ଆୟୋଡିନ୍ ଅଭାବ ଆମ ଶରୀର ପାଇଁ ଆବଶ୍ୟକ ହେଉଥିବା ଅତିକ୍ଷୁଦ୍ର ପରିମାଣର ଧାତବସାର ହେଉଛି ଆୟୋଡିନ୍ । ଏହାର ଆବଶ୍ୟକତା ପରିମାଣ ଖୁବ୍ କମ୍ ହେଲେ ବି ଏହାର ଅଭାବରେ ଶରୀରରେ ବିଭିନ୍ନ ପ୍ରକାର ଅସୁବିଧା ଯଥା : ଗଳଗଣ୍ଡ, ମାନସିକ ନ୍ୟୁନତା, ବାକଶକ୍ତିଜନିତ ଅସୁବିଧା, ଟେରା, ମାଂସପେଶୀୟ ଦୁର୍ବଳତା, ଗର୍ଭାଶୟରେ ଶିଶୁମୃତ୍ୟୁ ଆଦି ଦେଖାଦେଇଥାଏ । ଏହି ରୋଗ ସାଧାରଣତଃ ପାର୍ବତ୍ୟ ଅଞ୍ଚଳରେ ଦେଖାଯାଇଥାଏ । ଉପକୂଳବର୍ତ୍ତୀ ଅଞ୍ଚଳରେ ଏହାର ପ୍ରଭାବ କମ୍। ପାହାଡିଆ ଅଞ୍ଚଳର ମାଟିରେ ଥିବା ଆୟୋଡିନ୍ ବାରମ୍ବାର ବର୍ଷା ଏବଂ ଅନ୍ୟାନ୍ୟ କାରଣରୁ କ୍ଷୟ ହୋଇଥାଏ । ତେଣୁ ସେଠାରେ ହେଉଥିବା ବୃକ୍ଷରାଜି ଏବଂ ପନିପରିବାରେ ଆବଶ୍ୟକ ପରିମାଣର ଆୟୋଡିନ୍ ନଥାଏ । ଏହି ପରିବା ଖାଇଲେ ମଧ୍ୟ ଶରୀର ପାଇଁ ଆବଶ୍ୟକୀୟ ପରିମାଣର ଆୟୋଡିନ୍ କୁ ଭରଣା କରିହୋଇନଥାଏ । ତେଣୁ ଉପରୋକ୍ତ ସମସ୍ୟା ଗୁଡିକ ଦେଖାଦିଏ । ଉତ୍ସ ଖାଦ୍ୟ, ପାଣି, ଆୟୋଡିନ୍ ଯୁକ୍ତ ଲୁଣ । ପ୍ରତିକାର ବ୍ୟବସ୍ଥା ଆୟୋଡିନ୍ କମ୍ ମିଳୁଥିବା ଅଞ୍ଚଳର ଲୋକେ ଖାଦ୍ୟରେ ଆୟୋଡିନ ଯୁକ୍ତ ଲୁଣ ଖାଆନ୍ତୁ। ଉପକୂଳବର୍ତ୍ତୀ ଅଞ୍ଚଳରେ ମଧ୍ୟ ଏହି ଲୁଣର ଆବଶ୍ୟକତା ରହିଛି । କାରଣ ଗର୍ଭ ସମୟରେ ଏବଂ ପିଲାଙ୍କ ଖାଦ୍ୟରେ ଆୟୋଡିନ୍ ର ଆବଶ୍ୟକତା ରହିଛି । ଗର୍ଭବତୀ ଆୟୋଡିନ ଯୁକ୍ତ ଲୁଣ ଖାଇଲେ ଗର୍ଭସ୍ଥ ଶିଶୁର ଉପଯୁକ୍ତ ବୃଦ୍ଧିରେ ଏହା ସହାୟକ ହୋଇଥାଏ । ଶରୀରରେ ଆୟୋଡିନ୍ ଟିକେ ବେଶି ହେଲେ ତାହା ନିଷ୍କାସନ ପ୍ରକ୍ରିୟାରେ ବାହାରକୁ ଚାଲିଆସେ । ଆୟୋଡିନ ଯୁକ୍ତ ତେଲ -ଯାହାକି ଇଞ୍ଜେକ୍ସନ୍ ଦେଲେ ପ୍ରାୟ 4 ବର୍ଷ ଯାଏଁ ଆୟୋଡିନ୍ ର ଭରଣା ହୋଇଥାଏ । ବିଜ୍ଞାନସମ୍ମତ ହେଲେ ମଧ୍ୟ ଲୁଣ ତୁଳନାରେ ଏଥିରେ ଅଧିକ ବ୍ୟୟହେତୁ ଏହାର ପ୍ରଚାଳନ କମ୍ । ମନେରଖନ୍ତୁ ଜଣେ ବ୍ୟକ୍ତିର ଦୈନିକ ଆୟୋଡିନ୍ ଆବଶ୍ୟକତାର ହାରାହାରି ପରିମାଣ ୧୫୦ ମାଇକ୍ରୋଗ୍ରାମ୍ । ପ୍ରତି ୧୦ ଗ୍ରାମ ଆୟୋଡିନ ଯୁକ୍ତ ଲୁଣରେ ପ୍ରାୟ ୧୫୦ ମାଇକ୍ରୋଗ୍ରାମ୍ ଆୟୋଡିନ୍ ଥାଏ । ଜଣେ ବ୍ୟକ୍ତି ଦିନକୁ ପ୍ରାୟ ୧୦-୧୨ ଗ୍ରାମ୍ ଲୁଣ ଖାଇଥାନ୍ତି । ଆଧାର : "ଓଡିଶା ଭଲ୍ୟୁଣ୍ଟାରୀ ହେଲ୍ଥ ଆସୋସିଏସନ"