ଗଣ୍ଠିରୁ ହାଡ ଖସିଯିବା ଚିକିତ୍ସାର ତିନୋଟି ଗୁରୁତ୍ୱପୂର୍ଣ୍ଣ ଦିଗ : - ହାଡକୁ ଯଥା ସ୍ଥାନରେ ଲଗାଇବାକୁ ଚେଷ୍ଟା କରନ୍ତୁ । ଯେତେ ଶୀଘ୍ର ସମ୍ଭବ ସେତେ ଭଲ । ଏହାକୁ ପଟିଦ୍ଵାରା ଦୃଢଭାବେ ବାନ୍ଧି ଦିଅନ୍ତୁ, ଯଦ୍ୱାରା ହାଡ ଆଉଥରେ ଖସିଯିବ ନାହିଁ (ପ୍ରାୟ ମାସେ ପର୍ଯ୍ୟନ୍ତ) । ଗଣ୍ଠି ସମ୍ପୂର୍ଣ୍ଣ ରୂପେ ଭଲ ହେବା ପର୍ଯ୍ୟନ୍ତ (୨ବା ୩ମାସ)ସେହି ଅଙ୍ଗ ଉପରେ ଚାପ ପ୍ରୟୋଗ କରନ୍ତୁ ନାହିଁ । କାନ୍ଧ ଖଞ୍ଜା ଖସିଗଲେ କିପରି ଲଗାଇବେ ଆଘାତପ୍ରାପ୍ତ ବ୍ୟକ୍ତିଙ୍କ ନିକଟରେ ତଳେ ଶୋଇଯାଆନ୍ତୁ । ତାଙ୍କ କାଖରେ ଆପଣଙ୍କର ଖାଲିଥିବା ପାଦ, ଦେହ ସହ କୋଣରେ ରହି ୧୦ ମିନିଟ୍ ପର୍ଯ୍ୟନ୍ତ ତାଙ୍କର ହାତକୁ ଧୀରେ ଧୀରେ ତଳ ଆଡକୁ ଭିଡନ୍ତୁ । ତା’ପରେ ତାଙ୍କ ହାତକୁ ତାଙ୍କର ଦେହ ଆଡକୁ ନିଅନ୍ତୁ ଓ ଆପଣଙ୍କ ଗୋଡ ସାହାଯ୍ୟରେ ହାଡକୁ ପୂର୍ବ ଜାଗାରେ ଲଗାଇ ଦିଅନ୍ତୁ (୨) କାନ୍ଧ ଖଞ୍ଜା ଠିକ୍ ଜାଗାରେ ପଡିଗଲେ ଖଟ୍ କରି ଶବ୍ଦ ହେବ। ଠିକ୍ ଜାଗାରେ କାନ୍ଧ ଖଞ୍ଜା ପଡିଗଲା ପରେ ହାତକୁ ଦେହ ସହିତ ମିଶାଇ ଦୃଢଭାବରେ ବାନ୍ଧି ଦିଅନ୍ତୁ ଓ ମାସେ ପର୍ଯ୍ୟନ୍ତ ସେହିପରି ଭାବରେ ରଖନ୍ତୁ । କାନ୍ଧ ସମ୍ପୂର୍ଣ୍ଣ କଠିନ ନହେବା ପାଇଁ ବୟସ୍କ ବ୍ୟକ୍ତିମାନେ ପ୍ରତିଦିନ ତିନିଥର କରି ପ୍ରତ୍ୟେକ ଥର କେତେ ମିନିଟ୍ ପର୍ଯ୍ୟନ୍ତ ଖୋଲି ଦେବା ଉଚିତ୍ ଓ ହାତକୁ ଦେହ ପାର୍ଶ୍ଵରେ ଝୁଲାଇ ରଖି, ଧୀରେ ଧୀରେ ଗୋଟିଏ ଛୋଟ ପରିଧି ମଧ୍ୟରେ ଘୁରାଇବା ଉଚିତ୍ । ଯଦି ଆପଣ ଖସିଯାଇଥିବା ଅଂଶକୁ ଯଥା ସ୍ଥାନରେ ଲଗାଇ ନପାରିବେ, ତେବେ ଖୁବ୍ ଶୀଘ୍ର ଡାକ୍ତରୀ ସାହାଯ୍ୟ ନିଅନ୍ତୁ । ଯେତେ ବିଳମ୍ବ କରିବେ, ଏହାକୁ ଭଲକରିବା ସେତିକି କଷ୍ଟ ସାଧ୍ୟ ହେବ । ମୋଡି ମକଚି ହୋଇଯିବା (ଗଣ୍ଠି ଜାଗାରେ ମାଡ ବାଜି ରକ୍ତ ଜମିଯିବା ବ ଗଣ୍ଠି ଭିତର ଛିଣ୍ଡିଯିବା) ଅନେକ ସମୟରେ ହାତ କିମ୍ବା ଗୋଡରେ ମାଡ ବାଜି ରକ୍ତ ଜମି ଯାଇଛି ବା ମକଚି ହୋଇଯାଇଛି କିମ୍ବା ଭାଙ୍ଗି ଯାଇଛି ବୋଲି ଜାଣିବା କଷ୍ଟସାଧ୍ୟ ହୋଇଥାଏ । ତେଣୁ ରଞ୍ଜନ ରଶ୍ମୀ ବା ଏକ୍ସରେ ପ୍ରକ୍ରିୟାରେ ଫଟୋ ଉଠାଇବା ଦରକାର ପଡିଥାଏ । ସାଧାରଣତଃ, ଭାଙ୍ଗିଯିବା ଓ ମକଚି ହୋଇଯିବାର ଚିକିତ୍ସାପଦ୍ଧତି ପ୍ରାୟ ଏକାପ୍ରକାରର । ଗଣ୍ଠିକୁ ସ୍ଥିରଭାବେ ରଖନ୍ତୁ । ଦୃଢଭାବେ ସମ୍ଭାଳି ରଖିଲା ଭଳି କିଛି ଦେଇ ବାନ୍ଧି ଦିଅନ୍ତୁ । ଗୁରୁତର ଭାବେ ମକଚି ହୋଇଥିଲେ ଭଲ ହେବାକୁ ପ୍ରାୟ ତିନି ବା ଚାରି ସପ୍ତାହ ଲାଗିଯାଏ । ହାଡ ଭାଙ୍ଗି ଯାଇଥିବା କ୍ଷେତ୍ରରେ ଅଧିକ ସମୟ ଲାଗେ । ମୋଡି ହୋଇଯାଇଥିବା ଗଣ୍ଠିକୁ ଯଥା ସ୍ଥାନରେ ସ୍ଥିରକରି ରଖିବା ପାଇଁ ଆପଣ ଇଲାଷ୍ଟିକ ବ୍ୟାଣ୍ଡେଜ ବା ଘରେ ତିଆରି ପ୍ଲାଷ୍ଟର ବ୍ୟବହାର କରିପାରିବେ । ସତର୍କତା ମକଚି ଯାଇଥିବା ବା ଭାଙ୍ଗିଯାଇଥିବା ହାଡକୁ କେବେବି ଘଷନ୍ତୁ ନାହିଁ ବା ମାଲିସ୍ କରନ୍ତୁ ନାହିଁ । ଏହା ଉପକାର ଅପେକ୍ଷା ଅଧିକ ଅପକାର କରିପାରେ । ଯଦି ପାଦ ହୁଗୁଳିଗଲା ପରି ଦେଖାଯାଉଥାଏ କିମ୍ବା ଆଙ୍ଗୁଳି ଚାଳନା କଲାବେଳେ ଉକ୍ତ ବ୍ୟକ୍ତିଙ୍କୁ କଷ୍ଟ ହେଉଥାଏ, ତେବେ ଡାକ୍ତରୀ ସାହାଯ୍ୟ ନିଅନ୍ତୁ, ହୁଏତ ଅସ୍ତ୍ରୋପ୍ରଚାର ଦରକାର ପଡିପାରେ । କଷ୍ଟ ଓ ଫୁଲା କମାଇବା ପାଇଁ ମକଚି ହୋଇ ଯାଇଥିବା ଅଂଶକୁ ଉପରକୁ ଟେକି ରଖନ୍ତୁ । ପ୍ରଥମ ୨୪ ଘଣ୍ଟା ଭିତରେ ଫୁଲିଯାଇଥିବା ଗଣ୍ଠିର ବରଫ ବା ଥଣ୍ଡା ଓଦା କନା ଗୁଡାଇ ଦିଅନ୍ତୁ । ଏହା ଫୁଲା ଓ କଷ୍ଟ କମାଇଦିଏ, ଆସ୍ପିରିନ ମଧ୍ୟ ଖାଆନ୍ତୁ। ଆଧାର – ଓଡିଶା ଭଲ୍ୟୁଣ୍ଟାରୀ ହେଲଥ ଆସୋସିଏସନ