ଏହା ଭଲ କି ? ପୃଥିବୀର ଅନେକ ଅଞ୍ଚଳରେ ଏହି ସମସ୍ୟା ଉପରେ ବ୍ୟାପକ ଚର୍ଚ୍ଚା କରାଯାଉଛି ଯେ ବିଭିନ୍ନ ଉପାୟରେ ଜନ୍ମ ନିୟନ୍ତ୍ରଣ ଉଚିତ୍ କି ? ଏହା ନିରାପଦ କି ? କେତେକ ଧର୍ମରେ ଜନ୍ମ ନିୟନ୍ତ୍ରଣକୁ ସମ୍ପୂର୍ଣ୍ଣ ବିରୋଧ କରାଯାଇଛି । ଯେଉଁମାନେ ଜନ୍ମ ନିୟନ୍ତ୍ରଣ କରିବାକୁ ଚାହିଁବେ, ସମ୍ପୂର୍ଣ୍ଣରୂପେ ମୌଥୁନ କ୍ରିଡାରୁ ବିରତ ହେବାପାଇଁ କୁହାଯାଇଛି, କିନ୍ତୁ ସହଜ ଓ ନିଶ୍ଚିତ ଉପାୟରେ ଜନ୍ମ ନିୟନ୍ତ୍ରଣ କରିବା ପରିବାର ତଥା ସମାଜ ପାଇଁ କେତେଦୂର ଗୁରୁତ୍ଵପୂର୍ଣ୍ଣ ତାହା ଧର୍ମର ଗୁରୁମାନେ ଅନୁଭବ କରୁଛନ୍ତି । ଅନେକ ସ୍ଥାନରେ ସନ୍ତାନ ଚାହୁଁ ନ ଥିବା ମହିଳା ଅକସ୍ମାତ ଗର୍ଭବତୀ ହୋଇଗଲେ ଗର୍ଭାଶୟରେ ଥିବା ଶିଶୁକୁ ନଷ୍ଟ କରି ଦେବା ପାଇଁ ଡାକ୍ତରଖାନାରେ ଗର୍ଭପାତ କରାଉଛନ୍ତି ଯେଉଁଠାରେ ଏହି ଇଚ୍ଛାକୃତ ଗର୍ଭପାତ ଆଇନ୍ ସମ୍ମତ ସେଠାରେ କୌଣସି ସ୍ୱାସ୍ଥ୍ୟ କେନ୍ଦ୍ରରେ ଉପଯୁକ୍ତ ସ୍ୱାସ୍ଥ୍ୟପଯୋଗୀ ପରିବେଶରେ ଗର୍ଭପାତ କରାଇବା ଉଚିତ୍ । ସାଧାରଣତଃ ଗର୍ଭଉଦୟର ୩ ମାସ ମଧ୍ୟରେ ଗର୍ଭପାତ କରାଇଲେ ତାହା କ୍ଷତିକାରକ ହୁଏ ନାହିଁ । କେତେକ ସ୍ଥାନରେ ମହିଳାମାନେ ଲୁଚେଇକରି ଅସ୍ୱାସ୍ଥ୍ୟକର ପରିବେଶରେ ତଥା ଅନଭିଜ୍ଞ ଲୋକମାନଙ୍କଦ୍ଵାରା ଗର୍ଭପାତ କରାଇଥାନ୍ତି, ହଜାର ହଜାର ନାରୀ ଏହିଭଳି ଗର୍ଭପାତ କରି ମୃତ୍ୟୁ ବରଣ କରୁଛନ୍ତି । ଯଦି ସ୍ତ୍ରୀ ଲୋକମାନଙ୍କୁ ଜନ୍ମ ନିୟନ୍ତ୍ରଣ ପ୍ରଣାଳୀମାନଙ୍କ ସଂକ୍ରାନ୍ତରେ ଉତ୍ତମରୂପେ ବୁଝାଇ ଦିଆଯାଏ ଏବଂ ସେହି ଉପଦେଶକୁ ସେମାନେ ଠିକ୍ ଭାବରେ କାମରେ ଲଗାନ୍ତି ତେବେ ଅନେକ ଅବାଞ୍ଛିତ ଗର୍ଭପାତକୁ ଏଡାଇ ଦିଆଯାଇ ପାରିବ ଏବଂ ଅକାରଣରେ ଭୋଗୁଥିବା ଯନ୍ତ୍ରଣା ତଥା ମୃତ୍ୟୁ ଭୟକୁ ମଧ୍ୟ ଏଡାଇ ଦେଇହେବ । କେତେକ ଲୋକ ଭାବିଥାନ୍ତି ଯେ ଏହି ଜନ୍ମ ନିୟନ୍ତ୍ରଣ ବ୍ୟବସ୍ଥା ଧନୀ ରାଷ୍ଟ୍ରମାନଙ୍କଦ୍ଵାରା ଗରିବ ରାଷ୍ଟ୍ରମାନଙ୍କଉପରେ ସେମାନଙ୍କର ଜନବଳକୁ କମାଇବା ପାଇଁ ଚାପ ପକାଯାଇ କରାଯାଉଛି । ଧନୀ ଓ ଶକ୍ତିଶାଳୀ ରାଷ୍ଟ୍ରମାନେ ଏହା ଗ୍ରହଣ କରିବାକୁ ପ୍ରସ୍ତୁତ ନୁହଁନ୍ତି ଯେ, ସେମାନେ ଯେଉଁଭଳି ଭାବରେ ପୃଥିବୀର ସମ୍ପଦ ଓ ଜମିକୁ ଏକଚାଟିଆ ଅଧିକାର କରିଛନ୍ତି, ତାହା ପୃଥିବୀର କ୍ଷୁଧା ବୃଦ୍ଧି କରିବାରେ ଲାଗିଛି, ସେମାନେ କେବଳ ବର୍ଦ୍ଧିତ ଜନ ସଂଖ୍ୟାକୁ ଦେଖୁଛନ୍ତି । କେତେକ ଦେଶରେ ବିଶେଷଜ୍ଞମାନେ ଗରିବ ସ୍ତ୍ରୀ ଲୋକମାନଙ୍କୁ ନୂତନ ଉପାୟରେ ପରୀକ୍ଷା କରିବା ନିମିତ୍ତ ବନ୍ଧ୍ୟାକରଣ କରାଉଛନ୍ତି ଏବଂ ବେଳେବେଳେ ବଳ ପ୍ରୟୋଗ କରି ମଧ୍ୟ ବନ୍ଧ୍ୟାକରଣ କରାଯାଉଛି, ସେହିସବୁ କାରଣଯୋଗୁଁ ସମାଜ ସଂସ୍କାରମାନେ ଅଧିକାଂଶ ସମୟରେ ଏଭଳି ଜନ୍ମ ନିୟନ୍ତ୍ରଣ ବିରୁଦ୍ଧାରେ ସ୍ଵର ଉତ୍ତୋଳନ କରୁଛନ୍ତି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଜନ୍ମ ନିୟନ୍ତ୍ରଣକୁ ବିରୋଧ କରାଯିବା ଉଚିତ୍ ନୁହେଁ ବରଂ ଏହାର ଅପକାରିତାକୁ ବିରୋଧ କରାଯିବା ଉଚିତ୍ । ସାମାଜିକ ଅବିଚାର ତଥା ଜମି ଓ ସମ୍ପଦର ବଣ୍ଟନରେ ଅସମତା ବିରୁଦ୍ଧରେ ସ୍ଵର ଉତ୍ତୋଳନ ହେବା ଉଚିତ୍ । ଠିକ୍ ଭାବରେ କାର୍ଯ୍ୟକାରୀ ହେଲେ ଜନ୍ମନିୟନ୍ତ୍ରଣର ଗରିବ ଲୋକମାନଙ୍କୁ ସେମାନଙ୍କର ମୌଳିକ ଅଧିକାର ଲାଭ ପାଇଁ କାର୍ଯ୍ୟ କରିବାକୁ ପ୍ରେରଣା ଯୋଗାଇଥାଏ, କିନ୍ତୁ ଜନ୍ମ ନିୟନ୍ତ୍ରଣ କରିବା ପାଇଁ ସିଦ୍ଧାନ୍ତ ତଥା ଦାୟିତ୍ଵ ଲୋକମାନଙ୍କ ହାତରେ ରହିବା ବାଞ୍ଛନୀୟ । ଆପଣ ଏହା ସିଦ୍ଧାନ୍ତ କରି ନିଅନ୍ତୁ ଯେ ଆପଣ ପରିବାର ନିୟୋଜନ କରିବାକୁ ଚାହୁଁଛନ୍ତି କି ? ଯଦି ହଁ, ତେବେ କିଭଳି ଉପାୟରେ, ଅନ୍ୟ କୌଣସି ବ୍ୟକ୍ତିଙ୍କୁ ଆପଣଙ୍କ ସଂକ୍ରାନ୍ତରେ ସିଦ୍ଧାନ୍ତ ନେବା ଲାଗି ଦିଅନ୍ତୁ ନାହିଁ । ଏହା ନିରାପଦ କି ? ଜନ୍ମ ନିୟନ୍ତ୍ରଣର ଭିନ୍ନ ଭିନ୍ନ ପ୍ରଣାଳୀ ନିରାପଦ କି ନୁହେଁ ଏହି ସଂକ୍ରାନ୍ତରେ ବହୁ ଆଲୋଚନା ହୋଇଛି, ଯେଉଁ ଲୋକମାନେ ରାଜନୈତିକ କାରଣରୁ ହେଉ ବା ଧର୍ମୀୟ କାରଣରୁ ହେଉ ଜନ୍ମ ନିୟନ୍ତ୍ରଣକୁ ବିରୋଧ କରନ୍ତି ସେମାନେ ସ୍ତ୍ରୀ ଲୋକମାନଙ୍କୁ ଏ ସଂକ୍ରାନ୍ତରେ ଅନେକ ମିଛ କଥା କହି ଡରାଇବାକୁ ଚେଷ୍ଟା କରିଥାନ୍ତି । ଜନ୍ମ ନିୟନ୍ତ୍ରଣର କେତେକ ପଦ୍ଧତିରେ ବିପଦ ଥାଏ କିନ୍ତୁ ପ୍ରତ୍ୟକ ନାରୀ ଏହା ବୁଝିବା ଉଚିତ୍ ଯେ ଜନ୍ମ ନିୟନ୍ତ୍ରଣ ଗର୍ଭଧାରଣଠାରୁ ଅଧିକ ନିରାପଦ, ବିଶେଷତଃ ଯଦି ମହିଳାଙ୍କର ଅନେକଗୁଡିଏ ସନ୍ତାନ ଥାଆନ୍ତି । ଗର୍ଭଧାରଣ ଯୋଗୁଁ ଯେତେ ଭୟଙ୍କର ଅସୁସ୍ଥତା ଓ ମୃତ୍ୟୁର ଆଶଙ୍କା ରୁହେ, ଜନ୍ମ ନିୟନ୍ତ୍ରଣର ଯେ କୌଣସି ସାଧାରଣ ପ୍ରଣାଳୀ ଅବଲମ୍ବନ କଲେ ସେତିକି ଭୟ ରୁହେ ନାହିଁ । ଜନ୍ମ ନିରୋଧ ବଟିକା ଖାଇଲେ ଅନେକ ବିପଦ ଥାଏ ବୋଲି ବହୁଳ ଆଲୋଚନା ହେଉଛି, କିନ୍ତୁ ଗର୍ଭଧାରଣ କଲେ ତା’ଠାରୁ ଅଧିକ ବିପଦର ଆଶଙ୍କା ଥାଏ । ଏହି ବଟିକାମାନ ଅନେକ ମହିଳାଙ୍କର ଗର୍ଭଧାରଣ ରୋକିବାରେ ସାହାଯ୍ୟ କରେ ଏବଂ ସେମାନଙ୍କ ପାଇଁ ନିରାପଦ ମଧ୍ୟ ରୁହେ । ଏପରିକି ସେମାନଙ୍କର ଜୀବନରକ୍ଷା ମଧ୍ୟ କରିଥାଏ । ଏହା ଅନ୍ୟାନ୍ୟ ଯେ କୌଣସି କମ୍ ‘ବିପଦପୂର୍ଣ୍ଣ’ ତଥା କମ୍ ଉପକାରୀ ପଦ୍ଧତିଠାରୁ ଭଲ ଅଟେ । ଜନ୍ମ ନିୟନ୍ତ୍ରଣ ପାଇଁ ଗୋଟିଏ ପଦ୍ଧତି ବାଛିବା ବର୍ତ୍ତମାନ କେତେଗୁଡିଏ ପୃଷ୍ଠାରେ ଜନ୍ମ ନିୟନ୍ତ୍ରଣର ଅନେକ ଗୁଡିଏ ମାଧ୍ୟମ ସଂକ୍ରାନ୍ତରେ ଆଲୋଚନା କରାଯାଇଛି । କେତେକ ମାଧ୍ୟମ କିଛି ଲୋକଙ୍କ ପାଇଁ ଅଧିକ ପ୍ରଭାବଶାଳୀ ଥିଲାବେଳେ ଅନ୍ୟକିଛି ମାଧ୍ୟମ ଅନ୍ୟ ଲୋକମାନଙ୍କ ପାଇଁ ପ୍ରଭାବଶାଳୀ ହୋଇଥାଏ ବା ସେହି ଗୋଟିଏ ମାଧ୍ୟମ ସବୁ ଲୋକଙ୍କ ପାଇଁ ସମାନ ପ୍ରଭାବଶାଳୀ ହୋଇ ନ ଥାଏ, ଏହି ପୃଷ୍ଠାଗୁଡିକୁ ପଢନ୍ତୁ ଏବଂ ଆପଣଙ୍କର ଧାଈ, ସ୍ୱାସ୍ଥ୍ୟସେବୀ ଓ ଡାକ୍ତରଙ୍କ ସଙ୍ଗେ ପରାମର୍ଶ କରନ୍ତୁ, କେଉଁ ମାଧ୍ୟମଟି ଆପଣଙ୍କ ନିମନ୍ତେ ଅଧିକ ପ୍ରଭାବଶାଳୀ ହୋଇପାରିବ । ଏହି ବିଷୟରେ ପ୍ରତ୍ୟକ ମାଧ୍ୟମର ପ୍ରଭାବ, ନିରାପତ୍ତା, ସହଜ ଲବ୍ଧତା ଏବଂ ମୂଲ୍ୟାଦିକୁ ବିଚାର କରାଯିବା ଉଚିତ୍ । ପତି ଓ ପତ୍ନୀ ଉଭୟେ ମିଶି ଏହା ନିର୍ଣ୍ଣୟ କରିବା ଏବଂ ଏହାର ଦାୟିତ୍ଵ ବଣ୍ଟନ କରିବା ଉଚିତ୍ । ଗର୍ଭ ନିରୋଧକ ବଟିକା ଯଦି ଏହି ବଟିକା ଠିକ୍ ରୂପେ ଖିଆଯାଏ, ତାହାହେଲେ ଗର୍ଭ ନିରୋଧ କରିବା ପାଇଁ ଏହା ଏକ ଫଳପ୍ରଦ ପଦ୍ଧତି ଅଟେ । ସ୍ତ୍ରୀ ଲୋକ ଏହି ବଟିକା ଖାଇବା ଉଚିତ୍ ନୁହେଁ । ଯଦି ସେମାନେ ଅନ୍ୟ ପଦ୍ଧତି ଅନୁସରଣ କରିପାରନ୍ତି । ଯଦି ସମ୍ଭବ ଏହି ଜନ୍ମ ନିରୋଧକ ବଟିକା ସ୍ୱାସ୍ଥ୍ୟସେବୀ, ଧାଈ ବା ଯେଉଁମାନଙ୍କର ଏହାର ବ୍ୟବହାର ସଂକ୍ରାନ୍ତରେ ଅଭିଜ୍ଞତା ଅଛି, ତାଙ୍କରିଠାରୁ ନେଇ ଖାଇବା ଉଚିତ୍ । ଗୋଟିଏ ପୁଡାରେ ଏଥିରୁ ୨୧ରୁ ୨୮ ପର୍ଯ୍ୟନ୍ତ ବଟିକା ଥାଏ । ୨୧ଟି ବଟିକା ଥିଲାବାଲା ପୁଡିଆଗୁଡିକ ସାଧାରଣତଃ କମ୍ ଦାମ୍ ର ହୋଇଥାଏ ଏବଂ କେତେକ କମ୍ପାନୀମାନଙ୍କର ଔଷଧ ଅଲଗା ଅଲଗା ରହିଥାଏ । ଆପଣଙ୍କ ପାଇଁ ଅଧିକ ଉପଯୋଗୀ ହେଉଥିବା ଔଷଧମାନଙ୍କ ନିମନ୍ତେ ସବୁଜ ଦେଖନ୍ତୁ । ବଟିକା କିପରି ଖାଇବେ – ୨୧ଟି ବଟିକା ଥିବାବାଲା ମୁଣା : ପ୍ରଥମ ବଟିକାଟି ମାସିକ ଋତୁଧର୍ମ ଆରମ୍ଭ ହେବାର ପଞ୍ଚମ ଦିନ ଖାଆନ୍ତୁ । ମାସିକ ଋତୁ ଆରମ୍ଭ ହେଉଥିବା ଦିନକୁ ପ୍ରଥମ ଦିନରୂପେ ଗଣନ୍ତୁ । ପଞ୍ଚମ ଦିନଠାରୁ ଆରମ୍ଭ କରି ବଟିକା ସରିବା ପର୍ଯ୍ୟନ୍ତ ୨୧ଦିନ ପାଇଁ ପ୍ରତିଦିନ ଗୋଟିଏ ଲେଖାଏଁ ଖାଆନ୍ତୁ । ଗୋଟିଏ ମୁଣା ସରିଲା ପରେ ୭ ଦିନ ପର୍ଯ୍ୟନ୍ତ କୌଣସି ବଟିକା ଖାଆନ୍ତୁ ନାହିଁ, ତା’ ପରେ ଦ୍ଵିତୀୟ ପ୍ୟାକେଟ ଦିନକୁ ଗୋଟିଏ ଲେଖାଏଁ ହିସାବରେ ଖାଇବା ଆରମ୍ଭ କରିଦିଅନ୍ତୁ । ଏହିପରି ଭାବରେ ପ୍ରତି ମାସରେ ତିନି ସପ୍ତାହ ପର୍ଯ୍ୟନ୍ତ ଔଷଧ ଖାଆନ୍ତୁ ଓ ଗୋଟିଏ ସପ୍ତାହ ଔଷଧ ଖାଆନ୍ତୁ ନାହିଁ । ସାଧାରଣତଃ ଯେଉଁ ସପ୍ତାହରେ ବଟିକା ଖିଆ ନ ଯାଇ ଥାଏ, ମାସିକ ଋତୁସ୍ରାବ ହୁଏ, ଯଦିବା ମାସିକ ଋତୁ ହେଲାନାହିଁ, ତେବେ ଠିକ୍ ୭ ଦିନ ପରେ ନୂଆ ପ୍ୟାକେଟ ଖାଆନ୍ତୁ । ଯଦି ଆପଣ ଗର୍ଭବତୀ ହେବାକୁ ଚାହୁଁ ନ ଥାନ୍ତି ତେବେ ଯେଉଁଭଳି ଭାବେ ନିର୍ଦ୍ଦେଶ ଦିଆଯାଇଛି, ସେହିଭଳିଭାବେ ଔଷଧ ଖାଇବା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ । ଦିନକୁ ଗୋଟିଏ ବଟିକା ଖାଆନ୍ତୁ । ଯଦି ଆପଣ ଗୋଟିଏ ଦିନ ବଟିକା ଖାଇବାକୁ ଭୁଲି ଯାଆନ୍ତି ତେବେ ତା’ ପର ଦିନ ଦୁଇଟି ବଟିକା ଖାଆନ୍ତୁ । ୨୮ଟି ବଟିକା ଥିବାବାଲା ମୁଣା ଋତୁସ୍ରାବର ପଞ୍ଚମ ଦିନରେ ପ୍ରଥମ ବଟିକା ଖାଇବା ଆରମ୍ଭ କରନ୍ତୁ ଯେପରି ୨୧ଟି ବଟିକା ପାଇଁ ଲେଖା ଅଛି ଓ ଦିନକୁ ଗୋଟିଏ ଲେଖାଁ ଖାଆନ୍ତୁ । ସେଥିରୁ ୭ଟି ବଟିକା ଭିନ ଆକାରର ଓ ଭିନ୍ନ ରଙ୍ଗର ଥିବ । ଏହି ବଟିକା ଗୁଡିକୁ ଅନ୍ୟ ବଟିକା ସରିବା ପରେ ପଛରେ ଖାଆନ୍ତୁ । ୨୮ଟି ବଟିକା ଥିବା ମୁଣା ସରିବାର ଦିନାକା ପରେ ଅନ୍ୟ ଏକ ନୂଆ ପ୍ୟାକେଟ ଆରମ୍ଭ କରନ୍ତୁ । କୌଣସି ଦିନ ଯେପରି ଔଷଧ ଖାଇବାକୁ ନ ଭୁଲନ୍ତି । ପ୍ରତିଦିନ ଗୋଟିଏ ଲେଖାଁ ବଟିକା ଖାଇବେ । ଗୋଟିଏ ପ୍ୟାକେଟ ପରେ ଆଉ ଗୋଟିଏ ପ୍ୟାକେଟ ଖାଇବେ । ଯେତେଦିନ ପର୍ଯ୍ୟନ୍ତ ଆପଣ ଗର୍ଭବତୀ ହେବାକୁ ଚାହୁଁ ନାହାନ୍ତି ସେତେଦିନ ପର୍ଯ୍ୟନ୍ତ ଏହି ବଟିକା ଖାଉଥାନ୍ତୁ । ଏହି ବଟିକା ଖାଉଥିଲାବେଳେ କୌଣସି ସ୍ଵତନ୍ତ୍ର ଖାଦ୍ଯ ଖାଇବାର ଆବଶ୍ୟକତା ନାହିଁ । ଯଦି ଆପଣ ଥଣ୍ଡା ବା ଅନ୍ୟ କୌଣସି କାରଣରୁ ରୋଗାକ୍ରାନ୍ତ ହୋଇପଡିଲେ ତେବେ ଏହି ଗର୍ଭନିରୋଧକ ବଟିକା ଖାଇବା ବନ୍ଦ କରିବେ ନାହିଁ, ପ୍ୟାକେଟ ସରିବା ପୂର୍ବରୁ ଆପଣ ଯଦି ବଟିକା ଖାଇବା ବନ୍ଦ କରି ଦିଅନ୍ତି ପୁନଶ୍ଚ ଗର୍ଭବତୀ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ପାର୍ଶ୍ଵ ପ୍ରଭାବ କେତେକ ମହିଳାଙ୍କ କ୍ଷେତ୍ରରେ ଏହି ଗର୍ଭ ନିରୋଧକ ବଟିକା ଖାଇଲାବେଳେ ପ୍ରଥମେ ପ୍ରଥମେ ସକାଳ ଅସୁସ୍ଥତା, ସ୍ତନରେ ଅସୁବିଧା, ବା ଗର୍ଭର ଅନ୍ୟାନ୍ୟ ପ୍ରାଥମିକ ଲକ୍ଷଣମାନ ଦେଖା ଦେଇପାରେ । କାରଣ ଏହି ବଟିକାରେ ଯେଉଁ ରାସାୟନିକ ଦ୍ରବ୍ୟ ଥାଏ, ତାହା ପ୍ରତ୍ୟକ ନାରୀର ଗର୍ଭାବସ୍ଥା କାଳରେ ତା’ ଦେହରୁ ଆପେ ଆପେ ନିର୍ଗତ ହୋଇ ରକ୍ତରେ ନିସୁଥିବା ରାସାୟନିକ ଦ୍ରବ୍ୟ ସହ ସମାନ । ଏହି ଲକ୍ଷଣ ପ୍ରକାଶ ପାଇଲେ ମହିଳାଟି ନିଜକୁ ଅସୁସ୍ଥ ବୋଲି ଭାବିବା ଉଚିତ୍ ନୁହେଁ । ୨/୩ ମାସ ପରେ ତାହା ଆପେ ଆପେ ଚାଲିଯାଏ । ଏହି ବଟିକା ଖାଉଥିବା ବେଳେ କେତେକ ମହିଳାଙ୍କର ସାଧାରଣ ମାସିକ ଋତୁସ୍ରାବବେଳେ ଯେତିକି ରକ୍ତସ୍ରାବ ହୁଏ ତା’ ଅପେକ୍ଷା କମ୍ ଅଥବା ବେଶୀ ରକ୍ତସ୍ରାବ ହୋଇପାରେ । ଏହି ପରିବର୍ତ୍ତନ ବିଶେଷ ଗୁରୁତ୍ଵପୂର୍ଣ୍ଣ ନୁହେଁ । ଭିନ୍ନ ମାତ୍ରାର ହରମୋନ୍ ବାଲା ଅନ୍ୟ କମ୍ପାନୀର ବଟିକା ଖାଇବା ଆରମ୍ଭ କରି ଦେଲେ ସମୟେ ସମୟେ ଏହି ଅସୁବିଧା ଆପେ ଆପେ ଠିକ୍ ହୋଇଯାଏ । ସବୁଜ ପୃଷ୍ଠାରେ ଏହି ବିଷୟରେ ବର୍ଣ୍ଣନା କରାଯାଇଛି । ଗର୍ଭ ନିରୋଧକ ବଟିକା ଖାଇବା କ୍ଷତିକାରକ କି ? ଅନ୍ୟ ଯେ କୌଣସି ଔଷଧ ପରି ଏହି ଜନ୍ମ ନିରୋଧକ ବଟିକା ଖାଇଲେ କେତେକ ଲୋକଙ୍କଠାରେ ସାମାନ୍ୟ ଅସୁବିଧା ଦେଖା ଦେଇଥାଏ । ଏହି ଅସୁବିଧାମାନଙ୍କ ମଧ୍ୟରୁ ସବୁଠାରୁ ଅଧିକ କ୍ଷତିକାରକ ହେଉଛି, ହୃଦୟ, ଫୁସୁଫୁସ୍ ଓ ମସ୍ତିସ୍କରେ ରକ୍ତ ଜମାଟ ବାନ୍ଧିଯିବା ମାତ୍ର ନାରୀଟି ବଟିକା ଖାଇବାଦ୍ଵାରା ରକ୍ତ ଜମାଟ ବାନ୍ଧିବାରେ ଯେତେ ଭୟ ଥାଏ, ନାରୀଟି ଗର୍ଭବତୀ ହେଲେ ତା’ ଠାରୁ ଅଧିକ ପରିମାଣରେ ରକ୍ତ ଜମାଟ ବାନ୍ଧିବାର ଆଶଙ୍କା ରହେ । ଗର୍ଭନିରୋଧକ ବଟିକା ବ୍ୟବହାରଦ୍ଵାରା ଖୁବ୍ କମ୍ ମହିଳା ଗର୍ଭବତୀ ହୋଇଥାନ୍ତି, ହାରାହାରୀ ହିସାବ କରି ଦେଖାଯାଇଛି ଯେ ବଟିକା ଖାଇବାଠାରୁ ଗର୍ଭବତୀ ହେବା ବା ସନ୍ତାନ ଜନ୍ମ କରିବା ୫୦ ଗୁଣ ଅଧିକ ମାରାତ୍ମକ । ଯଦି ଜଣେ ମହିଳା ବଟିକା ଖାଇବା ସତ୍ତ୍ୱେ ବି ଗର୍ଭଧାରଣ କରନ୍ତି ସେ ତୁରନ୍ତ ବଟିକା ଖାଇବା ବନ୍ଦ କରିଦିଅନ୍ତୁ । କାରଣ ଏହା ଶିଶୁପାଇଁ କ୍ଷତିକାରକ । ଅଧିକାଂଶ ମହିଳାଙ୍କ ପାଇଁ ଗର୍ଭ ନିରୋଧକ ବଟିକା ଅପେକ୍ଷାକୃତ ନିରାପଦ ଅଟେ । ଗର୍ଭବତୀ ହେବାଠାରୁ ନିଶ୍ଚିତଭାବରେ ଏହା ଅଧିକ ନିରାପଦ । ଅଧିକ ଆଉ କେତେକ ମହିଳାଙ୍କ ପାଇଁ ଗର୍ଭବତୀ ହେବା ଓ ଏହି ଜନ୍ମ ନିରୋଧକ ବଟିକା ଖାଇବା ଉଭୟ କ୍ଷତିକାରକ । ଏହି ମହିଳାମାନେ ଜନ୍ମ ନିରୋଧର ଅନ୍ୟ ପ୍ରଣାଳୀ ଅନୁସରଣ କରିବା ଉଚିତ୍ । କେଉଁମାନଙ୍କର ଜନ୍ମ ନିରୋଧକ ବଟିକା ଖାଇବା ଉଚିତ୍ ନୁହେଁ । ଯେଉଁମାନଙ୍କଠାରେ ନିମ୍ନଲିଖିତ ଅସୁବିଧାମାନ ଦେଖାଯାଉଥିବ ସେମାନେ ଗର୍ଭ ନିରୋଧକ ବଟିକା ବା ଇଞ୍ଜେକ୍ସନ ଗ୍ରହଣ କରିବା ଉଚିତ୍ ନୁହେଁ । ଗୋଟିଏ ଗୋଡ ବା ପିଚାରେ ଖୁବ୍ ଜୋରରେ ଓ କ୍ରମାଗତ ଭାବରେ ପୀଡା ହେଲେ : ଏହା ଏକ ଶିରା ଫୁଲିଯିବା ଯୋଗୁଁ ହୋଇଥାଏ । ଜନ୍ମ ନିୟନ୍ତ୍ରଣ ବଟିକା ଖାଆନ୍ତୁ ନାହିଁ । ବଟିକା ଖାଇବା ଫଳରେ ଯେଉଁ ମହିଳାମାନଙ୍କର ନାଗରା ଶିରା ଫୁଲିଯାଉଛି ଓ ବିନ୍ଧା ଛିଟିକା ହେଉଛି ସେମାନେ ବଟିକା ଖାଇବା ଉଚିତ୍ ନୁହେଁ । ଯଦି ବଟିକା ଖାଇବା ଫଲରେ ନାଗରା ଶିରା ଫୁଲିଯାଉ ନାହିଁ ତେବେ ସେହି ମହିଳାମାନେ ବଟିକା ଖାଇପାରିବେ । କିନ୍ତୁ ଶିରା ଫୁଲିଲେ ବଟିକା ଖାଇବା ବନ୍ଦ କରିଦେବେ । ଯେଉଁ ମହିଳାଙ୍କର ମାସିକ ଋତୁସ୍ରାବ ଡେରିରେ ହୁଏ ଓ ଯେଉଁମାନେ ଭାବନ୍ତି ସେମାନେ ଗର୍ଭବତୀ ବୋଲି । ଏପିଲେପସି ପ୍ରଘାତ : ଯେଉଁ ମହିଳାମାନଙ୍କଠାରେ ପ୍ରଘାତର ଲକ୍ଷଣ ପ୍ରକାଶ ପାଏ ସେମାନେ ଜନ୍ମ ନିରୋଧକ ବଟିକା ଖାଇବା ଉଚିତ୍ ନୁହେଁ । ଯକୃତ ଶୋଥ : ସିରୋସିସ୍ ବା ହୃଦ୍ ରୋଗ : ଯେଉଁମାନଙ୍କଠାରେ ଏହି ସମସ୍ୟା ଦେଖାଦିଏ ବା ଗର୍ଭାବସ୍ଥା କାଳରେ ଯାହାର ଆଖି ହଳଦିଆ ଦେଖାଯାଏ ସେମାନେ ଏହି ବଟିକା ଖାଇବା ଉଚିତ୍ ନୁହେଁ । ଯକୃତ ଶୋଥ ବା ପ୍ଲୀହା ବଢିଥିଲେ ଏହା ହେବାର ବର୍ଷକ ପର ପର୍ଯ୍ୟନ୍ତ ବଟିକା ଖାଇବା ଉଚିତ୍ ନୁହେଁ । କ୍ୟାନସର : ଯଦି ଆପଣ ସ୍ତନ ବା ଗର୍ଭାଶୟରେ କର୍କଟ ରୋଗ ହୋଇଛି ବୋଲି ସନ୍ଦେହ କରୁଛନ୍ତି ତେବେ ଜନ୍ମ ନିରୋଧକ ବାଟିକା ଖାଆନ୍ତୁ ନାହିଁ, ଜନ୍ମ ନିରୋଧକ ବାରିକା ଖାଇବା ପୂର୍ବରୁ ଯତ୍ନର ସହ ଆପଣଙ୍କର ସ୍ତନକୁ ପରୀକ୍ଷା କରନ୍ତୁ । କେତେକ ସ୍ୱାସ୍ଥ୍ୟକେନ୍ଦ୍ରରେ ସରଭିକସ୍ ବା ଗର୍ଭାଶୟ ମୁଖର କ୍ୟାନସର ପରୀକ୍ଷା କରାଯାଏ । ସେଠାକୁ ଯାଇ ଆପଣ ସହଜରେ ଆପଣଙ୍କ ଗର୍ଭାଶୟ ମୁହଁରେ କ୍ୟାନସର ହୋଇଛି କି ନାହିଁ ପରୀକ୍ଷା କରିପାରିବେ । ଗର୍ଭ ନିରୋଧକ ବଟିକା କ୍ୟାନସର ସୃଷ୍ଟି କରେ ନାହିଁ ସତ୍ୟ କିନ୍ତୁ ଯଦି ଆଗରୁ ସ୍ତନ ବା ଜରାୟୁରେ କ୍ୟାନସର ଥାଏ, ତେବେ ଏହି ବଟିକା ତାକୁ ସାଘାଂତିକ କରିଥାଏ । ଯେଉଁ ମହିଳାମାନେ ତାଙ୍କର ସନ୍ତାନମାନଙ୍କୁ ସ୍ତନ୍ୟପାନ କରାଉଛନ୍ତୁ ସେମାନେ ଜନ୍ମ ନିରୋଧକ ବଟିକା ଖାଇବା ଉଚିତ୍ ନୁହେଁ । ଏହି ବଟିକା ଖାଇବାଦ୍ଵାରା ଶରୀରରେ ଆଗରୁ ଥିବା କେତେକ ନିର୍ଦ୍ଧିଷ୍ଟ ରୋଗ ଅଧିକ ବଢିଯାଏ । ତେଣୁ ଶରୀରରେ ନିମ୍ନଲିଖିତ ରୋଗ ରହିଥିଲେ ଜନ୍ମ ନିରୋଧକ ବଟିକା ନ ଖାଇ ଜନ୍ମ ନିୟନ୍ତ୍ରଣର ଅନ୍ୟ ଯେ କୌଣସି ପଦ୍ଧତିକୁ ଗ୍ରହଣ କରି ନେବା ଭଲ । ଅଧକପାଳି ବିନ୍ଧା : ଯେଉଁ ମହିଳାମାନଙ୍କର ଅଧକପାଳି ବିନ୍ଧୁଥାଏ ଓ ର୍ହା ସ୍ଥାୟୀରୂପେ ପୀଡାଦାୟକ ସମସ୍ୟାରୂପେ ଦେଖା ଦେଇଥାଏ ସେ ମହିଳାମାନେ ଗର୍ଭ ନିରୋଧକ ବଟିକାମାନ ଖାଇବା ଉଚିତ୍ ନୁହେଁ, କିନ୍ତୁ ଯଦି ମୁଣ୍ଡ ସାଧାରଣଭାବେ ବିନ୍ଧୁଥାଏ ଓ ଆସ୍ପିରିନ ଖାଇଲେ ଏହା ବନ୍ଦ ହୋଇଯାଏ ତେବେ ଗର୍ଭ ନିରୋଧକ ବଟିକା ଖାଇବା ବନ୍ଦ କରିବାର ଆବଶ୍ୟକତା ନାହିଁ । ପାଦଫୁଲା ସାଙ୍ଗକୁ ମୂତ୍ରାଶୟରେ ସଂକ୍ରମଣ ହେଲେ ହୃଦ୍ ରୋଗ ମାସିକ ଋତୁଧର୍ମ ସମୟରେ ଅଧିକ ପରିମାଣରେ ରକ୍ତସ୍ରାବ ହେଲେ । ଉଚ୍ଚ ରକ୍ତ ଚାପ ଯଦି ଆପଣଙ୍କର ଶ୍ଵାସ, ଯକ୍ଷ୍ମା, ମଧୁମେହ ଓ ମୂର୍ଚ୍ଛାରୋଗ ଥାଏ ତେବେ ଗର୍ଭନିରୋଧକ ବଟିକା ଖାଇବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ କରିବା ଭଲ ଅଧିକନ୍ତୁ ଅନେକ ମହିଳାଙ୍କର ଏହି ରୋଗ ଥିଲେ ହେଁ ସେମାନେ ଗର୍ଭ ନିରୋଧକ ବଟିକା ଖାଇ ପାରିବେ ଓ ସେମାନଙ୍କର କୌଣସି କ୍ଷତି ହେବ ନାହିଁ । ଭ୍ରମ ସଂଶୋଧନ ପାଇଁ କେତୋଟି ନିୟମ ଯଦି ଜଣେ ମହିଳା ଅନୁଭବ କରେ ଯେ : ସେ ଗୋଟିଏ ବଟିକା ଖାଇ ନାହାଁନ୍ତି । ସେ ମନେ ପଡିବା ସଙ୍ଗେ ସଙ୍ଗେ ବଟିକା ଖାଇ ନେବା ଉଚିତ୍ ଏବଂ ପରବର୍ତ୍ତୀ ଦିନ ବଟିକା ନିୟମିତ ସମୟରେ ଖାଇବା ଉଚିତ୍ । କ୍ରମାଗତ ୨ଟି ବଟିକା ଖାଇ ନାହାଁନ୍ତି । ମନେପଡିବା ସଙ୍ଗେ ସଙ୍ଗେ ସେ ୨ଟି ବଟିକା ଖାଇବେ । ପରବର୍ତ୍ତୀ ଦିନ ୨ଟି ବଟିକା ଖାଇବେ ଏବଂ ତାହାପରେ ଦୈନିକ ଗୋଟିଏ ବଟିକା ଖାଇବେ । ଏଥିସହିତ କେବଳ ସେହି ମାସ ପାଇଁ ଗର୍ଭ ନିରୋଧକ ଅନ୍ୟ କୌଣସି ଉପାୟ କରିବେ । କ୍ରମାଗତ ଦୁଇଟି ବାଟିକାରୁ ଅଧିକ ନ ଖାଇବା ସେ ତୁରନ୍ତ ବଟିକା ଖାଇବା ବନ୍ଦ କରିବା ଉଚିତ୍ ଓ ସେହି ମାସ ପାଇଁ ଗର୍ଭ ନିରୋଧର ଅନ୍ୟ ଉପାୟ ଅବଲମ୍ବନ କରିବା ଉଚିତ୍ । ତା’ପର ମାସ ମାସିକ ଋତୁସ୍ରାବ ସମୟରୁ ସେ ବଟିକା ପୁଣି ଥରେ ଖାଇବା ଆରମ୍ଭ କରିପାରିବେ । ଯଦି ଋତୁସ୍ରାବ ଡେରିରେ ହୁଏ ସେ ବଟିକା ଖାଇବା ବନ୍ଦ କରିବା ଉଚିତ୍ ନୁହେଁ । ସେ ଏଥିସହିତ ଗର୍ଭ ହୋଇଛି କି ନାହିଁ ଜାଣିବା ଉଚିତ୍ ଓ ସେହି ଅନୁସାରେ ବଟିକା ଖାଇବେ କି ନାହିଁ ସ୍ଥିର କରିବା ଉଚିତ୍ । ଗର୍ଭନିରୋଧକ ବଟିକା ଖାଉଥିବା ମହିଳାଙ୍କ ନିମନ୍ତେ କେତେକ ସତର୍କତା । ପ୍ରତି ମାସରେ ସ୍ତନରେ କୌଣସି ଗୁଟି ବା କ୍ୟାନସରର ଲକ୍ଷଣ ଅଛିକି ନାହିଁ ପରୀକ୍ଷା ଦେଖନ୍ତୁ । ପ୍ରତି ୬ ମାସରେ ଥରେ ଲେଖାଁ ନିଜର ରକ୍ତଚାପ ପରୀକ୍ଷା କରନ୍ତୁ । ଯଦି ଆପଣ ୩୫ ବର୍ଷ ବୟସରୁ ଅଧିକ, ତେବେ ଧୂମପାନ କରନ୍ତୁ ନାହିଁ । ଦିଆଯାଇଥିବା ବିଶୃଙ୍ଖଳା ପ୍ରତି ନଜର ଦିଅନ୍ତୁ । ଏହା ହୃଦ୍ ରୋଗର କାରଣ ହୋଇଥାଏ । ଖୁବ୍ ଜୋରରେ ତଥା ବାରମ୍ବାର ଅଧକପାଳି ବିନ୍ଧୁଥିଲେ । ମୁଣ୍ଡବିନ୍ଧା, ମୁଣ୍ଡ ଘୂରେଇବା, ବେଳେବେଳେ ଚେତାଶୂନ୍ୟ ହୋଇଯିବା, ଯାହା ଫଳରେ କହିବା, ଦେଖିବା ବା ଶରୀରର କୌଣସି ଅଙ୍ଗ ହଲଚଲ କରି ନ ହେବା । ପିଚା ଓ ଗୋଟିଏ ଗୋଡ ବିନ୍ଧିବା ସଙ୍ଗେ ସଙ୍ଗେ ଶିର ଫୁଲିବାପରି ଦିଶିବା । ଛାତିରେ ବାରମ୍ବାର ଯନ୍ତ୍ରଣା ଦେଖା ଦେଲେ । ଯଦି ଉପରୋକ୍ତ ଲକ୍ଷଣମାନଙ୍କ ମଧ୍ୟରୁ ଯେ କୌଣସିଟି ଲକ୍ଷଣ ପ୍ରକାଶ ପାଏ ତେବେ ଜନ୍ମ ନିରୋଧକ ବଟିକା ଖାଇବା ବନ୍ଦ କରନ୍ତୁ ଓ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ । ଅନ୍ୟାନ୍ୟ ପଦ୍ଧତି ଅନୁସରଣ କରି ଗର୍ଭ ଉଦୟ ବନ୍ଦ କରନ୍ତୁ ଓ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ, କାରଣ ଏହି ରୋଗୀମାନଙ୍କ ନିମନ୍ତେ ଗର୍ଭବତୀ ହେବା ମଧ୍ୟ ଭୟଙ୍କରଭାବେ ବିପଦଜନକ । ଆଧାର – ଓଡିଶା ଭଲ୍ୟୁଣ୍ଟାରୀ ହେଲଥ ଆସୋସିଏସନ