ଆହାର ସ୍ୱାସ୍ଥ୍ୟରକ୍ଷାର ପ୍ରଥମ ଆୟୁଧ ହେଉଛି ଆହାର । ଆହାର କାରଣରୁ ଶରୀରର ଆକାର ବୃଦ୍ଧି ପାଇଥାଏ । ଏଥିରୁ ସ୍ୱାସ୍ଥ୍ୟ ନିର୍ଦ୍ଧାରଣ ହୋଇଥାଏ । ସର୍ବଦା ସୁଷମ ଖାଦ୍ୟ ଉପରେ ନିର୍ଭର କରିବା ଆବଶ୍ୟକ । ତେଣୁ ଖାଦ୍ୟ ଗ୍ରହଣ ସମୟରେ ଯଥେଷ୍ଟ ସାବଧାନତା ଅବଲମ୍ବନ କରିବା ଆବଶ୍ୟକ ଖାଦ୍ୟ ଖାଇବା ପୂର୍ବରୁ ହାତକୁ ସାବୁନରେ ଧୋଇ ଅଳ୍ପ । ବିଶୁଦ୍ଧ ଜଳ ଖାଦ୍ୟ ଗ୍ରହଣ ସୁଗମ ପାଇଁ ଆଚମନ କରିବା ଉଚିତ । ନିୟମ ଅନୁସାରେ, ସୁଷମ ଖାଦ୍ୟ ନିୟମିତ ଗ୍ରହଣ କରିବା ଉଚିତ । କ୍ଷୁଧା ଅନୁରୂପ ପେଟ ଭରା ନଖାଇ କମଖାଦ୍ୟ ଗ୍ରହଣକରିବା ଶରୀର ପାଇଁ ଭଲ । ନିୟମିତ ତନ୍ତୁଯୁକ୍ତ ଖାଦ୍ୟ ଯଥା: ଶାଗ, ଫଳ, ସାଲାଡ, ଡାଲି, ପନିପରିବା ଜାତୀୟ ଶାକାହାରୀ ଖାଦ୍ୟଗ୍ରହଣ କରିବା ଉଚିତ । ଶାଗ ଜାତୀୟ ଖାଦ୍ୟ ମୁହଁର ଲୋଚାପଣ ଦୂର କରିବା ସହ ଦୃଷ୍ଟିଶକ୍ତି ବଢାଏ । ଚା ଓ କଫି ନ ପିଇବା ଭଲ । ଦୀର୍ଘଦିନ ଏହାକୁ ପିଇଲେ ଯକୃତରେ ହାନି ପହଞ୍ଚାଏ । ଏଥିଯୋଗୁଁ ସ୍ନାୟବିକ ଦୁର୍ବଳତା ସୃଷ୍ଟି ହୋଇଥାଏ । ସକାଳେ ଚା’ ପରିବର୍ତ୍ତେ ଗରମ ପାଣି ପିଇବା ଭଲ । ଚିନି ଓ ଲୁଣ ଯେତେଦୂର ସମ୍ଭବ କମ୍ ଗ୍ରହଣ କରିବା ଉଚିତ । ଧୂଆଁ ପତ୍ର ସେବନ, ଧୂମପାନ, ମଦ୍ୟପାନ ବା ଯେକୌଣସି ନିଶାଦ୍ରବ୍ୟ ସମ୍ପୁର୍ଣ୍ଣ ପରିହାର ବିଧେୟ । ବିଶୁଦ୍ଧ ଜଳ ବା ଫୁଟାଯାଇଥିବା ପାଣି ଆବଶ୍ୟକ ମାତ୍ରାରେ ପିଇବା ଉଚିତ । ବ୍ୟକ୍ତିଗତ ଅବସ୍ମାକୁ ବିଚାର କରି ମାସରେ ଥରେ ସଜଳା ନିର୍ଜଳା ସଫଳ ଉପବାସ କରିବା ଉଚିତ । ପ୍ରତ୍ୟହ ଗଜାମୁଗ, ଗଜା ବିରି, ଗଜାମେଥି, ଗଜାସୋୟାବିନ ଓ ଗଜାଗହମ ଗ୍ରହଣ କରିବା ଭଲ । ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟଏବଂ ମସଲା। ଜାତୀୟ ଖାଦ୍ୟ ଅତ୍ୟଧିକ ସେବନ ହୃଦୟ ପାଇଁ କ୍ଷତିକାରକ । ତେଣୁ ମାତ୍ରାଧ୍ୟକତାକୁ ନିୟନ୍ତ୍ରଣ କରିବା ଉଚିତ । ଫାଷ୍ଟଫୁଡ, ଜଙ୍କଫୁଡ, ବାସି ଖାଦ୍ୟ ନ ଖାଇବା ଭଲ । ପ୍ରତ୍ୟେକ ଦିନ ଖାଦ୍ୟରେ କଦଳୀ, କମଳା, ଲେମ୍ବୁ, ସେଓ, ଡାଳିମ୍ବା, ଅଁଳା ଆଦି ଋତୁକାଳୀନ ଫଳ ସେବନ କରିବାଉଚିତ । କାର୍ବାଇଟ ଦ୍ଵାରା ପାଚିଥିବା ଫଳ ନଖାଇବା ଭଲ । ଖାଦ୍ୟରେ ସଂଶ୍ଳେଷିତ ରଙ୍ଗ ଓ ସୁବାସିତ ଦ୍ରବ୍ୟ ବ୍ୟବହାର ନକରି ସାଧାରଣ ହଳଦୀ, ତେଜପତ୍ର, କେଶର, ଅଳେଇଚ, ଗୁଜୁରାତି, ହିଙ୍ଗୁ, ଜାଇତ୍ରି, ଜାଇଫଳ, ଡାଲଚିନି, ଲବଙ୍ଗ, ଭୁରସୁଙ୍ଗା ପତ୍ର, ଧନିଆଁ ପତ୍ର, ପୋଦିନା ପତ୍ର ଆଦି ପରି ପ୍ରାକୃତିକ ଦ୍ରବ୍ୟର ସୁବାସକୁ ଉପଯୋଗ କରିବା ଉଚିତା ତେଲଜାତୀୟ ଖାଦ୍ୟର ପରିମାଣ ଯେତେ କମ୍ ହେବ ଭଲ । ମଝିରେ ମଝିରେ ରାନ୍ଧିବା ତେଲ ଗ୍ରହଣରେ ପରିବର୍ତ୍ତନ କଲେ ଶରୀର ଆବଶ୍ୟକୀୟ ପୋଷକତତ୍ତ୍ବ ପାଇପାରିଥାଏ । ପୂର୍ବରୁ ଗ୍ରହଣ କରିଥିବା ଖାଦ୍ୟ ହଜମ ହୋଇନଥିଲେ, ପୁନଃ ଖାଦ୍ୟ ଗ୍ରହଣ କରିବା ଉଚିତ ନୁହେଁ । କାରଣ ଏହା ଖାଦ୍ୟର ଆମାବସ୍ଥା ସୃଷ୍ଟିକରି ସମସ୍ତ ରୋଗର କାରଣ ହୁଏ । ସେହିପରି କ୍ଷୁଧା ସମୟରେ ଖାଦ୍ୟ ଗ୍ରହଣ ନକରିବା ସ୍ଵାସ୍ଥ୍ୟପାଇଁ ଅନୁକୂଳ । କ୍ଷୁଧା ନଥିବା ସମୟରେ ଖାଦ୍ୟ ଗ୍ରହଣ କରିବାକୁ ଆୟୁର୍ବେଦରେ କ୍ରମବିରୁଦ୍ଧ ଆହାର କହନ୍ତି । ଏହିପରି ଅନେକ ବିରୁଦ୍ଧ ଆହାର ବିଷୟରେ ଦୃଷ୍ଟାନ୍ତ ରହିଛି । ଯଥା- ମହୁକୁ ଉଷୁମ କରି ସେବନ, କଂସାପାତ୍ରରେ ଅନେକ ଦିନ ଧରିଥିବା ଘିଅ ସେବନ, ମାଛ ଓ କ୍ଷୀର ଏକତ୍ର ସେବନ, ଶୀତଋତୁରେ ଥଣ୍ଡା ପଦାର୍ଥ ଓ ଗ୍ରୀଷ୍ମ ଋତୁରେ ଉଷ୍ଣ, ଖଟା, ରାଗ ପଦାର୍ଥ ସେବନ ଇତ୍ୟାଦି । ଆଧାର: ସ୍ୱାସ୍ଥ୍ୟ ବ୍ୟୁରୋ