତୁଚକ୍ର ଆରମ୍ଭ ହୋଇ ଅଧିକ ବୟସରେ ଋତୁଚକ୍ରର ସ୍ଵାଭାବିକ ଅନ୍ତ ଏବଂ ସ୍ତନ୍ୟପାନ କରାଇନଥିବା ମାଆ – ଏହିଭଳି ମହିଳାଙ୍କଠାରେ ସ୍ତନକର୍କଟ ଜାତ ହେବାର ସମ୍ଭାବନା ଅଧିକ । ଏହିସବୁ କ୍ରିୟା ହର୍ ମୋନ୍ କ୍ଷରଣ ସହ ଜଡିତ । ସେହିପରି ହର୍ ମୋନ୍ କ୍ଷରଣରେ ଅସନ୍ତୁଳନ ଯୋଗୁ ପୁରୁଷମାନଙ୍କ ଠାରେ ପ୍ରୋଷ୍ଟେଟ୍ ନ୍ଥି କର୍କଟ ରୋଗ ଜାତ ହୋଇପାରେ । ଭୌତିକ କାରକ ଭୌତିକ କାରକଗୁଡିକ ମଧ୍ୟରେ ତେଜଷ୍କ୍ରିୟ ବିକିରଣକୁ ଏହି ରୋଗ ସୃଷ୍ଟିପାଇଁ ବେଶି ଦାୟୀ କରାଯାଉଛି । ଏହାର ପ୍ରତ୍ୟକ୍ଷ ପ୍ରମାଣ ମଧ୍ୟ ମିଳୁଛି । ଏକ୍ସ – ରେ, ଗାମା ରେ, ଆଲଫା କଣିକା, ନିଉଟ୍ରନ, ପ୍ରୋଟନ୍ ଇତ୍ୟାଦି ପ୍ରତ୍ୟୋକେ ଏକ ଏକ ଖଳନାୟକ । ଜାପାନର ହିରୋସୀମା ଓ ନାଗାସାକିରେ ପରମାଣୁ ବୋମା ବିସ୍ଫୋରଣ ଓ ୟୁକ୍ରେନର ଚେର୍ନୋବିଲଠାରେ ପରମାଣୁ ଶକ୍ତିକେନ୍ଦ୍ରରେ ଆକସ୍ମିକ ଦୁର୍ଘଟଣା ଯୋଗୁ ସେହି ଅଞ୍ଚଳରେ ରହୁଥିବା ଅଧିବାସୀ ଅଧିକ ସଂଖ୍ୟାରେ କର୍କଟ ରୋଗାକ୍ରାନ୍ତ ହୋଇପଡିଛନ୍ତି । ସେହିପରି ପରିବେଶ ପ୍ରଦୂଷଣ ଯୋଗୁ ବାୟୁମଣ୍ଡଳର ଓଜନ ସ୍ତରରେ ଗର୍ତ୍ତ ହେବା ଫଳରେ ସୂର୍ଯ୍ୟକିରଣରେ ଥିବା ଅଲ୍ - ଟ୍ରାଭାୟୋଲେଟ ରଶ୍ମୀ ବିନା ବାଧାରେ ଭୂପୃଷ୍ଠରେ ପହଞ୍ଚିଯାଉଥିବାରୁ ଚର୍ମ କର୍କଟ ରୋଗ ଓ ଅନ୍ୟାନ୍ୟ ପ୍ରକାର କର୍କଟ ରୋଗର ହାରବୃଦ୍ଧି ପାଇଲାଣି । ଏକ୍ସ – ରେ ଟେକନିସିଆନ ମାନେ ଏକ୍ସ – ରେ’ ସଂସ୍ପର୍ଶରେ ଆସିବାକୁ ବାଧ୍ୟ ହେଉଥିବାରୁ ସେମାନେ ମଧ୍ୟ ଏହାର କୁପରିଣତି ଭୋଗୁଛନ୍ତି । ଧୂମପାନ କର୍କଟ ରୋଗ ଜାତ କରାଇବାରେ ତମାଖୁ ହେଉଛି ପହିଲା ନମ୍ବର ଆତତାୟୀ । ବିଡି, ସିଗାରେଟ, ପିକା ଇତ୍ୟାଦି ଟାଣିବା ସହ ଫୁସ୍ ଫୁସ୍ କର୍କଟ ରୋଗ ଜାତ ଜାତ ହେବାର ପ୍ରତ୍ୟକ୍ଷ ସଂପର୍କ ରହିଛି । ଧୂମପାନ କରୁନଥିବା ବ୍ୟକ୍ତି ମଧ୍ୟ ଶୁଙ୍ଘିବା ପାଇଁ ବାଧ୍ୟହେଲେ ରୋଗର ଶିକାର ହୋଇପଡେ । ତମାଖୁ ରହିଥିବାରୁ ଗୁଣ୍ଡି, ଖଇନି, ଦୋକତା, ଗୁଟକା, ଗୁଡାଖୁ ବ୍ୟବହାର କରୁଥିବା ଲୋକେ ମୁଖଗହ୍ଵର ରୋଗର ସହଜ ଶିକାର । ରାସାୟନିକ ଉପାଦାନ କର୍କଟ ରୋଗ ସୃଷ୍ଟିକାରୀ ରାସାୟନିକ ଉପାଦାନଗୁଡ଼ିକର ରାସାୟନିକ କାର୍ସିନୋଜେନ ବୋଲି କହନ୍ତି । କର୍କଟ ରୋଗ ସୃଷ୍ଟିକାରୀ ଏହି ଉପାଦାନଗୁଡ଼ିକର ସଂଖ୍ୟା ଯଥେଷ୍ଟ ବେଶି । ପିଚୁ, କୋଲଟାର ବା ଆଲ୍ କାତାରା, ପାରଦ, ଆନିଲିନ୍ ରଙ୍ଗ, ଆସ୍ ବେଷ୍ଟେସ, ବେଞ୍ଜିନ ଉପାଦାନ, ବେଞ୍ଜିଡିନ, ନାଫଥାଇଲାମିନ୍, ନାଇଟ୍ରୋସାମିନ୍, ଆର୍ସେନିକ, କାଡମିୟମ, କ୍ରୋମିୟମ, ଭିନାଇଲ୍ କ୍ଳୋରାଇଡ, କାର୍ବନ ଟେଟ୍ରୋକ୍ଳୋରାଇଡ ଏବଂ କ୍ଳୋରାମ୍ ବ୍ୟୁସିଲ୍ ଓ ସାଇକ୍ଲୋଫସଫାମାଇଡ ଭଳି ଔଷଧ କର୍କଟ ରୋଗ ସୃଷ୍ଟିକାରୀ ଉପାଦାନ ରୂପେ କୁଖ୍ୟାତ । ଆଧାର – ଡା. ନିତ୍ୟାନନ୍ଦ ସ୍ଵାଇଁ , ଲାୟନ ମିନତୀ ବେହେରା କ୍ୟାନସର ଫାଉଣ୍ଡେସନ ଟ୍ରଷ୍ଟ