ଉପକ୍ରମ ଧନୁଷ୍ଟଙ୍କାର ରୋଗର ଜୀବାଣୁ ପଶୁ ଓ ମନୁଷ୍ୟର ମଳରେ ରହିଥାଏ ଓ ଏହା କ୍ଷତସ୍ଥାନ ଦେଇ ଶରୀର ମଧ୍ୟକୁ ପ୍ରବେଶ କଲେ ଧନୁଷ୍ଟଙ୍କାର ରୋଗ ହୋଇଥାଏ । ଗଭୀର ଓ ଅପରିଷ୍କାର କ୍ଷତ ବିଶେଷଭାବରେ ବିପଦଜନକ । ନବଜାତ ଶିଶୁକୁ ହେଉଥିବା ଧନୁଷ୍ଟଙ୍କାର ଲକ୍ଷଣ ଧନୁଷ୍ଟଙ୍କାର ରୋଗର ଜୀବାଣୁ ନାଭିମୂଳଦେଇ ନବଜାତ ଶିଶୁ ଶରୀରକୁ ପ୍ରବେଶ କରିଥାଏ । ଏହା ସାଧାରଣତଃ ପରିଚ୍ଛନ୍ନତାର ଅଭାବ ଓ ସହଜ ସାବଧାନତା ଅବଲମ୍ବନ ନ କରାଯିବାରୁ ହୋଇଥାଏ । ଯେତେବେଳେ ଅନ୍ତ୍ରନାଡୀକୁ ଏପରି ଛୁରୀ ବା ଦାଆରେ କଟାଯାଏ ଯାହାକି ସମ୍ପୂର୍ଣ୍ଣ ଜୀବାଣୁମୁକ୍ତ ନୁହେଁ ସେତେବେଳେ ଧନୁଷ୍ଟଙ୍କାରର ସମ୍ଭାବନା ବଢିଯାଏ । ଯଦି ନାଭି କଟା ଯାଇଥିବା ଜିନିଷଟି ଗରମପାଣିରେ ଫୁଟାଜାଇ ନ ଥାଏ ବା ସମ୍ପୂର୍ଣ୍ଣରୂପେ ପରିଷ୍କାର ରଖାଯାଇ ନ ଥାଏ ଯଦି କଟା ଯାଇଥିବା ନାଭିକୁ କଡା ଭାବରେ ବାନ୍ଧି ଦିଆଯାଏ ବା ଏହାକୁ ଶୁଖିଲା ରକ୍ଷା ନ ଯାଏ । ଯେତେବେଳେ ନାଭିମୂଳରେ ଗୋବର କିମ୍ବା ପାଉଁଶ ଲଗାଇ ଦିଆଯାଏ । ଧନୁଷ୍ଟଙ୍କାର ଲକ୍ଷଣ ସଂକ୍ରମିତ ଘା’ (କେତେକ ସମୟରେ ଘା’ ଦେଖାଯାଏ ନାହିଁ) ଗିଳିବାରେ କଷ୍ଟହେବା କଳପାଟି, ଗଳା ଏବଂ ଶରୀରର ଅନ୍ୟଭାଗର ମାଂସପେଶୀ ଟାଣ ହୋଇଯିବା କଳପାଟି ମାଂସପେଶୀ ସଙ୍କୁଚିତ ହୋଇ ଭୀଷଣ କଷ୍ଟ ହୁଏ । ବ୍ୟକ୍ତିଙ୍କୁ ଛୁଇଁଲେ ବା ହଲାଇଲେ ଏ ପ୍ରକାର ସଂକୋଚନ ଦେଖାଦେଇପାରେ । ନବଜାତଶିଶୁ କ୍ଷେତ୍ରରେ, ଜନ୍ମ ହେବାର ୩ରୁ ୧୦ ଦିନ ମଧ୍ୟରେ ସାଧାରଣତଃ ଧନୁଷ୍ଟଙ୍କାର ଲକ୍ଷଣ ଦେଖାଦେଇପାରେ । ପିଲାଟି ଲଗାତାର କାନ୍ଦେ ଓ ମା’ଙ୍କ ଠାରୁ କ୍ଷୀର ଖାଇବାକୁ ସକ୍ଷମ ହୁଏ ନାହିଁ । ନାଭିମୂଳ ପ୍ରାୟ ସମୟରେ ଅପରିଷ୍କାର ଓ ସଂକ୍ରମିତ ହୋଇଥାଏ । କିଛି ଘଣ୍ଟା ପରେ ବା କିଛି ଦିନପରେ ଦାନ୍ତମାଢି ଆଦି ଧନୁଷ୍ଟଙ୍କାରର ଅନ୍ୟାନ୍ୟ ଲକ୍ଷଣ ଆରମ୍ଭ ହୁଏ । ପ୍ରଥମ ଲକ୍ଷଣରେ ହିଁ ଧନୁଷ୍ଟଙ୍କାରର ଚିକିତ୍ସା ଆରମ୍ଭ କରିବା ଅତ୍ୟନ୍ତ ମହତ୍ତ୍ଵପୂର୍ଣ୍ଣ ଅଟେ ଯଦି ଆପଣ ଧନୁଷ୍ଟଙ୍କାର ବୋଲି ସନ୍ଦେହ କରନ୍ତି (ନବଜାତ ଶିଶୁ ସ୍ତନ୍ୟପାନ ଛାଡିଦିଏ ଓ ଲଗାତାର କାନ୍ଦେ) ତେବେ ପର ପୃଷ୍ଠାରେ ଦିଆଯାଇଥିବା ପରୀକ୍ଷା କରନ୍ତୁ । ଧନୁଷ୍ଟଙ୍କାର ଲକ୍ଷଣ ଦେଖିଲେ କ’ଣ କରିବେ ଧନୁଷ୍ଟଙ୍କାର ଏକ ମାରାତ୍ମକ ରୋଗ । ସଙ୍ଗେ ସଙ୍ଗେ ଡାକ୍ତରୀ ସାହାଯ୍ୟ ନିଅନ୍ତୁ । ଯଦି ସାହାଯ୍ୟ ମିଳିବାରେ ବିଳମ୍ବ ହେବାର ସମ୍ଭାବନା ଥାଏ, ତେବେ ନିମ୍ନଲିଖିତ କାର୍ଯ୍ୟ କରନ୍ତୁ । ସଂକ୍ରମିତ ହୋଇଥିବା ଘା’ କିମ୍ବା କ୍ଷତ ପାଇଁ ସାରା ଶରୀରକୁ ପରୀକ୍ଷା କରନ୍ତୁ । ବହୁ ସମୟରେ କ୍ଷତ ସ୍ଥାନରେ ପୂଜ ହୋଇଯାଇଥାଏ କ୍ଷତକୁ ଖୋଲି ଦିଅନ୍ତୁ ଏବଂ ସାବୁନ ଓ ଗରମପାଣିରେ ସଫା କରିଦିଅନ୍ତୁ, ମଇଳା, ପୂଜ, କଣ୍ଟା ଇତ୍ୟାଦି ସମ୍ପୂର୍ଣ୍ଣରୂପେ ବାହାର କରିଦିଅନ୍ତୁ । ହାଇଡ୍ରୋଜେନ ପେରକସାଇଡ ଥିଲେ ଘା’କୁ ଭଲଭାବରେ ଧୁଅନ୍ତୁ । ସଙ୍ଗେ ସଙ୍ଗେ ୧୦ ଲକ୍ଷ ୟୁନିଟର ପ୍ରୋକେନ ପେନିସିଲିନ ଇଞ୍ଜେକ୍ସନ ନିଅନ୍ତୁ ଓ ପ୍ରତି ୧୨ ଘଣ୍ଟା ପରେ ପୁଣି ନିଅନ୍ତୁ (ନବଜାତ ଶିଶୁପାଇଁ କ୍ରାଇଷ୍ଟାଲିନ ପେନିସିଲିନ ଅଧିକ ଭଲ) ଯଦି ପେନିସିଲିନ ନ ମିଳେ ଅନ୍ୟପ୍ରକାର ଜୀବାଣୁନାଶୀ ଯଥା ଟେଟ୍ରାସାଇକ୍ଲିନ ବ୍ୟବହାର କରନ୍ତୁ । ଯଦି ଆପଣ ପାଇପାରିବେ, ତେବେ ୪୦,୦୦୦ ରୁ ୫୦,୦୦୦ ୟୁନିଟର ଟିଟାନସ ଆଣ୍ଟିଟକସିନ (ଧନୁଷ୍ଟଙ୍କାର ପ୍ରତିବିଷ) ବା ୫,୦୦୦ ୟୁନିଟର ହ୍ୟୁମାନ ଇମୁନ ଗ୍ଲୋବୁଲିନ ଇଞ୍ଜେକ୍ସନ ଦିଅନ୍ତୁ । ସମସ୍ତ ପ୍ରକାରର ସାବଧାନତା ନିଶ୍ଚିତରୂପେ ପାଳନ କରନ୍ତୁ । ହ୍ୟୁମାନ ଇମୁନ ଗ୍ଲୋବୁଲିନରେ ତୀବ୍ର ଅନୁର୍ଜତାଜନିତ ବା ଏଲର୍ଜିକ ବିପଦ କମ ଥାଏ । ପ୍ରାୟ ଏହା ବହୁତ ଖର୍ଚ୍ଚ ବହୁଳ ଓ ଏହାକୁ ପାଇବା ବହୁତ କଷ୍ଟକର । ଯେତେ ପର୍ଯ୍ୟନ୍ତ ବ୍ୟକ୍ତି ଗିଳିପାରୁଛନ୍ତି, ଅଳ୍ପମାତ୍ରାରେ ବାରମ୍ବାର ପୁଷ୍ଟିକର ପାନୀୟ ଦିଅନ୍ତୁ । ଆକ୍ଷେପରୋଗ ଟଙ୍କାର କୁ ଆୟତ୍ତ କରିବାପାଇଁ ଫେନୋବାରବିଟାଲ ବା ଡାଇଜାପାମ ଇଞ୍ଜେକ୍ସନ ଦିଅନ୍ତୁ । ବୟସ୍କଙ୍କ ପାଇଁ ୧୦ରୁ ୨୦ ମି.ଗ୍ରା. କୁ ଆରମ୍ଭ କରନ୍ତୁ ଓ ଦରକାର ହେଲେ ବଢନ୍ତୁ । ବ୍ୟକ୍ତିକୁ ବାରମ୍ବାର ସ୍ପର୍ଶ କରନ୍ତୁ ନାହିଁ ବା ଏପଟ ସେପଟ କରନ୍ତୁ ନାହିଁ, ଶବ୍ଦ ଓ ଉଜ୍ଜ୍ଵଳ ଆଲୋକଠାରୁ ଦୂରେଇ ରହନ୍ତୁ । ଯଦି ଦରକାର ହୁଏ ଗୋଟିଏ ରବରନଳୀ ବ୍ୟବହାର କରନ୍ତୁ । ଏହାକୁ ଗୋଟିଏ ସିରିଞ୍ଜରେ ଲଗାଇ ଗଳା ଓ ନାକରୁ ଲାଳଅଂଶ ବାହାର କରିଦିଅନ୍ତୁ । ଏହା ନିଶ୍ଵାସପ୍ରଶ୍ଵାସ ପରିଷ୍କାର କରିବାରେ ସାହାଯ୍ୟ କରିବ । ଧନୁଷ୍ଟଙ୍କାର କିପରି ପ୍ରତିରୋଧ କରିବ ଏପରିକି ଖୁବ୍ ଭଲ ଡାକ୍ତରଖାନାରେ ମଧ୍ୟ ଧନୁଷ୍ଟଙ୍କାର ରୋଗୀମାନଙ୍କ ମଧ୍ୟରୁ ପ୍ରାୟ ଅର୍ଦ୍ଧେକ ମୃତ୍ୟୁ ମୁଖରେ ପଡିଥାଆନ୍ତି । ଧନୁଷ୍ଟଙ୍କାର ଚିକିତ୍ସା କରିବା ଅପେକ୍ଷା ଏହାର ନିବାରଣ କରିବା ଅଧିକା ସହଜ ସାଧ୍ୟ । ଇଞ୍ଜେକ୍ସନ ନେବା ଧନୁଷ୍ଟଙ୍କାର ପ୍ରତିରୋଧର ନିଶ୍ଚିତ ଉପାୟ । ଉଭୟ ବୟସ୍କ ଓ ପିଲା ଇଞ୍ଜେକ୍ସନ ନେବା ଉଚିତ୍ । ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରରେ ଆପଣଙ୍କ ପରିବାରର ସମସ୍ତଙ୍କୁ ଇଞ୍ଜେକ୍ସନ ଦିଅନ୍ତୁ । ଗର୍ଭବତୀ ନହିଳାଙ୍କୁ ଧନୁଷ୍ଟଙ୍କାର ବିରୁଦ୍ଧରେ ଇଞ୍ଜେକ୍ସନ ଦେବାଦ୍ଵାରା ନବଜାତ ଶିଶୁ ମଧ୍ୟ ଧନୁଷ୍ଟଙ୍କାର ରକ୍ଷା ପାଇଥାଏ । ଯେତେବେଳେ ଆପଣଙ୍କର କ୍ଷତ ହୋଇଛି ବିଶେଷତଃ ଗଭୀର ଓ ଅପରିଷ୍କାର କ୍ଷତ, ସେତେବେଳେ ବର୍ଣ୍ଣନା କରାଯାଇଥିବା ଅନୁଯାୟୀ ଏହା ପରିଷ୍କାର କରନ୍ତୁ ଓ ଯତ୍ନ ଦିଅନ୍ତୁ । ଯଦି କ୍ଷତଟି ଅପରିଷ୍କାର, ଗଭୀର ଓ ଖୁବ୍ ବଡ ହୋଇଥାଏ, ଡାକ୍ତରୀ ସାହାଯ୍ୟ ନିଅନ୍ତୁ । ଯଦି ଆପଣ ଧନୁଷ୍ଟଙ୍କାର ବିରୁଦ୍ଧରେ ଇଞ୍ଜେକ୍ସନ ନେଇ ନାହାନ୍ତି ତେବେ ପେନିସିଲିନ ନିଅନ୍ତୁ । ଆହୁରି ମଧ୍ୟ ଧନୁଷ୍ଟଙ୍କାର ପ୍ରତିବିଷ ନେବାପାଇଁ ଚେଷ୍ଟା କରନ୍ତୁ । ନବଜାତ ଶିଶୁମାନଙ୍କ କ୍ଷେତ୍ରରେ ଧନୁଷ୍ଟଙ୍କାରର ପ୍ରତିରୋଧ ପାଇଁ ପରିଚ୍ଛନ୍ନତା ଅତ୍ୟନ୍ତ ମହତ୍ତ୍ଵପୂର୍ଣ୍ଣ । ନାଭିକାଟିବାପାଇଁ ବ୍ୟବହାର କରାଯାଉଥିବା ଯନ୍ତ୍ର ଗରମପାଣିରେ ଫୁଟାଜାଇ ଜୀବାଣୁମୁକ୍ତ କରାଯିବା ଉଚିତ୍ । ନାଭିତାକୁ ଛୋଟକରି କାଟନ୍ତୁ ଏବଂ ନାଭିମୂଳ ସଂଲଗ୍ନ ଅଂଶକୁ ପରିଷ୍କାର ଓ ଶୁଖିଲା ରଖନ୍ତୁ । ଆଧାର – ଓଡିଶା ଭଲ୍ୟୁଣ୍ଟାରୀ ହେଲଥ ଆସୋସିଏସନ