ଉପକ୍ରମ ତରଳ ଝାଡା ଯୋଗୁଁ ଜଳଶୂନ୍ୟତା ଏବଂ ମନ୍ଦପୁଷ୍ଟି ହେବା ଫଳରେ ପ୍ରତି ବର୍ଷ ପ୍ରାୟ ଏକ ନିୟୁତ ଶିଶୁ ମରୁଛନ୍ତି । ବଡଙ୍କ ଅପେକ୍ଷା ଶିଶୁମାନେ ବେଶୀ ମରନ୍ତି , କାରଣ ସେମାନଙ୍କ ଦେହ ଜଳଶୂନ୍ୟ ହୋଇଯାଏ । କେବଳ ତରଳ ଝାଡାରୁ ହେଉଥିବା ଜଳଶୂନ୍ୟତା ଯୋଗୁଁ ଦୁଇଶହ ଶିଶୁଙ୍କ ଭିତରୁ ଜଣକର ମୃତ୍ୟୁ ହୋଇଥାଏ । ତରଳ ଝାଡା ଜୀବାଣୁ ଦ୍ଵାରା ହୋଇଥାଏ ଓ ଏହି ଜୀବାଣୁ ମଳ ବାଟ ଦେଇ ଆସିଥାଏ । ମୁଖ୍ୟତଃ ଏଠି ସେଠି ଖୋଳାରେ ଝାଡା ଫେରିବା , ଅସ୍ଵାସ୍ଥ୍ୟକର ଅଭ୍ୟାସ , ପରିଷ୍କାର ପିଇବା ପାଣିର ଅଭାବ ଏବଂ ଶିଶୁକୁ ମା’କ୍ଷୀର ଦିଆଯାଉ ନଥିଲେ ତରଳ ଝାଡା ହୋଇଥାଏ । ମା’କ୍ଷୀର ଖାଉଥିବା ଶିଶୁକୁ ପ୍ରାୟ ତରଳ ଝାଡା ହୁଏନାହିଁ । ଯଦି ସରକାର ଓ ବେସରକାରୀ ସଂସ୍ଥାଙ୍କ ସହ ପରିବାର ଏବଂ ଗୋଷ୍ଠୀ ଏକାଠି ମିଶି କାମ କରିବେ ତେବେ ଅବସ୍ଥାକୁ ଅନେକ ପରିମାଣରେ ସୁଧାରି ପାରିବେ । ଯାହା ଜାଣିବା ହେଉଛି ପ୍ରତ୍ୟକ ପରିବାର ଓ ଗୋଷ୍ଠୀର ଅଧିକାର ୧. ଦେହର ଜଳୀୟ ଅଂଶ ଚାଲିଯିବା ବା ଜଳଶୂନ୍ୟତା ଯୋଗୁଁ ତରଳ ଝାଡାରେ ଶିଶୁର ମୃତ୍ୟୁ ହୁଏ । ତେଣୁ ତରଳ ଝାଡା ଆରମ୍ଭ ହେବା ମାତ୍ରେ ଶିଶୁକୁ ଅଧିକ ପରିମାଣର ପାଣି ଏବଂ ନିୟମିତ ଖାଦ୍ୟ ଓ ପାନୀୟ ଦିଆଯିବା ଉଚିତ । ୨. ଯଦି ଘଣ୍ଟାକ ଭିତରେ ଅନେକ ଥର ତରଳ ଝାଡା ହୁଏ କିମ୍ବା ଝାଡାରେ ରକ୍ତ ପଡେ ତେବେ ଶିଶୁର ଜୀବନ ପ୍ରତି ବିପଦ ଆସିଥାଏ । ସାଙ୍ଗେ ସାଙ୍ଗେ ଜଣେ ପ୍ରଶିକ୍ଷିତ ସ୍ଵାସ୍ଥ୍ୟକର୍ମୀଙ୍କ ସହାୟତା ନେବା ଦରକାର । ୩. ମା’କ୍ଷୀର ଦେଲେ ତରଳ ଝାଡା ହେବା ଏବଂ ତା’ର ତୀବ୍ରତା ଅନେକ ପରିମାଣରେ କମି ଯାଇପାରେ । ୪. ତରଳ ଝାଡା ଫେରୁଥିବା ଶିଶୁ ତା’ର ସାଧାରଣ ଖାଦ୍ୟ ଖାଇବା ଜରୁରୀ । ତରଳ ଝାଡାର ଚିକିତ୍ସା ସମୟରେ ଦୁଇ ସପ୍ତାହ ଯାଏଁ ଶିଶୁକୁ ଦିନକୁ ଅନ୍ତତଃ ଗୋଟିଏ ଥର ଅଧିକା ଖାଦ୍ୟ ଦେବା ଆବଶ୍ୟକ । ୫. ତରଳ ଝାଡା ଯୋଗୁଁ ଶିଶୁ ଦେହରେ ଜଳଶୂନ୍ୟତା ଦେଖାଦିଏ ତେବେ କେବଳ ପ୍ରଶିକ୍ଷିତ ସ୍ଵାସ୍ଥ୍ୟକର୍ମୀଙ୍କ ପରାମର୍ଶ ଅନୁସାରେ ତରଳ ପାନୀୟ ଏବଂ ଔଷଧ ଦିଆଯିବା ଦରକାର । ତରଳା ଝାଡାର ଅନ୍ୟ ଔଷଧଗୁଡିକ ସାଧାରଣତଃ କାମ କରେନାହିଁ ଏବଂ ତାହା ଶିଶୁ ପାଇଁ କ୍ଷତିକାରକ ମଧ୍ୟ ହୋଇପାରେ । ୬. ତରଳ ଝାଡା ପ୍ରତିରୋଧ ପାଇଁ ପାଇଖାନା ବ୍ୟବହାର କରିବା କିମ୍ବା ମଳକୁ ପୋତିଦେବା ଦରକାର । ୭. ସ୍ଵାସ୍ଥ୍ୟକର ଜୀବନ ଧାରଣ ପ୍ରକ୍ରିୟା ତରଳ ଝାଡାରୁ ବଞ୍ଚାଇ ଥାଏ । ଝାଡା ଫେରିବା ପରେ ଓ ଖାଦ୍ୟ ଖାଇବା ବା ଛୁଆକୁ ଖୁଆଇବା ଆଗରୁ ହାତକୁ ସାବୁନ , ପାଉଁଶ ଆଦିରେ ଭଲ କରି ଧୋଇବା ଜରୁରୀ । ୧. ଦେହର ଜଳୀୟ ଅଂଶ ଚାଲିଯିବା ବା ଜଳଶୂନ୍ୟତା ହେବା ଯୋଗୁଁ ତରଳ ଝାଡାରେ ଶିଶୁର ମୃତ୍ୟୁ ହୁଏ । ତେଣୁ ତରଳ ଝାଡା ଆରମ୍ଭ ହେବା ମାତ୍ରେ ଶିଶୁକୁ ଅଧିକ ପରିମାଣର ପାଣି ଏବଂ ନିୟମିତ ଖାଦ୍ୟ ଓ ପାନୀୟ ଦିଆଯିବା ଉଚିତ । ଯଦି ଜଣେ ଶିଶୁର ଦିନକୁ ତିନି ବା ତା’ଠାରୁ ଅଧିକ ଥର ପାଣିଆ ଝାଡା ହୁଏ ତେବେ ଆମେ ଜାଣିବା ଯେ ତାକୁ ତରଳ ଝାଡା ହୋଇଛି । କେତେକ ଲୋକ ବିଶ୍ଵାସ କରନ୍ତି ଯେ ତରଳ ଝାଡା ସମୟରେ ପାଣି ପିଇଲେ ଅଧିକ କ୍ଷତି ହୁଏ । କିନ୍ତୁ ଏହା ଠିକ୍ ନୁହେଁ । ଝାଡା ବନ୍ଦ ହେବା ଯାଏଁ ପିଲାକୁ ଯେତେ ଥର ସମ୍ଭବ ତରଳ ପାନୀୟ ଦେବା ଦରକାର । ଯଥେଷ୍ଟ ପାଣି ପିଇବା ଯୋଗୁଁ ତରଳ ଝାଡା ସମୟରେ ଦେହରୁ ଚାଲି ଯାଇଥିବା ଜଳୀୟ ଅଂଶ ପୁଣି ଥରେ ଭରଣା ହୋଇଯାଏ । ତରଳ ଝାଡା ସମୟରେ ଶିଶୁକୁ ଦେବା ପାଇଁ ପାନୀୟ ମା’କ୍ଷୀର (ମା’ ସାଧାରଣ ସମୟ ଅପେକ୍ଷା ଅଧିକ ଥର କ୍ଷୀର ଖୁଆଇବା ଦରକାର) ଝୋଳ ତୋରାଣୀ ଫଳରସ ଅଳ୍ପ ଚିନି ପକାଇ ହାଲୁକା ଚା ପଇଡ ପାଣି ପରିଷ୍କାର ପିଇବା ପାଣି । ପାଣି ପରିଷ୍କାର ନଥିଲେ ତାକୁ ଫୁଟାଇ , ଛାଣି ପରିଷ୍କାର କରିବା ଜରୁରୀ । ଠିକ ପରିମାଣର ପାଣିରେ ଆବଶ୍ୟକ ଲବଣ ମିଶା ପାନୀୟ ବା ଓ.ଆର.ଏସ୍. ଜଳଶୂନ୍ୟତା ନହେବା ପାଇଁ ଶିଶୁ ଯେତେ ଥର ସମ୍ଭବ ମା’କ୍ଷୀର ଖାଇବା ଦରକାର । ମା’କ୍ଷୀର ଖାଉନଥିବା ଶିଶୁ ପ୍ରତି ଥର ଝାଡା ଯିବା ପରେ ତଳ ଲେଖା ଅନୁସାରେ ପାନୀୟ ପିଇବା ଉଚିତ । ଦୁଇ ବର୍ଷରୁ କମ୍ ବୟସର ଶିଶୁ : ଗୋଟିଏ ବଡ କପ୍ ର ଏକ ଚତୁର୍ଥାଂଶରୁ ଅଧା ଯାଏଁ ଦୁଇବର୍ଷ ବା ତା’ଠାରୁ ଅଧିକ ବୟସର ଶିଶୁ : ଗୋଟିଏ ବଡ କପ୍ ର ଅଧାରୁ ପୂରା ଯାଏଁ ଗୋଟିଏ ପରିଷ୍କାର କପ୍ ରେ ପିଇବାକୁ ଦେବା ଉଚିତ । ଦୁଧଖିଆ ବୋତଲ ସଫା କରିବା ସହଜ ନୁହେଁ , ତେଣୁ ସେଥିରେ ପିଇବାକୁ ଦେବା ଠିକ ନୁହେଁ । ଭଲ କରି ଧୁଆ ହୋଇନଥିବା ବୋତଲରୁ ତରଳ ଝାଡାର ଜୀବାଣୁ ଆସିପାରେ ଶିଶୁର ବାନ୍ତି ହେଉଥିଲେ ଦଶ ମିନିଟ ଅପେକ୍ଷା କରି ତା’ ପରେ ଧୀରେ ଧୀରେ ଅଳ୍ପ ଅଳ୍ପ କରି ପିଇବାକୁ ଦେବା ଦରକାର । ତରଳ ଝାଡା ବନ୍ଦ ହେବା ଯାଏଁ ଶିଶୁକୁ ଅଧିକ ତରଳ ପାନୀୟ ଦେବା ଜରୁରୀ । ସାଧାରଣତଃ ତିନି ଚାରି ଦିନ ପରେ ତରଳ ଝାଡା ବନ୍ଦ ହୋଇଯାଏ । ଯଦି ଏହା ସପ୍ତାହରୁ ଅଧିକ ଦିନ ଧରି ଲାଗିରହେ ତେବେ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ । ୨. ଯଦି ଘଣ୍ଟାକ ଭିତରେ ଅନେକ ଥର ତରଳ ଝାଡା ହୁଏ କିମ୍ବା ଝାଡାରେ ରକ୍ତ ପଡେ ତେବେ ଶିଶୁର ଜୀବନ ପ୍ରତି ବିପଦ ଆସିଥାଏ । ସାଙ୍ଗେ ସାଙ୍ଗେ ଜଣେ ପ୍ରଶିକ୍ଷିତ ସ୍ୱାସ୍ଥ୍ୟକର୍ମୀଙ୍କ ସହାୟତା ନେବା ଦରକାର । ଯଦି ଶିଶୁର ତଲଲିଖିତ ଲକ୍ଷଣମାନ ଦେଖାଯାଏ ତେବେ ତାକୁ ସାଙ୍ଗେ ସାଙ୍ଗେ ଡାକ୍ତର ଦେଖାଇବା ଦରକାର । ଘଣ୍ଟାଏ ଦୁଇଘଣ୍ଟା ଭିତରେ ଅନେକ ଥର ତରଳ ଝାଡା ହେଉଥାଏ ଝାଡାରେ ରକ୍ତ ପଡୁଥାଏ ଅନେକ ଥର ବାନ୍ତି ହେଉଥାଏ ଦେହରେ ଜ୍ଵର ଥାଏ ବହୁତ ଶୋଷ ଲାଗୁଥାଏ ପିଲା କିଛି ତରଳ ଜିନିଷ ପିବାକୁ ଇଚ୍ଛା କରିନଥାଏ ଖାଇବାକୁ ମନା କରୁଥାଏ ଆଖି ଭିତରକୁ ପଶି ଯାଇଥାଏ ଦୁର୍ବଳ ଦେଖା ଯାଉଥାଏ ବା ମାନ୍ଦା ଲାଗୁଥାଏ ସପ୍ତାହରୁ ଅଧିକ ସମୟ ଧରି ତରଳ ଝାଡା ହେଉଥାଏ ଉପର ଲିଖିତ ଯେକୌଣସି ଲକ୍ଷଣ ଦେଖାଗଲେ ସାଙ୍ଗେ ସାଙ୍ଗେ ଡାକ୍ତରଙ୍କୁ ଦେଖାଇବା ଦରକାର । ଏହି ସମୟ ଭିତରେ ଶିଶୁକୁ ଓ.ଆର.ଏସ୍. ବା ଅନ୍ୟ ତରଳ ପାନୀୟ ଦେବା ଜରୁରୀ । ଯଦି ଘଣ୍ଟାକ ଭିତରେ ଅନେକ ଥର ତରଳ ଝାଡା ହେବା ସହିତ ବାନ୍ତି ମଧ୍ୟ ହୁଏ ତେବେ ବିପଦର ସମ୍ଭାବନା ରହିଛି । କାରଣ ଏହା ହେଉଛି ହାଇଜାର ଲକ୍ଷଣ । ହାଇଜାରେ ଅଳ୍ପ କେତେ ଘଣ୍ଟା ଭିତରେ ଶିଶୁର ମୃତ୍ୟୁ ହୋଇପାରେ । ତେଣୁ ସାଙ୍ଗେ ସାଙ୍ଗେ ଡାକ୍ତରୀ ସହାୟତା ନେବା ଜରୁରୀ । ସଂକ୍ରମିତ ଖାଦ୍ୟ ଓ ପାନୀୟ ଯୋଗୁ ହଇଜା ସାରା ଗୋଷ୍ଠୀରେ ବହୁତ ଶୀଘ୍ର ବ୍ୟାପି ଯାଇପାରେ । ସାଧାରଣତଃ ଅସ୍ଵାସ୍ଥ୍ୟକର ପରିବେଶ ଓ ଅଧିକ ଜନଗହଳି ଅଞ୍ଚଳରେ ହଇଜା ବ୍ୟାପିଥାଏ । ହଇଜା ବା ତରଳ ଝାଡା ପ୍ରତିରୋଧ କରିବା ପାଇଁ ତଳ ଲିଖିତ ଚାରୋଟି ପଦକ୍ଷେପ ନେବା ଦରକାର । ୧. ପାଇଖାନାରେ ଝାଡା ବସିବା କିମ୍ବା ଝାଡା ବସିବା ପରେ ତାକୁ ପୋତି ଦେବା ୨. ଝାଡା ଯିବା ପରେ ହାତକୁ ସାବୁନ କିମ୍ବା ପାଉଁଶ ଓ ପାଣିରେ ଭଲ କରି ଧୋଇବା ୩. ପରିଷ୍କାର ପିଇବା ପାଣି ବ୍ୟବହାର କରିବା ୪. ଖାଦ୍ୟକୁ ଭଲ କରି ଧୋଇବା , ଚୋପା ଛଡାଇବା କିମ୍ବା ରାନ୍ଧିବା ୩. ମା’କ୍ଷୀର ଦେଲେ ତରଳ ଝାଡା ଏବଂ ତା’ର ତୀବ୍ରତା ଅନେକ ପରିମାଣରେ କମି ଯାଇପାରେ । ତରଳ ଝାଡା ହେଉଥିବା ଶିଶୁ ପାଇଁ ମା’କ୍ଷୀର ହେଉଛି ସବୁଠାରୁ ଭଲ ଖାଦ୍ୟ ଓ ପାନୀୟ । ଏହା ପୁଷ୍ଟିକର ଓ ପରିଷ୍କାର ଏବଂ ରୋଗ ସଂକ୍ରମଣରୁ ରକ୍ଷା କରିଥାଏ । କେବଳ ମା’କ୍ଷୀର ଖାଉଥିବା ଶିଶୁକୁ ତରଳ ଝାଡା ପ୍ରାୟ ହୁଏନାହିଁ । ମା’କ୍ଷୀର ଜଳଶୂନ୍ୟତା ଏବଂ ମନ୍ଦପୁଷ୍ଟିରୁ ରକ୍ଷା କରିଥାଏ ଏବଂ ଦେହରୁ ଚାଲିଯାଇଥିବା ଜଳୀୟ ଅଂଶକୁ ଭରଣା କରିଥାଏ । ଶିଶୁକୁ ତରଳ ଝାଡା ହେଉଥିଲେ ମା’କ୍ଷୀର ଖୁଆଇବା କମାଇ ଦେବାକୁ କେହି କେହି କହନ୍ତି । କିନ୍ତୁ ଏହା ଭୁଲ । ବରଂ ତରଳ ଝାଡା ହେଉଥିଲେ ଅନ୍ୟ ସମୟ ଅପେକ୍ଷା ଅଧିକ ଥର ଖୁଆଇବା ଦରକାର । ୪. ତରଳ ଝାଡା ଫେରୁଥିବା ଶିଶୁ ତା’ର ସାଧାରଣ ଖାଦ୍ୟ ଖାଇବା ଜରୁରୀ । ତରଳ ଝାଡାର ଚିକିତ୍ସା ସମୟରେ ଦୁଇ ସପ୍ତାହ ଯାଏଁ ଶିଶୁକୁ ଦିନକୁ ଅନ୍ତତଃ ଗୋଟିଏ ଥର ଅଧିକା ଖାଦ୍ୟ ଦେବା ଆବଶ୍ୟକ । ତରଳ ଝାଡା ହେଲେ ଶିଶୁର ଓଜନ କମିଯାଏ ଓ ସେ ମନ୍ଦପୁଷ୍ଟ ହୋଇଯାଏ । ତେଣୁ ତା’ର ଅଧିକ ଖାଦ୍ୟ ଓ ପାନୀୟ ଦରକାର । ଠିକ୍ ଭାବରେ ଖାଦ୍ୟ ଖାଇଲେ ଝାଡା ବନ୍ଦ ହୋଇ ଯାଇପାରେ ଓ ଶିଶୁ ଶୀଘ୍ର ଭଲ ହୋଇ ଯାଇପାରେ । ତରଳ ଝାଡାରେ ଆକ୍ରାନ୍ତ ଶିଶୁ ଖାଇବାକୁ ଇଚ୍ଛା କରେନାହିଁ କିମ୍ବା ତା’ର ବାନ୍ତି ମଧ୍ୟ ହୋଇପାରେ । ତେଣୁ ତାକୁ ଖୁଆଇବା କଷ୍ଟକର ହୋଇପଡେ । ଶିଶୁର ବୟସ ଛଅମାସ ବା ତା’ଠାରୁ ଅଧିକ ହୋଇଥିଲେ ସେ ଯେତେ ବେଶୀ ଖାଇବ ଭଲ । ଖାଦ୍ୟରେ ଅଳ୍ପ ଲୁଣ ପଡି ତାହା ନରମ ହୋଇ ଚକଟା ହୋଇଥିବା ବା ଶିଶୁକୁ ଭଲ ଲାଗୁଥିବା ଦରକାର । କଠିନ ଖାଦ୍ୟ ଅପେକ୍ଷା ନରମ ଖାଦ୍ୟ ଖାଇବାକୁ ସୁବିଧା ହୁଏ ଓ ସେଥିରେ ଅଧିକ ପରିମାଣର ତରଳ ରହିଥାଏ । ତରଳ ଝାଡା ହେଉଥିଲେ ଶିଶୁକୁ ସିଝା ଡାଲି ଓ ବିନ୍ ଚକଟା , ମାଛ , ଭଲ କରି ରନ୍ଧା ହୋଇଥିବା ମାଂସ , ଦହି ଓ ଫଳ ଦିଆଯାଇ ପାରିବ । ଡାଲି ଓ ପରିବାରେ ଛାମୁଚେ ଦୁଇ ଚାମଚ ତେଲ ପକାଯାଇ ପାରିବ । ଖାଦ୍ୟ ସାଙ୍ଗେ ସାଙ୍ଗେ ରାନ୍ଧି ଦିନକୁ ଅନ୍ତତଃ ପାଞ୍ଚ ଥର ଦେବା ଦରକାର । ତରଳ ଝାଡା ବନ୍ଦ ହେବା ପରେ ପୂରା ସୁସ୍ଥ ହେବା ପାଇଁ ଅଧିକ ଖାଇବା ଜରୁରୀ । ଏହି ସମୟରେ ଶିଶୁକୁ ଅନ୍ତତଃ ପକ୍ଷେ ଦୁଇ ସପ୍ତାହ ଯାଏଁ ଅଧିକ ଥର ଖାଦ୍ୟ କିମ୍ବା ମା’କ୍ଷୀର ଖାଇବାକୁ ଦେବା ଦରକାର । ଏହା ଦ୍ଵାରା ତରଳ ଝାଡା ସମୟରେ ଦେହରୁ ଚାଲିଯାଇଥିବା ଶକ୍ତି ଓ ପୋଷଣ ଭରଣା ହୋଇପାରେ ଶିଶୁର ଦେହ ଖରାପ ହେବା ଆଗରୁ ଥିବା ଓଜନ ସହ ସମାନ ନହେବା ଯାଏଁ ସେ ପୂରା ସୁସ୍ଥ ହୋଇନାହିଁ ବୋଲି ଧରାଯିବ । ଜୀବସାର କ ବଟିକା ଓ ଜୀବସାର କ ଥିବା ଖାଦ୍ୟ ଶିଶୁକୁ ଶୀଘ୍ର ଭଲ ହେବାରେ ସାହାଯ୍ୟ କରେ । ମା’କ୍ଷୀର , କଲିଜା , ମାଛ , ଦହି ଓ କ୍ଷୀରଜାତ ଅନ୍ୟ ଜିନିଷ , କମଳା ଓ ଅନ୍ୟ ହଳଦିଆ ଫଳ ଓ ପାରିବା , ଶାଗ ଆଦିରେ ବହୁତ ପରିମାଣର ଜୀବସାର କ ରହିଛି । ୫. ଯଦି ତରଳ ଝାଡା ଯୋଗୁଁ ଶିଶୁ ଦେହରେ ଜଳଶୂନ୍ୟତା ଦେଖାଦିଏ ତେବେ କେବଳ ପ୍ରଶିକ୍ଷିତ ସ୍ୱାସ୍ଥ୍ୟକର୍ମୀଙ୍କ ପରାମର୍ଶ ଅନୁସାରେ ତରଳ ପାନୀୟ ଏବଂ ଔଷଧ ଦିଆଯିବା ଦରକାର । ତରଳ ଝାଡାର ଅନ୍ୟ ଔଷଧଗୁଡିକ ସାଧାରଣତଃ କାମ କରେନାହିଁ ଏବଂ ତାହା ଶିଶୁ ପାଇଁ କ୍ଷତିକାରକ ମଧ୍ୟ ହୋଇପାରେ । କିଛି ଦିନ ଭିତରେ ତରଳ ଝାଡା ଆପେ ଆପେ ଭଲ ହୋଇଯାଏ । ଦେହରୁ ଜଳୀୟ ଅଂଶ ଓ ପୋଷଣ ଚାଲିଯିବା ହିଁ ହେଉଛି ସବୁଠାରୁ ବିପଦଜନକ । ତରଳ ଝାଡା ହେଉଥିବା ଶିଶୁକୁ ଡାକ୍ତରୀ ପରାମର୍ଶ ବିନା କୌଣସି ବଟିକା କିମ୍ବା ଔଷଧ ଦେବା ଉଚିତ ନୁହେଁ । ତରଳ ଝାଡାର ସବୁଠାରୁ ଭଲ ଚିକିତ୍ସା ହେଉଛି ପ୍ରଚୁର ପରିମାଣର ତରଳ ପାନୀୟ ଏବଂ ଠିକ ପରିମାଣର ପରିଷ୍କାର ପାଣିରେ ଓ.ଆର.ଏସ୍. ମିଶାଇ ତିଆରି ହୋଇଥିବା ଘୋଳ ପିଇବା । ଓ.ଆର.ଏସ୍. ପୁଡିଆ ମିଳୁନଥିଲେ ଏକ ଲିଟର ପରିଷ୍କାର ପାଣିରେ ଚାରି ଚାମଚ ଚିନି ଓ ଅଧା ଚାମଚ ଲୁଣ ମିଶାଇ ଏହି ଘୋଳ ତିଆରି କରାଯାଇ ପାରିବ । ଘୋଳ ତିଆରି ବେଳେ ଜିନିଷର ପରିମାଣ ଯେପରି ଠିକ ରହେ । କାରଣ ଅଧିକ ଚିନି ଜଳଶୂନ୍ୟତାକୁ ବଢାଇ ଦେଇପାରେ ଏବଂ ଅଧିକ ଲୁଣ ମଧ୍ୟ ଶିଶୁ ପାଇଁ ବହୁତ କ୍ଷତିକାରକ । ଘୋଳଟି ଟିକିଏ ପାନିଆ ହୋଇଗଲେ ବିଶେଷ କ୍ଷତି ନାହିଁ । ମିଳିମିଳା ହେଲେ ତରଳ ଝାଡା ମଧ୍ୟ ହୁଏ । ମିଳିମିଳା ପାଇଁ ପ୍ରତିଷେଧକ ଟୀକା ନେଇଥିବା ଶିଶୁକୁ ଏହି ପ୍ରକାର ତରଳ ଝାଡା ହେବାର ସମ୍ଭାବନା ନଥାଏ । ଓ.ଆର.ଏସ୍ ତରଳ ଝାଡା ପାଇଁ ବିଶେଷ ପାନୀୟ ଓ.ଆର.ଏସ୍ . କ’ଣ ? ତରଳ ଝାଡାରେ ଚାଲି ଯାଇଥିବା ଲବଣ ଓ ଜଳୀୟ ଅଂଶକୁ ଭରଣା କରିବା ପାଇଁ ପରିଷ୍କାର ପାଣିରେ ମିଶା ଯାଉଥିବା ସ୍ଵତନ୍ତ୍ର ପ୍ରକାରର ଲବଣ । ଓ.ଆର.ଏସ୍. କେଉଁଠାରୁ ମିଳିପାରିବ ? ଅଧିକାଂଶ ଦେଶରେ ଓ.ଆର.ଏସ୍. ପୁଡିଆ ସ୍ଵାସ୍ଥ୍ୟକେନ୍ଦ୍ର , ଔଷଧ ଦୋକାନ ଆଦିରେ ମିଳେ । ଓ.ଆର.ଏସ୍. ଘୋଳ ତିଆରି ୧. ଓ.ଆର.ଏସ୍. ପୁଡିଆ ଖୋଲି ଗୋଟିଏ ପରିଷ୍କାର ପାତ୍ରରେ ରଖନ୍ତୁ । ପୁଡିଆର ଲେଖା ଅନୁସାରେ ସେଥିରେ ପାଣି ମିଶାନ୍ତୁ । ପାଣି ବେଶୀ କମିଗଲେ ଝାଡା ବଢିଯାଇପାରେ । ୨. କେବଳ ପାଣି ମିଶାନ୍ତୁ । କ୍ଷୀର , ଝୋଳ , ଫଳରସ କିମ୍ବା ମୃଦୁପାନୀୟରେ ଓ.ଆର.ଏସ୍. ମିଶାନ୍ତୁ ନାହିଁ । ଚିନି ମିଶାନ୍ତୁ ନାହିଁ । ୩. ଭଲ କରି ଘାଣ୍ଟନ୍ତୁ ଓ ଗୋଟିଏ ପରିଷ୍କାର କପ୍ ରେ ନେଇ ଶିଶୁକୁ ପିଆନ୍ତୁ । ବୋତଲ ବ୍ୟବହାର କରନ୍ତୁ ନାହିଁ । କେତେ ପରିମାଣର ଓ.ଆର.ଏସ୍. ଦେବେ ? ଯେତେ ପରିମାଣର ସମ୍ଭବ ପିଇବାକୁ ଦିଅନ୍ତୁ । ଦୁଇ ବର୍ଷରୁ କମ୍ ବୟସର ଶିଶୁ ପ୍ରତି ଥର ଝାଡା ହେବା ପରେ ଗୋଟିଏ ବଡ କପ୍ ରେ ଏକ ଚତୁର୍ଥାଂଶରୁ ଅଧା ଯାଏଁ ପିଇବା ଦରକାର । ଦୁଇ ବର୍ଷରୁ ଅଧିକ ଶିଶୁ ପ୍ରତି ଥର ଝାଡା ହେବା ପରେ ଗୋଟିଏ ବଡ କପ୍ ର ଅଧାରୁ ପୂରା କପ୍ ଯାଏଁ ପିଇବା ଦରକାର ତରଳ ଝାଡା ସାଧାରଣତଃ ତିନି ଚାରି ଦିନରେ ବନ୍ଦ ହୋଇଯାଏ । ସପ୍ତାହେ ପରେ ମଧ୍ୟ ଝାଡା ବନ୍ଦ ନହେଲେ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ । ୬. ତରଳ ପ୍ରତିରୋଧ ପାଇଁ ପାଇଖାନା ବ୍ୟବହାର କରିବା ଉଚିତ କିମ୍ବା ମଳକୁ ପୋତିଦେବା ଦରକାର । ପିଇବା ପାଣି , ଖାଦ୍ୟ , ହାତ , ବାସନକୁସନ ବା ରନ୍ଧା ଜାଗା ମଇଳା ହେଲେ ଏସବୁ ସଂକ୍ରମିତ ହେବ ଏବଂ ଜୀବାଣୁ ଶିଶୁ ଓ ବଡଙ୍କ ଦେହକୁ ଯିବ । ମାଛି ମଧ୍ୟ ମଳରେ ବସି ଖାଦ୍ୟ ଉପରେ ବସିଲେ ଜୀବାଣୁ ସଂକ୍ରମିତ ହୋଇଥାଏ । ଖାଦ୍ୟ ଓ ପିଇବା ପାଣି ଢାଙ୍କି ରଖିଲେ ମାଛି ହେବେନାହିଁ । ସମସ୍ତଙ୍କ ମଳ ଏପରିକି ଛୋଟ ପିଲାଙ୍କ ମଳରେ ମଧ୍ୟ ଜୀବାଣୁ ଥାଏ । ଶିଶୁ ପାଇଖାନା ବ୍ୟବହାର କରୁନଥିଲେ ତା’ର ମଳକୁ ସାଙ୍ଗେ ସାଙ୍ଗେ ପାଇଖାନାରେ ପକାଇବା ବା ପୋତି ଦେବା ଦରକାର । ପାଇଖାନା ସଫା ରହିଲେ ଜୀବାଣୁ ସଂକ୍ରମଣ ହୁଏନାହିଁ । ଯଦି ପାଇଖାନାର ସୁବିଧା ନଥାଏ , ତେବେ ପିଲା ଓ ବଡ ଘର , ରାସ୍ତା , ପିଇବା ପାଣି , ପିଲାଙ୍କ ଖେଳିବା ଜାଗା ଆଦିରୁ ଦୂରରେ ଝାଡା ଯିବା ଏବଂ ମଳକୁ ମାଟିରେ ପୋତି ଦେବା ଉଚିତ । ପାଇଖାନା ନଥିବା ଗୋଷ୍ଠୀରେ ସମସ୍ତେ ଏକାଠି ମିଶି ପାଇଖାନା ପାଇଁ ବ୍ୟବସ୍ଥା କରିବା ଦରକାର । ପିଇବା ପାଣିର ଉତ୍ସକୁ ମଣିଷ ଓ ପଶୁଙ୍କ ମଳଠାରୁ ଦୂରେଇ ରଖିବା ଜରୁରୀ । ୭. ସ୍ଵାସ୍ଥ୍ୟକର ଜୀବନ ଧାରଣ ପ୍ରକ୍ରିୟା ତରଳ ଝାଡାରୁ ବଞ୍ଚାଇ ଥାଏ । ଝାଡା ଫେରିବା ପରେ ଓ ଖାଦ୍ୟ ଖାଇବା ବା ଛୁଆକୁ ଖୁଆଇବା ଆଗରୁ ହାତକୁ ସାବୁନ , ପାଉଁଶ ଆଦିରେ ଭଲ କରି ଢୋଇବା ଜରୁରୀ । ଝାଡା ଯିବା ପରେ , ଶିଶୁକୁ ପରିଷ୍କାର କରିବା ପରେ , ଶିଶୁକୁ ଖୁଆଇବା ଆଗରୁ , ଖାଦ୍ୟ ଛୁଇଁବା ଓ ଖାଇବା ହାତ ସାବୁନ ବା ପାଉଁଶ ଓ ପାଣିରେ ଭଲ କରି ଧୋଇବା ଦରକାର । ଛୋଟ ପିଲା ସବୁବେଳେ ପାଟିରେ ହାତ ପୂରାଏ । ତେଣୁ ଘର ସଫା ରଖିବା ଏବଂ ପିଲାର ହାତକୁ ବାରମ୍ବାର , ବିଶେଷ କରି ଖାଇବା ଆଗରୁ , ଭଲ କରି ଧୋଇବା ଦରକାର । ଅନ୍ୟ କିଛି ପରିମଳ ବ୍ୟବସ୍ଥା ମଧ୍ୟ ତରଳ ଝାଡାର ପ୍ରତିରୋଧ କରିପାରେ । ଠିକ ଖାଇବା ଆଗରୁ ଏବଂ ଭଲ ଭାବରେ ଖାଦ୍ୟ ରନ୍ଧାଯିବା ଦରକାର । ଖୋଲା ରହିଥିବା ବଳକା ଖାଦ୍ୟରେ ଜୀବାଣୁ ବଢି ତରଳ ଝାଡା କରାଇପାରେ । ଖାଦ୍ୟକୁ ଅତି ଗରମ ବା ଥଣ୍ଡା ଅବସ୍ଥାରେ ରଖିନଥିଲେ ରାନ୍ଧିବାର ଦୁଇଘଣ୍ଟା ପରେ ତାହା ଆଉ ଖାଇବା ଯୋଗ୍ୟ ହୋଇ ରହେନାହିଁ । ମାଛି ନହେବା ପାଇଁ ସବୁ ପ୍ରକାରର ଅଳିଆ ପୋତାଯିବା , ପୋଡାଯିବା ବା ନିରାପଦ ଭାବରେ ଫିଙ୍ଗାଯିବା ଜରୁରୀ । ଆଧାର : Unicef