ଶିଶୁକୁ ବାହାର କରିବା ପାଇଁ ପ୍ରଜନନ ଦ୍ଵାରକୁ ବହୁତ ଖୋଲିବାକୁ ପଡିଥାଏ । କୌଣସି ସମୟରେ ଯଦି ଏହା ଅଧିକ ଖୋଲି ନ ଥାଏ ତେବେ ତାହା ପ୍ରସବ ସମୟରେ ଫାଟିଯାଏ । ପ୍ରଥମ ସନ୍ତାନ ଜନ୍ମ ସମୟରେ ପ୍ରଜନନ ଦ୍ଵାର ଫାଟିଯିବାର ସମ୍ଭାବନା ଅଧିକ ଥାଏ । ଯଦି ଉପଯୁକ୍ତ ଯତ୍ନ ନିଆଯିବ ତେବେ ପ୍ରଜନନ ଦ୍ଵାର ଫାଟିଯିବାକୁ ବନ୍ଦ କରାଯାଇ ପାରିବ ଜନ୍ମ ଦ୍ଵାରକୁ ସବୁବେଳେ ପଛପଟେ ଆଶ୍ରା ଦେବା ଉଚିତ୍ – କାରଣ ଯଦି ଏହି ସ୍ଥାନ ଅଧିକ ଫାଟିଯାଏ ତେବେ ଏହା ମଳଦ୍ଵାରକୁ ମଧ୍ୟ ଫଟାଇ ଦିଏ । ଯଦି ପ୍ରଜନନ ଦ୍ଵାର ଫାଟିଯାଏ ତେବେ ଉପସ୍ଥିତ ବ୍ୟକ୍ତିଙ୍କ ମଧ୍ୟରୁ ଯଦି କେହି ସତର୍କତାର ସହ ସିଲେଇ କରି ଜାଣିଥାନ୍ତି ତେବେ ଫୁଲ ପଡିବା ପରେ ଯତ୍ନର ସହ ସିଲେଇ କରିଦେବା ଉଚିତ୍ । ନବଜାତ ଶିଶୁର ଯତ୍ନ ନାଭିନାଡ ନିକଟରେ କଟାଯାଇଥିବା ନାଭି ନାଡକୁ ସଂକ୍ରମଣ କବଳରୁ ରକ୍ଷା କରିବା ପାଇଁ ଏହାକୁ ଏପରି ପରିଷ୍କାର ତଥା ଶୁଷ୍କ ରଖିବା ଉଚିତ୍ । ଏହା ଯେତେ ଶୁଖିଲା ରହିବ ସେତେ ଶୀଘ୍ର ଏହା ଝଡି ପଡିବ ଓ ନାଭି ଠିକ୍ ହୋଇଯିବ । ଏହି କାରଣରୁ ପେଟ ଉପରେ ପଟି ବାନ୍ଧିବା ଉଚିତ୍ ନୁହେଁ, ଯଦି ପଟି ବାନ୍ଧିବେ ତେବେ ଖୁବ୍ ଢିଲା କରି ବାନ୍ଧିବେ । ଚକ୍ଷୁ ଶିଶୁର ଚକ୍ଷୁକୁ ଭୟଙ୍କର ନେତ୍ରଶ୍ଲେଷ୍ମା ଶୋଥରୁ ରକ୍ଷା କରିବା ପାଇଁ ଜନ୍ମ ହେଲା ମାତ୍ରେ ତାହାର ଆଖିରେ ଏକ ବୁନ୍ଦା ୧% ସିଲଭର ନାଇଟ୍ରେଟ ବା ଅଳ୍ପ ଟେଟ୍ରାସାଇକ୍ଲିନ ବା ଏରିଥ୍ରୋମାଇସିନ ଆଖି ମଲମ ଲଗାଇ ଦିଅନ୍ତୁ । ଏହା ବିଶେଷ ଭାବେ ଜରୁରୀ ଯଦି ପିତା ବା ମା’ ଉଭୟଙ୍କୁ କୌଣସି ସମୟରେ ଗେନେରିଆ ରୋଗ ହୋଇଥିବ । ଶିଶୁକୁ ଉଷୁମ ରଖିବା, କିନ୍ତୁ ଅଧିକ ଗରମ ନୁହେଁ : ଶିଶୁକୁ ଥଣ୍ଡା ଲାଗିବାରୁ ରକ୍ଷା କରନ୍ତୁ, କିନ୍ତୁ ତା’ ଦେହରେ ଅଧିକ ଗରମ ବାଜିବା ମଧ୍ୟ ଉଚିତ୍ ନୁହେଁ । ଶିଶୁକୁ ଆପଣ ଯେପରି କପଡା ପିନ୍ଧାଉଛନ୍ତି ସେହିପରି କପଡା ପିନ୍ଧାଇ ପାରନ୍ତି । ଶିଶୁକୁ ଉପଯୁକ୍ତ ଉତ୍ତାପ ପ୍ରଦାନ କରିବାକୁ ତା’ର ମା’ ତାକୁ ଦେହରେ ଲଗାଇ ଧରିବା ଉଚିତ୍ । ଯେଉଁ ଶିଶୁମାନେ ସଅଳ ଜନ୍ମିଥାନ୍ତି, ଓଜନ ଖୁବ୍ କମ୍, ଆକାରରେ ଖୁବ୍ ଛୋଟ ଥାଆନ୍ତି ତାଙ୍କର ବିଶେଷ ଯତ୍ନ ନେବା ଦରକାର । ପରିଚ୍ଛନ୍ନତା : ଦ୍ଵାଦଶ ଅଧ୍ୟାୟରେ ବର୍ଣ୍ଣିତ ହୋଇଥିବା ପରିଚ୍ଛନ୍ନତା ସଙ୍କ୍ରାନ୍ତୀୟ ବିବରଣୀ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ । ନିମ୍ନ ଲିଖିତ ବିଷୟ ପ୍ରତି ଅଧିକ ଧ୍ୟାନ ଦିଅନ୍ତୁ । ଶିଶୁର ଚଡି ବା ବିଛଣା ଯେତେଥର ଓଦା ବ ଅପରିଷ୍କାର ହେବ ତାହାକୁ ବଦଳାଇ ଦିଅନ୍ତୁ । ଯଦି ଚର୍ମ ଲାଲ ପଡିଯାଏ ତେବେ ଚଡି ବାରମ୍ବାର ପରିବର୍ତ୍ତନ କରନ୍ତୁ ଅଥବା ଆଦୌ ନ ପିନ୍ଧାଇଲେ ଭଲ । ନାଭି ଖସି ପଡିବା ପରେ ଶିଶୁକୁ ପ୍ରତିଦିନ ଉଷୁମ ପାଣି ଓ ନରମ ସାବୁନରେ ଗାଧୋଇ ଦିଅନ୍ତୁ । ଯଦି ମଶା ଓ ମାଛି ଥାଆନ୍ତି ତେବେ ଶିଶୁକୁ ମଶାରୀ ତଳେ ଶୁଆନ୍ତୁ ବା ଗୋଟିଏ ପତଳା ଘୋଡାଇ କପଡା ଘୋଡାଇ ଦିଅନ୍ତୁ । ଖୋଲା ଘା’, ଥଣ୍ଡା ଧରିଥିବା, ଗଳାରେ ଘା’ ହୋଇଥିବା, ଯକ୍ଷ୍ମା ବା ଅନ୍ୟାନ୍ୟ କୌଣସି ସଂକ୍ରାମକ ରୋଗ ହୋଇଥିବା ବ୍ୟକ୍ତି ଶିଶୁ ନିକଟକୁ ଯିବା ଉଚିତ୍ ନୁହେଁ ବା ଶିଶୁକୁ ଛୁଇଁବା ଉଚିତ୍ ନୁହେଁ । ଶିଶୁକୁ ଧୂଳି ବା ଧୂଆଁ ନ ଥିବା ଏକ ଖୋଲା ପରିଷ୍କାର ସ୍ଥାନରେ ଶୁଆନ୍ତୁ । ଖାଦ୍ୟ (ଛୋଟ ଶିଶୁଙ୍କ ପାଇଁ ଉତ୍ତମ ଖାଦ୍ୟ ଦେଖନ୍ତୁ) ଶିଶୁପାଇଁ ମା’ ସ୍ତନର ଦୁଗ୍ଧ ହେଉଛି ସର୍ବୋକୃଷ୍ଟ ଖାଦ୍ୟ । ଯେଉଁ ଶିଶୁମାନେ ମା’ କ୍ଷୀର ଖାଆନ୍ତି ସେମାନେ ଅଧିକ ସ୍ୱାସ୍ଥ୍ୟବାନ୍ ଓ ଶକ୍ତିଶାଳୀ ହୁଅନ୍ତି ଓ ତାଙ୍କର ମୃତ୍ୟୁ ଭୟ ମଧ୍ୟ କମ୍ ଥାଏ । ସେଥିପାଇଁ – ମାଆ ସ୍ତନରୁ ପାନ କଲେ ଶିଶୁକୁ ଆବଶ୍ୟକ ଉତ୍ତମ ଆହାର ମିଳିଥାଏ ଯାହା କୌଣସି କ୍ଷୀରରୁ (ତାଜା, ଡବା ବନ୍ଦ ବା ଗୁଣ୍ଡା ଦୁଗ୍ଧ) ମିଳେ ନାହିଁ । ସ୍ତନ ଦୁଗ୍ଧ ପରିଷ୍କାର ଅଟେ । ଯେତେବେଳେ ଶିଶୁକୁ ବୋତଲରେ ଖାଇବାକୁ ଦିଆଯାଏ, ସବୁ ସମୟରେ ବୋତଲକୁ ସଫା ରଖିବା କଷ୍ଟକର ହୋଇଥାଏ । ପରିଣାମ ସ୍ୱରୂପ ଶିଶୁକୁ ଅତିସାର ଅଥବା ଅନ୍ୟାନ୍ୟ ରୋଗ କବଳରୁ ରକ୍ଷା କରିବା କଷ୍ଟ ହୁଏ । ମା’ ସ୍ତନ କ୍ଷୀରରେ ତାପମାତ୍ରା ସବୁବେଳେ ଉପଯୁକ୍ତ ଥାଏ । ମାତୃସ୍ତନ ଦୁଗ୍ଧରେ ରୋଗ ପ୍ରତିରୋଧକ ଶକ୍ତି ଅଧିକ ଥାଏ, ଯାହା ଶିଶୁକୁ କେତେକ ନିର୍ଦ୍ଧିଷ୍ଟ ରୋଗ ଆକ୍ରମଣରୁ ରକ୍ଷା କରେ, ଯଥା ମିଳିମିଳା, ପୋଲିଓ ଇତ୍ୟାଦି । ସ୍ତନ୍ୟପାନ ଦ୍ଵାରା ଶିଶୁ ସୁରକ୍ଷିତ ଓ ଆନନ୍ଦିତ ହୁଏ । ମା’ ଓ ଶିଶୁ ମଧ୍ୟରେ ସୁନ୍ଦର ବୁଝାମଣା ପ୍ରତିଷ୍ଠିତ ହୁଏ । ଶିଶୁଟି ଜନ୍ମ ହେବାମାତ୍ରେ ମାଆ ଯେତେ ଶୀଘ୍ର ସମ୍ଭବ ତାକୁ ସ୍ତନର କ୍ଷୀର ଦେବା ଉଚିତ୍ । ପ୍ରଥମ କେତେ ଦିନ ମାଆ ସ୍ତନରେ ବିଶେଷ କ୍ଷୀର ହୁଏନାହିଁ, ଏହା ସାଧାରଣ ଅଟେ । କିନ୍ତୁ ଶିଶୁକୁ ବାରମ୍ବାର ସ୍ତନରୁ କ୍ଷୀର ପିଇବାକୁ ଦେବା ଉଚିତ୍ । ଶିଶୁଟି ବାରମ୍ବାର ଶୋଷିବା ଫଳରେ ଅଧିକ କ୍ଷୀର ଝରିବାରେ ଲାଗେ । ଯଦି ଶିଶୁଟି ସ୍ୱାସ୍ଥ୍ୟବାନ, ଓଜନ ବୃଦ୍ଧି ଓ ବାରମ୍ବାର ପରିସ୍ରା କରେ ତେବେ ମା’ ଅଧିକ କ୍ଷୀର ପିୟାଉଛି ବୋଲି ଜାଣିବେ । ଯେଉଁ ମା’ର ଅଧିକ କ୍ଷୀର ହେଉଥିବ ସେ ତା’ର ଶିଶୁକୁ ୪ ମାସରୁ ୬ ମାସ ପର୍ଯ୍ୟନ୍ତ କେବଳ ନିଜର ସ୍ତନରୁ କ୍ଷୀର ଦେବା ଉଚିତ୍ । କେବଳ ମାତୃ କ୍ଷୀର ପିଉଥିବା ଶିଶୁ ପାଣି ପିଇବାର ଆବଶ୍ୟକତା ନାହିଁ । ୬ ମାସ ପରେ ନିଜର କ୍ଷୀର ସାଙ୍ଗକୁ ଅନ୍ୟାନ୍ୟ ଖାଦ୍ୟ ମଧ୍ୟ ଖୁଆଇବା ଦରକାର । ମାଆ ସ୍ତନରେ ଅଧିକ କ୍ଷୀରହେବା ଉପାୟ ମା’ ବାରମ୍ବାର ଶିଶୁକୁ ସ୍ତନ୍ୟପାନ କରାଇବା ଉଚିତ୍ । ଏହାଦ୍ଵାରା ମା’ର ସ୍ତନରେ ଅଧିକ କ୍ଷୀର ହୋଇଥାଏ । ଏହାଛଡା ସେ ନିମ୍ନଲିଖିତ ଉପାୟମାନ ଅବଲମ୍ବନ କରିବା ଉଚିତ୍ । ଅଧିକ ପାନୀୟ ପିଉଥିବା ଉଚିତ୍ । ଯେତେ ଅଧିକ ସମ୍ଭବ ଖାଦ୍ୟ ଖାଉଥିବେ । ବିଶେଷତଃ ଦୁଗ୍ଧ, ଦୁଗ୍ଧଜାତ ଦ୍ରବ୍ୟ ଓ ଶରୀର ବର୍ଦ୍ଧକ ଖାଦ୍ୟ ଯଥା – ବିନ୍, ଡାଲି, ଅମୃତଭଣ୍ଡା, ସବୁଜ ତଟକା ପାରିବା ଖାଇବା ଆବଶ୍ୟକ । ଶୁଖୁଆ ଓ ରସୁଣ ମଧ୍ୟ କ୍ଷୀର ବଢାଇଥାଏ । ଅଧିକ ସମୟ ଶୋଇଥିବେ । ଅଧିକ କ୍ଲାନ୍ତ ହେବାଭଳି କାମ କରୁ ନ ଥିବେ, ବା ଉଦାସ ହେଉ ନ ଥିବେ । ନିଜ ଶିଶୁକୁ ବାରମ୍ବାର ସ୍ତନ୍ୟପାନ କରାଉଥିବେ ଅତି କମ୍ ରେ ପ୍ରତି ୨ ଘଣ୍ଟା ଅନ୍ତରରେ । ବୋତଲରେ ଖାଉଥିବା ଶିଶୁମାନଙ୍କର ରୋଗାକ୍ରାନ୍ତ ହୋଇପଡିବା ଓ ମୃତ୍ୟୁମୁଖରେ ପଡିବାର ସମ୍ଭାବନା ବେଶୀ ଥାଏ । ସ୍ତନରୁ କ୍ଷୀର ଖାଉଥିବା ଶିଶୁମାନେ ସୁସ୍ଥ ସବଳ ହୁଅନ୍ତି । ନବଜାତ ଶିଶୁକୁ ଔଷଧ ଦେବାରେ ସତର୍କତା ନବଜାତ ଶିଶୁମାନଙ୍କ ପାଇଁ ଅନେକ ଔଷଧ କ୍ଷତିକାରକ ଅଟେ । କେବଳ ଶିଶୁମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ଔଷଧ ତାହାଙ୍କୁ ଖାଇବାକୁ ଦିଅନ୍ତୁ ଏବଂ ଯେତେବେଳେ ଶିଶୁକୁ ଔଷଧ ଖୁଆଇବା ଜରୁରୀ ଆବଶ୍ୟକ ପଡିବ କେବଳ ସେତିକିବେଳେ ଯାଇ ତାକୁ ଔଷଧ ଦେବେ । ଶିଶୁକୁ ଉପଯୁକ୍ତ ଅନୁପାତରେ ଔଷଧ ଦିଅନ୍ତୁ । ତାହାକୁ ଯେପରି ଆବଶ୍ୟକୀୟ ଅନୁପାତରୁ ଅଧିକ ଔଷଧ ଦିଆ ନ ହୁଏ ସେଥିପ୍ରତି ସଜାଗ ଥାନ୍ତୁ । ନବଜାତ ଶିଶୁଙ୍କ ପାଇଁ କ୍ଲୋରାମଫେନିକଲ ବିଶେଷଭାବେ ମାରାତ୍ମକ ଅଟେ । ଯଦି ଶିଶୁ ଅଳ୍ପ ଓଜନ ତଥା ନିର୍ଦ୍ଧିଷ୍ଟ ସମୟ ପୂର୍ବରୁ ଜନ୍ମ ହୋଇଥାଏ ଓ ଦୁର୍ବଳ ହୋଇଥାଏ ତେବେ ତା’ ପାଇଁ ଏହି ଔଷଧ ଭୟଙ୍କରଭାବେ ମାରାତ୍ମକ । ଆଧାର – ଓଡିଶା ଭଲ୍ୟୁଣ୍ଟାରୀ ହେଲଥ ଆସୋସିଏସନ