ଯଦି ଶରୀରର କୌଣସି ଅଙ୍ଗ ବିଦ୍ୟୁତ ତାରଲାଗି ଆଘାତ ପାଏ ଏହା ଅଧିକ ବିପଦପୂର୍ଣ୍ଣ ହୋଇଥାଏ। ବ୍ୟକ୍ତି ଅଧିକ ସମୟ ଏହି ଆଘାତ ଲାଗିବାଦ୍ଵାରା ମରିଯାଇଥାଏ। ଓଦା ଅବସ୍ଥାରେ ବିଦ୍ୟୁତ ପ୍ରବାହ ଖୁବ୍ ତୀବ୍ର ଗତିରେ ହୁଏ ତେଣୁ ଅତି ବିପଦଜନକ ହୋଇଥାଏ । ବିଦ୍ୟୁତ ଆଘାତ ତେଣୁ ସର୍ବଦା ଏକ ଜରୁରୀ ପରିସ୍ଥିତି ସୃଷ୍ଟି କରେ। ବିଦ୍ୟୁତ ଆଘାତର ପ୍ରଭାବ ମସ୍ତିସ୍କକୁ ଅକାମି କରିଦିଏ ଯାହା ଶ୍ଵାସପ୍ରଶ୍ଵାସ ନେବାର ମୁଖ୍ୟ ମାଧ୍ୟମ ଅଟେ। ତେଣୁ ଶ୍ଵାସକ୍ରିୟା ବନ୍ଦ ହୋଇଯାଇପାରେ । ଶ୍ଵାସକ୍ରିୟାରେ ବ୍ୟବହୃତ ମାଂସପେଶୀ ଅକାମି ହୋଇଯାଏ । ହୃଦଗତି ଚାଲୁ ଥାଇପାରେ କିନ୍ତୁ ନିଶ୍ଵାସ ବନ୍ଦ ହୋଇଯାଏ । ଚର୍ମ ପୋଡିଯାଏ ଯେଉଁଠି ବିଦ୍ୟୁତ ପ୍ରବାହ ଦେହ ଭିତରକୁ ପଶିଥାଏ ଓ ଯେଉଁଠାରୁ ବାହାରିଯାଇଥାଏ । ହୃଦଗତି ବନ୍ଦ ହୋଇଯାଇଥାଏ କିମ୍ବା କ୍ଷୀଣ ଗତିରେ ଚାଲିଥାଏ ଯାହାଦ୍ୱାରା ଶରୀରର ରକ୍ତ ସଞ୍ଚାଳନ ହୋଇପାରି ନଥାଏ । ବିଦ୍ୟୁତ ଆଘାତ ହେଲେ କ’ଣ କରିବେ ? ଏଥିପାଇଁ ତୁରନ୍ତ ଓ ବୁଦ୍ଧିମତ୍ତାର ସହିତ ପରିସ୍ଥିତି ସମ୍ଭାଳିବାକୁ ପଡେ । ଯଦି ବ୍ୟକ୍ତି ବିଦ୍ୟୁତ ତାର ସହିତ ଲାଗିକରି ଅଛି ତେବେ ବ୍ୟକ୍ତିକୁ ଛୁଇଁବା ଉଚିତ୍ ନୁହେଁ । ନ ହେଲେ ତୁମକୁ ବିଦ୍ୟୁତ ଆଘାତ ଲାଗିବ। ପ୍ରଥମେ ବିଦ୍ୟୁତ ତାରକୁ ସଂଯୋଜିତ ସୁଇଚ ବନ୍ଦ କରିଦିଅନ୍ତୁ । ଯଦି ସୁଇଚ ପାଉ ନାହାନ୍ତି ତେବେ ଏକ ଶୁଖିଲା କାଠ କିମ୍ବା ରବର ସ୍ଲିପର ଉପରେ ଛିଡା ହୋଇ ତାରକୁ ଛଡାଇ ଦିଅନ୍ତୁ ବା ଶୁଖିଲା ବାଡି କିମ୍ବା ବାଉଁଶ ଦ୍ଵାରାକାଟି ଦିଅନ୍ତୁ । ଏହା କଲା ବେଳେ କଇଁଚି, ଛୁରୀ ବା ଅନ୍ୟ କୌଣସି ଧାତବ ପଦାର୍ଥ ବ୍ୟବହାର କରନ୍ତୁ ନାହିଁ । ଯଦି ବିଦ୍ୟୁତ ଆଘାତ ବନ୍ଦ କରିବାର କୌଣସି ଉପାୟ ନାହିଁ ତେବେ ଏକ ବଡ କାଠରେ କିମ୍ବା ବଡ ଶୁଖିଲା ବାଉଁଶରେ ବ୍ୟକ୍ତିକୁ ଟାଣି ଆଣନ୍ତୁ । ଯଦି ଆପଣଙ୍କ ହାତରେ ମୋଟା ରବର ଗୁଡାହୋଇଥିବ କିମ୍ବା ଶୁଖିଲା ଲୁଗା କିମ୍ବା ବହୁ ପରାସ୍ତ କାଗଜ ଗୁଡାଇ ରୋଗୀକୁ ଧରି ଟାଣି ଆଣି ଆଣି ପାରନ୍ତି କିମ୍ବା ଏକ ଶୁଖିଲା ବାଡିରେ ଦଉଡି ଲଗାଇ ରୋଗୀକୁ ଭିଡି ଆଣିପାରନ୍ତି । ବ୍ୟକ୍ତି ଜଣକ ତାରଠାରୁ ଛାଡିଯିବା ପରେ ଯଦି ବ୍ୟକ୍ତିର ନିଶ୍ଵାସ ବନ୍ଦ ହୋଇଯାଇଥାଏ, ତୁରନ୍ତ ବ୍ୟକ୍ତିର ମୁହଁରେ ମୁହଁ ଲଗାଇ ଶ୍ଵାସକ୍ରିୟା କରନ୍ତୁ ଓ ଯଦି ହୃଦଗତି ବନ୍ଦଥାଏ ତେବେ ଶୀଘ୍ର ହୃଦୟଘଷା କରନ୍ତୁ । ଏହି କାର୍ଯ୍ୟ ରୋଗୀକୁ ହସ୍ପିଟାଲ ନେବା ରାସ୍ତାରେ ମଧ୍ୟ କରି ଚାଲନ୍ତୁ । ଯାହାଦ୍ଵାରା ରୋଗୀର ଶରୀରରେ ଅମ୍ଳଜାନ ଅଭାବ ରହିବ ନାହିଁ । ଆଧାର – ଓଡିଶା ଭଲ୍ୟୁଣ୍ଟାରୀ ହେଲଥ ଆସୋସିଏସନ