ଉପକ୍ରମ ବାଳମୂଳିଆ ଓ ବଥ ଏକ ପ୍ରକାର ସଂକ୍ରମଣରୁ ସୃଷ୍ଟି ହୁଏ, ଏଥିଯୋଗୁଁ ଚର୍ମ ତଳେ ସ୍ଥାନେ ସ୍ଥାନେ ପୂଜ ଜମିଯାଇ ଛୋଟ ଛୋଟ ପୂଜ ଥଳୀ ସୃଷ୍ଟି କରିଥାଏ । ଅପରିଷ୍କାର ଛୁଞ୍ଚିରେ ଇଞ୍ଜେକ୍ସନ ଦେବା ଯୋଗୁଁ ବା କୌଣସି କ୍ଷତରୁ ଏହାର ଆରମ୍ଭ ହୋଇଥାଏ । ବାଳମୂଳିଆ ବା ବଥ ଭୀଷଣ ଯନ୍ତ୍ରଣାଦାୟକ ହୋଇଥାଏ ଏବଂ ଏହାର ଚାରିପାଖ ଲାଲ ଓ ଗରମ ହୋଇଯାଏ, ଏହା ଯୋଗୁଁ ଲସୀକାଗ୍ରନ୍ଥୀ ଫୁଲିଯାଏ ଏବଂ ଜ୍ଵର ହୋଇଥାଏ । ଚିକିତ୍ସା ବଥ ଉପରେ ଦିନକୁ ଅନେକଥର ଗରମ ସେକ ଦିଅନ୍ତୁ । ବଥକୁ ଜବରଦସ୍ତ ଫଟାଇବାକୁ ଚେଷ୍ଟା କରନ୍ତୁ ନାହିଁ । ଏହା ଆପେ ଆପେ ଫାଟିବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ । ଫାଟିଗଲା ପରେ ମଧ୍ୟ ଏହା ଉପରେ ଗରମ ସେକ ଦେଉଥାନ୍ତୁ । ସମସ୍ତ ପୂଜ ବାହାରି ଆସିବାଯାଏଁ ଅପେକ୍ଷା କରନ୍ତୁ । ବଥକୁ ଚିପନ୍ତୁ ନାହିଁ ଅଥବା ଚାପ ଦିଅନ୍ତୁ ନାହିଁ । କାରଣ ଏହା ଫଳରେ ତାହା ଶରୀରର ଅନ୍ୟ ଅଂଶକୁ ସଂକ୍ରମଣ ହୋଇଯିବାର ଭୟ ଥାଏ । ଯଦି ବଥ ହେବା ଯୋଗୁଁ ଶରୀରର ଲସୀକା ଗ୍ରନ୍ଥୀ ଫୁଲିଯାଏ ବା ଜ୍ଵର ହୁଏ, ତେବେ ପେନିସିଲିନ ବଟିକା ଓ ଏରିଥ୍ରୋମାଇସିନ ଗ୍ରହଣ କରନ୍ତୁ । ଭୀଷଣ କୁଣ୍ଡେଇ ହେଉଥିବା ଅଗିଆବାତ, ବାଡିରେ ପିଟିଲା ଭଳି ଦାଗ ବା ମଧୁଚକ୍ର ଏଲର୍ଜି ଥିବା ଲୋକେ କେତେକ ନିର୍ଦ୍ଧିଷ୍ଟ ଜିନିଷକୁ ଛୁଇଁଲେ, ଇଞ୍ଜେକ୍ସନ ଦ୍ଵାରା ଗ୍ରହଣ କଲେ ବା ପ୍ରଶ୍ଵାସରେ ଗ୍ରହଣ କଲେ ତାଙ୍କର କୁଣ୍ଡେଇ ହୁଏ ଓ ଦେହସାରା ମନ୍ଦା ମନ୍ଦା ହୋଇ ଅଗିଆବାତ ବା ମଧୁଚକ୍ର ଭଳି ଫଳିଯାଏ । ମଧୁଚକ୍ର ମନ୍ଦା ମନ୍ଦା ହୋଇ ବହଳିଆ ଆକାରରେ ଚର୍ମ ଉପରେ ଫଳିଯାଏ । ଏହା ହଠାତ୍ ଠିକ୍ ଦଳେ ମହୁମାଛି ବସିଲା ପରିଦେଖାଯାଏ ଏବଂ ଭୀଷଣଭାବେ କୁଣ୍ଡେଇ ହୁଏ, ଏହା ହଠାତ୍ ଶରୀର ଉପରେ ଦେଖାଦେଇ ଅଳ୍ପ ସମୟ ପରେ ଉଭାନ୍ ହୋଇପାରେ କିମ୍ବା ଗୋଟିଏ ସ୍ଥାନରୁ ଯାଇ ଆଉ ଗୋଟିଏ ସ୍ଥାନରେ ମଧ୍ୟ ଦେଖା ଦେଇପାରେ । କୌଣସି ଔଷଧ ସେବନ କଲା ପରେ କିଛି ବିଲକ୍ଷଣ ପ୍ରକାଶ ପାଇଲେ ସେଥିପ୍ରତି ସର୍ବଦା ସତର୍କ ରହିବେ, ବିଶେଷତଃ ପେନିସିଲିନ, ଆମ୍ପିସିଲିନ, ସଲ୍ଫା ଫେନୋବାରବିଟନ, ଆଣ୍ଟିଭେଟନ ବା ଘୋଡା ରକ୍ତ ରସରୁ ପ୍ରସ୍ତୁତ ଆଣ୍ଟିଟକସିନ ଆଦି ଗ୍ରହଣ କଲାପରେ କେହି କେହି ଲୋକଙ୍କଠାରେ ଭୟଙ୍କର ବିଲକ୍ଷଣ ପ୍ରକାଶ ପାଏ । ଏହି ଔଷଧମାନଙ୍କୁ ସେବନ କରିବାର ଅଳ୍ପ କେତୋଟି ମିନିଟ୍ ମଧ୍ୟରେ ଦେହରେ ମନ୍ଦା ମନ୍ଦା ହୋଇ ଫୁଲିଯାଏ ବା କୁଣ୍ଡାଇ ହୁଏ ଏବଂ ଏହା ୧୦ ଦିନ ପର୍ଯ୍ୟନ୍ତ ଚାଲୁ ରହେ । ଯଦି ଆପଣ କୌଣସି ଔଷଧ ସେବନ କଲାପରେ ଅଥବା ଇଞ୍ଜେକ୍ସନ ଗ୍ରହଣ କରିବା ପରେ ଦେହ ହାତ କୁଣ୍ଡାଇ ହୁଏ କିମ୍ବା ମନ୍ଦାମନ୍ଦା ଫଳିଗଲା ଭଳି ବିଲକ୍ଷଣ ପ୍ରକାଶ ପାଏ, ତେବେ ସଙ୍ଗେ ସଙ୍ଗେ ସେହି ଔଷଧ ଖାଇବା ବନ୍ଦ କରି ଦିଅନ୍ତୁ ଓ ଜୀବନରେ ଆଉ କେବେ ସେ ଔଷଧ ବ୍ୟବହାର କରନ୍ତୁ ନାହିଁ । ଏଲର୍ଜିକ ଆକ୍ରମଣକୁ ପ୍ରତିରୋଧ କରିବା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ଅଟେ । କୁଣ୍ଡିଆର ଚିକିତ୍ସା ଥଣ୍ଡା ପାଣିରେ ସ୍ନାନ କରନ୍ତୁ ବା ଏଥିରେ ଥଣ୍ଡା ସେକ ଦିଅନ୍ତୁ । (ଲୁଗାକୁ ଥଣ୍ଡା ପାଣି ବା ବରଫା ପାଣିରେ ଭିଯାଇ ଏହା ଉପରେ ବାରମ୍ବାର ଥାପନ୍ତୁ) ଧା ଗହମ ଚୂନାରେ ଥାପିଲେ ମଧ୍ୟ ଏଥିରୁ ଉପଶମ ମିଳେ । ପାଣିରେ ଗହମ ପକାଇ ତାହାକୁ ଚୂଲି ଉପରେ ସିଝାନ୍ତୁ ଓ ଘାଣ୍ଟନ୍ତୁ । କିଛି ସମୟ ପରେ ତାହାକୁ ଚୂଲି ଉପରୁ ଓହ୍ଲାଇ ଛାଣନ୍ତୁ । ଏହା ଥଣ୍ଡା ହୋଇଗଲା ପରେ ଆକ୍ରାନ୍ତ ହୋଇଥିବା ସ୍ଥାନରେ ବ୍ୟବହାର କରନ୍ତୁ । (ଗହମ ପରିବର୍ତ୍ତେ ମଇଦା ମଧ୍ୟ ବ୍ୟବହାର ହୋଇପାରେ) । ଯଦି କୁଣ୍ଡେଇ ହେବା ସାଘାଂତିକ ହୁଏ ତେବେ କ୍ଲୋରଫେନିରାମାଇନ ଭଳି ଆଣ୍ଟିହିଷ୍ଟାମିନ ଔଷଧ ଗ୍ରହଣ କରିବା ଉଚିତ୍ । ଶିଶୁକୁ ତା ନଖଦ୍ଵାରା ରାମ୍ପୁଡା ହୋଇ ଖଣ୍ଡିଆ ଖାବରା ହେବାରୁ ରକ୍ଷା କରିବାକୁ ହେଲେ ତାର ନଖକୁ କାଟି ଛୋଟ କରିଦିଅନ୍ତୁ ଓ ତାର ଦୁଇ ହାତରେ ମୋଜା ବା ଦସ୍ତାନା ପିନ୍ଧାଇ ଦିଅନ୍ତୁ । ଉଦ୍ଭିଦ ବା ଅନ୍ୟାନ୍ୟ ଜିନିଷ ଯାହା ଚର୍ମରେ ଲାଗିଲେ କୁଣ୍ଡେଇ ହୁଏ ବା ଚର୍ମ ଜଳିଗଲା ପରି ଲାଗେ ବିଛୁଆତି, ବାଇଡଙ୍କ ତଥା ଅନ୍ୟାନ୍ୟ କେତେକ ବିଷାକ୍ତ ଲତା ବା ଚାରା ଚର୍ମରେ ଲାଗିଲେ ଭିଦନ କୁଣ୍ଡେଇ ହୁଏ । ଦାନାଦାନା ବା ଚକାଚକା ହୋଇ ଫଳିଯାଏ ବା ଭୀଷଣ ପୋଡେ । ସଂବାଳୁଆ ଆଦି କେତେକ କୀଟଙ୍କର ଲାଳ ଓ ଲୋମ ଲାଗିଲେ ମଧ୍ୟ ଏହିପରି ପ୍ରତିକ୍ରିୟା ଦେଖାଦେଇଥାଏ । ଏପରି କେତେକ ଜିନିଷ ଅଛି ଯାହା ଏଲର୍ଜି ହେଉଥିବା ଲୋକଙ୍କ ଚର୍ମରେ ଲାଗିଲେ ବା ଲୋକେ ସେସବୁ ଛୁଇଁଲେ ଭୀଷଣ କୁଣ୍ଡେଇ ହୁଏ ଓ ମନ୍ଦା ମନ୍ଦା ହୋଇ ଘା’ ହୋଇଯାଏ, ରବର ଯୋତା, ଘଣ୍ଟାର ଚମଡା ବ୍ୟାଣ୍ଡ, କାନରେ ପକା ହେଉଥିବା ତରଳ ଔଷଧ ବା ଅନ୍ୟ କେତେକ ଔଷଧ, ମୁହଁରେ ବ୍ୟବହାର ହେଉଥିବା କ୍ରିମ, ବିଭିନ୍ନ ସୁଗନ୍ଧ ଦ୍ରବ୍ୟ ଓ କେତେକ ସାବୁନ ଆଦି ବ୍ୟବହାର ଦ୍ଵାରା ଏହିଭଳି ଅସୁବିଧା ସୃଷ୍ଟି ହୋଇଥାଏ । ଚିକିତ୍ସା ଯେଉଁ ଦ୍ରବ୍ୟମାନଙ୍କର ସଂସ୍ପର୍ଶରେ ଆସିଲେ ଏହିଭଳି ଏଲର୍ଜି ପ୍ରତିକ୍ରିୟାମାନ ପ୍ରକାଶ ପାଇଥାଏ, ସେହି ଦ୍ରବ୍ୟମାନଙ୍କୁ ଆଉ ଚର୍ମରେ ଲାଗିବାକୁ ନ ଦେଲେ ଏହା ଆପେ ଆପେ ଭଲ ହୋଇଯାଏ, ଆସପ୍ରିନ ବା ଆଣ୍ଟିହିଷ୍ଟାମିନ ଔଷଧ ବ୍ୟବହାର କରିପାରନ୍ତି । ଅତି ସାଘାଂତିକ ଅବସ୍ଥାବେଳେ ଆପଣ କର୍ଟିସୋନ ଥିବା ଏକ କ୍ରିମ ଅଥବା କର୍ଟିକୋଷ୍ଟିରଏଡ ବ୍ୟବହାର କରିପାରନ୍ତି । ବର୍ତ୍ତୁଳାକାର ବିସର୍ପିକା ଲକ୍ଷଣ ଯଦି ଶରୀରର ଗୋଟିଏ ପାଖରେ ହଠାତ୍ ଧାଡିଏ ବା ମନ୍ଦାଏ ଦାନା ଦାନା ହୋଇ ଫୋଟକା ବାହାରେ ଓ ତାହା ଭୀଷଣ ଯନ୍ତ୍ରଣାଦାୟକ ହୁଏ ତେବେ ତାହା ହୁଏତ ବର୍ତ୍ତୁଳାକାର ବିସର୍ପିକା ହୋଇପାରେ । ଏହା ପ୍ରାୟତଃ ପିଠି, ଛାତି, ବେକ ଓ ମୁହଁ ଆଦିରେ ଦେଖା ଦେଇଥାଏ । ଏହି ଫୋଟକାମାନ ୨ ବା ୩ ସପ୍ତାହ ରହିଲା ପରେ ଆପେ ଆପେ ଭଲ ହୋଇଯାଆନ୍ତି । ସମୟେ ସମୟେ ଫୋଟକା ଚାଲିଗଲା ପରେ ମଧ୍ୟ ଆକ୍ରାନ୍ତ ହୋଇଥିବା ସ୍ଥାନରେ ଯନ୍ତ୍ରଣା ରହିଥାଏ ବା ବହୁଦିନ ପରେ ମଧ୍ୟ ସେ ସ୍ଥାନରେ ପୁନର୍ବାର ଯନ୍ତ୍ରଣା ହୋଇପାରେ । ହାଡଫୁଟି ସୃଷ୍ଟି କରୁଥିବା ଭୂତାଣୁମାନଙ୍କଦ୍ଵାରା ଏହି ରୋଗ ସୃଷ୍ଟି ହୋଇଥାଏ । ସାଧାରଣତଃ ଯେଉଁ ବ୍ୟକ୍ତିମାନଙ୍କୁ ପୂର୍ବରୁ ହାଡଫୁଟି ହୋଇଥାଏ, ସେହିମାନଙ୍କଠାରେ ଏହି ରୋଗ ପ୍ରବଳ ଆକାରରେ ଦେଖା ଦେବାର ସମ୍ଭାବନା ଅଧିକ ଥାଏ, ଏହା ସେପରି କ୍ଷତିକାରକ ନୁହେଁ । (କିନ୍ତୁ ବୃଦ୍ଧ/ ବୃଦ୍ଧାମାନଙ୍କଠାରେ ଏହି ଭଳି ଚିହ୍ନ ଦେଖାଗଲେ ତାହା ବେଳେବେଳେ କ୍ୟାନସର ରୋଗର ଲକ୍ଷଣରୂପେ ଉଭା ହୋଇଥାଏ । ଚିକିତ୍ସା ଘା’ ଉପରେ ହାଲକା କରି ପଟି ବାନ୍ଧି ଦିଅନ୍ତୁ ଯେପରି ପିନ୍ଧିଥିବା ଲୁଗା ଘସି ହୋଇ ଅଧିକ କ୍ଷତି ନ ହୁଏ । ଦରଜ ବା ବିନ୍ଧା କମାଇବାକୁ ଆସ୍ପିରିନ ବଟିକା ଖାଆନ୍ତୁ (ଜୀବାଣୁନାଶୀ ଔଷଧ ଫଳପ୍ରଦ ହୁଏ ନାହିଁ) । ଜେନିଟାଲ ହରପସ୍ ଏହା ଭୂତାଣୁଦ୍ଵାରା ହେଉଥିବା ଏକ ଯନ୍ତ୍ରଣା ଦାୟକ ଚର୍ମ ସଂକ୍ରମଣ ଅଟେ । ଏହି ସଂକ୍ରମଣ ହେଲେ ଜନନାଙ୍ଗରେ ଫୋଟକା ହୁଏ । ଯେଉଁମାନେ ମୌଖିକ ଯୌନ କ୍ରିୟା କରନ୍ତି ସେମାନଙ୍କ ମୁହଁରେ ଏହା କ୍ଵଚିତ ହୋଇଥାଏ । ଲକ୍ଷଣ ଯୌନ ଅଙ୍ଗ ଯଥା – ଲିଙ୍ଗ, ଯୋନି, ମଳଦ୍ଵାର, ପିଚା ଓ ଜଙ୍ଘରେ ୧ ବା ଅଧିକ ଯନ୍ତ୍ରଣା ଦାୟକ ଫୋଟକା ହୋଇଥାଏ । ଏହା ଫାଟି ଖୋଲା ଘା’ ହୋଇଯାଏ । ଏହା ଶୁଖିଗଲା ପରେ କାଛୁର ଆକାର ଧାରଣ କରେ । ଏହା ୩ ସପ୍ତାହରୁ ଅଧିକ ଜ୍ଵର, ମୁଣ୍ଡ ବିନ୍ଧା, ଥଣ୍ଡା ଓ ଲସୀକା ଗ୍ରନ୍ଥୀ ଫୁଲିବା ସହିତ ହୋଇଥାଏ । ମହିଳାମାନଙ୍କର ପରିସ୍ରା ସମୟରେ କଷ୍ଟ ହୁଏ । ଏହି ରୋଗର ସବୁ ଲକ୍ଷଣ ଚାଲିଗଲେ ମଧ୍ୟ ଭୂତାଣୁ ଶରୀରରେ ରହିଥାଏ । ଏପରି ବର୍ଷକ ପରେ ମଧ୍ୟ ଏହି ସଂକ୍ରମଣ ହୋଇଥାଏ । ଯାହା ସେହି ଏକ ଜାଗାରେ କମ୍ ପରିମାଣରେ ହୋଇଥାଏ । ଚିକିତ୍ସା ଏଥିରୁ ଭଲ ହେବା ପାଇଁ କୌଣସି ଔଷଧ ନାହିଁ । ଫୋଟକା ହୋଇଥିବା ସ୍ଥାନ ପରିଷ୍କାର ରଖିବା ଉଚିତ୍ । ଏହି ଫୋଟକା ହୋଇଥିବା ସମୟରେ ଯୌନକ୍ରିୟା କରିବା ଉଚିତ୍ ନୁହେଁ । ଏପରିକି ନିରୋଧ ଲଗାଇ ମଧ୍ୟ । ଘା’ରେ ହାତ ଲାଗିବା ଉଚିତ୍ ନୁହେଁ । କାରଣ ଏହାଦ୍ଵାରା ହାତରେ ଭୂତାଣୁ ଆସି ଆଖି ମଳିବାଦ୍ଵାରା ଆଖି ସଂକ୍ରମଣ ହୋଇଥାଏ । ସତର୍କତା ଯଦି ଜଣେ ଗର୍ଭବତୀ ଏହି ସଂକ୍ରମଣ ଥାଏ ସେ ପ୍ରସାବ ସମୟରେ ପିଲାକୁ ସଂକ୍ରମିତ କରିଥାଏ । ଏହା ବହୁତ ବିପଦଜନକ । ଏଣୁ ଏହି ରୋଗ ପ୍ରତି ସତର୍କ ରହିବା ଉଚିତ୍ । ଯାଦୁ ଶୈବାଳ ସଂକ୍ରମଣ ଶରୀରର ଯେ କୌଣସି ଅଂଶରେ ହୋଇପାରେ କିନ୍ତୁ ପ୍ରାୟତଃ ନିମ୍ନଲିଖିତ ଅଙ୍ଗ ଗୁଡିକରେ ଏହା ଅଧିକ ଦେଖା ଦେଇଥାଏ । ଅଧିକାଂଶ ଶୈବାଳ ସଂକ୍ରମଣ ଚକା ବା ନୁଦ୍ରିକା ଆକାରର ହୋଇ ଆରମ୍ଭ ହୋଇଥାଏ, ଏହା ସବୁବେଳେ କୁଣ୍ଡାଇ ହୁଏ, ମୁଣ୍ଡରେ ଯାଦୁ ହେଲେ ଖ[ପୁରୀରେ ଗୋଲାକାର ଚିହ୍ନ ଦେଖାଯାଏ ଓ ସେ ସ୍ଥାନରୁ କେଶ ଉପୁଡି ଯାଏ । ଆଙ୍ଗୁଠି ସନ୍ଧିରେ ଛତୁ ସଂକ୍ରମଣରୁ ସୃଷ୍ଟି ହୋଇଥିବା ଘା’ ମାନ ବହୁତ ବହଳିଆ ଓ ଆବୁଡା ଖାବୁଡା ହୋଇଥାଏ । ଚିକିତ୍ସା ଆକ୍ରାନ୍ତ ହୋଇଥିବା ଅଂଶକୁ ସବୁଦିନ ସାବୁନ ଓ ପାଣିରେ ଧୁଅନ୍ତୁ । ସମ୍ଭବ ହେଲେ ହେକସାକ୍ଲୋରଫିନ ମିଶ୍ରିତ ସାବୁନ ବ୍ୟବହାର କରନ୍ତୁ । ଘା’ ହୋଇଥିବା ସ୍ଥାନରେ ଯେପରି ଖୋଳ ପବନ ଓ ସୂର୍ଯ୍ୟକିରଣ ବାଜି ପାରିବ ସେଥିପ୍ରତି ଯତ୍ନବାନ ହୁଅନ୍ତୁ । ଝାଳ ହେବାମାତ୍ରେ ତଳେ ପିନ୍ଧୁଥିବା ବସ୍ତ୍ର ଯଥା : ଅଣ୍ଡରୱୟାର, ମୋଜା ଇତ୍ୟାଦିକୁ ବଦଳାଇ ଦିଅନ୍ତୁ । ଗନ୍ଧକ ଓ ତେଲର ମିଶ୍ରଣରୁ ପ୍ରସ୍ତୁତ ତୈଳ ବ୍ୟବହାର କରନ୍ତୁ ସାଲିସିଲିକ ବା ଅନଡିସାଇଲେନିକ ବା ଟୋଲନାଫଟେଟ ଅମ୍ଳରୁ ପ୍ରସ୍ତୁତ ଅଞ୍ଜନ (ହ୍ଵାଇଟଫିଲ୍ଡ ଆଏଣ୍ଟମେଣ୍ଟ ବ୍ୟବହାର କଲେ ହାତ ଓ ଗୋଡ, ଆଙ୍ଗୁଠି ସନ୍ଦି ଘା’ ଓ ଜଙ୍ଘ ସନ୍ଦିରେ ହୋଇଥିବା ଘା’ ମାନଙ୍କୁ ଆରୋଗ୍ୟ କରିବାରେ ସହାୟକ ହୋଇଥାଏ । ଖପୁରି ଉପରେ ହୋଇଥିବା ଭୟଙ୍କର ଟିନିଆ ବା ଅନ୍ୟ କୌଣସି ଅଙ୍ଗରେ ଏହି ଛତୁ ସଂକ୍ରମଣ ଭୀଷଣ ଆକାର ଧାରଣ କଲେ ବା ଉପରୋକ୍ତ ଚିକିତ୍ସା ଅନୁସାରେ ଆରୋଗ୍ୟ ନ ହେଲେ ଗ୍ରିସୋଫୁଲଭିନ୍ ଗ୍ରହଣ କରନ୍ତୁ । ବୟସ୍କଙ୍କ ପାଇଁ ଏକ ଗ୍ରାମ, ଶିଶୁପାଇଁ ୧/୨ ଗ୍ରାମ୍ ଏହି ସଂକ୍ରମଣରୁ ସମ୍ପୂର୍ଣ୍ଣ ଆରୋଗ୍ୟ ହେବାକୁ ବେଳେବେଳେ ଏହି ଔଷଧକୁ ସପ୍ତାହ ସପ୍ତାହ ଧରି ଏପରିକି ମାସ ମାସ ଧରି ବ୍ୟବହାର କରିବାକୁ ପଡିଥାଏ । ଖପୁରି ଉପରେ ହୋଇଥିବା ଟିନିଆ ଶିଶୁଟି ବଡ ହୋଇଗଲାପରେ (୧୧ ବର୍ଷରୁ ୧୪ ବର୍ଷ ମଧ୍ୟରେ) ଆପେ ଆପେ ଭଲ ହୋଇଯାଏ, ଖୁବ୍ ଜୋରରେ ଫୁଲିଯାଇ ସେଥିରେ ପୂଜ ହୋଇଥିଲେ ତା ଉପରେ ଗରମ ସେକ ଦେବା ଉଚିତ୍ । ଘା’ ହୋଇଥିବା ସ୍ଥାନରେ ଥିବା କେଶକୁ କାଟି ପରିଷ୍କାର କରିଦିଅନ୍ତୁ । ଶୈବାଳ ସଂକ୍ରମଣକୁ କିପରି ପ୍ରତିରୋଧ କରିବେ ଯାଦୁ ବା ଶୈବାଳ ଜନିତ ପ୍ରତ୍ୟକ ଚର୍ମରୋଗ ଭୀଷଣ ସଂକ୍ରାମକ ଅଟନ୍ତି । ଗୋଟିଏ ପିଲାଠାରୁ ଆଉ ଗୋଟିଏ ପିଲାକୁ ଏହାର ସଂକ୍ରମଣ କବଳରୁ ରକ୍ଷା କରିବାକୁ ହେଲେ : ଶୈବାଳ ସଂକ୍ରମଣରୁ ଯେଉଁ ପିଲାଠାରେ ଚର୍ମରୋଗ ସୃଷ୍ଟି ହୋଇଛି ତାହାକୁ ଅନ୍ୟ ପିଲାଙ୍କ ସହ ଏକାଠି ଶୋଇବାକୁ ଦିଅନ୍ତୁ ନାହିଁ । ରୋଗୀର ପାନିଆ ବା ଲୁଗାପଟା ଭଲରୂପେ ସଫା ନ କରି ଅନ୍ୟ ସୁସ୍ଥ ପିଲାଙ୍କୁ ବ୍ୟବହାର କରିବାକୁ ଦିଅନ୍ତୁ ନାହିଁ । ଚର୍ମରୋଗରେ ଆକ୍ରାନ୍ତ ପିଲାର ସଙ୍ଗେ ସଙ୍ଗେ ଚିକିତ୍ସା ବ୍ୟବସ୍ଥା କରନ୍ତୁ । ଦେହ ଓ ମୁହଁରେ ହେଉଥିବା ଧଳାଦାଗ ମନୁଷ୍ୟର ବେକ, ଛାତି ଓ ପିଠି ଆଦିରେ ସମୟେ ସମୟେ ଦେଖା ଦେଉଥିବା ଛୋଟ ଛୋଟ ଗାଢ ବା ହାଲକା କଳାଦାଗ, ଯାହାର ଚାରିପାଖରେ ଗାର ପଡିବା ଭଳି ଦିଶୁଥାଏ, ତାହା ଶୈବାଳ ସଂକ୍ରମଣରୁ ହିଁ ହୋଇଥାଏ ଓ ତାହାର ନାମ ଟିନିଆ ଭର୍ସିକଲର ଅଟେ । ଏହା ପ୍ରାୟ କୁଣ୍ଡେଇ ହୁଏ ନାହିଁ ଏବଂ ଏଥିପାଇଁ କୌଣସି ଔଷଧ ଖାଇବା ଦରକାର ହୁଏ ନାହିଁ । ଚିକିତ୍ସା ଗନ୍ଧକ ଓ ତେଲକୁ ମିଶାଇ ଏକ ମିଶ୍ରଣ ତିଆରି କରନ୍ତୁ (୧ ଭାଗ ଗନ୍ଧକ ସହ ୧୦ ଭାଗ ତେଲ) । ଏହାକୁ ନିୟମିତ ଘା’ ହୋଇଥିବା ସ୍ଥାନରେ ଘା’ ଭଲ ହେବା ପର୍ଯ୍ୟନ୍ତ ଲଗାନ୍ତୁ । ଏଥିପାଇଁ ସୋଡିୟମ ଥିଓସଲଫେଟ ମଧ୍ୟ ଭଲ କାମ କରିଥାଏ । ଫଟୋଗ୍ରାଫରମାନେ ଫିଲିମ ଧୋଇବାକୁ ଏହାକୁ ବ୍ୟବହାର କରିଥାନ୍ତି ଓ ଏହାକୁ ‘ହାଇପୋ’ ବୋଳି କହିଥାନ୍ତି । ଗୋଟିଏ ଗ୍ଲାସ ପାଣିରେ ଏକ ଚାମଚ ସୋଡିୟମ ଥିଓସଲଫେଟ ମିଶାନ୍ତୁ ଓ ଏହାକୁ ଆକ୍ରାନ୍ତ ସ୍ଥାନରେ ଲଗାନ୍ତୁ । ତା’ପରେ ଗୋଟିଏ ସଫା କପଡାକୁ ଭିନେଗାରରେ ବୁଡାଇ ତାହାକୁ ଉତ୍ତମରୂପେ ଚର୍ମ ଉପରେ ଘଷନ୍ତୁ । ଏହିଭଳି ଦାଗ ଭବିଷ୍ୟତରେ ଆଦୌ ନ ହେବାକୁ ଚାହୁଁ ଥିଲେ, ପ୍ରତି ଦୁଇ ସପ୍ତାହରେ ଥରେ ଲେଖାଏଁ ଉପରୋକ୍ତ ମତେ ଚିକିତ୍ସା କରନ୍ତୁ । ସେଲେନିୟମ ସଲଫାଇଡ ବା ହ୍ଵାଇଟ ଫିଲ୍ଡ ମଲମ ମଧ୍ୟ କାମ କରେ । ଅଧିକାଂଶ ସମୟ ଖରାରେ ବୁଲୁଥିବା କଳା ରଙ୍ଗର ଶିଶୁମାନଙ୍କ ଗାଲରେ ଆଉ ଏକ ପ୍ରକାର ଛୋଟ ଛୋଟ ଧଳା ଦାଗ ସାଧାରଣତଃ ଦେଖା ଦେଇଥାଏ । ଏହି ଦାଗ ଗୁଡିକ ଟିନିଆ ଭର୍ସିକଲର ଭଳି ବିଶେଷ ସ୍ପଷ୍ଟ ନୁହେଁ । ଏହି ଦାଗଗୁଡିକ କୌଣସି ସଂକ୍ରମଣରୁ ସୃଷ୍ଟି ହୋଇ ନ ଥାଏ । ଶିଶୁ ବଡ ହେଲେ ଏହା ଆପେ ଆପେ ଚାଲିଯାଏ । ଏଥିପାଇଁ କୌଣସି ଚିକିତ୍ସା ଲୋଡା ନାହିଁ । ପିଲାମାନଙ୍କ ଗାଲରେ ହେଉଥିବା ଏହିଭଳି ଛୋଟ ଛୋଟ ଦାଗକୁ ଲୋକେ ରକ୍ତଶୂନ୍ୟତାରୁ ସୃଷ୍ଟି ହୋଇଛି ବୋଳି କହିଥାନ୍ତି, କିନ୍ତୁ ବାସ୍ତବରେ ତାହାନୁହେଁ, କିମ୍ବା ତାହାକୁ ଭିଟାମିନ ବା ତିନିକ ଆଦି ଖାଇବାକୁ ଦେଲେ ଏହା ଦୂର ହୁଏ ନାହିଁ । ଯେଉଁ ଦାଗଗୁଡିକ କେବଳ ଗାଲ ଉପରେ ହୋଇଥାଏ ତାହାପାଇଁ କୌଣସି ଚିକିତ୍ସାର ଆଦୌ ଆବଶ୍ୟକତା ନାହିଁ । ସତର୍କତା ବେଳେବେଳେ ମଳିନ ଦାଗ କୁଷ୍ଠ ରୋଗର ଲକ୍ଷଣ ହୋଇଥାଏ । କୁଷ୍ଠ ଛଉ ସମ୍ପୂର୍ଣ୍ଣ ଧଳା ହୋଇ ନ ଥାଏ ଏବଂ ସେହି ଜାଗାରେ କିଛି ଅନୁଭବ କରିହୁଏ ନାହିଁ । ଛଉ (ଚର୍ମ ଉପରେ ଧଳାଦାଗ) କେତେକ ଲୋକଙ୍କର ଚର୍ମ ଉପରେ ସ୍ଥାନେ ସ୍ଥାନେ ଚର୍ମର ସ୍ଵାଭାବିକ ରଙ୍ଗ ନ ଥାଏ । ଏହି ସ୍ଥାନରେ ମନ୍ଦା ମନ୍ଦା ହୋଇ ଧଳାଦାଗ ଦେଖାଯାଏ, ଏହା ପ୍ରାୟ ହାତ, ଗୋଡ, ମୁହଁ ଓ ଶରୀରର ଉପର ଅଂଶ ମାନଙ୍କରେ ଦେଖା ଯାଇଥାଏ । ଚର୍ମର ସ୍ଵାଭାବିକ ରଙ୍ଗହୀନତାକୁ ସାଧାରଣ ଛଉ କୁହାଯାଏ । ଏହା ଏକ ରୋଗ ନୁହେଁ । ବୃଦ୍ଧ ଲୋକଙ୍କ ମସ୍ତକ କେଶ ଧଳା ହେବା ସଙ୍ଗରେ ଏହାକୁ ତୁଳନା କରାଯାଇ ପାରେ । ଏଥିପାଇଁ କୌଣସି ଚିକିତ୍ସା ନାହିଁ । ଅଥବା ଚିକିତ୍ସାର ଆବଶ୍ୟକତା ମଧ୍ୟ ନାହିଁ । କେବଳ ଧଳା ହୋଇ ଯାଇଥିବା ଚର୍ମକୁ ସୂର୍ଯ୍ୟତାପରୁ ରକ୍ଷା କରିବା ଉଚିତ୍ । ସେଥିପାଇଁ ସବୁବେଳେ ବସ୍ତ୍ର ପରିଧାନ କରିବା ଓ ଜିଙ୍କଅକସାଇଡ ମଲମ ବ୍ୟବହାର କରିବା ଉଚିତ୍ । ଛଉ ସୃଷ୍ଟି କରୁଥିବା ଅନ୍ୟାନ୍ୟ କାରଣ ସାଧାରଣ ଧଳାଦାଗ ପରି ଅନ୍ୟ କେତେକ ରୋଗ ମଧ୍ୟ ଧଳା ଛଉ ସୃଷ୍ଟି କରିଥାନ୍ତି ଯଦି କୌଣସି ଚର୍ମ ଉପରେ ଧଳା ଛଉକୁ ଗୋଟିଏ କଣ୍ଟା ମୁନରେ ଫୁଟାଇଲେ ମଧ୍ୟ କଷ୍ଟ ହୁଏ ନାହିଁ, ତେବେ ତାହା କୁଷ୍ଠରୋଗ ହୋଇପାରେ । ଶୈବାଳ ସଂକ୍ରମଣରୁ ମଧ୍ୟ ବେଳେବେଳେ ଚର୍ମ ଉପରେ ଧଳା ଦାଗ ସୃଷ୍ଟି ହୋଇଥାଏ ଟାନିୟା ଭର୍ସିକଲର ଦେଖନ୍ତୁ । ଆଧାର – ଓଡିଶା ଭଲ୍ୟୁଣ୍ଟାରୀ ହେଲଥ ଆସୋସିଏସନ