ସ୍ତନ କର୍କଟ ମହିଳାମାନଙ୍କର ସ୍ତନରେ ହେଉଥିବା କର୍କଟ ରୋଗ ଭୀଷଣ ମାରାତ୍ମକ ଅଟେ । କିନ୍ତୁ ସ୍ତନରେ ସବୁ ପ୍ରକାର ଆବୁ କର୍କଟ ରୋଗ ନୁହେଁ । କର୍କଟ ରୋଗର ପ୍ରାରମ୍ଭିକ ଲକ୍ଷଣ ଦେଖି ଚିକିତ୍ସା କଲେ ପ୍ରାୟତଃ ରୋଗ ଭଲ ହୋଇଯାଇଥାଏ । କର୍କଟ ରୋଗର ସାଧାରଣତଃ ଅସ୍ତ୍ରୋପ୍ରଚାର କରିବାକୁ ପଡିଥାଏ । ସ୍ତନ କର୍କଟ ରୋଗର ଲକ୍ଷଣ ମହିଳା ନିଜ ସ୍ତନର ଏକ ପାଖରେ ଫୁଲିଥିବାର ଦେଖିପାରିବେ । କିନ୍ତୁ ଏହା ମଧ୍ୟ ସ୍ତନର ଯେ କୌଣସି ଅଂଶରେ ହୋଇଥାଏ । ଅଥବା ସ୍ତନ ଉପରେ ଅସ୍ଵାଭାବିକ ଆବୁ ଦେଖାଯିବ ବା ସ୍ତନ ଉପରେ କମଳା ଚୋପା ପରି ଛୋଟ ଛୋଟ ଖାଲ ଦେଖାଦେବ ଯାହା ଦରଜ ଜଣା ପଡିବ ନାହିଁ । ବହୁତ ସମୟରେ କାଖର ଲସିକା ଗ୍ରନ୍ଥି ଫୁଲିଯାଇ କାଖ ଗୁଲି ପଡିଯାଏ । ବେଳେବେଳେ ସ୍ତନରେ ଘା ହେବ । ସ୍ତନ ଭୁଣ୍ଡିରୁ ରକ୍ତ ବାହାରିବ । ସ୍ତନ ଉପର ଫୁଲା ଧିରେ ଧିରେ ବଢିବ । ପ୍ରଥମେ ଏହି ଫୁଲା ଯନ୍ତ୍ରଣା ଦାୟକ ବା ଗରମ ଲାଗିବ ନାହିଁ କିନ୍ତୁ ପରେ ଏହା ଘା ହୋଇଯିବ । ସ୍ତନ ନିଜେ ପରୀକ୍ଷା କରିବାର ଉପାୟ ପ୍ରତ୍ୟକ ମହିଳା ନିଜ ସ୍ତନ ନିଜେ ଯାଞ୍ଚ କରିବାର କୌଶଳ କରିବା ଉଚିତ୍ । ଏହା ପ୍ରତି ମାସରେ ଥରେ ହେବା ଉଚିତ୍ । ବିଶେଷ କରି ଋତୁ ସ୍ରାବର ୭ରୁ ୧୦ ଦିନ ପରେ । ସ୍ତନ ପରୀକ୍ଷା ଦର୍ପଣ ଆଗରେ ଛିଡା ହୋଇ କରାଯାଇ ପାରିବ । ଆପଣଙ୍କ ସ୍ତନକୁ ଯତ୍ନର ସହିତ ନିରୀକ୍ଷଣ କରନ୍ତୁ । ଦେଖନ୍ତୁ ୨ଟି ସ୍ତନରେ କିଛି ପାର୍ଥକ୍ୟ ଜଣାପଡୁଛି କି ? ଯଦି ଉପର ଲିଖିତ ଲକ୍ଷଣ ଦେଖିବାକୁ ପାଆନ୍ତି ତେବେ ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ । ହାତ ଉପରକୁ ଟେକି ସ୍ତନ ପରୀକ୍ଷା କରନ୍ତୁ ଓ ଟିକେ ଆଗକୁ ଢଳି ପୁଣିଥରେ ପରୀକ୍ଷା କରନ୍ତୁ । ପ୍ରତି ସ୍ତନର ସମତା ଦେଖନ୍ତୁ । ପିଠି ତଳେ ତକିଆ ବା କମ୍ବଳ ଦେଇ ଚିତ୍ ହୋଇ ଶୋଇପଡନ୍ତୁ ଓ ହାତକୁ ସିଧା କରି ସ୍ତନକୁ ଆଙ୍ଗୁଳି ସାହାଯ୍ୟରେ ଛୁଇଁ ଦେଖନ୍ତୁ ଓ ଚାପନ୍ତୁ । ସ୍ତନାଗ୍ରରୁ ଆରମ୍ଭ କରି କାଖ ପର୍ଯ୍ୟନ୍ତ ଭଲ ଭାବେ ଦେଖନ୍ତୁ । ପରେ ସ୍ତନ ଭୁଣ୍ଡିକୁ ଚିପି ଦେଖନ୍ତୁ ରକ୍ତ ବା କୌଣସି ତରଳ ପଦାର୍ଥ ବାହାରୁଛି କି ନାହିଁ । ଅଙ୍ଗୁଳି ସବୁକୁ ପ୍ରସାରଣ କରି ସ୍ତନ ଉପରେ ଚାଳନ କରନ୍ତୁ ତା’ପରେ ଅଙ୍ଗୁଳି ଟିପରେ ମଧ୍ୟ ପରୀକ୍ଷା କରନ୍ତୁ । ଯଦି ଆପଣ ସ୍ତନରେ ଆବୁ ବା ଅସ୍ଵାଭାବିକ ଲକ୍ଷଣ ଦେଖନ୍ତି ଡାକ୍ତରଙ୍କ ପରାମର୍ଶ କରନ୍ତୁ । ଅଧିକାଂଶ ଆବୁ ବା ଫୁଲା କର୍କଟ ରୋଗ ହୋଇ ନ ଥାଏ କିନ୍ତୁ ଏହା ପରୀକ୍ଷା କରିବା ଉଚିତ୍ । ବିଭିନ୍ନ ପ୍ରକାର ସ୍ତନ ଆବୁ ବା ଫୁଲା ସ୍ତନ୍ୟ ପାନ କରାଉଥିବା ମା’ର ଯନ୍ତ୍ରଣା ଦାୟକ ଗରମ ଲାଗୁଥିବା ଆବୁ ବା ଫୁଲା ସ୍ତନ ବଥ ହୋଇପାରେ । ଯନ୍ତ୍ରଣାହୀନ ସ୍ତନ ଆବୁ ବା ଫୁଲା କର୍କଟ ରୋଗ କିମ୍ବା ପୂଜ କୋଷ ହୋଇପାରେ । ଋତୁସ୍ରାବ ସମସ୍ୟା ଯନ୍ତ୍ରଣା ଦାୟକ ଋତୁସ୍ରାବ ୧୫ରୁ ୨୫ ବର୍ଷ ବୟସ୍କ ଯୁବତୀମାନଙ୍କ ଯନ୍ତ୍ରଣା ଦାୟକ ଋତୁସ୍ରାବ କିମ୍ବା ଋତୁସ୍ରାବ ସମୟରେ ଅସୁସ୍ଥତା ସାଧାରଣ ଅଟେ । ଏହି ଯନ୍ତ୍ରଣା ସାଧାରଣତଃ ତଳି ପେଟରେ ଜଣା ପଡିଥାଏ । ଏହା ଋତୁସ୍ରାବର କିଛି ଘଣ୍ଟା ପୂର୍ବରୁ ଏବଂ ଋତୁଶରବା ସମ୍ପୂର୍ଣ୍ଣ ହେବାଯାଏଁ ହୋଇଥାଏ । ଯଦି ଆପଣଙ୍କର ଋତୁସ୍ରାବ ଯନ୍ତ୍ରଣା ଦାୟକ ହେଉଥାଏ ଆସ୍ପିରିନ ଖାଇବାଦ୍ଵାରା ବା ଇବୁ ପ୍ରୁଫେନ ଖାଇଲେ ଏବଂ ପେଟରେ ଗରମ ସେକ ଦେଲେ ଆରାମ ମିଳେ । ଋତୁସ୍ରାବର ପ୍ରତ୍ୟକ ଦିନ କପଡା ବା ପ୍ୟାଡ ପରିବର୍ତ୍ତନ ହେବା ଉଚିତ୍ । କପଡା ବ୍ୟବହାର କରୁଥିଲେ ଏହାକୁ ପ୍ରତିଦିନ ସଫା କରିବା ଉଚିତ୍ । ଅନିୟମିତ ଋତୁସ୍ରାବ କେତେକ ମହିଳାଙ୍କର ଋତୁସ୍ରାବର ଦିନ ସଠିକ୍ ରୁହେ ନାହିଁ । କିନ୍ତୁ ଆଉ କେତେକଙ୍କ କ୍ଷେତ୍ରରେ ଏହା ପୁରାତନ ରୋଗ, ରକ୍ତହୀନତା, କୁପୋଷଣ, ସଂକ୍ରମଣ ବା ଗର୍ଭାଶୟରେ ଟ୍ୟୁମର ଯୋଗୁଁ ବିଳମ୍ବିତ ହୋଇଥାଏ । ଯଦି ଋତୁସ୍ରାବ ୬ ଦିନରୁ ଅଧିକ ହୁଏ ଓ ରକ୍ତସ୍ରାବ ପୂର୍ବ ଋତୁସ୍ରାବଠାରୁ ଅଧିକ ହୁଏ ଏବଂ ୨୨ ଦିନରୁ କମ୍ ବ୍ୟବଧାନରେ ହେଲେ ଡାକ୍ତରଙ୍କ ପରାମର୍ଶ କରନ୍ତୁ । ଯଦି ଋତୁସ୍ରାବ ଡେରିରେ ହୁଏ ଏହା ଅଧିକ ବିପଦଜନକ ଓ ଏହା ଗର୍ଭପାତର କାରଣ ହୋଇପାରେ । ଆମେନୋରିଆ ଜଣେ ମହିଳାର ଋତୁସ୍ରାବ ନ ହେବା ବା ଯେଉଁ ବାଳିକା ୧୬ ବର୍ଷ ବୟସର ହୋଇ ମଧ୍ୟ ଋତୁସ୍ରାବ ନ ହେବାକୁ ବୁଝାଇଥାଏ । ଏହା ସାଧାରଣତଃ ୪୦ ବର୍ଷ ବୟସରୁ ଉର୍ଦ୍ଧ୍ଵ ମହିଳା, ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମହିଳାଙ୍କର ହୋଇଥାଏ । ସେ ଯାହାହେଉ ଏହା ଗର୍ଭାଶୟ ବା ଡିମ୍ବାଶୟରେ ଯକ୍ଷ୍ମା, ଉଗ୍ର ରକ୍ତହୀନତା, ଆୟୋଡିନର ଅଭାବ, ମନସ୍ତାତ୍ତ୍ଵିକ ବିଶୃଙ୍ଖଳା, ଆବେଗିକ ଅସମତା ବା ନିଶା ସେବନ ଯୋଗୁଁ ହୋଇଥାଏ । ଡାକ୍ତରୀ ସାହାଯ୍ୟ ନିଅନ୍ତୁ । ଅବର୍ଣ୍ଣନୀୟ ଯୋନିସ୍ରାବ ଗର୍ଭାଶୟର ମୁଖ କର୍କଟରୋଗଦ୍ଵାରା ଆକ୍ରାନ୍ତ ହେଲେ ଯୋନିସ୍ରାବ ଅଧିକ ହୋଇଥାଏ । ଏହା ସାଧାରଣତଃ ଯୌନକ୍ରିୟା ପରେ ଋତୁସ୍ରାବର ମଝିରେ ଓ ଋତୁସ୍ରାବ ସମ୍ପୂର୍ଣ୍ଣ ବନ୍ଦ ହୋଇଯିବା ବେଳେ ହୋଇଥାଏ । ଗର୍ଭାଶୟ ମୁଖ କର୍କଟ ଆମ ଦେଶରେ ଏହି କର୍କଟ ରୋଗ ସାଧାରଣ ଅଟେ । ଏହା ମୁଖ୍ୟତଃ ଯେଉଁ ମହିଳା କମ୍ ବୟସରୁ ଯୌନ କ୍ରିୟାରେ ଲିପ୍ତ ରୁହନ୍ତି ଓ ୨୦ ବର୍ଷ ବୟସ ପୂର୍ବରୁ ଗର୍ଭଧାରଣ ଓ ଯେଉଁ ମହିଳାଙ୍କର ଅଧିକ ସନ୍ତାନ ବା ଯେଉଁ ମହିଳାଙ୍କର ଅଧିକ ପୁରୁଷ ଯୌନ ସାଥି ଥାଆନ୍ତି ବା ଯେଉଁମାନଙ୍କୁ ସିଫିଲିସ୍ ହୋଇଥାଏ, ସେମାନଙ୍କୁ ହୁଏ । ଲକ୍ଷଣ ଯୋନିସ୍ରାବ ଏହାର ପ୍ରଥମ ଲକ୍ଷଣ ଅଟେ । ପ୍ରାଥମିକ ପର୍ଯ୍ୟାୟରେ ପାଣି ଭଳି ସ୍ରାବ ହୁଏ, ପରେ ରକ୍ତ ମିଶ୍ରିତ ଓ ଦୁର୍ଗନ୍ଧଯୁକ୍ତ ହୋଇଥାଏ । ପିଠି ଯନ୍ତ୍ରଣା ଧିରେ ଧିରେ ଜଙ୍ଘକୁ ବ୍ୟାପିଥାଏ, ତଳି ପେଟରେ ମଧ୍ୟ ଯନ୍ତ୍ରଣା ହୁଏ । ପରେ ମହିଳା ଦୁର୍ବଳ ହୋଇଯାଏ । ପ୍ରତିଷେଧକ ଗର୍ଭାଶୟ ମୁଖ କର୍କଟ ରୋଗକୁ ପ୍ରତିରୋଧ କରାଯାଇପାରିବ । ଯୌନକ୍ରିୟାରୁ ନିବୃତ ରହିବା ଓ ୨୦ ବର୍ଷ ବୟସ ପରେ ଗର୍ଭଧାରଣ କରିବା ଅଧିକ ପିଲା ଜନ୍ମ ନ କରିବା ଗୋଟିଏ ପୁରୁଷ ସାଥି ସହିତ ଯୌନ କ୍ରିୟା କରିବା ଗର୍ଭାଶୟମୁଖ କର୍କଟ ରୋଗ ଯଦି ସହଳ ଚିହ୍ନଟ କରାଯାଇପାରିବ ତେବେ ଏହାକୁ ଆରୋଗ୍ୟ କରିହେବ । ଏହାର ଏକ ମୁଖ୍ୟ ପରୀକ୍ଷା ହେଲା ପାପସ୍ପିଅର । ଯୋନି ଓ ଗର୍ଭାଶୟ ମୁଖରୁ ସ୍ପିଅର ପରୀକ୍ଷା କରାଯାଏ । ବିପଦପୂର୍ଣ୍ଣ ମହିଳାମାନେ ବର୍ଷକୁ ଥରେ ପାପସ୍ପିଅର କରିବା ଉଚିତ୍ । ଏହା ସରକାରୀ ଚିକିତ୍ସାଳୟ ମାନଙ୍କରେ କରାଯାଉଛି । ଗର୍ଭାଶୟ କର୍କଟ ଲକ୍ଷଣ ପ୍ରଥମେ ପାଣିଆ ଯୋନି ସ୍ରାବ ପରେ ରକ୍ତ ସହିତ ଦୁର୍ଗନ୍ଧଯୁକ୍ତ । ଏଥିସହିତ ମହିଳା ଅଧିକ ଋତୁସ୍ରାବ ହେବାର ଅଭିଯୋଗ କରିଥାଏ । ତଳିପେଟରେ ଆବୁ ବା ଯନ୍ତ୍ରଣା ହୁଏ ଦୁର୍ବଳତା ବଢିଯାଏ । କର୍କଟ ରୋଗ ସନ୍ଦେହ କଲେ ତୁରନ୍ତ ଡାକ୍ତରୀ ବ୍ୟବସ୍ଥା କରନ୍ତୁ । ଘରୋଇ ଚିକିତ୍ସା ଏହି ରୋଗକୁ ଭଲ କରିପାରିବ ନାହିଁ । ଯୋନିସ୍ରାବ ଲିଉକୋରିଆ (ଲାଳ ବା ପୂଜ ଯାହା ଯୋନିରୁ ବାହାରିଥାଏ ) ପ୍ରତ୍ୟକ ମହିଳାଙ୍କର ଅଳ୍ପ ବହୁତ ଏହା ହୋଇଥାଏ । ଯାହା ପରିଷ୍କାର ଦୁଧ ଭଳି ବା ହଳଦିଆ ହୋଇଥାଏ । ଯଦି ଏହା ନ ଗନ୍ଧାଏ ବା ଏହା ଲାଗିବାଦ୍ଵାରା କୁଣ୍ଡାଇ ନ ହୁଏ ତେବେ ସେଥିରେ କିଛି ସମସ୍ୟା ନାହିଁ । କିନ୍ତୁ ଅଧିକାଂଶ ମହିଳା ବିଶେଷ କରି ଗର୍ଭ ସମୟରେ ଯୋନି କୁଣ୍ଡାଇ ହେବାର ଅଭିଯୋଗ କରିଥାନ୍ତି ।ଏହା ବିବିଧ କାରଣ ଯୋଗୁଁ ହୋଇଥାଏ । ଗେନେରିଆ ବା କ୍ଲାମାଇଡିଆ ଜନିତ ସଂକ୍ରମଣ ପିଲାର କ୍ଷତି କରିଥାଏ । କୁଣ୍ଡାଇ ହେବା ସହିତ ପତଳା ଫେନୀଳ, ହଳଦିଆ ବା ଧୂସର ଦୁର୍ଗନ୍ଧଯୁକ୍ତ ସ୍ରାବ । ଏହା ସମ୍ଭବତଃ ଟ୍ରିକୋମନାସର ସଂକ୍ରମଣ ଅଟେ । ପରିସ୍ରା ସମୟରେ ପୋଡେ, ବେଳେବେଳେ ଜନନାଙ୍ଗ ଫୁଲି ଯାଏ ଓ ଖଣ୍ଡିଆ ହୋଇଯାଏ । ଏହି ସ୍ରାବରେ ରକ୍ତ ପଡିଥାଏ । ମହିଳାମାନଙ୍କର ଯୋନି ଓ ଗର୍ଭାଶୟ ମୁଖ ସଂକ୍ରମିତ ହୋଇଥାଏ । ଚିକିତ୍ସା ଜନନାଙ୍ଗ ପରିଷ୍କାର ରଖିବା ସର୍ବ ପ୍ରଥମ କର୍ତ୍ତବ୍ୟ ଯୋନିକୁ ଗରମ ପାଣି ଓ ଭିନେଗାର ଦ୍ଵାରା ପରିଷ୍କାର କରିବାଦ୍ଵାରା ଉପକାର ମିଳେ । ବିପଦପୂର୍ଣ୍ଣ କେସ୍ ରେ ମେଟ୍ରୋନିଡାଜୋଲ ୨୫୦ ମି.ଗ୍ରା. ବଟିକା ଦିନକୁ ୩ଟି ୭ ଦିନ ଖାଇବା ଉଚିତ୍ । ଯଦି ମେଟ୍ରୋନିଡାଜୋଲ ମୌଖିକ ଖାଇପାରୁ ନାହାନ୍ତି, ତେବେ ଏହାକୁ ଯୋନିବାଟେ ମଧ୍ୟ ନିଆଯାଇ ପାରିବ । ସତର୍କତା ଗର୍ଭର ଶେଷ ୪ ମାସରେ ବା ପିଲା ଜନ୍ମର ୬ ସପ୍ତାହ ମଧ୍ୟରେ ଯୋନି ଭିତର ସଫା କରିବା ଉଚିତ୍ ନୁହେଁ ।ଯଦି ସ୍ରାବ ଯନ୍ତ୍ରଣା ଦାୟକ ହେଉଥାଏ ତେବେ ନିଷ୍ଟାଟିନ୍ ଯୋନି ଭିତରେ ରଖିଲେ ଉପକାର ମିଳେ । ଦିନବେଳା ୨ ଥର ଏବଂ ପ୍ରତି ରାତିରେ ରସୁଣ କୁ ଛଡାଇ ସଫା ଗଜ୍ ରେ ଗୁଡାଇ ଯୋନି ଭିତରେ ରଖିଦିଅନ୍ତୁ । ପ୍ରତିଥର ନୂଆ ରସୁଣ ବ୍ୟବହାର କରନ୍ତୁ । ଏହିପରି ୧୦ ରୁ ୧୪ ଦିନ କରଣୀୟ । ଗୁରୁତ୍ୱପୂର୍ଣ୍ଣ ସ୍ତ୍ରୀ ସହିତ ସ୍ଵାମୀ ମଧ୍ୟ ଟ୍ରିକୋମୋନାସର ସଂକ୍ରମଣର ସମ୍ମୁଖୀନ ହୋଇଥାଏ । ଯଦିଓ ସେ କିଛି ଅନୁଭବ କରିପାରେ ନାହିଁ । ଏଥିପାଇଁ ୨ ଜଣ ଯାକ ଚିକିତ୍ସିତ ହେବା ଉଚିତ୍ । ଯଦି ସ୍ଵାମୀ ଚିକିତ୍ସିତ ନ ହୁଏ ତେବେ ସେ ପୁନର୍ବାର ସ୍ତ୍ରୀକୁ ରୋଗ ସଂକ୍ରମଣ କରିଥାଏ । ସ୍ଵାମୀ ସର୍ବଦା ଯୌନକ୍ରିୟା ସମୟରେ ନିରୋଧ ବ୍ୟବହାର କରିବା ଉଚିତ୍ । ଧଳା ସ୍ରାବ ଯାହା ଛେନା ଭଳି ଦେଖାଯାଏ ଓ ରୁଟିସେକା ଭଳି ଗନ୍ଧ ହୁଏ । ଏହା ୟିଷ୍ଟ ସଂକ୍ରମଣ ହୋଇପାରେ । ଜୋରରେ କୁଣ୍ଡାଇ ହୁଏ ବା ପୋଡେ । ଯୋନିର ଓଷ୍ଠ ଲାଲ ଦେଖାଯାଇ ଯନ୍ତ୍ରଣା ଦାୟକ ହୋଇଥାଏ । ପରିସ୍ରା ସମୟରେ ପୋଡେ । ଗର୍ଭବତୀ ମହିଳାଠାରେ ଏହା ବେଶୀ ଦେଖାଯାଏ ଓ ଯେଉଁମାନେ ମଧୁମେହ ରୋଗରେ ଆକ୍ରାନ୍ତ ସେମାନଙ୍କୁ ଏହା ଅଧିକ ହୋଇଥାଏ । ଚିକିତ୍ସା ମଧୁମେହ ରୋଗପାଇଁ ରକ୍ତ ଓ ପରିସ୍ରା ପରୀକ୍ଷା କରନ୍ତୁ । ଭିନେଗାର ମିଶ୍ରିତ ପାଣିରେ ଯୋନି ପରିଷ୍କାର କରନ୍ତୁ ବା ଦୁଇ ଭାଗ ଜେନସିଆନ ଭାଇଓଲେଟ ଓ ୧୦୦ ଭାଗ ପାଣି ମଧ୍ୟ ବ୍ୟବହାର କରାଯାଇପାରିବ । ଗୋଟିଏ ପତଳା କାଠି ନିଅନ୍ତୁ । ତା’ ଦେହରେ ଗୋଟିଏ କନା ଗୁଡାଇ ଜେନସିଆନ ଭାଇଓଲେଟରେ ବୁଡାଇ ଯୋନି ପରିଷ୍କାର କରନ୍ତୁ । ପିଚା ତଳେ ଏକ କାଗଜ ପକାଇ ଦିଅନ୍ତୁ ଯାହାଦ୍ୱାରା ଚଟାଣ ବା ଲୁଗାରେ ଲାଗିବ ନାହିଁ । କିମ୍ବା ନିଷ୍ଟାଟିନ ଯୋନି ବଟିକା ପୁରା ମାତ୍ରାର ବ୍ୟବହାର କରନ୍ତୁ । ଯେତିକି ମାତ୍ରାରେ ଓ ଯେତିକି ଦିନପାଇଁ ନିଷ୍ଟାଟିନ ବ୍ୟବହାର କରିବା କଥା ସେତିକି ଦିନ ପାଇଁ ବ୍ୟବହାର କରନ୍ତୁ । ସତର୍କତା ଏହି ସଂକ୍ରମଣ ପାଇଁ କୌଣସି ଆଣ୍ଟିବାଇଓଟିକ ବ୍ୟବହାର କରନ୍ତୁ ନାହିଁ ।ଏହା ୟିଷ୍ଟକୁ ବିପଦପୂର୍ଣ୍ଣ କରିଦିଏ । ଗାଧୋଇଲାବେଳେ ବା ସ୍ଥାନକୁ ଧୋଇବାବେଳେ ଡେଟଲ ଆଦି ବ୍ୟବହାର କରନ୍ତୁ ନାହିଁ । ଯୋନିକୁ ବାରମ୍ବାର ଧୁଅନ୍ତୁ ନାହିଁ । ଏପରି କଲେ କଷ୍ଟ ଓ ଯନ୍ତ୍ରଣା ବଢିଯାଏ । ଧୂସର ହଳଦିଆ, ରହଣିଆ ଗନ୍ଧ ସହିତ ଫେଣ ଯୁକ୍ତ ସ୍ରାବ ଏହା ହିମୋଫିଲସ୍ ଜୀବାଣୁରୁ ହୋଇପାରେ । ଏକ ଲିଟର ପାଣିରେ ୬ ଚାମଚ ବେଟାଡିନ ମିଶାଇ ଯୋନି ଧୌତ କରନ୍ତୁ । ଭିନେଗାର ପାଣିରେ ମଧ୍ୟ ଧୋଇପାରନ୍ତି । କିମ୍ବା ରସୁଣ ପ୍ରୟୋଗ ୨ସପ୍ତାହ ପାଇଁ, କିମ୍ବା ମେଟ୍ରୋନିଡାଜୋଲ ବ୍ୟବହାର କରନ୍ତୁ । ରକ୍ତ ମିଶା ପାଣିଆ, ଧୂସର ବା କସାଳିଆ ସ୍ରାବ ସହ ତଳି ପେଟରେ ଯନ୍ତ୍ରଣା ଥିଲେ ଏହା ଅଧିକ ବିପଦପୂର୍ଣ୍ଣ ସଂକ୍ରମଣର ଲକ୍ଷଣ ଅଟେ ବା କର୍କଟ ରୋଗ ହୋଇପାରେ । ଯଦି ଜ୍ଵର ହେଉଛି ଆଣ୍ଟିବାଇଓଟିକ ଆମ୍ପିସିଲିନ ବା ଟେଟ୍ରାସାଇକ୍ଲିନ ବ୍ୟବହାର କରନ୍ତୁ । ତୁରନ୍ତ ଡାକ୍ତରୀ ସହାୟତା ନିଅନ୍ତୁ । ଗୁରୁତ୍ୱପୂର୍ଣ୍ଣ ଯଦି ଯେକୌଣସି ସ୍ରାବ ଅଧିକ ଦିନ ଲାଗିରୁହେ ଓ ଭଲ ନ ହୁଏ ତେବେ ଡାକ୍ତରୀ ସହାୟତା ନିଅନ୍ତୁ । ଜଣେ ମହିଳା କିପରି ସଂକ୍ରମଣଠାରୁ ଦୂରରେ ରହିପାରିବ ? ଜନନାଙ୍ଗ ପରିଷ୍କାର ରଖନ୍ତୁ । ଗାଧୋଇବା ସମୟରେ ସାବୁନ ଲଗାଇ ଜନନାଙ୍ଗ ସଫା କରନ୍ତୁ । ଯୌନକ୍ରିୟା ପରେ ପରିସ୍ରା କରିଦିଅନ୍ତୁ । ଏହାଦ୍ଵାରା ମୂତ୍ରାଶୟ ସଂକ୍ରମଣ ହେବ ନାହିଁ । (ଗର୍ଭଧାରଣରେ ଏହାଦ୍ବାରା କିଛି ଅସୁବିଧା ହେବ ନାହିଁ ) ଝାଡା ଯିବା ପରେ ଭଲ ଭାବରେ ପରିଷ୍କାର ହୁଅନ୍ତୁ । ସବୁବେଳେ ଆଗରୁ ପଛ ଆଡକୁ ଧୁଅନ୍ତୁ । ପଛରୁ ଆଗ ଆଡକୁ ଧୋଇଲେ ଜୀବାଣୁ, ଏମିବା ବା କୃମି ମୂତ ନଳା ବାଟେ ଯାଇ ସଂକ୍ରମଣ କରିଥାନ୍ତି । ଛୋଟ ପିଲାଙ୍କର ମଳଦ୍ଵାରକୁ ଏହିପରି ଧୁଅନ୍ତୁ । ଛୋଟ ଝିଅମାନଙ୍କୁ ଏହିପରି ଶିଖାନ୍ତୁ । ଯାହାଦ୍ୱାରା ସେମାନେ ବଡ ହେଲେ ମଧ୍ୟ ଏହିପରି କରି ପାରିବେ । ତଳି ପେଟରେ ଯନ୍ତ୍ରଣା ବା ଆଶ୍ଵସ୍ତି ମୂତ୍ରାଶୟ ସମସ୍ୟା ଓ ଅସ୍ତ୍ର ସମସ୍ୟା ଯୋଗୁଁ ହୋଇଥାଏ । ଏଠାରେ ପ୍ରଜନନ ପ୍ରଣାଳୀର ସମସ୍ୟା ଉପସ୍ଥାପନ କରାଯାଇଛି । ଅନ୍ତ୍ରର ସମସ୍ୟା ଯଥା ଯଥା ଆମିବିଆସିସ୍ ବର୍ଣ୍ଣିତ ହୋଇଅଛି । ବସ୍ତି କୋଟରୀୟ ଶୋଥ ରୋଗ ଏହା ଗର୍ଭାଶୟର ଫାଲୋପିଆନ ଟିଉବ, ଡିମ୍ବାଶୟ ଓ ଉଦରାବରଣ ବଳାକୁ ସଂକ୍ରମଣ କରିଥାଏ । ଗେନେରିଆ, କ୍ଲାମାଇଡିଆ ଓ ଯକ୍ଷ୍ମା ଏହାର କାରଣ ଅଟେ । ଏହା ବନ୍ଧ୍ୟା, ଅଥାନ ଗର୍ଭଧାରଣର ମୁଖ୍ୟ କାରଣ ଅଟେ । ଯକ୍ଷ୍ମା ଯୋଗୁଁ ଏହି ସଂକ୍ରମଣ ପ୍ରାୟ ଅଧିକ ହୋଇଥାଏ । ମହିଳା ଋତୁସ୍ରାବ ନ ହେବାର ଅଭିଯୋଗ କରେ ଓ ପେଟରେ ଅଶ୍ଵସ୍ତି ବୋଧ କରିଥାଏ ଏବଂ ଗର୍ଭଧାରଣ କରିପାରେ ନାହିଁ । ଯକ୍ଷ୍ମାଭଳି ମଧ୍ୟ ଜ୍ଵର, ଓଜନହାନୀ ଓ ଭୋକ ହୁଏ ନାହିଁ । ଫୁସୁଫୁସ୍ ଯକ୍ଷ୍ମାଭଳି ଏହାର ଚିକିତ୍ସା କରାଯାଏ । ଗେନେରିଆ ଓ କ୍ଲାମାଇଡିଆ ଯୋଗୁଁ ବସ୍ତି ପ୍ରଦାହ ରୋଗରେ ହଳଦିଆ ବେଳେବେଳେ ଦୁର୍ଗନ୍ଧଯୁକ୍ତ ଯୋନି ସ୍ରାବ ହୋଇଥାଏ । ମହିଳା ମଧ୍ୟ ପରିସ୍ରା କଷ୍ଟ ଅନୁଭବ କରନ୍ତି । ପେରିଟୋନାଇଟିସ ବା ଆପେଣ୍ଡିସାଇଟିସ୍ ଭଳି ଏହାର ଲକ୍ଷଣ ଦେଖାଯାଏ । ବା ପୁରାତନ ଓ ଯନ୍ତ୍ରଣା ଦାୟକ ହୋଇଥାଏ । ଏହିସହିତ ଥଣ୍ଡା ଜ୍ଵର ହୁଏ । ବେଳେବେଳେ ୟିଷ୍ଟ ସଂକ୍ରମଣ ବା ଟ୍ରିକୋମନାସ୍ ଯୋଗୁଁ ବସ୍ତି ପ୍ରଦାହ ରୋଗ ହୋଇଥାଏ । ଯଦି ଲକ୍ଷଣଗୁଡିକ ସେତେ ବିପଦଜନକ ଜଣା ପଡେ ନାହିଁ ତେବେ ଗେନେରିଆ ଚିକିତ୍ସା କରାନ୍ତୁ ଓ ଟେଟ୍ରାସାଇକ୍ଲିନ ବା ଏରିଥ୍ରୋମାଇସିନ୍ ୧୪ ଦିନ ବ୍ୟବହାର କରନ୍ତୁ । ବିପଦପୂର୍ଣ୍ଣ ଲକ୍ଷଣପାଇଁ ମେଟ୍ରୋନିଡାଜୋଲ ୪୦୦ରୁ ୫୦୦ ମି.ଗ୍ରା. ଦିନକୁ ୩ ଥର ୧୦ ଦିନ ବ୍ୟବହାର କରନ୍ତୁ ।ଯଦି ମହିଳା ଆଇ.ୟୁ.ଡି ବ୍ୟବହାର କରୁଥାନ୍ତି ତେବେ ଏହାକୁ ବାହାର କରିଦେବା ଉଚିତ୍ । ନିମ୍ନ ଲିଖିତ ଲକ୍ଷଣ ଥିବା ମହିଳାମାନେ ତୁରନ୍ତ ଯାଇ ଚିକିତ୍ସିତ ହେବା ଉଚିତ୍ । ଯେଉଁମାନଙ୍କର ପେଟରେ ଆବୁ ବା ଗୁଟି ଥିବ । ଗର୍ଭବତୀ ମହିଳା, ଯେଉଁ ମହିଳା ମୌଖିକ ଔଷଧ ସେବନଦ୍ଵାରା ଭଲ ହୁଅନ୍ତି ନାହିଁ । ଯେଉଁ ମହିଳା ବାନ୍ତି ବା ଅରୁଚି ଯୋଗୁଁ ବଟିକା ବା କ୍ୟାପସୁଲ ଖାଇପାରନ୍ତି ନାହିଁ । ପେଟ ଚିପିଲେ ଯଦି ତୀବ୍ର ଯନ୍ତ୍ରଣା ଜଣାପଡେ । ଋତୁସ୍ରାବର ମଧ୍ୟ ଭାଗରେ ତଳି ପେଟରେ ଯନ୍ତ୍ରଣା କେତେକ ମହିଳା ଋତୁସ୍ରାବର ୨ ସପ୍ତାହ ପରେ ବା ଋତୁସ୍ରାବ ମଝିରେ ତଳି ପେଟରେ ଯନ୍ତ୍ରଣା ଅନୁଭବ କରିଥାନ୍ତି ।ଏହା ଗର୍ଭାଶୟରୁ ବାହାରୁଥିବା କିଛି ରସ ଯୋଗୁ ହୋଇଥାଏ ଏଥିରେ ମହିଳାମାନେ ବ୍ୟସ୍ତ ହେବାର କିଛି ନାହିଁ । ଏଥିରେ ଚିକିତ୍ସିତ ହେବାର ଆବଶ୍ୟକତା ନାହିଁ କାରଣ କେତେ ଘଣ୍ଟା ପରେ ଯନ୍ତ୍ରଣା କମିଯାଏ । ଗର୍ଭପାତ, ଅଥାନ ଗର୍ଭଧାରଣ ଯୋଗୁଁ ତଳି ପେଟରେ ଯନ୍ତ୍ରଣା ହୋଇଥାଏ । ଗର୍ଭାଶୟରେ ଟ୍ୟୁମରଯୋଗୁଁ ଏହା ହୋଇପାରେ ଏହା ମଧ୍ୟ ଏଣ୍ଡୋମେଟ୍ରିଓସିସ୍ ରୋଗଯୋଗୁଁ ମଧ୍ୟ ହୋଇପାରେ । ଏଥିପାଇଁ ଡାକ୍ତରୀ ସହାୟତା ଆବଶ୍ୟକ ହୁଏ । ଯଦି ଆପଣ ଜାଣିପାରୁ ନାହାନ୍ତି କ’ଣ ପାଇଁ ଯନ୍ତ୍ରଣା ହେଉଛି ଓ ଏହା ଭଲ ହେଉ ନାହିଁ ତେବେ ଡାକ୍ତରୀ ସହାୟତା ନିଅନ୍ତୁ । ତଳି ପେଟରେ ଗୁଟି ବା ଆବୁ ସାଧାରଣତଃ ଗର୍ଭରେ ଭ୍ରୁଣ ବଢିବା ହେତୁ ଏହା ହୋଇଥାଏ । କିନ୍ତୁ ଅସାଧାରଣ ଆବୁ ନିମ୍ନଲିଖିତ କାରଣ ଯୋଗୁଁ ହୋଇଥାଏ । ଗର୍ଭାଶୟରେ ଟ୍ୟୁମର ଡିମ୍ବାଶୟରେ ପୂଜକୋଷ ଗର୍ଭାଶୟ ବାହାରେ ଗର୍ଭଧାରଣ କର୍କଟ ରୋଗ ଏହି ସବୁ ଲକ୍ଷଣରେ ପ୍ରାଥମିକ ପର୍ଯ୍ୟାୟରେ ସେତେଟା ନ ଥାଏ । କିନ୍ତୁ ପରେ ଯନ୍ତ୍ରଣାଦାୟକ ହୋଇଥାଏ । ଏଥିପାଇଁ ଅସ୍ତ୍ରୋପ୍ରଚାରର ଆବଶ୍ୟକତା ପଡିଥାଏ । ତେଣୁ ସର୍ବପ୍ରଥମେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଯୋନିସ୍ଫୀତି ବା ଫୁଲା କେତେକ ମହିଳା ବିଶେଷ କରି ଯେଉଁମାନେ ଅଧିକ ସନ୍ତାନ ଜନ୍ମ କରିଥାନ୍ତି ବା ଯେଉଁମାନଙ୍କର ପ୍ରସାବ ଜଟିଳତା ଥାଏ ସେମାନେ ସାଧାରଣତଃ ଛିଡା ହେବା ସମୟରେ ଯୋନିରୁ କିଛି ବାହାରିଆସିବା ପରି ଜଣାପଡେ । କାରଣ ଗର୍ଭାଶୟର ଧାରଣ ଶକ୍ତି ନଷ୍ଟ ହୋଇଯିବା ହେତୁ ଏହା ହୋଇଥାଏ । ପ୍ରଥମ ଶିଶୁ ଜନ୍ମ ବେଳେ ଅଧିକ ନିମ୍ନଚାପ ଯୋଗୁଁ ଏମିତି ହୁଏ । ଏହି ସ୍ଫିତି ମୂତ୍ରନଳୀ ଓ ଯୋନିର ଉପର ପାଖ, ଗର୍ଭାଶୟ, ମଳଦ୍ଵାରରେ ହୋଇଥାଏ । ମହିଳା ପିଠିରେ ଯନ୍ତ୍ରଣା ଅନୁଭବ କରିଥାଏ । ସଂକ୍ରମଣ ଯୋଗୁ ଯୋନିରୁ ଧଳା ସ୍ରାବ ହୋଇଥାଏ । ମହିଳା କାଶିଲାବେଳେ ଯୋନିରୁ ପରିସ୍ରା ବାହାରିଯିବା ଭଳି ଲାଗେ । ଏହି ସବୁ ଅବସ୍ଥାରେ ଡାକ୍ତରୀ ସହାୟତା ନେବା ଉଚିତ୍ । ପ୍ରତିଷେଧକ ପ୍ରସବପୂର୍ବ ପରୀକ୍ଷା କରି ବିଭିନ୍ନ ସମସ୍ୟାପାଇଁ ଚିକିତ୍ସା କରାଇ ନେବା ଉଚିତ୍ । ଅଧିକ ସନ୍ତାନ ଜନ୍ମ କରନ୍ତୁ ନାହିଁ । ପ୍ରସବ ସମୟରେ ଅଭିଜ୍ଞ ଧାଈର ସହାୟତା ନିଅନ୍ତୁ ।ବିଶେଷକରି ପ୍ରଥମ ପ୍ରସବ ସମୟରେ । ଆଧାର – ଓଡିଶା ଭଲ୍ୟୁଣ୍ଟାରୀ ହେଲଥ ଆସୋସିଏସନ