ଉପକ୍ରମ ମଧ୍ୟମ ବୟସ କାଳରେ ତଥା ବୃଦ୍ଧାବସ୍ଥା କାଳରେ ଦେଖା ଦେଉଥିବା କେତେକ ରୋଗ ସେହି ବ୍ୟକ୍ତିଙ୍କର ଯୌବନ କାଳର ଚଳଣୀ ସହ ସମ୍ପର୍କିତ, ଅର୍ଥାତ୍ ଜଣେ ବ୍ୟକ୍ତି ତାଙ୍କର ଯୁବାବସ୍ଥାରେ କ’ଣ ଖାଉଥିଲେ, କିପରି ଚଳୁଥିଲେ, କେତେ ଧୂମପାନ କରୁଥିଲେ, କେତେ ମଦ୍ୟପାନ କରୁଥିଲେ ଏହି ସବୁ ଉପରେ ତାଙ୍କର ଉଚ୍ଚ ରକ୍ତଚାପ, ଧମନୀ ସଙ୍କୋଚନ, ହୃଦରୋଗ ପ୍ରଘାତ ଆଦି ନିର୍ଭର କରେ । ଉତ୍ତମ ଆହାର – ପୁଷ୍ଟିକର ଖାଦ୍ୟ ପ୍ରଚୁର ପରିମାଣରେ ଖାଇବା ଉଚିତ୍ । ଅଧିକ ତୈଳ ଜାତୀୟ ଖାଦ୍ୟ ବା ଗରିଷ୍ଠ ଖାଦ୍ୟ ଖାଇବା ଉଚିତ୍ ନୁହେଁ । ଆପଣ ଯେପରି ଅଧିକ ମୋଟା ହୋଇ ନ ଯାଆନ୍ତି ବା ଓଜନ ଅତ୍ୟଧିକ ବଢି ନ ଯାଏ ସେଥିପ୍ରତି ଦୃଷ୍ଟି ଦିଅନ୍ତୁ । ଅତ୍ୟଧିକ ମଦ୍ୟପାନ କରନ୍ତୁ ନାହିଁ । ଧୂମପାନ କରନ୍ତୁ ନାହିଁ । କିଛି ନା କିଛି ଶାରୀରିକ ତଥା ମାନସିକ କାର୍ଯ୍ୟରେ ଲିପ୍ତ ରୁହନ୍ତୁ । ଅଧିକ ବିଶ୍ରାମ କରନ୍ତୁ ଓ ସୁନିଦ୍ରା ଯାଆନ୍ତୁ । ଆପଣଙ୍କୁ ବ୍ୟସ୍ତ ତଥା ଉଦାସ କରୁଥିବା ସମସ୍ୟାମାନଙ୍କୁ ସିଧାସଳଖ ମୁକାବିଲା କରି ନିଶ୍ଚିତ ହେବା ଶିଖନ୍ତୁ । ଉଚ୍ଚ ରକ୍ତଚାପ ତଥା ଧମନୀ ସଙ୍କୋଚନ ଇତ୍ୟାଦି ଗୁଡିକ ହୃଦରୋଗ ତଥା ପ୍ରଘାତର ବିଶିଷ୍ଟ ଲକ୍ଷଣ ଭାବରେ ପରିଚିତ, ଉପରୋକ୍ତ ନିୟମ ପାଳନ କଲେ ତାହାକୁ ସହଜରେ ପ୍ରତିରୋଧ କରାଯାଇ ପାରିବ ବା କମାଇ ଦିଆଯାଇ ପାରିବ । ହୃଦରୋଗ ତଥା ପ୍ରଘାତରୁ ରକ୍ଷା ପାଇବାପାଇଁ ରକ୍ତଚାପ କମାଇବା ଏକାନ୍ତ ଜରୁରୀ । ଯେଉଁମାନଙ୍କର ଉଚ୍ଚ ରକ୍ତଚାପ ଥାଏ ସେମାନେ ବାରମ୍ବାର ଏହାକୁ ପରୀକ୍ଷା କରୁଥିବା ଆବଶ୍ୟକ ଓ ଏହାକୁ କମାଇବା ପାଇଁ ଯତ୍ନ କରିବା ଉଚିତ୍ । ଯେଉଁ ଲୋକ କମ୍ ଖାଇଲେ ଧୂମପାନ ଛାଡି ଦେଲେ, ବ୍ୟାୟାମ କଲେ, ବା ନିଶ୍ଚିତ ରହିଲେ ମଧ୍ୟ ତାଙ୍କର ଉଚ୍ଚ ରକ୍ତଚାପ କମୁନାହିଁ, ସେମାନଙ୍କର ଉଚ୍ଚ ରକ୍ତଚାପ କମାଇବା ପାଇଁ ଔଷଧ ସେବନ କରିବାକୁ ପଡିପାରେ । ପ୍ରଘାତ, ରକ୍ତାଘାତ, ମସ୍ତିସ୍କର ରକ୍ତବାହୀ ନଳୀର ଦୁର୍ଘଟଣା ବୃଦ୍ଧମାନଙ୍କର ପ୍ରଘାତ ବା ମସ୍ତିସ୍କର ରକ୍ତବାହୀ ନଳୀର ଦୁର୍ଘଟଣାର ସାଧାରଣ କାରଣ ହେଉଛି ରକ୍ତ ଜମାଟ ବାନ୍ଧିଯିବା ବା ମସ୍ତିସ୍କରୁ ରକ୍ତ କ୍ଷରଣ ହେବା । ଏଠାରେ ଏହି ରୋଗକୁ ପ୍ରଘାତ କହିବାର କାରଣ ହେଉଛି ଏହା ପୂର୍ବରୁ କୌଣସି ସୂଚନା ପ୍ରକାଶ ନ କରି ହଠାତ୍ ଆଘାତ କରିଥାଏ । ବ୍ୟକ୍ତି ହଠାତ୍ ବେହୋସ ହୋଇ ତଳେ ପଡି ଯାଆନ୍ତି । ତାଙ୍କ ମୁହଁ ଲାଲ ଦିଶେ, ନିଶ୍ଵାସ ଶ୍ରୁତିକଟୁ ଶୁଭେ, । ନାଡିର ଗତି କେତେବେଳେ ଦ୍ରୁତ ହୋଇଯାଏ ତ ପୁଣି କେତେବେଳେ ମନ୍ଥର ହୋଇଯାଏ । ଏହିପରି ବେହୋସ ଅବସ୍ଥାରେ ସେ ଘଣ୍ଟା ଘଣ୍ଟା ଅଥବା ଦିନ ଦିନ ଧରି ମଧ୍ୟ ରହି ପାରନ୍ତି । ଯଦି ବା ସେ ବଞ୍ଚନ୍ତି, ତେବେ ତାଙ୍କର କରିବା, ଦେଖିବା ତଥା ଚିନ୍ତା କରିବା ଆଦି କାର୍ଯ୍ୟ ସ୍ଵାଭାବିକ ହୋଇପାରେ ନାହିଁ । ଅଥବା ତାହାଙ୍କର ଶରୀରର ଗୋଟିଏ ପାଖ ଅଙ୍ଗ ଓ ମୁହଁ ଅଚଳ ହୋଇ ଯାଇପାରେ । ଛୋଟ ଛୋଟ ପ୍ରଘାତ ବ୍ୟକ୍ତିଙ୍କୁ ସଜ୍ଞାହୀନ ନ କରାଇ ଉପରୋକ୍ତ ସମସ୍ତ ଅନ୍ୟାନ୍ୟ ସମସ୍ୟା ସୃଷ୍ଟି କରିପାରେ । ପ୍ରଘାତ ଯୋଗୁଁ ସୃଷ୍ଟି ହେଉଥିବା ଛୋଟ ଛୋଟ ସମସ୍ୟାମାନ ବେଳେବେଳେ ସମୟାନୁସାରେ ଆସ୍ତେ ଆସ୍ତେ ଭଲ ହୋଇ ଯାଇଥାଏ । ଚିକିତ୍ସା ଲୋକଟିକୁ ଏପରି ଭାବରେ ବିଛଣାରେ ଶୁଆନ୍ତୁ ଯେପରି ତାଙ୍କର ମୁଣ୍ଡ ଗୋଦା ଅପେକ୍ଷା ଟିକିଏ ଉଚ୍ଚ ସ୍ଥାନରେ ରହିବ । ଯଦି ସେ ବେହୋସ ଥାଆନ୍ତି ତେବେ ତାଙ୍କର ମୁଣ୍ଡକୁ ପଛ ଆଡକୁ ରଖି ଗୋଟିଏ କଡ କରି ଶୁଆନ୍ତୁ । ଯାହା ଫଳରେ ତାଙ୍କର ଲାଳ ବା ବାନ୍ତି ସିଧା ପାଟି ବାଟ ଦେଇ ବାହାରକୁ ବାହାରି ଆସି ପାରିବ । ବେହୋସ ଥିବା ସମୟରେ ତାଙ୍କୁ କୌଣସି ଖାଦ୍ୟ, ପାନୀୟ ବା ଔଷଧ ଦିଅନ୍ତୁ ନାହିଁ । ଚିକିତ୍ସା ପାଇଁ ସମ୍ଭବ ହେଲେ ଡାକ୍ତରଖାନାର ସାହାଯ୍ୟ ନିଅନ୍ତୁ । ପ୍ରଘାତ ପରେ ଯଦି ବ୍ୟକ୍ତିଙ୍କର ପକ୍ଷାଘାତ ଦେଖାଯାଏ, ତେବେ ତାଙ୍କର ସେହି ଅଙ୍ଗର ଚାଳନା ପାଇଁ ଯତ୍ନ ନିଅନ୍ତୁ । ଏହାଦ୍ଵାରା ସେହି ଅଙ୍ଗ ଠିକ୍ ଭାବରେ କାମ କରିପାରିବ । ସେ ବାଡି ଧରି ଚାଲିବା ଉଚିତ୍ ଓ ସୁସ୍ଥ ଅଙ୍ଗ ସାହାଯ୍ୟରେ ରୋଗଗ୍ରସ୍ତ ଅଙ୍ଗକୁ ଯତ୍ନ ନେବା ଉଚିତ୍ । ସେ କ୍ରୋଧ ଓ ଅଧିକ ପରିଶ୍ରମ ନ କରିବା ଉଚିତ୍ । ମନେ ରଖନ୍ତୁ ଯଦି କୌଣସି ଯୁବକ ବା ମଧ୍ୟମ ବୟସ୍କ ବ୍ୟକ୍ତିଙ୍କର ହଠାତ୍ ମୁହଁର ଗୋଟିଏ ପାଖ ଅଚଳ ହୋଇଯାଏ ଓ ପ୍ରଘାତର ଅନ୍ୟ କୌଣସି ଲକ୍ଷଣ ପ୍ରକାଶ ପାଏନାହିଁ, ତେବେ ତାହା ସ୍ନାୟୁମାନଙ୍କର ଅସ୍ଥାୟୀ ପକ୍ଷାଘାତ ବା ବେଲ୍ ସ ପକ୍ଷାଘାତ ଅଟେ । ଏହା ଆପେ ଆପେ ସପ୍ତାହ ବା କେତେ ମାସ ପରେ ଠିକ୍ ହୋଇଯାଏ । ଏହାର କାରଣ ସାଧାରଣତଃ ଜଣା ପଡି ନାହିଁ । ଏଥିପାଇଁ କୌଣସି ଚିକିତ୍ସାର ଆବଶ୍ୟକତା ନାହିଁ । କେବଳ ଗରମ ପାଣି ସେକ କେତେକାଂଶରେ ଉପକାର କରିପାରେ । ଯଦି ଗୋଟିଏ ଆଖି ପୁରାପୁରି ବନ୍ଦ ହୋଇ ନ ଥାଏ ତେବେ ରାତ୍ରୀରେ ଏହା ଉପରେ ପଟି ବାନ୍ଧି ଦିଅନ୍ତୁ, କାରଣ ଏହା କଲେ ଚକ୍ଷୁଟି ଶୁଷ୍କ ହୋଇଯିବ ନାହିଁ । ବହୁମୂତ୍ର ରୋଗ ବହୁମୂତ୍ର ଏକ ପ୍ରକାର ଅସୁସ୍ଥତା ଅଟେ । ବହୁମୂତ୍ର ରୋଗୀର ରକ୍ତରେ ଅଧିକ ଶର୍କରା ଥାଏ । ସାଧାରଣତଃ ଅଗ୍ନାଶୟ ଏକ ପ୍ରକାର ହରମୋନ୍ କ୍ଷରଣ କରିଥାଏ ଯାହାକୁ ଇନସୁଲିନ୍ କୁହାଯାଏ, ଯାହା ଶର୍କରାକୁ ରକ୍ତରୁ କୋଷକୁ ପଠାଇଥାଏ । ବହୁମୂତ୍ର ରୋଗୀଙ୍କର ଏହି ହରମୋନ୍ ପ୍ରାୟ ନ ଥାଏ । ଏହି ରୋଗ ମଧ୍ୟ ଯୁବକ ଯୁବତୀମାନଙ୍କୁ ହୋଇପାରେ, କିନ୍ତୁ ସାଧାରଣତଃ ୪୦ ବର୍ଷ ବୟସରୁ ଉର୍ଦ୍ଧ୍ଵ ବ୍ୟକ୍ତିଙ୍କୁ ହୋଇଥାଏ । ଯେଉଁ ପିତା ମାତାଙ୍କର ଏହି ରୋଗ ଥାଏ ତାଙ୍କଠାରୁ ଜନ୍ମିତ ପିଲା ଏହି ରୋଗରେ ପଡିବାର ବହୁତ ସମ୍ଭାବନା ଥାଏ । ବହୁମୂତ୍ର ରୋଗର ଲକ୍ଷଣ ଉଗ୍ର କ୍ଷେତ୍ରରେ ଅତ୍ୟଧିକ ଶୋଷ ଲାଗିବା ଓଜନ ହାନି ବାରମ୍ବାର ପରିସ୍ରା ଲାଗିବା ହାତ ଓ ପାଦରେ ଯନ୍ତ୍ରଣା ହେବା ଅଧିକ ଭୋକ ଲାଗିବା ପାଦରେ ଘା’ ହୋଇ ନ ଶୁଖିବା ବିଭିନ୍ନ ପ୍ରକାର ସଂକ୍ରମଣ ଯଥା ଯକ୍ଷ୍ମା, ପରିସ୍ରା ପରୀକ୍ଷା ରକ୍ତରେ ଶର୍କରାର ପରିମାଣ ସୁଚାଇଥାଏ । ବେହୋସ ହୋଇଯିବା ଚିକିତ୍ସା ଖାଦ୍ୟ ବହୁମୂତ୍ର ରୋଗୀ ବିଶେଷ ଧରଣର ଖାଦ୍ୟ ଖାଇବା ଆବଶ୍ୟକ । ସେ ପ୍ରୋଟିନରେ ଭରପୂର ଖାଦ୍ୟ ଯଥା – ସବୁଜ ପନିପରିବା, ବିନ୍, ଅଣ୍ଡା, ମାଛ, ମାଂସ ଖାଇବା ଉଚିତ୍ । ଶ୍ଵେତସାର ଖାଦ୍ୟ ଖାଇବା ଉଚିତ୍ ନୁହେଁ । ଖାଦ୍ୟ ଯଥା – ଚାଉଳ, ଗହମ, ଟାପିଓକା, କମ୍ ପରିମାଣର ଖାଇବା ଉଚିତ୍ ଓ ଫଳ ଯଥା – କଦଳୀ, ସେଓ, ପଣସ ମଧ୍ୟ କମ୍ ଖାଇବା ଉଚିତ୍ । ବହୁ ମୂତ୍ର ରୋଗରେ ଆକ୍ରାନ୍ତ କେତେକ ବ୍ୟକ୍ତି ଜୀବନସାରା ଇନସୁଲିନ୍ ଇଞ୍ଜେକ୍ସନ ନେଇଥାନ୍ତି । ଏହି ରୋଗର ଚିକିତ୍ସା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ କରିବା ଉଚିତ୍ । ଡାକ୍ତରଙ୍କ ବିନା ପରାମର୍ଶରେ ଔଷଧ ବନ୍ଦ କରିବା ଉଚିତ୍ ନୁହେଁ । ଏହି ରୋଗର ଚିକିତ୍ସା ସହିତ ଅନ୍ୟାନ୍ୟ ସଂକ୍ରମଣର ମଧ୍ୟ ଚିକିତ୍ସା କରାଯାଏ । କାଲ ବା କାନ ଝାଇଁ ଝାଇଁ କରିବା କୌଣସି ବିନ୍ଧା ଛିଟିକା ନ ହୋଇ ବା ଅନ୍ୟାନ୍ୟ ଅସୁବିଧା ଦେଖା ନ ଦେଇ ଯଦି ଜଣେ ବ୍ୟକ୍ତି ଧୀରେ ଧୀରେ କାଲ ହୋଇ ଯାଆନ୍ତି, ଓ ସେ ପ୍ରାୟତଃ ଭଲ ହୁଅନ୍ତି ନାହିଁ । ଶୁଣିବା ପାଇଁ କେବଳ “ଶୁଣିବା ଯନ୍ତ୍ର” ସାହାଯ୍ୟ କରିପାରେ, କେବେ କେବେ କର୍ଣ୍ଣରେ ସଂକ୍ରମଣ ଯୋଗୁଁ ଲୋକଟି କାଲ, ଅଧିକ କର୍ଣ୍ଣମଳ ବା ମୁଣ୍ଡରେ ଆଘାତ ଯୋଗୁଁ କାଲ ହୋଇପାରେ । ଯଦି କୌଣସି ବୟସ୍କ ବ୍ୟକ୍ତିଙ୍କୁ ଖୁବ୍ ଜୋରରେ ଚକ୍କର ଆସିବା ସଙ୍ଗେ ସଙ୍ଗେ କାନରେ ଖୁବ୍ ଜୋରରେ ଝାଇଁ ଝାଇଁ ହେବା ଶୁଭେ ତେବେ ତାହା ମସ୍ତକ ଘୂର୍ଣ୍ଣନ ହେତୁକ ବ୍ୟାଧି ବା ମେନିୟର ରୋଗ ଅଟେ । ଏହି ବ୍ୟକ୍ତିଙ୍କୁ ଆଣ୍ଟିହିଷ୍ଟାମାଇନ ଔଷଧ ଯଥା ଡାଇମେନହାଇଡ୍ରିନେଟ ଦେବା ଉଚିତ୍ । ଯେତେ ଦିନ ପର୍ଯ୍ୟନ୍ତ ଏହି ଲକ୍ଷଣମାନ ଦୂର ନ ହୋଇଛି ସେତେଦିନ ପର୍ଯ୍ୟନ୍ତ ବିଛଣାରେ ଶୋଇ ରହିବା ଉଚିତ୍ ସେ ଖାଦ୍ୟରେ ଆଦୌ ଲୁଣ ଖାଇବା ଉଚିତ୍ ନୁହେଁ । ଯଦି ସେ ଶୀଘ୍ର ଆରୋଗ୍ଯ ନ ହୁଅନ୍ତି ବା ସମସ୍ୟା ବଢି ବଢି ଯାଉଥାଏ ତେବେ ସେ ତୁରନ୍ତ ଡାକ୍ତରଖାନାର ସହାୟତା ନେବା ଉଚିତ୍ । ନିଦ ନ ହେବା ବୃଦ୍ଧମାନେ, ଯୁବକମାନେ ଅପେକ୍ଷା କମ୍ ସମୟ ନିଦରେ ଶୋଇଥାନ୍ତି । ଲମ୍ବା ଶୀତ ରାତିରେ ସେମାନେ ନିଦରେ ଶୋଇ ନ ପାରି ଘଣ୍ଟା ଘଣ୍ଟା ବିଛଣାରେ ପଡି ରହନ୍ତି । କେତେକ ଔଷଧ ଖାଇଲେ ନିଦ ହୁଏ ସତ, କିନ୍ତୁ ନିହାତି ଦରକାର ନ ପଡିଲେ ଏହିଭଳି ଔଷଧ ଆଦୌ ଖାଇବା ଉଚିତ୍ ନୁହେଁ । ଭଲ ନିଦ ହେବାପାଇଁ କେତେକ ପ୍ରସ୍ତାବ ଦିନରେ ବ୍ୟାୟାମ କରନ୍ତୁ । କଫି ବା କଳା ଚା’ ପିଅନ୍ତୁ ନାହିଁ – ବିଶେଷତଃ ଉପରବେଳା ବା ସନ୍ଧ୍ୟାରେ ଆଦୌ ପିଅନ୍ତୁ ନାହିଁ । ଶୋଇବା ପୂର୍ବରୁ ଗୋଟିଏ ଗ୍ଲାସ ଗରମ କ୍ଷୀର ବା କ୍ଷୀର ସହ ସାମାନ୍ୟ କିଛି ମହୁ ମିଶାଇ ପିଅନ୍ତୁ । ଶୋଇବାକୁ ଯିବା ପୂର୍ବରୁ ଗରମ ପାଣିରେ ଗାଧୋଇ ପଡନ୍ତୁ । ଏ ସବୁ ସତ୍ତ୍ୱେ ଯଦି ଆପଣ ଶୋଇ ପାରୁ ନ ଥାନ୍ତି ତେବେ ଆଣ୍ଟିହିଷ୍ଟାମାଇନ ଔଷଧ ଯଥା – ପ୍ରୋମେଥାଜାଇନ୍ ବା ଡାଇମେନ୍ ହାଇଡ୍ରିନେଟ ଶୋଇବାର ଅଧଘଣ୍ଟା ପୂର୍ବରୁ ଖାଇବାକୁ ଚେଷ୍ଟା କରନ୍ତୁ ଅନ୍ୟାନ୍ୟ ପ୍ରଭାବଶାଳୀ ନିଦ୍ରାକାରକ ଔଷଧମାନ ସେବନ କଲେ ଯେପରି କ୍ରମେ ତାହା ଅଭ୍ୟାସରେ ପରିଣତ ହୋଇଯାଏ, ଉପରୋକ୍ତ ଔଷଧମାନ ସେବନ ଫଳରେ ତାହା ଅଭ୍ୟାସରେ ପରିଣତ ହୁଏ ନାହିଁ । ଆଧାର – ଓଡିଶା ଭଲ୍ୟୁଣ୍ଟାରୀ ହେଲଥ ଆସୋସିଏସନ