ଉତ୍ତାପ ଜନିତ ଟଣକା ଗରମ ଦିନରେ ଯେଉଁ ଲୋକମାନେ ପ୍ରଚୁର ଝାଳବୁହାଇ କଠିନ ପରିଶ୍ରମ କରନ୍ତି, ବେଳେବେଳେ ସେମାନଙ୍କର ଗୋଡ, ହାତ ଓ ପେଟ ଇତ୍ୟାଦି ଟଣକି ଯାଇ ବହୁତ କଷ୍ଟ ପାଆନ୍ତି। ଦେହରେ ଲବଣାଂଶର ଅଭାବରୁ ଏହା ହୋଇଥାଏ। ଚିକିତ୍ସା ଗୋଟିଏ ଲିଟର ଫୁଟା ପାଣିରେ ଏକ ଚା ଚାମଚ ଲୁଣ ମିଶାଇ ପିଅନ୍ତୁ । ଏହା ସହିତ ଅଳ୍ପ ଚିନି ଓ ଲେମ୍ବୁ ରସ ମିଶାଇ ପାରନ୍ତି । ଉତ୍ତାପ ଜନିତ କ୍ଲାନ୍ତି ଲକ୍ଷଣ ଗରମ ଦିନରେ ପ୍ରଚୁର ଝାଳ ବୁହାଇ କଠିନ ପରିଶ୍ରମ କରୁଥିବା ଲୋକ ମଳିନ ଓ ଦୁର୍ବଳ ହୋଇଯାଏ ଓ ମୂର୍ଚ୍ଛା ହୋଇଗଲା ପରି ଅନୁଭବ କରେ। ଚର୍ମ ଥଣ୍ଡା ଓ ଝାଳୁଆ ହୋଇଯାଏ । ନାଡିର ଗତି ପ୍ରଖର ଓ ଦୁର୍ବଳ ହୋଇଯାଏ । ବିଶେଷତଃ ଅତି ଗରମ ଦିନରେ ଚର୍ମ ଥଣ୍ଡା ଓ ଝାଳୁଆ ହେଲେ ମଧ୍ୟ ଶରୀରର ଉତ୍ତାପ ନ ବଢି ଠିକ୍ ଥାଏ। ଚିକିତ୍ସା ସେହି ବ୍ୟକ୍ତିଙ୍କୁ ଥଣ୍ଡା ଜାଗାରେ ଶୁଆଇ ଦିଅନ୍ତୁ ଓ ତାଙ୍କ ପାଦକୁ ଉପରକୁ ଟେକି ଘଷି ଦିଅନ୍ତୁ । ଲୁଣପାଣି ପିଇବାକୁ ଦିଅନ୍ତୁ (ପୂର୍ବ ବର୍ଣ୍ଣିତ ଅନୁପାତରେ ଯଥା – ଗୋଟିଏ ଲିଟର ପାଣିରେ ୧ ଚାମଚ ଲୁଣ)। (ଜଣେ ଅଚେତ ଅବସ୍ଥାରେ ଥିଲାବେଳେ ପାଟିବାଟେ କିଛି ଖାଇବାକୁ ଦିଅନ୍ତୁ ନାହିଁ ) ଉତ୍ତାପ ଜନିତ ଆଘାତ ଉତ୍ତାପ ଜନିତ ଆଘାତ ଏକ ସାଧାରଣ ରୋଗ ହୋଇ ନଥିଲେ ମଧ୍ୟ ଅତ୍ୟନ୍ତ ବିପଦଜନକ। ବିଶେଷତଃ ଗରମ ଦିନରେ ବୃଦ୍ଧଲୋକ ମାନଙ୍କୁ ଓ ମଦ୍ୟପାନ କରୁଥିବା ବ୍ୟକ୍ତି ବିଶେଷଙ୍କୁ ଏହା ହୋଇଥାଏ। ଲକ୍ଷଣ : ଚର୍ମ ଲାଲ,ଗରମ ଓ ଶୁଷ୍କ ଅନୁଭୂତ ହୁଏ, ଏମିତିକି କାଖ ତଳେ ମଧ୍ୟ ଓଦାଳିଆ ନ ଥାଏ । ଜ୍ଵର ଅଧିକ ହୁଏ । ଅଧିକାଂଶ ସମୟରେ ରୋଗୀ ଅଜ୍ଞାନ ହୋଇଯାଇଥାଏ ଇତ୍ୟାଦି। ଚିକିତ୍ସା : ଶରୀରର ଉତ୍ତାପକୁ ଖୁବ୍ ଶୀଘ୍ର କମାଇ ଦେବାକୁ ହେବ। ସେହି ବ୍ୟକ୍ତିଙ୍କୁ ଛଡାଇ ପଡିଥିବା ଜାଗାରେ ରଖନ୍ତୁ । ଦେହରୁ ପୋଷାକ କାଢିଦେଇ ଦେହ ଉପରେ ଥଣ୍ଡାପାଣି ଢାଳନ୍ତୁ । ତାଙ୍କୁ ପଙ୍ଖା କରନ୍ତୁ। ପିଚକାରୀ ପ୍ରଣାଳୀରେ ମଳଦ୍ଵାର ବାଟେ ବରଫ ପାଣି ଭର୍ତ୍ତି କରନ୍ତୁ । ପ୍ରତି ୧୫ ମିନିଟକୁ ଥରେ ଉତ୍ତାପ ମାପନ୍ତୁ। ଶରୀରର ଉତ୍ତାପ ସେଣ୍ଟିଗ୍ରେଡରୁ କମିଗଲେ ଦେହ ଉପରେ ଥଣ୍ଡାପାଣି ଢାଳିବା ବନ୍ଦ କରିଦେଇ,ଡାକ୍ତରୀ ସାହାଯ୍ୟ ନିଅନ୍ତୁ । ଅତ୍ୟଧିକ ଉତ୍ତାପଠାରୁ ଦୂରରେ ରହିବା ପାଇଁ ଖରାଦିନେ ପାଣିରେ ଅଳ୍ପ ଲୁଣ ମିଶାଇ ପ୍ରଚୁର ପିଅନ୍ତୁ । ଆଧାର - ଓଡିଶା ଭଲ୍ୟୁଣ୍ଟାରୀ ହେଲଥ ଆସୋସିଏସନ